କଟକରେ ବଢୁଛି ନକଲି ଚୋରା ମଦ କାରବାର, ଅବକାରୀ ବିଭାଗର ଲୋକ‌ଦେଖାଣିଆ ଚଢ଼ାଉ

କଟକ : କଟକରେ ଆରମ୍ଭ ହୋଇଯାଇଛି ନକଲି ମଦ କାରବାର। ମଦ ଦୋକାନ ବନ୍ଦ ଥିଲେ ବି ସହରର ସାହି ବସ୍ତିରେ ମିଳୁଛି ମଦ। ଲୋକେ ୩/୪ ଗୁଣ ଅଧିକ ଦରରେ କିଣିବାକୁ ପଛାଉ ନଥିବାବେଳେ ଏବେ ଚାହିଦା ମେଣ୍ଟାଇବାକୁ ବିଭିନ୍ନ ଅଞ୍ଚଳରେ ତିଆରି ହେଲାଣି ମଦ। ମୁଖ୍ୟତଃ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମଦ ତିଆରି ଆରମ୍ଭ ହୋଇଯାଇଛି। ବାଇକ୍‌ ଓ ସାଇକଲରେ ଲୋକ ବୁଲି ବୁଲି ମଦ ଯୋଗାଇ ଦେଉଥିବା ବେଳେ ଅବକାରୀ ବିଭାଗର ଚଢାଉ ପ୍ରହସନରେ ପରିଣତ ହୋଇଛି। ଏଭଳି ଚୋରା ଆଉ ନକଲି ମଦ କାରବାର ବଢି ଚାଲିଥିବା ବେଳେ ଚଢାଉ ପାଇଁ ଅବକାରୀ ବିଭାଗ ପାଖରେ ଭିତ୍ତିଭୂମି ନଥିବାରୁ ବିଭାଗ ଏକପ୍ରକାର ହାତଟେକି ବସିଛି।

କଟକରୁ ବାର୍ଷିକ ୩୦ କୋଟି ଟଙ୍କାର ଅବକାରୀ ରାଜସ୍ବ ଆଦାୟ କରାଯାଉଥିବାବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୬ କୋଟିର ରାଜସ୍ବ ଆଦାୟ ହୋଇସାରିଛି। କିନ୍ତୁ ପାଖାପାଖି ଦେଢ ମାସ ଭିତରେ ମଦ ଚୋରା କାରବାର ଓ ନକଲି ମଦ ଯେଭଳି ଚେର ଲମ୍ବାଇଛି, ତାହା ବିଭାଗ ପାଇଁ ବି ଚିନ୍ତାର କାରଣ ହୋଇଛି। କଟକକୁ ମଦ ପ୍ରସ୍ତୁତି ପାଇଁ ନୟାଗଡ଼ ଏବଂ ଢେଙ୍କାନାଳରୁ ଆସୁଛି ଗୁଡ଼। ଗୁଡ଼ରେ ବାଖର ମିଶି ମଦ ପୋଚ ତିଆରି କରାଯାଉଛି। ଏହି ପୋଚକୁ ଜଂଗଲ ଭିତରେ ୪ ଫୁଟ ଗଭୀର ମାଟି ଖୋଳି ପୋତି ଦିଆଯାଉଛି। ଆଠଗଡ, ବାଙ୍କୀର ବିଭିନ୍ନ ଜଙ୍ଗଲ କୋରଗାଁ, ଭିରୁଡାରେ ଲୋକେ ପୋଖରୀ, ବାଉଁଶ ବୁଦା ପଛ, ବାଡ଼ି ପଛପଟେ ମଦ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ସବୁ ଅଞ୍ଚଳରେ ଦିନକୁ ହାରାହାରି ୨୦ ହଜାର ଲିଟର ମଦ ପ୍ରସ୍ତୁତ ହେଉଛି। ସେହିପରି ଭିରୁଡ଼ାରେ ଦୈନିକ ୧୫ ହଜାର ଲିଟର ଏବଂ ଡାଳୁଆ ଜଂଗଲରେ ଦୈନିକ ୨୫ ହଜାର ଲିଟର ମଦ ରନ୍ଧା ହେଉଥିବା ସୂଚନା ମିଳିଛି। ୪ ଦିନ ତଳେ ଏସବୁ ଅଞ୍ଚଳରେ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲା। ତିଗିରିଆ, ନୂଆପାଟଣା, ନରସିଂହପୁର, ବଡମ୍ବା, ମାହାଙ୍ଗା, ସାଲେପୁର, କଣ୍ଟାପଡା, ନିଆଳିରେ ବି ଲମ୍ବିଛି ଏହି ମଦ କାରବାରର ଚେର। ଅବକାରୀ ବିଭାଗ କେତେକ ସ୍ଥାନରେ ଚଢାଉ କରି ଚୁପ ବସି ଯାଉଥିବା ବେଳେ ଏହି ମଦ ବେପାରୀ ସ୍ଥାନ ବଦଳାଇ ସେମାନଙ୍କ ବେପାର ମେଲାଉଛନ୍ତି। ଏଭଳି ଘଟଣା ଜାରି ରହିଲେ ଆଗକୁ ହୁଏତ ପୁଣି ମଦମୃତ୍ୟୁ ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

ଅନ୍ୟପକ୍ଷରେ, ବିଭାଗର ତଥ୍ୟ କହୁଛି, ଲକ୍‌ଡାଉନ୍‌ ସମୟରେ ଅବକାରୀ ବିଭାଗ ୬୬ଟି ମାମଲା ରୁଜୁ କରିଛି। ୨୨ଟି ବାଇକ୍‌, ମାରୁତି କାର, ୩ହଜାର ଲିଟର ଦେଶୀ ମଦ, ଗଞ୍ଜେଇ ସହ ଭାଙ୍ଗ ଆଦି ଜବତ୍‌ କରିବା ସହିତ ବିଭିନ୍ନ ଅବକାରୀ ସାମଗ୍ରୀ ନଷ୍ଟ କରିଛି। ପାଖାପାଖି ୬୦ଲକ୍ଷ ଟଙ୍କାର ମଦ, ମଦ ତିଆରି ସାମଗ୍ରୀ ଜବତ୍‌ କରାଯାଇଥିବ‌ା ଅବକାରୀ ଅଧୀକ୍ଷକ ଅଶୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର