ଗତ ସେପ୍‌ଟେମ୍ବର ୧୬ ଥିଲା ବିଶ୍ୱ ଓଜୋନ ଦିବସ। ଏହି ଅବସରରେ ପ୍ରକାଶିତ ବିଶ୍ୱ ପାଣିପାଗ ସଂସ୍ଥା(ଡବଲ୍ୟୁଏମ୍‌ଓ)ର ବିଜ୍ଞପ୍ତି ଅନୁଯାୟୀ, ୨୦୫୦ ସୁଦ୍ଧା ପୃଥିବୀର ଓଜୋନ ସ୍ତର ୧୯୮୦ ଦଶକର ସ୍ଥିତିକୁ ଫେରିବାକୁ ଯାଉଛି। ସୂଚନାଯୋଗ୍ୟ, ଆଜକୁ ୪୦ ବର୍ଷ ତଳେ ଭିଏନା ସମ୍ମିଳନୀରେ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ଓଜୋନ ସ୍ତରର କ୍ଷତି ବିଶ୍ୱ ପାଇଁ ଚିନ୍ତାର କାରଣ ବୋଲି ପ୍ରଥମ ଥର ପାଇଁ  ଉଦ୍‌ବେଗ ପ୍ରକାଶ ପାଇଥିଲା। ଡବଲ୍ୟୁଏମ୍‌ଓ ଗତ ତିନି ବର୍ଷର ଓଜୋନ ଓ ଅତିବାଇଗଣୀ ରଶ୍ମି ବାବଦରେ ତଥ୍ୟ ପ୍ରକାଶ କରିଛି ଯାହା ଓଜୋନ ଗର୍ତ୍ତର ପୁନରୁଦ୍ଧାରର ପ୍ରଗତିକୁ ତର୍ଜମା କରିଛି। ଏଥିରୁ ୨୦୨୦ ପରଠାରୁ ୨୦୨୪ରେ ଓଜୋନ ସ୍ତର ସର୍ବାଧିକ ସୁସ୍ଥ ରହିଥିବାର ସୂଚନା ମିଳିଛି।
ଏ ପରିପ୍ରେକ୍ଷୀରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ ଓଜୋନ ସ୍ତରରେ ସୁଧାର ଆସିଛି ଏବଂ ଦେଶମାନେ ବିଜ୍ଞାନର ଚେତାବନୀକୁ ଧ୍ୟାନ ଦେଲେ ପ୍ରଗତି ସମ୍ଭବ ବୋଲି ଏହି ସଫଳତା ପ୍ରମାଣ କରିଛି।

Advertisment

ଡବଲ୍ୟୁଏମ୍‌ଓ ବିଜ୍ଞପ୍ତି ଅନୁଯାୟୀ, ୨୦୦୩-୨୦୨୨ ଅବଧିର ହାରାହାରି ତୁଳନାରେ ୨୦୨୪ରେ ଓଜୋନ ସ୍ତରରେ ଉନ୍ନତି ହେବା ପଛରେ ବିଷୁବରେଖୀୟ ପବନ ଦୋଳନ, ଶକ୍ତିଶାଳୀ ଏଲ୍‌ ନିନୋ ଅବସ୍ଥା ଓ ଉଚ୍ଚ ସୌର କାର୍ଯ୍ୟକଳାପ ଭଳି କାରଣ ରହିଛି। ତୁଳନାତ୍ମକ ଭାବେ ୨୦୨୪ ଓଜୋନ ସ୍ତରରେ ସୁଧାର ଏହି ଦଶକ ପୂର୍ବାପେକ୍ଷା ବହୁତ ଶକ୍ତିଶାଳୀ ଜଣାପଡୁଛି। ତଥାପି ବିଜ୍ଞପ୍ତିରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ଆଗାମୀ ଦଶନ୍ଧିଗୁଡ଼ିକରେ ସମସ୍ତ ଦେଶ ସେମାନଙ୍କ ହାଇଡ୍ରୋକାର୍ବନ ଓ କ୍ଲୋରୋଫ୍ଲୋରୋକାର୍ବନ ନିର୍ଗମନ ଉପରେ ନଜର ରଖିବା ଆବଶ୍ୟକ। ସ୍ମରଣଯୋଗ୍ୟ, ବାୟୁମଣ୍ଡଳର ଓଜୋନ୍‌ ସ୍ତର ଲୋକଙ୍କୁ ଚର୍ମ କର୍କଟ, ମୋତିଆବିନ୍ଦୁ ଏବଂ ଜୈବ ବିବିଧତା ସମେତ ଅନ୍ୟାନ୍ୟ ପର୍ଯ୍ୟାବରଣ ପ୍ରଣାଳୀ ପରିବର୍ତ୍ତନରୁ ରକ୍ଷା କରିଥାଏ। ତେବେ ୧୯୮୫ ମସିହାରେ ଆହୂତ ଭିଏନା ସମାବେଶରେ ଜାତିସଂଘର ସମସ୍ତ ୧୯୮ ସଦସ୍ୟ ଓଜୋନ ସ୍ତରକୁ କ୍ଷୟ କରୁଥିବା କ୍ଲୋରୋଫ୍ଲୋରୋକାର୍ବନ ବିରୋଧରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ତା’ପରେ ୧୯୮୭ର ମଣ୍ଟ୍ରିଲ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା, ଯାହା ରେଫ୍ରିଜରେଟର, ଏସି ଓ ହେୟାର ସ୍ପ୍ରେଅରରୁ ନିର୍ଗତ କ୍ଷତିକାରକ ପଦାର୍ଥଗୁଡ଼ିକର ଉତ୍ପାଦନକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିଲା। ମଣ୍ଟ୍ରିଲ୍ ରାଜିନାମା ଇତିମଧ୍ୟରେ ଏହି ପଦାର୍ଥଗୁଡ଼ିକର ଉତ୍ପାଦନ ଓ ବ୍ୟବହାରକୁ ୯୯% ହ୍ରାସ କରିବାରେ ସଫଳ ହୋଇଛି।