ସୁପରିଚି ‘କ୍ଲାଉଡ୍‌ ସିକ୍ୟୁରିଟି’ କମ୍ପାନି ‘ସ୍କେଲର୍‌’ର ‘ସିଇଓ’ ତଥା ସଂସ୍ଥାପକ ଜୟ ଚୌଧୁରୀ ଶ୍ରେଷ୍ଠ କୋଟିପତି ଆମେରିକୀୟ-ଭାରତୀୟଙ୍କ ମଧ୍ୟରେ ଜଣେ ବୋଲି ପରିଗଣିତ ହୁଅନ୍ତି।

Advertisment

ହିମାଚଳ ପ୍ରଦେଶର ଉନା ଜିଲ୍ଲା ଅନ୍ତର୍ଗତ ପାନୋହ୍‌ ଗ୍ରାମରେ ଜନ୍ମିତ ଜୟ ଚୌଧୁରୀଙ୍କୁ ନାନା ବାଧାବିଘ୍ନ ମଧ୍ୟରେ ପାଠ ପଢ଼ିବାକୁ ହୋଇଥିଲା। ତାଙ୍କ ଗାଁରେ ବିଜୁଳି ସଂଯୋଗ ନ ଥିଲା କି, ପାଇପ୍‌ ପାଣି ନ ଥିଲା। କିନ୍ତୁ, ପାଠପଢ଼ା ପ୍ରତି ମନୋନି‌ବେଶ କରିଥିବା ଜୟ ଗଛମୂଳେ ମଧ୍ୟ ବସି ପାଠ ପଢୁଥିଲେ।

ସେ ବନାରସ ହିନ୍ଦୁ ୟୁନିଭର୍ସିଟିସ୍ଥିତ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ରୁ କମ୍ପ୍ୟୁଟର୍‌ ଇଞ୍ଜିନିୟରିଙ୍ଗ୍‌ରେ ସ୍ନାତକ ହାସଲ କରିଥିଲେ। ଶିକ୍ଷାର ଗୋଟିଏ କ୍ଷେତ୍ର ମଧ୍ୟରେ ସୀମିତ ନ ରହିବା ପାଇଁ  ସେ ‘ଏମ୍‌ବିଏ’ କରିବା ସହିତ ‘ସିନ୍‌ସିନ୍ନାଟି ବିଶ୍ବବିଦ୍ୟାଳୟ’ରୁ ‘ଇଣ୍ଡଷ୍ଟ୍ରିଆଲ୍‌ ଇଞ୍ଜିନିୟରିଙ୍ଗ୍‌’ରେ ସ୍ନାତକୋତ୍ତର କଲେ। ଏହି ସବୁ ଦକ୍ଷତା ପରବର୍ତ୍ତୀ ସମୟରେ ଉଦ୍ୟମିତା କ୍ଷେତ୍ରରେ ତାଙ୍କୁ ବିଶେଷ ସହାୟକ ହେଲା।

publive-image Image Courtesy of Indian Eagle

୧୯୯୭ରେ ଜୟ ‘ସିକ୍ୟୁରିଟି ଆଇଟି’ ଓ ‘ସିଫର୍‌ଟ୍ରଷ୍ଟ୍‌’ ଆରମ୍ଭ କରି ନିଜ ସଫଳ ଭବିଷ୍ୟତର ଅୟମାରମ୍ଭ କଲେ। ପ୍ରସିଦ୍ଧି ପାଇଁ ଏହା ଥିଲା ତାଙ୍କର ପ୍ରାରମ୍ଭିକ ପଦକ୍ଷେପ। ଏହାପରେସେ ‘ଏୟାର୍‌ ଡିଫେନ୍‌ସ୍‌’ ଓ ‘କୋର୍‌ହାର୍ବର୍‌’ ଭଳି ସୁପ୍ରସିଦ୍ଧ ବ୍ୟବସାୟ ସଂସ୍ଥାପନ କଲେ।

ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ଆଗରୁ ସେ ‘ଏନ୍‌ସିଆର୍‌’, ‘ଆଇବିଏମ୍‌’, ‘ୟୁନିସିସ୍‌’ ଓ ‘ଆଇକ୍ୟୁ ସଫଟ୍‌ୱେର୍‌’ ଭଳି ସମ୍ମାନଜନକ ପ୍ରତିଷ୍ଠାନରେ କାର୍ଯ୍ୟକରି ତାଙ୍କର ପରିଚାଳନାଗତ ଦକ୍ଷତା ବିକଶିତ କରିଥିଲେ। ଏହା ହେଉଛି ପାରଦର୍ଶିତା ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରମାଣ।

୨୦୦୮ରେ ‘ସ୍କେଲ୍‌ର୍‌’ ସ୍ଥାପନ କରିଥିବା ଜୟ ବର୍ତ୍ତମା‌ନ ୭୦.୯୩୨ କୋଟିର ମାଲିକ ବୋଲି ‘ଫୋର୍ବସ୍‌’ ରିପୋର୍ଟ କରିଛି।