ନୂଆଦିଲ୍ଲୀ: ଯେକୌଣସି ସମୟରେ ଜୀବନରେ ପରିବର୍ତ୍ତନ ଆସିପାରେ । ବାସ୍‌ ଖାଲି ପରିବର୍ତ୍ତନ ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଯେଉଁ ଘରେ ୮ ଭାଇ ଓ ଭଉଣୀ ଅଛନ୍ତି, ବାପା ଚାଲିଯାଇଛନ୍ତି ଏବଂ ପଢ଼ିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ ଏପରି ପରିସ୍ଥିତିରେ, ଜଣେ ଅଧିକାରୀ ହେବାର ସ୍ୱପ୍ନ ଦେଖିବା ମଧ୍ୟ ଏକ ବଡ଼ କଥା । ଆମେ କହୁଛୁ ଚେନ୍ନାଇର କିଲକଟ୍ଟୁଲାଇରେ ଜନ୍ମଗ୍ରହଣ କରିଥିବା ବାଲମୁରୁଗନଙ୍କ ବିଷୟରେ । ପାଠ ପଢ଼ିବା ପାଇଁ  ପାଖରେ ଟଙ୍କା ନଥିଲା, ଗୁଜୁରାଣ ମେଣ୍ଟାଇବା ପାଇଁ ମାତ୍ର ୯ ବର୍ଷ ବୟସରେ ସେ ବିକୁଥିଲେ ଖବରକାଗଜ ଆଉ ଆଜି ଜଣେ ସଫଳ ଆଇଏଫସ ଅଧିକାରୀ ।

Advertisment

ସୂଚନାନୁସାରେ, ପି. ବାଲମୁରୁଗନଙ୍କ ମା’ ତାଙ୍କର ୯ ସନ୍ତାନଙ୍କୁ ଏକାକୀ ପାଳିଥିଲେ । ସେ ଚାହୁଁଥିଲେ ଯେ, ତାଙ୍କ ପିଲାମାନେ ଶିକ୍ଷିତ ହୁଅନ୍ତୁ କିନ୍ତୁ ବାଲମୁରୁଗନଙ୍କ ପାଖରେ ଖବରକାଗଜ ପଢ଼ିବାକୁ ମଧ୍ୟ ଟଙ୍କା ନଥିଲା । ତେଣୁ ସେ କେବଳ ପଢ଼ିବା ପାଇଁ ୯ ବର୍ଷ ବୟସରେ ଖବରକାଗଜ ବିକ୍ରି କରିବା ଆରମ୍ଭ କରିଥିଲେ । ବାଲମୁରୁଗନ୍ ପାଠପଢ଼ାରେ ବହୁତ ଭଲ ଥିଲେ । ଦିନେ ସେ ସ୍ଥିର କଲେ ଯେ, ସେ ପାଠ ପଢ଼ିବା ସହିତ ପ୍ରତିଦିନ ଖବରକାଗଜ ପଢ଼ିବେ, କିନ୍ତୁ ଖବରକାଗଜ ବିକ୍ରେତା ତାଙ୍କୁ କହିଥିଲେ ଯେ ଖବରକାଗଜ ପଢ଼ିବା ପାଇଁ ତାଙ୍କୁ ମାସକୁ ୯୦ ଟଙ୍କା ଦେବାକୁ ପଡ଼ିବ । ଏତେ ଟଙ୍କା ତାଙ୍କ ପାଖେ ନଥିବାରୁ ସେ ଖବରକାଗଜ ବିକିବା ଆରମ୍ଭ କରିଥିଲେ । ବିଦ୍ୟାଳୟକୁ ଯିବା ପୂର୍ବରୁ ସେ ଲୋକମାନଙ୍କ ପାଖରେ ଖବରକାଗଜ ପହଞ୍ଚାଉଥିଲେ। ଏଥିପାଇଁ ସେ ମାସିକ ୩୦୦ ଟଙ୍କା ପାଉଥିଲେ ।

ବାଲାମୁରୁଗାନ୍ କଠିନ ପରିଶ୍ରମ କରି ପାଠ ପଢ଼ୁଥିଲେ । ସେ ସେ ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସ୍ନାତକ ହାସଲ କରି ଗୋଟିଏ କାମ ଆରମ୍ଭ କରିଦେଇଥିଲେ । ସେହି ସମୟରେ ବାଲାମୁରୁଗାନ୍ ଜଣେ ଆଇଏଏସ୍ ଅଧିକାରୀଙ୍କ ଠାରୁ ଏତେ ପ୍ରେରଣା ପାଇଥିଲେ ଯେ ସେ ମଧ୍ୟ ଜଣେ ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଚାକିରି ଛାଡ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଶେଷରେ ୨୦୧୮ରେ ସେ ୟୁପିଏସସି ପରୀକ୍ଷା ପାସ କରି ଆଇଏଫଏସ୍ ଅଧିକାରୀ ହୋଇଥିଲେ।