ଆମ ଦେଶରେ ସାପ କାମୁଡ଼ାରେ ବାର୍ଷିକ ୪୬,୦୦୦ରୁ ୬୦,୦୦୦ ମୃତ୍ୟୁ ଆକଳନ କରାଯାଇଛି, ଯାହା ବିଶ୍ୱରେ ସର୍ବାଧିକ। ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଓଡ଼ିଶା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁ ଦେଖିବାକୁ ମିଳୁଛି। ତେବେ ଜଳବାୟୁ ପରିବର୍ତ୍ତନ ଏହି ବିପଦକୁ ବଢ଼ାଇବ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତରେ ବିଷାକ୍ତ ସାପର ଭୌଗୋଳିକ ଆବଣ୍ଟନ ଉତ୍ତର ଏବଂ ଉତ୍ତର-ପୂର୍ବ ରାଜ୍ୟ ଆଡ଼କୁ ସ୍ଥାନାନ୍ତରିତ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଭାରତରେ ଅଧିକାଂଶ ସାପକାମୁଡ଼ା ମୃତ୍ୟୁ ପାଇଁ ଦାୟୀ ଇଣ୍ଡିଆନ୍ କୋବ୍ରା, କମନ୍ କ୍ରେଟ୍, ରସେଲ୍ସ ଭାଇପର୍ ଓ ସ-ସ୍କେଲ୍ଡ ଭାଇପର୍ ଆଦି ସାପକୁ “ବିଗ୍ ଫୋର’’ ଭାବେ ଏହି ଅଧ୍ୟୟନରେ ସାମିଲ କରାଯାଇଛି। ଭବିଷ୍ୟବାଣୀ ମଡେଲ ବ୍ୟବହାର କରି, ଉକ୍ତ ଅଧ୍ୟୟନରେ ବିଭିନ୍ନ ଜଳବାୟୁ ପରିସ୍ଥିତି ଅଧୀନ ଏହି ସର୍ପ ଜାତିଗୁଡ଼ିକର ବର୍ତ୍ତମାନ ଏବଂ ସମ୍ଭାବ୍ୟ ଭବିଷ୍ୟତ ଆବଣ୍ଟନର ପରିକଳ୍ପନା କରାଯାଇଥିଲା। ଏଥି ସହିତ, ଆଗାମୀ ୫୦ ବର୍ଷ ମଧ୍ୟରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ପାଇଁ ସାପକାମୁଡ଼ା ବିପଦ ସୂଚକାଙ୍କ ଆକଳନ ପାଇଁ ଆଞ୍ଚଳିକ ସାମାଜିକ-ଅର୍ଥନୈତିକ ଓ ଜନସ୍ୱାସ୍ଥ୍ୟ ତଥ୍ୟ ମଧ୍ୟ ବିଶ୍ଳେଷଣ କରାଯାଇଥିଲା।
ଅଧ୍ୟୟନର ଫଳାଫଳ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାପ ଜାତିଗୁଡ଼ିକର ଭୌଗୋଳିକ ପରିସରରେ ପ୍ରସାରଣ, ସଂକୋଚନ କିମ୍ବା ପରିସର ପରିବର୍ତ୍ତନ ଘଟୁଛି। ଏପରି ପରିବର୍ତ୍ତନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମାନବ-ସାପ ମୁହାଁମୁହିଁ ସ୍ଥିତିକୁ ବୃଦ୍ଧି କରିପାରେ, ଯାହା ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ପରିଚାଳନା ପାଇଁ ନୂତନ ଆହ୍ବାନ ସୃଷ୍ଟି କରିବ। ଅଧିକନ୍ତୁ, ଜରୁରୀ ହସ୍ତକ୍ଷେପ ବିନା ଭାରତର ସାପକାମୁଡ଼ା ଆଶଙ୍କା ଆହୁରି ବୃଦ୍ଧି ପାଇପାରେ, ଯାହା ମଣିଷ ଏବଂ ପ୍ରାଣୀ ଉଭୟଙ୍କ ଜୀବନକୁ ବିପଦରେ ପକାଇବ। ଏହି ବର୍ଦ୍ଧିତ ବିପଦକୁ ହ୍ରାସ କରିବା ପାଇଁ ସଚେତନତା ଅଭିଯାନ ସହିତ ଦୃଢ଼ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ଓ ନୀତିଗତ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ଗବେଷକମାନେ କହିଛନ୍ତି।