ବିହାର: ସମୟର ଚକ୍ର ବି ବଡ଼ ବିଚିତ୍ର। କାହାକୁ କେତେବେଳେ କେଉଁ ସ୍ଥାନରେ ଆଣି ଛିଡ଼ା କରିବ ତାହା ବିଧାତାଙ୍କୁ ହିଁ ଜଣା। ତେବେ ଏଭଳି କଥା କହିବା ଯଥାର୍ଥ ହେଉଛି, ଜଣେ ଉଚ୍ଚଶିକ୍ଷିତ ଛାତ୍ର, ଯିଏକି ଆଇଆଇଏମ ଟପ୍ପର। ସେ ଆଜି ଜଣେ ତଥା ସଫଳ ବ୍ୟବସାୟୀ ଭାବେ ନାମ କମାଇଛନ୍ତି। ଏହି ବ୍ୟବସାୟୀଙ୍କ ନାମ ହେଉଛି କୌଶଳେନ୍ଦ୍ର। କୌଶଳେନ୍ଦ୍ରଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତାଙ୍କ ଜୀବନ କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବା ବେଶ୍ ସହାୟକ ହୋଇଛି।
ବିହାର ପାଟନାରେ କୌଶଳେନ୍ଦ୍ର ବସବାସ କରନ୍ତି। ନାଳାନ୍ଦା ଜିଲ୍ଲାର ମହମ୍ମଦପୁରରେ ତାଙ୍କର ଜନ୍ମ । କୌଶଳେନ୍ଦ୍ରଙ୍କ ବାପା ଓ ମା’ ଉଭୟ ଶିକ୍ଷକ । କୌଶଳେନ୍ଦ୍ର ଖୁବ୍ ଭଲ ପାଠ ପଢୁ ଥିଲେ। ପରୀକ୍ଷାରେ ସବୁବେଳେ ପ୍ରଥମସ୍ଥାନରେ ଉର୍ତ୍ତୀର୍ଣ୍ଣ ହେଉଥିଲେ। ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ମେଧାବୃତ୍ତି ପାଇ ସେ ଗାଁ ଛାଡିଥିଲେ। ଘରଠାରୁ ୫୦ କିଲୋମିଟର ଦୂରରେ ରହି ନିଜର ପାଠପଢା ଜୀବନକୁ ଆଗକୁ ନେଇଥିଲେ କୌଶଳେନ୍ଦ୍ର । ସ୍କୁଲ ପାଠ ସମାପ୍ତ କରିବା ପରେ ଗୁଜରାଟରେ ଇଞ୍ଜିନିୟରିଂ ପାଠପଢା ଆରମ୍ଭ କରିଥିଲେ ସେ। ସେହିଠାରେ କୌଶଳେନ୍ଦ୍ରଙ୍କ ମନକୁ ଏକ ପ୍ରଶ୍ନ ଆସିଥିଲା ଯେ, ସହରରେ ରହୁଥିବା ଲୋକ ଗାଁରେ ରହୁଥିବା ଲୋକଙ୍କଠାରୁ ବେଶ୍ ଭଲ ଜୀବନଯାପନ କରୁଛନ୍ତି । ତେଣୁ ସେ ନିଜ ଗାଁ ଲୋକଙ୍କୁ ସେହିଭଳି ଜୀବନଶୈଳୀ ଦେବାକୁ ମନେମନେ ସ୍ଥିର କରିଥିଲେ ।
୨୦୦୩ ମସିହାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ କୌଶଳେନ୍ଦ୍ର ଏକ କମ୍ପାନିରେ ମାସିକ ୬୦୦୦ ଟଙ୍କା ଦରମାରେ ଚାକିରି କରିଥିଲେ, କିନ୍ତୁ ଚାକିରୀରେ ମନ ଲାଗି ନଥିଲା ତାଙ୍କର। କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଆଗକୁ ବାଟ କଢାଇନେଇଥିଲା । କିଛିଦିନ ଭିତରେ ଚାକିରୀ ଛାଡି ଆଇଆଇଏମ ଅହମ୍ମଦାବାଦରେ ପାଠ ପଢିବା ଲକ୍ଷ୍ୟ ରଖି କ୍ୟାଟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ କୌଶଳେନ୍ଦ୍ର। କ୍ୟାଟ ପରୀକ୍ଷାରେ ଟପ୍ପର ହେବା ପରେ ଆଇଆଇଏମ ଅହମ୍ମଦାବାଦରେ ପଢିବା ସ୍ୱପ୍ନ ତାଙ୍କର ସାକାର ହୋଇଥିଲା । ଏତିକିରେ ଅଟକିଯାଇ ନଥିଲେ ସେ ସେ। ଆଇଆଇଏମ ଅହମ୍ମଦାବାଦରୁ ସ୍ୱର୍ଣ୍ଣପଦକ ଜିତି ନିଜର ଏମବିଏ ଡିଗ୍ରୀ ହାତେଇଥିଲେ କୌଶଳେନ୍ଦ୍ର।
ଏହାପର ଠାରୁ ବଦଳିଯାଇଥିଲା କୌଶଳେନ୍ଦ୍ରଙ୍କ ଜୀବନର ଗତିପଥ । ଆଇଆଇଏମରୁ ଏମବିଏ ଡିଗ୍ରୀ ହାସଲ କରିବା ପରେ ସହରର ଚାକଚକ୍ୟ ଜୀବନକୁ ତୁଚ୍ଛ କରି ନିଜ ଗାଁ ମାଟିକୁ ଫେରିଥିଲେ । ୨୦୦୭ରେ ଗାଁରେ ପହଞ୍ଚିବା ପରେ ପ୍ରଥମେ ସେ କୌଶଲ୍ୟା ଫାଉଣ୍ଡଡେସନ ଗଢିଥିଲେ । ଏହି ସଂସ୍ଥାର ଲକ୍ଷ୍ୟ ଥିଲା ଗାଁର ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ନୟ ରକ୍ଷା କରି ନିଜର ଏକ ବ୍ୟବସାୟ ଆରମ୍ଭ କରିବା, କିନ୍ତୁ ପ୍ରଥମେ ପ୍ରଥମେ ଏଥିରେ ବିଫଳତାର ପାଇଥିଲେ। ଅର୍ଥାଭାବରୁ ପ୍ରଥମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ । ଏପରିକି କିଛି ଲୋକ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଏମବିଏ୍ ଡିଗ୍ରୀ ହାତେଇବା ପରେ ମଧ୍ୟ ଚାକିରୀ ପାଉ ନଥିବା କହି ଅନେକ ଲୋକ ତାଙ୍କର ଥଟ୍ଟା ପରିହାସ ମଧ୍ୟ କରିଛନ୍ତି।
ଲୋକଙ୍କ ପାଖରୁ ଟାହି ଟାପରା ଶୁଣିବା ପରେ ମଧ୍ୟ ଭାଙ୍ଗି ପଡି ନଥିଲେ ସେ । ଏହି ସମୟ ମଧ୍ୟରେ ସେ ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ସେ ଚାଷୀଙ୍କୁ ଯୋଡିଥିଲେ । ସ୍ଥାନୀୟ ଚାଷୀଙ୍କ ଠାରୁ ଉତ୍ପାଦିତ ସାମଗ୍ରୀ ଆଣି ତାହାକୁ ବିହାରର ସମସ୍ତ ଅଞ୍ଚଳକୁ ପଠାଉଥିଲେ। ଏହିଭଳି ଭାବେ ତାଙ୍କ ଯୋଜନାରେ ପ୍ରାୟ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସେ ଯୋଡିଛନ୍ତି । ଏହାସହ ତାଙ୍କ ସଂସ୍ଥାରେ ଏବେ ୭୦୦ରୁ ଅଧିକ ଲୋକ କାମ କରୁଛନ୍ତି ।
ଏହି କର୍ମଚାରୀଙ୍କ ମୁଖ୍ୟ କାମ ହେଲା ସ୍ଥାନୀୟ ଚାଷୀଙ୍କ ଠାରୁ ପନିପରିବା ସଂଗ୍ରହ କରି ଏହାକୁ ବଜାରରେ ପହଞ୍ଚାଇବା । ତା’ଛଡା ଚାଷୀମାନେ କିପରି ଅଧିକରୁ ଅଧିକ ଉତ୍ପାଦନ କରିବେ ସେ ନେଇ ପରାମର୍ଶ ଦେଇଥାନ୍ତି ଏହି ସଂସ୍ଥାର କର୍ମଚାରୀ । ଏହି ପନିପରିବା ଚାଷୀଙ୍କ ପାଖରୁ ଆଣିବା ପରେ ଏହାକୁ କିଭଳି ଭାବେ ସତେଜ ଅବସ୍ଥାରେ ବଜାରରେ ପହଞ୍ଚାଯାଇ ପାରିବ ସେ ନେଇ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି କୌଶଳେନ୍ଦ୍ର।
ପନିପରିବାକୁ ସତେଜ ରଖିବା ପାଇଁ ଏକ ଭିନ୍ନ ଶୈଳୀର ଟ୍ରଲି ର୍ନିମାଣ କରାଯାଇଛି । ଟ୍ରଲିରେ ପନିପରିବାକୁ ସତେଜ ରଖିବା ପାଇ ବରଫ ରହିବା ଭଳି ବ୍ୟବସ୍ଥା କରାଯାଇଛି । ଫାଇବରରେ ର୍ନିମିତ ଏହି ଟ୍ରଲିରେ ୨୦୦ କି.ଗ୍ରା ପନିପରିବା ରହିପାରିବ । ଏହି ଇଲୋକଟ୍ରୋନିକ ଟ୍ରଲିରେ ପନିପରିବା ୫ରୁ ୬ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ । ଏହାଦ୍ୱାରା ସହରର ଘର ନିକଟକୁ ଏହି ଟ୍ରଲିରେ ପନିପରିବା ପହଞ୍ଚି ପାରୁଛି । ଏହି ଫାଇବାର ଟ୍ରଲିର ଦାମ ୪୦ରୁ ୫୦ ହଜାର ଟଙ୍କା ରହିଛି। କୌଶଳେନ୍ଦ୍ରଙ୍କ ବ୍ୟବସାୟର ପ୍ରଥମ ଦିନର ଆୟ ଥିଲା ୨୨ ଟଙ୍କା, କିନ୍ତୁ ଏବେ ତାଙ୍କ ସଂସ୍ଥାର ବର୍ଷକୁ ପ୍ରାୟ ୫ କୋଟି ଟଙ୍କା ଲାଭ କରୁଛନ୍ତି।
ତା’ଛଡା କିଛି ଚାଷୀଙ୍କ କହିବା ଅନୁଯାୟୀ, ସମୃଦ୍ଧି ଯୋଜନାରେ ସାମିଲ ହେବା ପରେ ତାଙ୍କର ୨୦ରୁ ୫୦ ପ୍ରତିଶତ ଅଧିକ ରୋଜଗାର ବଢିଛି । ଏହାଛଡା ବ୍ୟବସାୟୀଙ୍କର ୫୦ରୁ ୧୦୦ ପ୍ରତିଶତ ରୋଜଗାର ବୃଦ୍ଧି ପାଇଛି । କୌଶଳେନ୍ଦ୍ର ନିଜର ଏହି ସଫଳତା ପାଇଁ ନିଜର ଶିକ୍ଷକ, ପରିବାରବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେତେବେଳେ ଚାଷକୁ ନେଇ ଯୁବଗୋଷ୍ଠୀଙ୍କ ମନରେ ଉତ୍ସାହ କମି କମି ଯାଉଛି ସେତେବେଳେ କୌଶଳେନ୍ଦ୍ରଙ୍କ ଏହି ସଫଳତା ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ସମସ୍ତଙ୍କ ଆଶା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/gaonconnection2F2017-082F2ae992ac-d1c2-4d11-a9b2-35fb82da71e32Fiim-topper-farmer-selling-vegitable-gaonconnection.jpg)