ଅମୃତ ଅମ୍ଳଜାନ

ଡାକ୍ତର ଅଶ୍ବିନୀ ପୂଜାହାରୀ, ପୂର୍ବତନ ନିର୍ଦ୍ଦେଶକ, ଭିମ୍‌ସାର

କୋଭିଡ-୧୯ର ସ୍ଥିତିରେ ଅକ୍ସିଜେନ୍‌ ହଠାତ୍ ଚର୍ଚ୍ଚାର ଶୀର୍ଷରେ ରହିଛି। ଏଯାଏ ଯେଉଁ ଜିନିଷଟିକୁ ଆମେ ମାଗଣାରେ ଓ ନିଜ ଅଜାଣତରେ ପାଇ ଆସୁଥିଲୁ, ତାହାର ଅଭାବରେ ରୋଗୀମାନେ ମୃତ୍ୟୁମୁଖରେ ପଡୁଥିବାର ଖବର ଶୁଣୁଛୁ। ଅକ୍ସିଜେନର ଅଭାବ, ଅକ୍ସିଜେନ ଯୋଗାଣ ଓ କଳାବଜାର ଏବେ ଖବରରେ। ଏହାକୁ ନେଇ ରାଜନୀତି ବି ଚାଲିଛି। ରୋଗୀ ଚିକିତ୍ସାରେ ଅକ୍ସିଜେନର ଆବଶ୍ୟକତା ଓ ବିଭିନ୍ନ ପ୍ରଣାଳୀ ଉପରେ ସବିଶେଷ ତଥ୍ୟ

ଶରୀର ପାଇଁ ଅମ୍ଳଜାନ (ଅକ୍ସିଜେନ)ର ଆବଶ୍ୟକତା
ଆମ ଶରୀର ଭିତରେ ରକ୍ତ ଏକ ନିବୁଜ ପାଇପ୍‌ ପ୍ରଣାଳୀ ଦେଇ ଗତି କରେ। ଏହି ରକ୍ତ ଆମ ଅଙ୍ଗପ୍ରତ୍ୟଙ୍ଗମାନଙ୍କୁ ଅମ୍ଳଜାନ, ଖାଦ୍ୟ, ହର୍ମୋନ ଆଦି ଯୋଗାଇବା ସହିତ ସେମାନଙ୍କଠାରୁ ଅଙ୍ଗାରକାମ୍ଳ (କାର୍ବୋନ ଡାଇକ୍ସୋଇଡ) ଆଦିକୁ ନେଇ ବୃକକ୍ (କିଡ୍‌ନି), ଯକୃତ (ଲିଭର୍) ଓ ଫୁସ୍‌ଫୁସ୍‌ (ଲଙ୍ଗସ)ରେ ପହଞ୍ଚାଏ, ଯାହାଦ୍ବାରା ସେଗୁଡ଼ିକ ଶରୀର ବାହାରକୁ ବାହାରିଯାଏ।

କାପିଲାରି: ଏହି ପାଇପ୍‌ ପ୍ରଣାଳୀ ଭିତରୁ ଗୋଟିଏ ହାର୍ଟ ବା ହୃଦୟରୁ ରକ୍ତକୁ ଶରୀରର ବିଭିନ୍ନ ଅଂଶକୁ ନିଏ, ଯାହାକୁ କୁହାଯାଏ- ଆର୍ଟିଲାରି ସିଷ୍ଟମ। ଏହାର ନଳୀଗୁଡ଼ିକରୁ ଅନେକ ଶାଖା ବାହାରି କ୍ରମଶଃ ସେଗୁଡ଼ିକ ଆହୁରି ସରୁଆ ହୋଇ ଯାଆନ୍ତି ଏବଂ ସବୁଠାରୁ ଛୋଟିଆ ସିଷ୍ଟମରେ ପହଞ୍ଚନ୍ତି, ଯାହାକୁ କୁହାଯାଏ- କାପିଲାରି। କାପିଲାରି ଚାରିପଟରେ ଅତ୍ୟନ୍ତ ପତଳା ଆବରଣ ଥାଏ। କାପିଲାରି ଭିତରେ ଥିବା ରକ୍ତ ସେଲ୍ ଭିତରକୁ ଯାଇ ସେଲ୍ ଭିତରୁ ଅଙ୍ଗାରକାମ୍ଳ କାପିଲାରି ଭିତରକୁ ଆସିଯାଏ। କାପିଲାରି ମଶାରୀ ଜାଲି ଭଳି ଦେଖିବାକୁ, ଯାହାର ଛିଦ୍ରଗୁଡ଼ିକରେ ସେଲ୍‌ମାନେ ରହିଥାନ୍ତି।

ଭେନାକାଭା: ତା’ପରେ କାପିଲାରିଗୁଡ଼ିକ ଏକ ପ୍ରଣାଳୀ ଜରିଆରେ ଅଙ୍ଗାରକାମ୍ଳ ମିଶା ରକ୍ତକୁ ବୋହି ନିଅନ୍ତି, ଯାହାରକୁ କୁହାଯାଏ- ଭେନସ୍ ସିଷ୍ଟମ। ଏହି ସିଷ୍ଟମର ଛୋଟ ଭେନ୍‌ ବା ଶିରାଗୁଡ଼ିକ ବଡ଼ ଭେନ୍‌ ସହିତ ମିଶିଥାନ୍ତି ଓ ବଡ଼ଗୁଡ଼ିକ ଏକାଠି ହୋଇ ଆହୁରି ବଡ଼ ଭେନ୍ ସୃଷ୍ଟି କରିଥାନ୍ତି। ସବୁଠାରୁ ବଡ଼ ଦୁଇଟି ଭେନ୍‌କୁ କାହାଯାଏ- ଭେନାକାଭା। ଏହି ଦୁଇ ଭେନାକାଭା ଭିତରୁ ଗୋଟିଏ ଶରୀରର ଉପରଅଂଶ ପାଇଁ (ସୁପିରିୟର୍ ଭେନାକାଭା) ହୋଇଥିବାବେଳେ ଅନ୍ୟଟି ନିମ୍ନ ଅଂଶ ପାଇଁ (ଇନ୍‌ଫେରିଅର୍ ଭେ‌ନାକାଭା)। ଏହି ଦୁଇଟି ହାର୍ଟ ସହିତ ରାଇଟ୍ ଅପର୍ ଚ୍ୟାମ୍ବର ବା ଆର୍‌ଏରେ ସଂଯୁକ୍ତ ଥାଆନ୍ତି। ଉପରୋକ୍ତ ଅଙ୍ଗାରକାମ୍ଳ ମିଶା ରକ୍ତ ରାଇଟ୍ ଲୋୟର ଚ୍ୟାମ୍ବର୍ ବା ଆର୍‌.ଭି.କୁ ଯାଏ ଏବଂ ସେ ଚ୍ୟାମ୍ବର ତାହାକୁ ଫୁସ୍‌ଫୁସ୍‌ ଭିତରକୁ ପମ୍ପ କରେ।

ଫୁସ୍‌ଫୁସ୍: ଆମର ଦୁଇଟି ଫୁସ୍‌ଫୁସ୍‌ ଅଛି- ଡାହାଣ ଓ ବାମ। ପୁଣି ଫୁସ୍‌ଫୁସ୍‌ର ଦୁଇଟି ସିଷ୍ଟମ୍‌ ମଧ୍ୟ ଅଛି। ପ୍ରଥମଟି ହେଉଛି ଏୟାର୍ ସିଷ୍ଟମ- ଯେଉଁଥିରେ ଏୟାର୍‌ ବା ବାୟୁ ଦିନ ଓ ରାତି, ନିଦ୍ରା ଓ ଜାଗ୍ରତ ୨୪ ଘଣ୍ଟା ପଶୁଥାଏ ଓ ବାହାରୁ ଥାଏ। ଏହା ବନ୍ଦ ହୋଇଗଲେ ହାର୍ଟ ମଧ୍ୟ କିଛି ମିନିଟ୍ ଭିତରେ ବନ୍ଦ ହୋଇଯାଏ। ଦ୍ବିତୀୟ ସିଷ୍ଟମ୍ ହେଉଛି- ବ୍ଲଡ୍ ଟ୍ୟୁବ୍ ସିଷ୍ଟମ। ଏହାର ଆକାର ମଶାରୀ ଭଳି। ଏହାର ଖୋଲା ଅଂଶଟି ହେଉଛି ଏୟାର୍ ସିଷ୍ଟମର ନିମ୍ନ ଅଂଶ। ଏହାରି ମାଧ୍ୟମରେ ଅଙ୍ଗାରକାମ୍ଳ ବାହାରିଯାଇ ରକ୍ତ ଓ ଲୋହିତ କଣିକାକୁ ଅମ୍ଳଜାନ ଯାଏ। ସେହି ରକ୍ତ ହାର୍ଟର ବାମ ଅପର୍ ଚ୍ୟାମ୍ବରକୁ ଫେରେ। ଅପର୍ ଚ୍ୟାମ୍ବର ତା’କୁ ତଳ ଚ୍ୟାମ୍ବର୍‌ (ଲେଫ୍‌ଟ ଭେଣ୍ଟ୍ରିକିଲ୍)କୁ ଠେଲିଦିଏ। ଏ ହେଉଛି ଆମ ଶରୀରର ସବୁଠାରୁ ଶକ୍ତିଶାଳୀ ପମ୍ପ। ଏହା ସବୁଠୁ ବଡ଼ ଓ ଶକ୍ତିଶାଳୀ ଶିରାଗୁଡ଼ିକ ଭିତରକୁ ରକ୍ତ ପମ୍ପ କରେ । ପୁଣି ଶିରାଗୁଡ଼ିକ ସେ ରକ୍ତକୁ ହାର୍ଟ ସମେତ ଶରୀରର ସମସ୍ତ ଅଂଶକୁ ବୋହି ଦିଅନ୍ତି। ପ୍ରକୃତରେ ରକ୍ତ ଦୁଇଟି ଭେସେଲ୍‌ ବା ନଳୀ ଦେଇ ପ୍ରଥମେ ହାର୍ଟକୁ ହିଁ ଯାଏ। ସେ ଦୁଇ ଭେସେଲ୍‌ ବନ୍ଦ ହୋଇଗଲେ ହୃଦ୍‌ଘାତ ହୁଏ।

ଆମେ ପ୍ରକୃତିରୁ ପାଉଥିବା ପବନ ଭିତରେ ୨୧% ହେଉଛି ଅମ୍ଳଜାନ। ଏତିକି ଆମ ଶରୀରରେ ଅମ୍ଳଜାନର ସ୍ତର ୯୫-୧୦୦% ରଖିବାକୁ ଯଥେ‌ଷ୍ଟ। ଆମେ କୃତ୍ରିମ ଉପାୟରେ ସିଲିଣ୍ଡର ବା ପାଇପ୍ ସିଷ୍ଟମରୁ ଅଧିକ ଅମ୍ଳଜାନ ଦରକାର କରୁ ଯେତେବେଳେ-
୧. ଆମେନିଆ ଆକ୍ରାନ୍ତ ହେଉ । ସେଥିରେ ବହୁତ କମ୍ ଲୋହିତ ରକ୍ତ କଣିକା ରହେ, ତେଣୁ ଅଳ୍ପ ଅମ୍ଳଜାନ ସେଥିରେ ଯାଇପାରେ।
୨. ବହୁ ଉପରକୁ ଗଲେ ବା ପର୍ବତ ଉପରକୁ ଚଢ଼ିଲେ ସେଠାରେ ବାୟୁର ଆସ୍ତରଣ ପତଳା ଥାଏ ଓ ବାୟୁର ଚାପ ଅଧିକ ରହେ।
୩. ଯେତେବେଳେ ହାର୍ଟ ଠିକ୍‌ରେ କାମ ନକରି ଅଳ୍ପ ପରିମାଣରେ ରକ୍ତ ପମ୍ପ କରେ।
୪. ଫୁସ୍‌ଫୁସ୍‌ର କ୍ଷତି ଘଟିଥିଲେ।
୫. ସମୁଦ୍ର ଭିତରକୁ ଡାଇଭ୍ କଲେ।
୬. ଫାଇଟର୍ ଜେଟ୍‌ରେ ବହୁ ଉପରକୁ ଗଲେ।

ଉଡ଼ାହାହାଜରେ ଗଲେ କିନ୍ତୁ ଆମେ ଅଧିକ ଅମ୍ଳଜାନ ଦରକାର କରୁନାହିଁ, କାରଣ ଉଡାଜାହାଜ ଭିତରର ବାୟୁ ଚାପ ନିୟନ୍ତ୍ରଣରେ ରଖା ଯାଇଥାଏ।

ଶେଷକଥା: ଆମେ ଅକ୍ସିଜେନ ବା ଅମ୍ଳଜାନ ବାୟୁମଣ୍ଡଳରୁ ପାଉ। ତେବେ ରୋଗ ଅବସ୍ଥାରେ ଔଷଧ ଭଳି ଏହାକୁ ମଧ୍ୟ ନେବାକୁ ଡାକ୍ତର ପରାମର୍ଶ ଦିଅନ୍ତି। ସେ ଅମ୍ଳଜାନ କେମିତି ଓ କେଉଁଠୁ ନେବେ, ତାହା ରୋଗର ସ୍ଥିତି ଉପରେ ନିର୍ଭରକରେ।

ରୋଗୀକୁ କାହା ଦ୍ବାରା ଅକ୍ସିଜେନ ଦିଆଯାଏ?
ରୋଗୀର ଅକ୍ସିଜେନ ବା ଅମ୍ଳଜାର ସ୍ତର (ଅମ୍ସିଜେନ ସାଚ୍ୟୁରେସନ୍) ୯୫-୧୦୦ % ନଥିଲେ, ସେ ଅକ୍ସିଜେନ ଦରକାର କରେ। ସେଥିପାଇଁ –
୧. ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍
ଏଥିରେ ମେସିନ୍ ସାହାଯ୍ୟରେ ବାୟୁମଣ୍ଡଳରୁ ଅମ୍ଳଜାନ ଟାଣି ରୋଗୀକୁ ଦିଆଯାଏ। ଏ ମେସିନ୍ ବାୟୁମଣ୍ଡଳରୁ ବାୟୁ ନେଇ ତା’ ଭିତରୁ ଅମ୍ଳଜାନ କାଢ଼ି ୯୫% ପ୍ରତିଶତ ପର୍ଯ୍ୟନ୍ତ ଅମ୍ଳଜାନ ରୋଗୀକୁ ଯୋଗାଇ ପାରେ। ରୋଗୀର ମୁହଁରେ ମାସ୍କ ଲଗାଇ ତା’କୁ ଏହା ଯୋଗାଇ ଦିଆଯାଏ।

୨. ଆକ୍ସିଜେନ୍ ସିଲିଣ୍ଡର
ସିଲିଣ୍ଡର ଭିତରେ ଅକ୍ସିଜେନକୁ ଉଚ୍ଚ ଚାପ ପ୍ରୟୋଗ ଦ୍ବାରା ତରଳ ଅବସ୍ଥାରେ ରଖା ଯାଇଥାଏ। ଏହାଦ୍ବାରା ରୋଗୀକୁ ଲମ୍ବା ସମୟ ଧରି ଅମ୍ଳଜାନ ଯୋଗାଇ ଦିଆ ଯାଇପାରେ। ତେବେ ଏଥିରେ କେବେ କେବେ ସିଲିଣ୍ଡର୍ ବିସ୍ଫୋରଣର ଆଶଙ୍କା ଥାଏ।

୩. ଅକ୍ସିଜେନ୍ ଟ୍ୟାଙ୍କର
ଏସବୁ ପେଟ୍ରୋଲ ଟ୍ୟାଙ୍କର ଭଳି। ଏହା ସାହାଯ୍ୟରେ ଆବଶ୍ୟକ ପ୍ରେସର୍ ସହିତ ହସ୍ପିଟାଲର ଅକ୍ସିଜେନ୍ ପାଇପ୍ ଲାଇନ୍ ସାହାଯ୍ୟରେ ଅକ୍ସିଜେନ୍ ଯୋଗାଣ କରାଯାଏ। ଏହି ଟ୍ୟାଙ୍କରଗୁଡ଼ିକୁ ଟ୍ରେନ୍ ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଏ।

୪. ଅକ୍ସିଜେନ୍ ପ୍ଲାଣ୍ଟ
ଏହି ପ୍ଲାଣ୍ଟରେ କେମିକାଲ ସିନ୍ଥୋସାଇଜେସନ୍ ଜରିଆରେ ଅମ୍ଳଜାନ ତିଆରି କରାଯାଏ। ଏହା ସାହାଯ୍ୟରେ ୯୯.୯୯% ଶୁଦ୍ଧ ଅମ୍ଳଜାନ ଯୋଗାଇ ଦିଆ ଯାଇପାରେ।

ସମ୍ବନ୍ଧିତ ଖବର