ବର୍ତ୍ତମାନ ବର୍ଜ୍ୟପଦାର୍ଥର ପ୍ରକ୍ରିୟାକରଣ ଉପରେ ସମଗ୍ର ବିଶ୍ବରେ ଗୁରୁତ୍ବ ଦିଆଯାଉଛି। କାରଣ ଏହା ପରିବେଶ ପ୍ରଦୂଷଣର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାରଣ। ତେବେ ଶିଳ୍ପ ନଗରୀଗୁଡ଼ିକରୁ ନିର୍ଗତ ବର୍ଜ୍ୟଜଳ ନଦୀଗୁଡ଼ିକୁ ବହୁ ଭାବେ ପ୍ରଦୂଷିତ କରୁଛି। ଏହା ଫଳରେ ଦେଶର ୩୫୧ଟି ନଦୀର ଜଳ ପ୍ରଦୂଷିତ ହୋଇଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ୧୯ଟି ନଦୀ ପ୍ରଦୂଷିତ। ଉଭୟ ଶିଳ୍ପ ଓ ଘରୋଇ ବର୍ଜ୍ୟଜଳ ନଦୀରେ ମିଶିବା ଏହାର ମୁଖ୍ୟ କାରଣ। ଏଥିଯୋଗୁ ବିଶ୍ବବ୍ୟାପି ବର୍ଜ୍ୟଜଳର ବିଶୋଧନ ଓ ପ୍ରକ୍ରିୟାକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ଏବଂ ଏ ଦିଗରେ ଗବେଷଣା ଚାଲିଛି। ବର୍ଜ୍ୟଜଳରୁ ପରିବେଶ ଅନୁକୂଳ ବିଦ୍ୟୁତ ଉତ୍ପାଦନ ହୋଇପାରିବ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଭାରତୀୟ ଗବେଷକଙ୍କ ଦ୍ବାରା କରାଯାଇଥିବା ଏହି ଗବେଷଣା ନିଶ୍ଚିତ ଭାବେ ପ୍ରଦୂଷଣ ହାର କମାଇବା ଦିଗରେ ସକାରାତ୍ମକ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଦ୍ଭିଦ ଉପଯୋଗ କରି ମାନବ ବ୍ୟବହାର କରିଥିବା ଅପରିଷ୍କୃତ ଜଳରୁ ‘ମାଇକ୍ରୋବାୟାଲ୍ ଫୁଏଲ୍ ସେଲ୍ସ୍’ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରିବା ସମ୍ଭବପର ବୋଲି ‘ଆଇଆଇଟି-ଯୋଧପୁର’ର ଗବେଷକମାନେ କହିଛନ୍ତି। ‘ମାଇକ୍ରୋବାୟାଲ୍ ଫୁଏଲ୍ ସେଲ୍ସ୍’ (ଏମ୍ଏଫ୍ସି) ହେଉଛି ଏକ ଉପକରଣ, ଯାହା ଅଣୁଜୀବଙ୍କୁ ବ୍ୟବହାର କରି ବର୍ଜ୍ୟଜଳରେ ଥିବା ଆବର୍ଜନାରୁ ସିଧାସଳଖ ବିଜୁଳି ଶକ୍ତି ଉତ୍ପାଦନ କରିପାରେ। ଏହି ଗବେଷଣା ପ୍ରସୂତ ଫଳାଫଳ ନିକଟ ଅତୀତରେ ‘ବାୟୋରିସୋର୍ସ ଟେକ୍ନୋଲୋଜି’ ପତ୍ରିକାରେ ପ୍ରକାଶ ପାଇଛି।
‘ଆଇଆଇଟି-ଯୋଧପୁର’ର ତିନି ସଦସ୍ୟବିଶିଷ୍ଟ ଗବେଷକ ଦଳଙ୍କ କହିବା ଅନୁସାରେ, ଯେକୌଣସି ସଭ୍ୟ ସମାଜରେ ବ୍ୟବହୃତଜଳ ଶୋଧନ ଗୋଟାଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ସମ୍ପ୍ରତି ଘରେ ବ୍ୟବହୃତ ବର୍ଜ୍ୟଜଳର ପରିମାଣ ବୃଦ୍ଧି ପାଉଥିବା ବେଳେ ତାହାକୁ ବିଶୋଧନ କରିବା ସହ ସେଥିରୁ ବିଜୁଳି ଶକ୍ତି ଉତ୍ପାଦନ ହୋଇପାରିବ।
ଜୈବିକ ବର୍ଜ୍ୟପଦାର୍ଥରେ ବିପୁଳ ଶକ୍ତି ଥାଏ। ତେଣୁ, ଘରେ ବ୍ୟବହୃତ ବ୍ୟାପକ ଆବର୍ଜନା ଭରା ଜଳକୁ ବିଶୋଧନ କରିବାକୁ ଯେତିକି ଶକ୍ତି ବ୍ୟୟ ହେବ ତା’ର ୯ଗୁଣା ଶକ୍ତି ସେଥିରୁ ମିଳିବ। ଏହାଛଡ଼ା, ବର୍ଜ୍ୟଜଳ ବିଶୋଧନ ପ୍ରକ୍ରିୟାରୁ ବିଜୁଳି ଶକ୍ତି ଉତ୍ପାଦନ କରିବା ପାଇଁ ବିଶ୍ବବ୍ୟାପୀ ସମସ୍ତଙ୍କର ଆଗ୍ରହ ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି।
‘ଆଇଆଇଟି-ଯୋଧପୁର’ର ସହକାରୀ ପ୍ରଫେସର୍ ମୀନୁ ଛାବ୍ରା କହିଛନ୍ତି, ‘‘ଅଣୁଜୀବ ବା ବ୍ୟାକ୍ଟେରିଆଙ୍କୁ ବ୍ୟବହାର କରି ବିଜୁଳି ଶକ୍ତି ଉତ୍ପାଦନ କରିବା ଉପାୟ ୧୯୧୧ ମସିହା ବେଳୁ ଡୁର୍ହାମ୍ ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ପ୍ରଧ୍ୟାପକ ମାଇକେଲ୍ ପଟର୍ ବତାଇଥିଲେ ମଧ୍ୟ ‘ଫୁଏଲ୍ ସେଲ୍’ରେ ଅଣୁଜୀବ ବ୍ୟବହାର ନିକଟରେ ବିକଶିତ କରାଯାଇଛି। ଏହା ଥରକେ ଦୁଇଟି ସମସ୍ୟା ସମାଧାନ କରିବାରେ ସମର୍ଥ। ଗୋଟିଏ ହେଲା ବର୍ଜ୍ୟଜଳ ବିଶୋଧନ ଏବଂ ଅନ୍ୟଟି ହେଲା ବିଜୁଳି ଶକ୍ତି ଉତ୍ପାଦନ କରିବା।’’
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)