ଭୁବନେଶ୍ବର: ମୁଁ ବନ୍ଧୁଙ୍କ ଘରକୁ ଯାଇଥିଲି । କିଛି କାମ ନ ଥିଲା, ଏମିତି ମନଖୁସିରେ। ତା’ଛଡ଼ା ବନ୍ଧୁଙ୍କ ଦେହପା’ ଭଲ ନ ଥିଲା, ଏବେ କେମିତି ଅଛି, ପଚାରି ବୁଝିଥାନ୍ତି। ଦୁଆରମୁହଁକୁ ଯାଇ କଲିଂବେଲ୍ ମାରୁମାରୁ ଗୋଟାଏ ବିକଟାଳ କୁକୁର ଦୌଡ଼ିଆସି କହିଲା ‘ଭୋ-ଭୋ’। ମତେ ଲାଗିଲା, ଇଏ ମତେ କହୁଛି ‘ଗୋ-ଗୋ’। ଭାବିଲି, ବନ୍ଧୁଙ୍କର ତ କୁକୁର ନ ଥିଲା, ଇଏ ପୁଣି ଆସିଲା କେଉଁଠୁ? ସେ ଆଉ ବଦଳିଗଲେଣି ନା କ’ଣ ? ଘରକୁ କେହି ଅତିଥି ଆସିବା ଚାହୁନାହାନ୍ତି ? ହଉ, ଯଦି ବନ୍ଧୁ ଚାହୁନାହାନ୍ତି, ମୋର ଆଉ ତାଙ୍କ ଘରକୁ ଯିବା କି ଦରକାର ?

Advertisment

ଏଇଆ ଭାବି ମୁହଁ ବୁଲାଇ ଫେରି ଆସୁଆସୁ ବନ୍ଧୁ କବାଟ ଖୋଲି ପଛରୁ ଡାକିଲେ। କହିଲେ, ମୁଁ ଅଛି, ସେ କୁକୁର କିଛି କରିବନି, ଆପଣ ଆସନ୍ତୁ। ପଛକୁ ଫେରିଲି। ତେବେ ବନ୍ଧୁଙ୍କ ସ୍ବାଗତ-ସମ୍ଭାଷଣଟା ମତେ କାଇଁ ଆଗପରି ଲାଗିଲାନି। ବନ୍ଧୁ ମୋ ଭାବ ଠଉରେଇ କହିଲେ, କୁକୁର ରଖିବା ମୋର ପସନ୍ଦ ନୁହେଁ, କିନ୍ତୁ ଆଜିକାଲି ପିଲାଙ୍କ ମନ ନେଇ ଚାଲିବାକୁ ପଡ଼ୁଛି। ପୁଅ ମାଡ୍ରାସରୁ ଆଣିଛି, ଜାତିଆ କୁକୁର। ତେବେ ଭାରି ଶବ୍ଦ-ପ୍ରଦୂଷଣ କରୁଛି। ଶାନ୍ତିରେ ଶୁଆଇ ଦଉନି। ପୁଅ ସିନା ନେଇଆସିଲା। ହେଲେ ସେ ସ୍ବାମୀ-ସ୍ତ୍ରୀ ଦୁହେଁ ଚାକିରିକୁ ଗଲା ପରେ କୁକୁରର ସେବା କରିବ କିଏ ? ମତେ ଭାରି ହଇରାଣ ହେବାକୁ ପଡ଼ୁଛି। ପତ୍ନୀ ସୁଜାତା କଥା ତ ଜାଣିଚୁ। ତାକୁ ଏସବୁ ଭାରି ଅସନା ‌ଲାଗେ। କୁକୁରକୁ ଖାଇବାକୁ ଦବା, ତାକୁ ବୁଲେଇନବା, ତା’ ମଳମୂତ୍ର ସଫା କରିବା କ’ଣ କମ୍ କାମ ? ଲାଗୁଚି ମୁଁ ଏ କୁକୁରର ସେବା କରିକରି ମରିଯିବି । ହେଲେ ଆମେ ସ୍ବାମୀ-ସ୍ତ୍ରୀ ବୁଢ଼ା ହେଲୁଣି, ରୋଗବଇରାଗ ଘାରିଲାଣି, ଆମ ସେବା କରିବାକୁ କେହି ନାହାନ୍ତି। 

ମୁଁ କହିଲି- ହଁ ନୁହଁ ଆଉ କ’ଣ? କୁକୁରର ସେବା କରିକରି ମହାରାଜ ଭରତଙ୍କ ଦଶା ଆଉ ନ ହଉ। ବନ୍ଧୁ ପଚାରିଲେ, ଭରତ ମାନେ ? ଶକୁନ୍ତଳାଙ୍କ ପୁତ୍ର ଭରତ? 
ମୁଁ କହିଲି, ନା, ଭାଗବତରେ ଆଉ ଦୁଇଜଣ ଭରତଙ୍କ କଥା ଅଛି। ଭାଗବତରେ ବର୍ଣ୍ଣିତ ୨୪ ଅବତାରଙ୍କ ମଧ୍ୟରୁ ଋଷଭ ଅନ୍ୟତମ, ଜୈନମାନେ ଯାହାଙ୍କୁ ନିଜର ଆଦିଗୁରୁ ବୋଲି ମାନନ୍ତି। ବ୍ରହ୍ମାଙ୍କ ପୁତ୍ର ସ୍ବାୟମ୍ଭୁବ, ତାଙ୍କ ପୁତ୍ର ପ୍ରିୟବ୍ରତ, ତାଙ୍କ ପୁତ୍ର ଅଗ୍ନିଧ୍ର, ତାଙ୍କ ପୁତ୍ର ନାଭ ଏବଂ ନାଭଙ୍କ ପୁତ୍ର ହେଉଛନ୍ତି ଋଷଭ। ବିଷ୍ଣୁ-ଅଂଶରେ ଜନ୍ମିତ ସେହି ଋଷଭଙ୍କ ପୁତ୍ର ହେଉଛନ୍ତି ମହାତ୍ମା ମହାରାଜ ଭରତ। ଏହି ଭରତଙ୍କ ନାମାନୁସାରେ ଆମ ଦେଶର ନାମ ହୋଇଛି ଭାରତ। ଭାଗବତରେ ଅଛି- ‘‘ଏ ଦେଶ ଅଜ  ନାମ ଥିଲା। ଭରତୁଁ ଭାରତ ହୋଇଲା।।’’  

ଭରତ ମହାରାଜ ଅତ୍ୟନ୍ତ ଧାର୍ମିକ ଓ ପ୍ରଜାବତ୍ସଳ ରାଜା ଥିଲେ। ବାନପ୍ରସ୍ଥ ସମୟ ଉପସ୍ଥିତ ହେବାରୁ ପୁତ୍ରହସ୍ତରେ ରାଜ୍ୟଭାର ସମର୍ପି ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣରେ ଚାଲିଗଲେ। ଏହାପରେ ସନ୍ନ୍ୟାସ ସମୟ ଉପସ୍ଥିତ ହେବାରୁ ବନରେ ପୁଲହଙ୍କ ଆଶ୍ରମରେ ଯାଇ ରହିଲେ। ଜପ, ତପ, ଧ୍ୟାନ ଓ ଈଶ୍ବର ଆରାଧନାରେ ସମୟ ବିତାଇଲେ। ଦିନେ ଭରତ ଗଙ୍ଗାନଦୀରେ ସ୍ନାନ କରୁଛନ୍ତି, ଶୁଣିଲେ ସିଂହ-ଗର୍ଜନ। ସିଂହ ଗର୍ଜନ ଶୁଣି ନଦୀକୁ ପାଣି ପିଇବାକୁ ଆସିଥିବା ଏକ ଗର୍ଭିଣୀ ହରିଣୀ ଭୟରେ ନଦୀକୁ ଡେଇଁ ସେପଟକୁ ପଳାଇଲା ଏବଂ ଡେଇଁବା ବେଳେ ତା’ ଗର୍ଭରେ ଥିବା ଛୁଆଟି ଜନ୍ମ ହୋଇ ଗଙ୍ଗାନଦୀରେ ପଡ଼ିଗଲା। ରାଜା ଭରତ ତ ସ୍ବଭାବରେ ଦୟାଳୁ। ସେ ଅନାଥ ହରିଣ ଛୁଆକୁ ନେଇ ପାଳିଲେ। 

ଆପଣ ଯାହାକୁ ପାଳିବେ, ଯାହାର ସେବା କରିବେ, ତା’ ପ୍ରତି ଗୋଟାଏ ମୋହମାୟା ଲାଗିଯାଏ, ଯେପରି ସନ୍ତାନ ପ୍ରତି ମାଆର। ତା’ ପ୍ରତି ଗଭୀର ସ୍ନେହ-ଭଲପାଇବା ସୃଷ୍ଟି ହୁଏ। ଭରତଙ୍କର ହରିଣଛୁଆଟି ପ୍ରତି ଏତେ ଭଲପାଇବା ବଢ଼ିଯାଇଥିଲା ଯେ, ଶୟନେ-ସପନେ-ଜାଗରଣେ ହରିଣ କଥା ଚିନ୍ତା କରୁଥିଲେ। ତାଙ୍କର ଜପ-ତପ-ଧ୍ୟାନ-ହରିଭଜନ ବି ପ୍ରାୟ ବନ୍ଦ ହୋଇଗଲା। କ୍ରମେ ତାଙ୍କର ଶେଷ ସମୟ ଆସିଗଲା ଓ ହରିଣର ଧ୍ୟାନରେ ଥାଇ ମୃତ୍ୟୁ ହେବାରୁ ସେ ପରଜନ୍ମରେ ହରିଣ ହୋଇ ଜନ୍ମ ହେଲେ। କିନ୍ତୁ ପୂର୍ବର ସାଧନ-ଭଜନ ଥିବାରୁ ସେ ଜାତିସ୍ମର ହେଲେ, ଯାହାଙ୍କର ପୂର୍ବଜନ୍ମର ସବୁକଥା ମନେ ଥିଲା। ଏହି ହରିଣର ପରବର୍ତ୍ତୀ ଜନ୍ମ ହେଉଛି ଜଡ଼ ଭରତ, ଯିଏ ମହାପଣ୍ଡିତ ଓ ବ୍ରହ୍ମଜ୍ଞାନୀ ଥିଲେ। 
ଗୀତାରେ ଅଛି- 

‘‘ଯାନ୍ତି ଦେବବ୍ରତାଃ ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ। 
ଭୂତାନି ଯାନ୍ତି ଭୂତେଜ୍ୟା ଯାନ୍ତି ମଦ୍‌ଯାଜିନୋଽପି ମାମ୍।।’’

ଅର୍ଥାତ୍, ଦେବତାମାନଙ୍କ ପୂଜା କରୁଥିବା ଲୋକ ଦେବଲୋକକୁ ଯାନ୍ତି, ପିତୃମାନଙ୍କ ସେବା କରୁଥିବା ଓ ଶ୍ରାଦ୍ଧତର୍ପଣ କରୁଥିବା ଲୋକ ପିତୃଲୋକକୁ ଯାନ୍ତି, ଭୂତ (ପ୍ରାଣୀ) ମାନଙ୍କ ସେବା କରୁଥିବା ଲୋକ ପ୍ରାଣୀ ଭାବରେ ଜନ୍ମ ‌ହୁଅନ୍ତି ଏବଂ ମୋର ଯଜନ କରୁଥିବା ଲୋକ ମୋତେ ପ୍ରାପ୍ତ ହୁଅନ୍ତି ଓ ବୈକୁଣ୍ଠକୁ ଯାନ୍ତି।  ବନ୍ଧୁ କହିଲେ, ତା’ହେଲେ ତୋ କହିବା ଅନୁସାରେ ମୋତେ କୁକୁରୀଯୋନିରେ ଜନ୍ମଗ୍ରହଣ କରିବାକୁ ପଡ଼ିବ ?

ମୁଁ କହିଲି, ସେଇଟା ଅନ୍ତିମ ସମୟର ଭାବ ଉପରେ ନିର୍ଭର କରେ। କିନ୍ତୁ ସେହି ଭାବଟା ତା’ ପୂର୍ବର କର୍ମ ଉପରେ ବି ନିର୍ଭର କରେ। 
ବନ୍ଧୁ କହିଲେ, ହଉ ଏଥର ପୁଅ ଆସୁ। ତାକୁ କହିବି, ତୋ କୁକୁର ତୁ ନେଇଯା, ମୁଁ ଆଉ ପାଳିପାରିବିନି।

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨