ଭାରତରେ ନଦୀ କେବଳ ପ୍ରବାହମାନ ଜଳଧାରା ନୁହେଁ, ଦେବୀ ଭାବେ ପୂଜିତା ମଧ୍ୟ। ଭାରତୀୟ ଧର୍ମୀୟ ପରମ୍ପରାରେ ପ୍ରବାହମାନ ଜଳଧାରା ଶକ୍ତି ଓ ସର୍ଜନାର ବାହକ ହୋଇଥିବାରୁ ଅଧିକାଂଶ ନଦୀକୁ ନାରୀ ତଥା ଦେବୀ ଭାବେ ରୂପାୟିତ କରାଯାଇଛି। ଦେବୀ ଭାବେ ପୂଜିତା ଭାରତର ପ୍ରସିଦ୍ଧ ନଦୀମାନଙ୍କ ସଂପର୍କରେ କିଞ୍ଚିତ୍।
ଗଙ୍ଗା- ଉତ୍ତରାଖଣ୍ଡର ପଶ୍ଚିମ ହିମାଳୟରୁ ଉତ୍ପତ୍ତି ହୋଇଥିବା ଗଙ୍ଗାନଦୀ ଅତ୍ୟନ୍ତ ପବିତ୍ର ବୋଲି ସର୍ବଜନବିଦିତ। ଗଙ୍ଗା ନଦୀରେ ସ୍ନାନକଲେ ସକଳ ପାପ ଧୌତହୋଇ ମୋକ୍ଷପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଉଭୟ ହିନ୍ଦୁ ଓ ବୌଦ୍ଧଧର୍ମାବଲମ୍ବୀ ଗଙ୍ଗାଙ୍କୁ ଦେବୀ ରୂପେ ପୂଜାର୍ଚ୍ଚନା କରିଥାଆନ୍ତି। ପୁରାଣ ମତରେ, ଦେବୀ ଗଙ୍ଗାଙ୍କର ମତାନ୍ତରେ ଦୁଇ ବା ଚାରିଟି ହସ୍ତ। ତାଙ୍କର ଗୋଟିଏ ହାତରେ ଥାଏ କୁମ୍ଭ ଓ ଅନ୍ୟ ହାତରେ ପଦ୍ମ। ଆର ହାତଯୋଡ଼ିକ ଅଭୟ ଓ ବରଦା ମୁଦ୍ରାରେ ଥାଏ। ମକର ହେଉଛି ଗଙ୍ଗାଙ୍କ ବାହନ। ପୃଥିବୀ ଅବତରଣ ପୂର୍ବରୁ ଗଙ୍ଗା ଯେଉଁଦିନ ଭୋଳାନାଥଙ୍କ ଜଟାକୁ ଆସିଥିଲେ ସେଦିନକୁ ଗଙ୍ଗାସପ୍ତମୀ ନାମରେ ନାମିତ କରାଯାଇଛି। ଏହି ତିଥିକୁ ଗଙ୍ଗାଜୟନ୍ତୀ ମଧ୍ୟ କୁହାଯାଏ। ଏହି ତିଥିର ଧାର୍ମିକ ମହତ୍ତ୍ବ ରହିଛି। ଏହି ଦିନ ଗଙ୍ଗାସ୍ନାନ ପରେ ମା’ ଗଙ୍ଗାଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରାଯାଏ।
ଯମୁନା- ଉତ୍ତରାଖଣ୍ଡସ୍ଥିତ ଦକ୍ଷିଣପଶ୍ଚିମ ବନ୍ଦରପୁଛ ଶୃଙ୍ଗରୁ ସୃଷ୍ଟ ଯମୁନା ହେଉଛି ଗଙ୍ଗାର ଦ୍ବିତୀୟ ବୃହତ୍ ଶାଖାନଦୀ ତଥା ଭାରତର ଦୀର୍ଘତମ ଉପନଦୀ। ହିନ୍ଦୁ ପୁରାଣରେ ଯାମି କୁହାଯାଇଥିବା ଯମୁନା ନଦୀ ବି ଦେବୀ ରୂପେ ପୂଜିତା। ସେ ସୂର୍ଯ୍ୟ ଓ ତାଙ୍କ ପତ୍ନୀ ସରଣ୍ୟୁଙ୍କ ସନ୍ତତି। ତାଙ୍କର ଭାଇ ହେଉଛନ୍ତି ଯମ। ପୌରାଣିକ ବର୍ଣ୍ଣନା ଅନୁଯାୟୀ, ଯମୁନା କୃଷ୍ଣଙ୍କ ଅଷ୍ଟପାଟ୍ଟରାଣୀଙ୍କ ମଧ୍ୟରେ ଅନ୍ୟତମା କାଳିନ୍ଦୀ। ଦେବୀ ଯମୁନାଙ୍କ ବର୍ଣ୍ଣ ଶ୍ୟାମଳ ଓ ତାଙ୍କର ବାହନ କଚ୍ଛପ। ଦୁଇହାତରେ ସେ ବହନ କରିଥାଆନ୍ତି କୁମ୍ଭ ଓ ପଦ୍ମ।
ନର୍ମଦା- ମଧ୍ୟପ୍ରଦେଶ ଓ ଗୁଜରାଟରେ ପ୍ରବାହିତ ନର୍ମଦା ରେବା ନଦୀ ଭାବେ ଅଭିହିତ। ପୁରାଣ କହେ, ତାଣ୍ଡବନୃତ୍ୟରତ ଶିବଙ୍କ ଶରୀରରୁ ନିର୍ଗତ ସ୍ବେଦରେ ଉତ୍ପତ୍ତି େହାଇଥିବାରୁ ନର୍ମଦା ନଦୀକୁ ଦେବୀ ମାନ୍ୟତା ଦିଆଯାଏ। ବନଲିଙ୍ଗ କୁହାଯାଉଥିବା ସ୍ବାଭାବିକ ଭାବେ ସୃଷ୍ଟ ବହୁ ଶିବଲିଙ୍ଗ ଏ ନଦୀରୁ ମିଳେ। ଆଉ ଏକ ଆଖ୍ୟାନ ଅନୁସାରେ, ବ୍ରହ୍ମାଙ୍କ ଅଶ୍ରୁରୁ ନର୍ମଦା ଓ ସୋନ ନଦୀ ସୃଷ୍ଟି ହୋଇଛନ୍ତି। ଏ ଦେବୀ ଚତୁର୍ହସ୍ତା। ତାଙ୍କର ତିନିଟି ହାତରେ ଥାଏ ତ୍ରିଶୂଳ, ଶିବଲିଙ୍ଗ ଓ କଳସ। ଆଉ ଗୋଟିଏ ହାତ ଥାଏ ଅଭୟ ମୁଦ୍ରାରେ। କାବେରୀ- କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟ ଦେଇ ପ୍ରବାହିତ କାବେରୀ ମଧ୍ୟ ଦେବୀ ଭାବେ ପୂଜିତା। ପୁରାଣ କହେ, ଥରେ ଅନାବୃଷ୍ଟି ବେଳେ ଦେବୀ କାବେରୀ ଜଳରେ ପରିଣତ ହୋଇଗଲେ ଓ ଅଗସ୍ତ୍ୟଋଷି ସେ ଜଳ କମଣ୍ଡଳୁରେ ପୂରାଇ ନେଇଆସିଲେ। ଦିନେ ଅଗସ୍ତ୍ୟଋଷି ବିଶ୍ରାମ ନେଉଥିବା ବେଳେ ଗଣେଶ ଗାଈ ରୂପରେ ଆସି ତାଙ୍କ କମଣ୍ଡଳୁ ଗଡ଼ାଇ ଦେବାରୁ ସେ ଜଳ ଇଡ଼ିଯାଇ କାବେରୀ ନଦୀ ହୋଇଗଲା। କାବେରୀ ଦେବୀଙ୍କର ଦୁଇ ବା ଚାରିବାହୁ। ସେଥିରୁ ସେ ଗୋଟିଏ ବହୁରେ ମାଳା, ଆଉ ଗୋଟିଏ ବାହୁରେ ପଦ୍ମ ଓ ତୃତୀୟ ବାହୁରେ ଜଳ ଝରିପଡୁଥିବା କୁମ୍ଭ ଧାରଣ କରିଛନ୍ତି। ତାଙ୍କ ଚତୁର୍ଥ ବାହୁଟି ଅଭୟ ମୁଦ୍ରାରେ ଥାଏ।
ଗୋଦାବରୀ- ଭାରତର ଦ୍ବିତୀୟ ଦୀର୍ଘ ନଦୀ ଗୋଦାବରୀର ଉତ୍ସ ମହାରାଷ୍ଟ୍ରର ଶୈବପୀଠ ତ୍ରୟମ୍ବକେଶ୍ୱରରେ ରହିଛି। ପୌରାଣିକ ଆଖ୍ୟାନ କହେ, ଗଙ୍ଗାଙ୍କ ଧାରା ପରିବର୍ତ୍ତନ କରି ନାଶିକ ମଧ୍ୟ ଦେଇ ପ୍ରବାହିତ କରାଇବାକୁ ଗୌତମ ମୁନି ପ୍ରଭୁ ତ୍ରୟମ୍ବକେଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ତପସ୍ୟା କଲେ। ତାଙ୍କ ତପଫଳ ବଳରେ ଗୋଦାବରୀ ନଦୀ ଉତ୍ପତ୍ତି ହେଲା। ମକର ଉପରେ ଦଣ୍ଡାୟାମାନା ଗୋଦାବରୀ ଦେବୀଙ୍କର ଦୁଇ ବା ଚାରିଟି ହସ୍ତ। ଏ ପବିତ୍ର ନଦୀ ତଟରେ ବହୁ ତୀର୍ଥସ୍ଥାନ ରହିଛି। ଏହାବାଦ୍ ବରାହଙ୍କ ବକ୍ଷରୁ ଜାତ ହୋଇଥିବା ଶିପ୍ରା ନଦୀ ମଧ୍ୟ ଦେବୀ ରୂପେ ପୂଜିତା। ଶିପ୍ରା ମଧ୍ୟପ୍ରଦେଶରେ ପ୍ରବାହିତ। ସେହିପରି କେନ୍ଦ୍ରୀୟ ଭାରତର ନଦୀ ତାପ୍ତି ବି ଦେବୀ ଭାବେ ପୂଜିତା। କିଂବଦନ୍ତୀ କହେ, ସେ ସୂର୍ଯ୍ୟ ଓ ଛାୟାଙ୍କ ସନ୍ତତି। ମହାଭାରତରେ ବି ସେ ଦେବୀ ତାପ୍ତି ଭାବେ ଅଭିହିତା।