ପୁଲିସ ବିଭାଗର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଭିତରେ ରହିଛି ଆଇନଶୃଙ୍ଖଳା ରକ୍ଷା, ସାମାଜିକ ସୁରକ୍ଷା, ଅପରାଧର ତଦନ୍ତ, ପ୍ରମାଣ ଏକାଠି କରିବା ଓ ଅଭିଯୁକ୍ତ ବିରୋଧରେ ଅଦାଲତରେ ସାକ୍ଷ୍ୟ, ପ୍ରମାଣ ଉପସ୍ଥାପନ। କିନ୍ତୁ କୌଣସି ଅପରାଧର ତଦନ୍ତ ସମୟରେ ଅପରାଧ ସ୍ଥାନରୁ ହିଁ ଜଣେ ତଦନ୍ତକାରୀ ଅଧିକାରୀଙ୍କୁ ଅନେକ ନିର୍ଣାୟକ ନିଷ୍ପତ୍ତି ନେବାକୁ ପଡିଥାଏ। ଅପରାଧ ଓ ଅପରାଧୀର ସୀମିତ ସୂଚନା ଭିତରେ ତଦନ୍ତକାରୀ ଅଧିକାରୀ ତାର ଅଭିଯାନ ଆରମ୍ଭ କରିଥାଏ। ଭିନ୍ନ ଭିନ୍ନ ସମୟରେ ତଦନ୍ତର ରୂପରେଖ, ଚିତ୍ର, ଚରିତ୍ର, ବିଷୟ ଆଦି ବଦଳୁଥାଏ। ତେଣୁ ଅପରାଧ ସ୍ଥାନରେ ରହିଥିବା ପ୍ରମାଣର ସୁରକ୍ଷା, ପ୍ରମାଣର ତର୍ଜମା, ସାକ୍ଷ୍ୟପ୍ରମାଣ ଇତ୍ୟାଦି ବିଶେଷ ଗୁରୁତ୍ବପୂର୍ଣ୍ଣ।

Advertisment

ବର୍ତ୍ତମାନ ସମୟରେ ଅପରାଧ ତଦନ୍ତ ପ୍ରକ୍ରିୟାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଧି ବିଜ୍ଞାନ (ଫୋରେନସିକ୍ ସାଇନ୍‌ସ) ର ସଫଳ ପ୍ରୟୋଗ। ଫୋରେନସିକର ପ୍ରୟୋଗ ୧୮୦୦ ଶତାବ୍ଦୀ ବେଳକୁ ଆରମ୍ଭ ହୋଇଥିଲା। ଫ୍ରାନ୍‌ସର ଅପରାଧ ଅନୁସନ୍ଧାନକାରୀ ଆଲଫୋନସେ ବର୍ଟିଲେନ ପ୍ରଥମେ ଏହି ପଦ୍ଧତି ଆରମ୍ଭ କରିଥିଲେ। ତାଙ୍କର ଛାତ୍ର ଡକ୍ଟର ଏଡମଣ୍ଡ ଲୋକାର୍ଡ ବର୍ଟିଲେନଙ୍କ ଚିନ୍ତା ଓ ବିଚାରକୁ ନୂଆ ରୂପ ଦେଇଥିଲେ। ଲୋକାର୍ଡଙ୍କ ମତରେ, କୌଣସି ଅପରାଧ ଘଟିଲେ ଅଭିଯୁକ୍ତ କିଛି ଚିହ୍ନ ଛାଡିଯାଏ ଓ କିଛି ଚିହ୍ନ ନିଜ ସହ ନେଇଯାଇଥାଏ। ଏହାକୁ ଅପରାଧ ତଦନ୍ତ ବିଜ୍ଞାନରେ ‘ଲୋକାର୍ଡ ଥିଓରି ଅଫ ଏକ୍ସଚେଞ୍ଜ ବୋଲି କୁହାଯାଏ। ସେହିପରି ୧୮୮୬ ମସିହା ବେଳକୁ ନ୍ୟୁୟର୍କ ସହରାଞ୍ଚଳ ପୁଲିସର ରୋଗ୍ୟୁସ ଗ୍ୟାଲେରୀରେ ଅପରାଧୀଙ୍କ ଫଟୋଚିତ୍ରକୁ ସ୍ଥାନ ଦେବାର ପ୍ରକ୍ରିୟା ଆରମ୍ଭ ହେଲା। ସେହିଥିରୁ ଅପରାଧୀଙ୍କ ସ୍କେଚ୍‌ ପ୍ରସ୍ତୁତି ଯୁଗ ଆରମ୍ଭ ହେଲା। ସମୟକ୍ରମେ ପୁଲିସ ତଦନ୍ତ ପ୍ରକ୍ରିୟାରେ ଚିକିତ୍ସା ସମ୍ବନ୍ଧୀୟ ବିଧି, ଅପରାଧରେ ବ୍ୟବହୃତ ସାମଗ୍ରୀର ସମୀକ୍ଷା, କେମିକାଲ ବିଶ୍ଳେଷଣ, ହାତ-ଗୋଡ ଆଙ୍ଗୁଠି ଓ ପାଦର ବିଶ୍ଳେଷଣ, ଦାନ୍ତ, ବିଷ-ବିଜ୍ଞାନ ତତ୍ତ୍ୱ, ରସାୟନ ଓ ପଦାର୍ଥ ବିଜ୍ଞାନର ପ୍ରୟୋଗ, ଗୁଳି-ବନ୍ଧୁକ ଯାଞ୍ଚ, କେଶ, ରୁମ, ଚର୍ମ, ନଖ ଆଦିର ବିଶ୍ଳେଷଣ, ଜୀବ ବିଜ୍ଞାନ, ତନ୍ତୁଶାସ୍ତ୍ର, କୀଟ ବିଜ୍ଞାନ ଆଦିର ବ୍ୟବହାର ଯୋଡ଼ି ହେଇଗଲା। ସାଂପ୍ରତିକ ସମୟରେ ଡିଏନ୍‌ଏ ବିଶ୍ଳେଷଣ ଅପରାଧ ତଦନ୍ତରେ ସବୁଠୁ ଅଧିକ ଗୁରୁତ୍ବ ରଖୁଛି। ଡିଏନଏ ନମୁନା ଉଭୟ ପୀଡିତ/ପୀଡ଼ିତା ତଥା ଅଭିଯୁକ୍ତଙ୍କ ଶାରୀରିକ ଗଠନ, ରୂପ ଆଦିକୁ ମଧ୍ୟ ସ୍ଥିର କରିବାରେ ସହାୟକ ହୋଇଥାଏ। ବ୍ୟକ୍ତିର ଗୁଣ, ନଖ, ଆଖି, ଚର୍ମର ରଙ୍ଗ ତଥା କେଶ ସଂପର୍କରେ ମଧ୍ୟ ଏହା ଦ୍ୱାରା ଚିହ୍ନଟ ହୋଇଥାଏ। ବ୍ୟକ୍ତିର ବୟସ ଓ ତାର ଶାରୀରିକ ପୃଷ୍ଠଭୂମିକୁ ସାମନାକୁ ଆଣିବାରେ ସକ୍ଷମ ହୋଇଥାଏ। ଅଭିଯୁକ୍ତର ଚେହେରାକୁ ଦର୍ଶାଇବା ସହ ମୃତ ବା ଅଜଣା ବ୍ୟକ୍ତିର ପରିଚୟ ଚିହ୍ନଟରେ ସହାୟକ ହୋଇଥାଏ।

କୃତ୍ରିମ ଜ୍ଞାନକୌଶଳର ବିକାଶ, କ୍ଲାଉଡ କମ୍ପୁଟିଙ୍ଗ, ବ୍ଲକ ଚେନ୍‌ ଆଦି ପ୍ରକ୍ରିୟା ପୁଲିସକୁ ବହୁ ମାତ୍ରାରେ ସାହାଯ୍ୟ କରୁଛି। ଏହାଦ୍ୱାରା ଅପରାଧୀ ଓ ଅପରାଧର ରେକର୍ଡ ପ୍ରସ୍ତୁତ ସମ୍ଭବ ହେଉଛି। ଅପରାଧିକ କାର୍ଯ୍ୟ, ସାମାଜିକ ଚରିତ୍ର, ମନସ୍ତାତ୍ବିକ ବିଶ୍ଳେଷଣ ଇତ୍ୟାଦି ଅପରାଧ ରେକର୍ଡରେ ସ୍ଥାନ ପାଏ। ଅତୀତର ଘଟଣା, ଅପରାଧ, ଅପରାଧର ଶୈଳୀ, ଅପରାଧର ପ୍ରକାର ଇତ୍ୟାଦି ଏହି ରେକର୍ଡରେ ରହିଥାଏ। କାନାଡାର ପୁଲିସ ଏହି ରେକର୍ଡକୁ ବିଶେଷ ଭାବରେ ବ୍ୟବହାର କରି ଅଭିଯୁକ୍ତକୁ ଧରିବାରେ ଏହାକୁ ବିନିଯୋଗ କରୁଛି। ଭାରତରେ ମଧ୍ୟ କେଉଁ ପୁରୁଣା ସମୟରୁ ନଥିପତ୍ରରେ ସ୍ୱତନ୍ତ୍ର ଭାବେ ଏ ସବୁ ଲିଖିତ ହୋଇ ରହୁଥିଲା। କିନ୍ତୁ ଅପରାଧୀଙ୍କ ଚାରିତ୍ରିକ ରେକର୍ଡ, ଅପରାଧର ଭୌଗୋଳିକ ରେକର୍ଡ ଠିକ ଭାବେ ରଖିବା ବର୍ତ୍ତମାନ ସମୟର ଏକ ବଡ ଆହ୍ୱାନ। ଏହା ରହି ପାରିଲେ ଅଜଣା ଅପରାଧୀର ତଥ୍ୟ ଉନ୍ମୋଚନ ସହଜ ହେବ।

ଅପରାଧ ତଦନ୍ତରେ ଫୋରେନସିକର ପ୍ରୟୋଗ କ୍ଷେତ୍ରରେ ଭାରତ ଆଉ ପଛୁଆ ହୋଇ ରହିନାହିଁ। ୨୦୨୧ ମସିହାରେ ଗୁଜୁରାଟରେ ସ୍ଥାପିତ ସାଇବରକ୍ରାଇମ ଇନ୍ସିଡେଣ୍ଟ ରେସପନ୍ସ ୟୁନିଟ ଏହାର ଏକ ଉଦାହରଣ। ଲୋକଙ୍କ ଅଭିଯୋଗ ମିଳିଲା ମାତ୍ରେ ଏହା ତୁରନ୍ତ ତାହାକୁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ପାଖରେ ପହଞ୍ଚାଇ ଥାଏ। ସାଇବର ଅପରାଧ ଘଟିବା ମାତ୍ରେ ଯଦି ୧୧୦/୧୧୨ କୁ ଫୋନ କରାଯାଏ ତେବେ ଅଭିଯୋଗକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ସହ ଅଭିଯୋଗ ଗ୍ରହଣ କରାଗଲା ବୋଲି ଏକ ସୂଚନା ଦେଇ ଦିଆଯାଏ। ଏହି ମାଧ୍ୟମରେ ଅଭିଯୋଗକୁ ଥାନାରେ ମଧ୍ୟ ପଞ୍ଜୀକରଣ କରାଯାଇ ପାରେ। ଗୁଜରାଟର ଏହି ସଂସ୍ଥା ଅଭିଯୋଗକୁ ସ୍ୱତଃ ଇ-ମେଲ ଜରିଆରେ ସଂପୃକ୍ତ ବ୍ୟାଙ୍କ, ଇ-କର୍ମ ସଂସ୍ଥା, ୱାଲେଟ, କମ୍ପାନି ତଥା ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥାଏ। ତେଣୁ ସମ୍ଭାବ୍ୟ ସାଇବର ଅପରାଧକୁ ଆରମ୍ଭରୁ ରୋକା ଯାଇପାରୁଛି।

ବର୍ତ୍ତମାନ ସମୟରେ କମ୍ପୁଟର, ମୋବାଇଲ ସାଇବର ଜନିତ ଘଟଣା ବଢି ଚାଲିଥିବା ଦୃଷ୍ଟିରୁ ତଦନ୍ତ ପ୍ରକ୍ରିୟା ଜଟିଳ ହେଉଛି। ନିକଟରେ ଦିଲ୍ଲୀ ସ୍ଥିତ ଏଆଇଆଇଏମ୍‌ଏସ୍‌ର ସର୍ଭର ସାଇବର ଆକ୍ରମଣର ଶିକାର ହେବା ଏହାର ଉଦାହରଣ।

ପରିବର୍ତ୍ତିତ ପରିସ୍ଥିତିରେ ସାଇବର ବିଜ୍ଞାନ ସମ୍ପର୍କରେ ପ୍ରତ୍ୟେକ ବ୍ୟକ୍ତି ସର୍ବନିମ୍ନ ଧାରଣା ରଖିବା ଆବଶ୍ୟକ। ଏବେ ଦେଖା ଯାଉଛି ଯେ, କେତେକ କ୍ଷେତ୍ରରେ ପୁଲିସ ଅଧିକାରୀ ବି ମୌଳିକ ସାଇବର ଅପରାଧ ବିଷୟ ବୁଝିବାକୁ ତଥା ବିଧି ବିଜ୍ଞାନର ପ୍ରୟୋଗ କରିବାକୁ ସଂଘର୍ଷ କରୁଛନ୍ତି। ଯଦି ତଦନ୍ତ ତ୍ରୁଟିପୂର୍ଣ୍ଣ ହୁଏ ତେବେ ସାଇବର ଅପରାଧ ଓ ଅପରାଧୀ ବିରୋଧରେ ଅଭିଯାନ ଆରମ୍ଭରୁ ହିଁ ଦୁର୍ବଳ ହୋଇଯାଏ। ସାଇବାର ଅପରାଧୀ ନୂତନ କୌଶଳ ପ୍ରୟୋଗ କରୁଛନ୍ତି। ବିଭିନ୍ନ ମୋବାଇଲ ଆପ୍‌ସ ମାଧ୍ୟମରେ ଘଟୁଥିବା ଅପରାଧ ବିଷୟରେ ମଧ୍ୟ ତଦନ୍ତକାରୀ ଅଧିକାରୀ ଜ୍ଞାନ ରଖିବା ଆବଶ୍ୟକ। ଅନେକ ଆପ୍‌ସ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ତିଆରି ହୋଇଛି। ଜାତୀୟ ସ୍ତରରେ ଏକ ଇନସିଡେଣ୍ଟ କମାଣ୍ଡ ସିଷ୍ଟମ ଏ କ୍ଷେତ୍ରରେ କାର୍ଯ୍ୟକାରୀ ହେଲେ ପୁଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା, କୁଶଳତା ବୃଦ୍ଧି ପାଇପାରନ୍ତା। ବର୍ତ୍ତମାନ ସମୟରେ ଭାରତ ସରକାର ଦେଶର ଭିନ୍ନ ଭିନ୍ନ ୧୮ଟି ସାଇବର ବିଧି ବିଜ୍ଞାନ ପ୍ରୟୋଗଶାଳା ଖୋଲିବାର ଯୋଜନା ପ୍ରସ୍ତୁତ କରିଛନ୍ତି।

ପ୍ରତ୍ୟେକ ଅପରାଧ ସ୍ଥଳର ପ୍ରଥମ କିଛି ସମୟ ହେଲା ଅପରାଧୀ ପାଖରେ ପହଞ୍ଚିବାର ଅତି ଗୁରୁତ୍ୱପୂର୍ଣ ସମୟ। ଏହି ସମୟରେ ହିଁ ଆବଶ୍ୟକୀୟ ତଥ୍ୟ, ଅଭିଯୁକ୍ତ ଚିହ୍ନଟ, ସନ୍ଦେହ, ଜରୁରୀ ସୂଚନା ଇତ୍ୟାଦି ମିଳିଥାଏ। ଫୋରେନସିକ ବିଶେଷଜ୍ଞଙ୍କ ଭୂମିକା ଏ ସବୁକୁ ଅନୁଧ୍ୟାନ କରିବାରେ ଓ ଅଧିକାରୀଙ୍କୁ ସାହାଯ୍ୟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଏ ସମ୍ବନ୍ଧୀୟ ବିଷୟକୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା ଆବଶ୍ୟକ। ଫୋରେନସିକ ତଥା ସାଇବର ବିଦ୍ୟାର ସଫଳ ପ୍ରୟୋଗ ବର୍ତ୍ତମାନ ସମୟରେ ପୁଲିସକୁ ହାଜତରେ ଅଭିଯୁକ୍ତଙ୍କୁ ଜେରା, ମାନବାଧିକାର କ୍ଷୁଣ୍ଣ ହେବା ଭଳି ଅନେକ ଝିନଝଟ୍‌ରୁ ମୁକ୍ତି ଦେଇଛି। ଏହା ଦ୍ବାରା ପୁଲିସର ଦକ୍ଷତା ବୃଦ୍ଧି ସହ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହଜ ହେଉଛି। ପୁଲିସର ବିଶ୍ୱସନୀୟତା ବି ବୃଦ୍ଧି ପାଉଛି।

ଆଇପିଏସ୍‌ ଅଧିକାରୀ; ଡିସିପି, କଟକ
ଫୋନ୍‌: ୮୮୯୫୯୪୪୯୪୪