ରଜରେ ଆଉ କୋଉ ଫଳ ଆମେ ଖାଉ କି ନ ଖାଉ, ଆମ୍ବ ଖାଇବା କିନ୍ତୁ ଥୟ। ଆଜି ମଝି ରଜ। ତେଣୁ ଘରେ ପିଠା ପୋଡ଼ା ହେବା ସହ ଆମ୍ବ ନିଶ୍ଚୟ କଟା ହୋଇଥିବ। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜଳଖିଆ ହେଉ କି ମଧ୍ୟାହ୍ନ ଭୋଜନ, ଆମ୍ବ ଦି’ସୋରା ଖାଇବା ଥୟ। ହେଲେ ଏବେ ବଜାରରେ ବଡ଼ ବାଇଗଣପଲେଇ ସହ ଦାମୀ ଆମ୍ରପଲ୍ଲୀ, ଆଲ୍ଫୋନ୍ସୋ, ଲଙ୍ଗଡ଼ା, ଦସେରି ଓ ଚୌଁସା ଭଳି ଆମ୍ବ ଭିଡ଼ରେ ଦେଶୀ ଆମ୍ବର ଅସ୍ତିତ୍ବ ହଜି ଯାଇଛି। ଅସଲରେ ସଙ୍କର କିସମ ଆମ୍ବ ଚାହିଦା ଓ ଲୋକପ୍ରିୟତା ବେଶ୍ ବୃଦ୍ଧି ପାଇଛି। ଏସବୁ ସୁମିଷ୍ଟ ଓ ସୁଦର୍ଶନ ଆମ୍ବ ମାୟାରେ ପଡ଼ି ଲୋକେ ନିଜ ଅଞ୍ଚଳରେ ଫଳୁଥିବା ଦେଶୀ ଆମ୍ବ ଖାଇବା ଛାଡ଼ିଦେଲେଣି। ସେଗୁଡ଼ିକର ନାଁ ବି ଭୁଲିଗଲେଣି। ତେବେ ଚୁଚୁମି ଚୁଚୁମି ଛୋଟ ଦେଶୀ ଆମ୍ବ ଖାଇବାର ମଜା ନିଆରା।
କଲିମୁଲ୍ଲାଙ୍କ ଗଛରେ ୩୫୦ ପ୍ରକାର ଆମ୍ବ
ଭାରତର ଆମ୍ବ-ମାନବ ଭାବେ ସୁପରିଚିତ ଉତ୍ତରପ୍ରଦେଶର ୮୪ ବର୍ଷୀୟ କଲିମୁଲ୍ଲା ଖାଁ ଗୋଟିଏ ଗଛରେ ଫଳାଉଛନ୍ତି ୩୫୦ ପ୍ରକାରର ଭିନ୍ନ ଭିନ୍ନ ଆମ୍ବ। ଗୋଟିଏ ଆମ୍ବଗଛ ଗଣ୍ଡିରେ ପୃଥକ୍ ପୃଥକ୍ ଆମ୍ବଗଛ ଡାଳିକଲମି ପ୍ରତିରୋପଣ କରି ସେ ଏଭଳି ଅସାଧାରଣ ଗଛ ସୃଷ୍ଟି କରିପାରିଛନ୍ତି। ଏ ଗଛର ଉଚ୍ଚତା ୯ ମିଟର୍। କିନ୍ତୁ, ଏହି ୩୫୦ ପ୍ରଜାତି ଆମ୍ବ ନିଜ ନିଜର ବୈଶିଷ୍ଟ୍ୟ ଅକ୍ଷୁଣ୍ଣ ରଖିଛନ୍ତି। ସେଥିରେ ଆଲ୍ଫୋନ୍ସୋ, ଲଙ୍ଗଡ଼ା, କେଶର, ଦସେରି ଓ ଚୌଁସା ଛଡ଼ା କିଛି ସଙ୍କର ଜାତୀୟ ଆମ୍ବ ବି ଫଳୁଛି। କଲିମୁଲ୍ଲା କହନ୍ତି, ଏ ପଦ୍ଧତି ସଫଳ କରିବାକୁ ଲୋଡ଼ା ଅଧ୍ୟବସାୟ ଓ ଧୈର୍ଯ୍ୟ। ଏଥିପାଇଁ ଉପଯୁକ୍ତ ଆମ୍ବ ପ୍ରଜାତି ଚୟନ କରିବା, କଲମି କରାଯାଇଥିବା ତା’ ଡାଳକୁ ସାବଧାନତା ସହକାରେ ସଂଯୋଗ କରି ବଢ଼ାଇବା କଷ୍ଟକର ହେଲେ ବି ଅସାଧ୍ୟ ନୁହେଁ। କଲମି ପଦ୍ଧତିରେ ପ୍ରତିରୋପିତ ଡାଳ ସବୁ କାଳକ୍ରମେ ଏକତ୍ର ବଢ଼ି ଗୋଟିଏ ଗଛର ଅନେକ ଡାଳ ପରି ଦିଶୁଛନ୍ତି। ଚେର ଗୋଟିଏ ହେଲେ ବି ଆମ୍ବ ସବୁ ସେମାନଙ୍କର ମୌଳିକ ଗୁଣ ହରାଇନାହାନ୍ତି।
ଉକାଭାଇଙ୍କ କୁହୁକ ଗଛରେ ବର୍ଷସାରା ଆମ୍ବ
ଦେଶୀ ଆମ୍ବକୁ କିନ୍ତୁ ଭୁଲିନାହାନ୍ତି ଗୁଜରାଟ ଅନ୍ତର୍ଗତ ଦିତ୍ଲାର ପ୍ରଗତିଶୀଳ କୃଷକ ଉକାଭାଇ। ସେ ତାଙ୍କ ଘର ଅଗଣାରେ ଗୋଟାଏ ବିଚିତ୍ର ଆମ୍ବଗଛ ଲଗାଇଛନ୍ତି, ଯେଉଁଥିରେ ଫଳୁଛି ୧୨ ପ୍ରକାରର ଦେଶୀ ଆମ୍ବ। ତାଙ୍କ ମତରେ, କାହିଁ କେତେ କାଳରୁ ଫଳି ଆସୁଥିବା ଏଇସବୁ ପୁରୁଣା କିସମର ଆମ୍ବକୁ ଦେଖି ନୂଆପିଢ଼ି ଖୁସି ହେବେ। ଖୁବ୍ ସାଧାରଣ ଦିଶିଲେ ବି ଉକାଭାଇଙ୍କର ଏ ଆମ୍ବଗଛଟିର ବିଶେଷ ବୈଶିଷ୍ଟ୍ୟ ରହିଛି। ଏଥିରେ ଶୀତ, ଗ୍ରୀଷ୍ମ ଓ ବର୍ଷା କାଳରେ ୧୨ ପ୍ରକାରର ଆମ୍ବ ଫଳୁଛି। ଏଇ ବାରମାସୀ ଆମ୍ବଗଛରେ ଆମ୍ବଋତୁରେ ବି ଏକକାଳୀନ ୧୨ ପ୍ରକାରର ଆମ୍ବ ଫଳୁଛି। ଏ କୁହୁକ ଗଛଟି ଦେଖିଲେ ଉକାଭାଇଙ୍କ କଠିନ ଶ୍ରମ ଓ ଆମ୍ବଚାଷ ପ୍ରତି ତାଙ୍କ ଆବେଗ ଅନାୟାସରେ ବାରିହୋଇପଡ଼େ। ଆମ୍ବଚାଷ ସହ ସମ୍ପୃକ୍ତ ଉକାଭାଇଙ୍କର ବଡ଼ ତୋଟାଟାଏ ଅଛି। ହେଲେ ଅଗଣାରେ ଥିବା ଆମ୍ବଗଛଟି ତାଙ୍କ ପାଇଁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ଉକାଭାଇ ୧୨ ପ୍ରକାର ଦେଶୀ ଆମ୍ବଗଛ ଡାଳ କଲମି କରି ଗୋଟିଏ ଆମ୍ବଗଛରେ ପ୍ରତିରୋପଣ କରିଛନ୍ତି। କୌଣସି ସ୍ଥାନରେ ଦେଶୀ ଆମ୍ବଗଛଟିଏ ଦେଖିଲେ ଉକାଭାଇ ସେଥିରୁ କଲମି କରି ଚାରା ଉତ୍ତାରି ଆଣନ୍ତି। ତାଙ୍କର ଏହି ଆମ୍ବଗଛରେ ୫୦ ଗ୍ରାମ୍ ଠାରୁ ଆରମ୍ଭ କରି ୨ କିଲୋ ଓଜନବିଶିଷ୍ଟ ଆମ୍ବ ଫଳୁଛି। ଏସବୁ ଆମ୍ବର ଆକାର, ଓଜନ, ରଙ୍ଗ ଓ ଆକୃତି ଭିନ୍ନ ଭିନ୍ନ। ସବୁ ଆମ୍ବର ସ୍ବାଦ, ସୁଗନ୍ଧ ଓ ରଙ୍ଗ ବି ଭିନ୍ନ। ସେଇଥିପାଇଁ ତ ଏ ଗଛର ଏତେ ମହତ୍ତ୍ବ!
ଗୋଟିଏ ଗଛରେ ଜଗତଯାକର ଆମ୍ବ
ସେହିପରି ପ୍ରତି ଗ୍ରୀଷ୍ମକାଳରେ କେରଳର କୋଝିକୋଡ଼ ଅଞ୍ଚଳର କରୁତପରମ୍ବା ଗ୍ରାମର ପୋୟଇଲ୍ ଅବ୍ଦୁର୍ରହମାନ୍ଙ୍କ ଅଗଣା ବିଭିନ୍ନ ଆମ୍ବ ବାସ୍ନାରେ ମହକି ଉଠେ। ତାଙ୍କ ଅଗଣାରେ ଅଛି ମାତ୍ର ଗୋଟିଏ ଆମ୍ବଗଛ, କିନ୍ତୁ ସେଥିରେ ଫଳୁଛି ଚନ୍ଦ୍ରକରନ୍ ଓ କିଲିଚୁନ୍ଦରୁ ଆରମ୍ଭ କରି ଥାଇଲାଣ୍ଡ୍ର ନାମ୍ ଦୋକ୍ ମାଇ, ଆମେରିକାନ୍ ରେଡ୍ ପାଲ୍ମର୍, ଇଣ୍ଡୋନେସିଆର ଗ୍ରାମ୍ପୁ ଓ ଚକାପଟ୍ର ଗୋଲ୍ଡେନ୍ କିଙ୍ଗ୍ ଆଦି ୮୦ ପ୍ରକାରର ଦେଶୀବିଦେଶୀ ଆମ୍ବ। ଆମ୍ବ ପ୍ରତି ଥିବା ନିଷ୍ଠା ଓ ଆବେଗ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧି ଦେଇଛି। ଅବ୍ଦୁ କହନ୍ତି, ‘‘ଆମ୍ବର ମଧୁରତାକୁ ବଳିଯିବା ଭଳି କୌଣସି ଫଳ ଦୁନିଆରେ ନାହିଁ। ଏଇ ଗୋଟିଏ ଗଛରେ ମୁଁ ୧୨୫ରୁ ଅଧିକ ପ୍ରକାରର କଲମି-ଡାଳ ଲଗାଇଥିଲି, କିନ୍ତୁ ୮୦ଟି ବଞ୍ଚିଲା ଓ ସେଥିରେ ଫଳ ଫଳିଲା।’’ ସମ୍ପ୍ରତି ୫୯ ବର୍ଷରେ ପଦାର୍ପଣ କରିଥିବା ଅବ୍ଦୁ ୧୫ ବର୍ଷ ବିଦେଶରେ ଅତିବାହିତ କରିଥିଲେ। ସେହି ସମୟରେ ସେ କୃଷିକାର୍ଯ୍ୟ ସହିତ ସଂଶ୍ଳିଷ୍ଟ ହୋଇପଡ଼ିଥିଲେ। ଘରକୁ ବାହୁଡ଼ିବା ପରେ ସେ ଆମ୍ବଚାଷ ପ୍ରତି ମନଧ୍ୟାନ ଦେଲେ। ଅମୂଲ୍ୟ ମଣିମୁକ୍ତା ସଂଗ୍ରହ କଲାଭଳି ସେ ଦେଶବିଦେଶ ବୁଲି ବିଭିନ୍ନ କିସମର କଲମି ଆମ୍ବଡାଳ ଯୋଗାଡ଼ କରନ୍ତି। ବାହାରିନ୍, ଇଣ୍ଡୋନେସିଆ, ତାଇୱାନ୍, ଥାଇଲାଣ୍ଡ୍ ଓ କାମ୍ବୋଡିଆରୁ ମଧ୍ୟ ସେ କଲମି ଆମ୍ବଡାଳ ସଂଗ୍ରହ କରିଛନ୍ତି।