ଯେଉଁମାନେ ସଠିକ ସମୟରେ କର ଦେଉଛନ୍ତି ସେମାନଙ୍କୁ ପୁରସ୍କାର ସହ ଅନେକ ସୁବିଧା ସୁଯୋଗ ଯୋଗାଇଦେବେ ସରକାର!

ଯେଉଁମାନେ ଠିକ୍‌ ସମୟରେ କର ଦେଉଛନ୍ତି ସେମାନଙ୍କୁ ପୁରସ୍କୃତ କରିବେ ସରକାର। ଏଥିସହିତ ଅନେକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବେ। ଏଭଳି ଏକ ଯୋଜନା ଦେଶରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସାରା ଦେଶରେ ନାଗରିକମାନେ ବିଭିନ୍ନ ପ୍ରକାର କର ସରକାରଙ୍କୁ ଦେଇଥାଆନ୍ତି। ତେବେ ସରକାରଙ୍କୁ ଠକିବା ପାଇଁ ଲୋକମାନେ ମଧ୍ୟ ଅନେକ ପ୍ରକାର କୌଶଳ ଆପଣାଉଥିବା ନଜର ରହିଛି। ତେଣୁ ସମସ୍ତ ଲୋକ କିପରି ଭାବରେ ନିଜର କର ସଠିକ ସମୟରେ ଓ ଠିକ ଭାବରେ ଦେବେ ସେଥିପାଇଁ ସରକାର ଅନେକ ପ୍ରକାର ବ୍ୟବସ୍ଥା ମଧ୍ୟ ହାତକୁ ନେଇଛନ୍ତି। ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ସରକାର କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଯେଉଁଥିରେ ଲୋକମାନେ କର ଦେବା ସହ ଅନେକ ଅଫର ମଧ୍ୟ ପାଇପାରିବେ। ଯଦି ଆପଣ ସଠିକ ସମୟରେ କର ଭରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର।

ଯେଉଁମାନେ ସଠିକ ସମୟରେ କର ଦେଉଛନ୍ତି ସେମାନଙ୍କୁ ପୁରସ୍କାର ଦେବା ସହ ପ୍ରୋତ୍ସାହିତ ମଧ୍ୟ କରିବେ ସରକାର। ଏହାସହ ରେଳ ଷ୍ଟେସନ, ବିମାନ ବନ୍ଦର ଓ ଜାତୀୟ ରାଜପଥରେ ମଧ୍ୟ ଏମାନଙ୍କୁ ଅଗ୍ରାଧିକାର ଦିଆଯିବ। କେବଳ ଏତିକି ନୁହେଁ ବରଂ ସମସ୍ତ ସରକାରୀ କ୍ଷେତ୍ରରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ସହ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ସଠିକ କରଦାତାଙ୍କୁ ଅଭିନନ୍ଦନ ଜଣାଇବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହାସହ କର ଉପରେ ଏକ କମିଟି ଗଠନ କରିବା ସହ ସମସ୍ତ ତଥ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ମଧ୍ୟ ରିପୋର୍ଟ ଦିଆଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର