ଜାତୀୟ ରାଜନୀତିରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିବା ରାଜନେତାଙ୍କ ମଧ୍ୟରେ ଅନ୍ୟତମ ଅଗ୍ରଣୀ ବ୍ୟକ୍ତିତ୍ବ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ ତିନି ପାଳିରେ ତାଙ୍କର କ୍ୟାବିନେଟ୍ ସହଯୋଗୀ ଭାବେ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନିର୍ବାହକରି ଓଡ଼ିଶାକୁ ସେ ଗୌରବାନ୍ବିତ କରିଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ପଦପଦବୀ ମଣ୍ଡନ କରିବା ସହ ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀ ଭାବେ ଦଳକୁ ବିଜୟୀ କରାଇଛନ୍ତି। ସଂପ୍ରତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଅବସ୍ଥାପିତ ଶ୍ରୀ ପ୍ରଧାନଙ୍କ ସହିତ ରାଜ୍ୟର ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ‘ରବିବାର ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତ୍କାର।
ଚଳିତବର୍ଷ ଆପଣ ଲୋକପ୍ରତିନିଧି ଭାବେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚନ ରାଜନୀତିକୁ ଆସିଥିଲେ। ତା’ପର ଠାରୁ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଦଳର ଆପଣଙ୍କ ପ୍ରତି ସମର୍ଥନ ସଂପର୍କରେ କ’ଣ କହିବେ?
ଆପଣ ଭାବନ୍ତୁ, ଯେତେବେଳେ ଓଡ଼ିଶାରେ ବିଜେପିର କୌଣସି ସମ୍ଭାବନା ନଥିଲା, ସେତେବେଳେ ମୋ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତ୍ତାକୁ ଦଳ ବିହାରରୁ ରାଜ୍ୟସଭାକୁ ପଠାଇଥିଲା। ତା’ପରେ ପୁଣି ମୋତେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇଲା। ଏଥର ଦଳ ଚାହିଲା, ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ିଲି ଓ ଜିତିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୧୧ ବର୍ଷ ଧରି ମନ୍ତ୍ରୀ ଭାବେ କାମ କରିବାର ସୁଯୋଗ ମଧ୍ୟ ମିଳିଛି। କେବଳ ମୁଁ କାହିଁକି, ଏକ ସାଧାରଣ ପରିବାରରୁ ଆସିଥିବା ଯେଉଁ ନେତାଙ୍କୁ କେହି ରାଜନୀତିରେ ଗଣନା କରୁନଥିଲେ, ସେ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ। ଆମ ଦଳରେ ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ବି ଶୀର୍ଷ ପଦବିରେ ଅଧିଷ୍ଠିତ କରାଯିବାର ପରମ୍ପରା ରହିଛି।
ଏବେ ରାଜ୍ୟର ନୂଆ ସରକାର ଉପରେ ଲୋକଙ୍କର ବହୁ ଆଶାଆକାଂକ୍ଷା ଠୁଳ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ୧୫ ମାସର ସରକାରଙ୍କ ପ୍ରଦର୍ଶନ ସହ ୨୪ ବର୍ଷର ବିଜୁ ଜନତା ଦଳ ସରକାରଙ୍କ ତୁଳନା କରାଯାଉଛି। ଏହାକୁ ଆପଣ କିଭଳି ଦେଖୁଛନ୍ତି?
ମୁଁ ଓଡ଼ିଆ ଲୋକଙ୍କ ପାଖେର କୃତଜ୍ଞ। ସେମାନେ ଭାରତୀୟ ଜନତା ପାର୍ଟିକୁ ବିକଳ୍ପ ଭାବେ ବାଛିଛନ୍ତି। ତେବେ ଏଭଳି ତୁଳନା ଆଦୌ ବରାବର ନୁହେଁ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ନୂଆ ଟିମ୍ ଭଲ କାମ କରୁଛନ୍ତି। ପ୍ରଜାତନ୍ତ୍ରରେ ଦୁଇଟି କଥା ଚାଲେ- ଆପଣ ହୁଏତ ସମସ୍ୟାକୁ ଆଖିବୁଜି ଦେବେ ନଚେତ ତା’ର ସାମ୍ନା କରି ସମାଧାନ କରିବେ। ନୂଆ ଟିମ୍ ଦ୍ବିତୀୟ ପନ୍ଥା ଗ୍ରହଣ କରିଛନ୍ତି। ସମସ୍ୟାକୁ ଆଖିବୁଜି ଦେଉନାହାନ୍ତି। ମୁଁ ଯଦି ନିଷ୍ପକ୍ଷ ଭାବରେ ଗତ ୧୫ ମାସର କାର୍ଯ୍ୟଧାରାକୁ ସମୀକ୍ଷା କରିବି ତେବେ ରାଜ୍ୟ ସରକାରଙ୍କ ପ୍ରଦର୍ଶନକୁ ୧୦୦ରୁ ୧୦୦ ମାର୍କ ଦେବି।
ରାଜ୍ୟ ସରକାରଙ୍କ କେଉଁ କେଉଁ ପଦକ୍ଷେପକୁ ଆପଣ ଉଲ୍ଲେଖନୀୟ ବୋଲି ମନେ କରୁଛନ୍ତି?
ଆମର ପ୍ରଥମ ଦାୟିତ୍ୱ ଥିଲା, ମହିଳାଙ୍କୁ ସଶକ୍ତ କରିବା, କୃଷକଙ୍କୁ ସହାୟତା ଦେବା ଓ ସାଧାରଣ ଲୋକଙ୍କୁ ସ୍ୱାବଲମ୍ବୀ କରିବା। ସରକାର ରାଜ୍ୟର ସମସ୍ତ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। କୃଷକଙ୍କୁ ରାଜ୍ୟ ବଜେଟ୍ରୁ ଧାନରେ ପ୍ରତି କ୍ୱିଣ୍ଟାଲ୍କୁ ୮୦୦ ଟଙ୍କା ସହାୟତା ଦେଇଛନ୍ତି। ପୁଣି ଶିକ୍ଷା ବିଭାଗ ଏକ ଐତିହାସିକ ନିଷ୍ପତ୍ତି ନେଇ ଆଉ କୌଣସି ଶିକ୍ଷକ ଠିକା ନିଯୁକ୍ତିରେ ରହିବେ ନାହିଁ ବୋଲି ଘୋଷଣା କରିଛି।
ବର୍ତ୍ତମାନ ଆପଣଙ୍କ ସରକାର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ’ଣ?
ମୋ ମତରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଓଡ଼ିଆ ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି। ଯଦିଓ ଆମର ମୁଣ୍ଡପିଛା ଆୟ ବଢ଼ିଛି; କିନ୍ତୁ ସେଥିରେ ମୁଁ ସନ୍ତୁଷ୍ଟ ନୁହେଁ। କାରଣ, ସେଇଟା ଗୋଟିଏ ଆଭରେଜ୍। ସାଢ଼େ ଚାରି କୋଟି ଓଡ଼ିଆ କିପରି ସମ୍ମାନଜନକ ଜୀବନ ଅତିବାହିତ କରିବେ, ସେ ଦାୟିତ୍ୱ ସରକାରଙ୍କର। ଆମ ପୂର୍ବ ସରକାରମାନଙ୍କର ଏ ଦାୟିତ୍ବ ଥିଲା, ଆମର ବି ଅଛି। ସେମାନେ ତାହା କରି ନଥିଲେ, କିନ୍ତୁ ଆମେ କେବେ ବି ପଛେଇ ଯିବୁନାହିଁ।
ରାଜ୍ୟ ମନ୍ତ୍ରିମଣ୍ଡଳରେ ଖାଲିଥିବା ସ୍ଥାନ ପୂରଣ ହୋଇପାରୁନାହିଁ। ପୁଣି ବିଭିନ୍ନ ନିଗମର ଅଧ୍ୟକ୍ଷ ବି ନିଯୁକ୍ତ ହୋଇପାରି ନାହାନ୍ତି। ଏ ସଂପର୍କରେ ଚାଲିଥିବା ଚର୍ଚ୍ଚାକୁ ନେଇ କ’ଣ କହିବେ?
ଠିକ୍ ସମୟରେ କରାଯିବ। ଆମ ଦଳର ବିଭିନ୍ନ ମଞ୍ଚ, ଯଥା ରାଜ୍ୟ କମିଟି ଓ ଜାତୀୟ କମିଟିରେ ଏହି ବିଷୟରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଆମର ପ୍ରାଥମିକତା ଉପରାଷ୍ଟ୍ରପତି ନିର୍ବାଚନ।
ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ବାହାରେ ଥିବା ଦଳଙ୍କ ସମର୍ଥନ ହାସଲ ପାଇଁ ଭାଜପା କିଭଳି ରଣନୀତି ଆପଣାଉଛି?
ଏନ୍ଡିଏ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଶେଷ ରଣନୀତି ପ୍ରସ୍ତୁତି ହେଉଛି। ଦେଶର ଅନ୍ୟ ରାଜନୈତିକ ଦଳମାନଙ୍କର ସମର୍ଥନ ଯୋଗାଡ଼ ଦାୟିତ୍ୱ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଦିଆଯାଇଛି। ସେ ସେମାନଙ୍କ ସହିତ ଆଲୋଚନା କରୁଛନ୍ତି। ମୋତେ ମଧ୍ୟ କିଛି ଦାୟିତ୍ୱ ଦିଆଯାଇଛି, ମୁଁ ସେସବୁ ଦଳ ସହ ସମ୍ପର୍କରେ ଅଛି।
ଉପରାଷ୍ଟ୍ରପତି ନିର୍ବାଚନରେ ବିଜୁ ଜନତା ଦଳ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ?
ଭାରତୀୟ ଜନତା ପାର୍ଟି ଅନେକ ଦଳ ସହିତ ଏ ପ୍ରସଙ୍ଗରେ ଆଲୋଚନା ଚଳାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି। ନବୀନବାବୁଙ୍କ ସହ ମୋର ବି ବ୍ୟକ୍ତିଗତ ସମ୍ପର୍କ ରହିଛି। କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ କି ନିଷ୍ପତ୍ତି ନେବ, ତାହା ମୁଁ କହିପାରିବି ନାହିଁ। ତେବେ ଆମେ ବିଜୁ ଜନତା ଦଳକୁ ବୁଝାଇବାକୁ ପ୍ରୟାସ କରିବୁ। ସି.ପି.ରାଧାକୃଷ୍ଣନ୍ ପଛୁଆ ବର୍ଗର ନେତା ଏବଂ ସେ ଦକ୍ଷିଣ ଭାରତର ପ୍ରତିନିଧିତ୍ବ କରୁଛନ୍ତି। ବ୍ୟକ୍ତିଗତ ଜୀବନରେ ଜଣେ ଭଲ ମଣିଷ। ତେଣୁ ତାଙ୍କୁ ସମର୍ଥନ ମିଳିବା ଉଚିତ। ଆମେ ତାଙ୍କ ପ୍ରାର୍ଥୀତ୍ବକୁ ନେଇ ସହମତି ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମଧ୍ୟ ଯୋଗାଯୋଗ କରିଥିଲୁ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରାର୍ଥୀ ଦେଲେ।
ବିଜେଡି ନେତାମାନେ କହୁଛନ୍ତି, ଭାଜପାର ଲୋକପ୍ରିୟତା ଓଡ଼ିଶାରେ ବଢ଼ିଛି ସତ, କିନ୍ତୁ ବିଜେଡିର ଗ୍ରହଣୀୟତା କମିନାହିଁ। ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ମଧ୍ୟ ବଜାୟ ରହିଛି। ଆପଣଙ୍କ ଆକଳନ କ’ଣ?
ଯେଉଁମାନେ ପରାଜିତ ହେଇଯା’ନ୍ତି, ସେମାନେ ସାହିତ୍ୟର ସାହାରା ନିଅନ୍ତି। ଲୋକପ୍ରିୟତା ବଢ଼ିଛି, ଜନାଧାର ବଢ଼ିଛି, କିନ୍ତୁ ଆମର ବିଶ୍ୱସନୀୟତା ବଢ଼ିନି! ଇଏ ସାହିତ୍ୟ ନୁହେଁ ତ ଆଉ କ’ଣ? ନବୀନବାବୁଙ୍କ ସହ ଆମେ ମେଣ୍ଟରେ ଥିଲୁ। ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ମୁଁ ତାଙ୍କୁ ଅତି ନିକଟରୁ ଦେଖିଛି। ତାଙ୍କୁ ବୁଝିଛି, ତାଙ୍କର କେତେକ ଗୁଣରେ ପ୍ରଭାବିତ ମଧ୍ୟ ହୋଇଛି। କିନ୍ତୁ କେତେକ ବିଷୟରେ ପ୍ରଥମ ଦିନରୁ ହିଁ ମୋର ସହମତି ନଥିଲା। ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ଥିଲା, ଅଛି, ରହିବ। କିନ୍ତୁ ରାଜନୀତିରେ ଏସବୁ ପରିସ୍ଥିତି-ସାପେକ୍ଷ। ତାହା ନହୋଇଥିଲେ କଣ୍ଟାବାଞ୍ଜିରେ ଆମ ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଲକ୍ଷ୍ମଣ ବାଗଙ୍କଠାରୁ ସେ ହାରିଥାଆନ୍ତେ କେମିତି? ପୁଣି ତାଙ୍କର ପୁରୁଣା ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଆମ ପ୍ରାର୍ଥୀ ଶିଶିର କୁମାର ମିଶ୍ର ତାଙ୍କୁ ପାଣି ପିଆଇ ଦେଇନଥାନ୍ତେ। ତେଣୁ ଗଣତନ୍ତ୍ରରେ ପରିସ୍ଥିତି ଅନୁସାରେ ଦୃଶ୍ୟପଟ୍ଟ ବଦଳିଯାଏ। ଏହାକୁ ସ୍ବୀକାର କରିବାକୁ ପଡ଼ିବ।
ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଯେମିତି ରାଜ୍ୟ ସରକାରଙ୍କୁ ଘେରୁଛି, ମନେହେଉଛି ଏହି ଦଳର ଉତ୍ଥାନ ହେଉଛି। ଆପଣ ଏଥିରେ ଏକମତ?
କଂଗ୍ରେସ ଗୋଟେ ବୁଡ଼ି ଯାଉଥିବା ଦଳ। ଦେବାଳିଆ ହୋଇଥିବା ପାର୍ଟି। କଂଗ୍ରେସରେ ମୂଳ ଭାବଧାରାର ସ୍ପଷ୍ଟତା ନାହିଁ। ସେ ଦଳକୁ ଗରିବ ଓ ମଧ୍ୟବର୍ଗୀୟ ଭାରତୀୟମାନେ ଆଉ ଭରସା କରୁନାହାନ୍ତି। ଏ ପ୍ରସଙ୍ଗରେ ମୋର କଲେଜ ବେଳର କଥା ମନେପଡ଼ୁଛି। ଆମେ ସବୁ ଏବିଭିପିରେ ଥିଲୁ, ଛାତ୍ର ସଂଗଠନ କରୁଥିଲୁ। ସେତେବେଳେ ଏସ୍ୟୁସିଆଇକୁ ଦେଖି ମୁଁ ପ୍ରଭାବିତ ହୋଇଥିଲି, ଭାବୁଥିଲି- ଆରେ! ଏଇଟା ତ ବହୁତ ବଡ଼ ସଂଗଠନ। ତା’ପରେ ଡିଏସ୍ଓକୁ ବି ଦେଖିଲି। କିନ୍ତୁ ଏସବୁ ସଂଗଠନ କାନ୍ଥବାଡ଼ରେ ହିଁ ସୀମିତ ଥାଆନ୍ତି। ମୁଁ କ’ଣ କହିବାକୁ ଚାହୁଛି ଆପଣ ବୁଝିଯିବେଣି।
ତେବେ ରାଜ୍ୟ କଂଗ୍ରେସର ନୂଆ ନେତୃତ୍ବ ସଂଗଠନକୁ ସଜାଡ଼ି ପାରିବ ବୋଲି ଆପଣ ଭାବୁନାହାନ୍ତି?
ଭକ୍ତଭାଇ ଜଣେ ସକ୍ରିୟ ଲୋକ, ଜଣେ ଭଲ କାର୍ଯ୍ୟକର୍ତ୍ତା। କିନ୍ତୁ ସେ କଂଗ୍ରେସ ଚରିତ୍ରର ଲୋକ ନୁହନ୍ତି। ସେ ହୁଏତ ଦିଲ୍ଲୀେର କିଛି ପ୍ରଭାବ ଜମାଇ ପାରିଥାନ୍ତି। କିନ୍ତୁ ଓଡ଼ିଶାରେ କାମ କରିବା ପରେ ସେ ବୁଝିଯିବେଣି କି ଏଠି ଦଳକୁ ବଢ଼ାଇବା ସମ୍ଭବ ନୁହେଁ।
ତା’ହେଲେ କଂଗ୍ରେସକୁ ଆପଣ ଓଡ଼ିଶାରେ ଗୁରୁତ୍ବର ସହ ନେଉନାହାନ୍ତି?
ମୁଁ କାହାକୁ ଅଣଦେଖା କରେନି। ମୋର ଭୋଟ୍ ରାଜନୀତିରେ ବିଶ୍ୱାସ ଅଛି। ଯେଉଁଠି ଖଣ୍ଡିଏ ବି ଭୋଟ୍ ଅଛି, ସେଠାକୁ ଯାଇ ବୁଝାଇବା, ପ୍ରଭାବିତ କରିବା ରଣନୀତିରେ ମୁଁ ବିଶ୍ବାସ କରେ। ଏକଥା ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶ୍ରୀ ଅମିତ ଶାହଙ୍କ ପାଖରୁ ଶିଖିଛୁ।
ଆପଣ ଛାତ୍ର ରାଜନୀତିରୁ ମୁଖ୍ୟସ୍ରୋତର ରାଜନୀତିକୁ ଆସିଛନ୍ତି। ଆପଣଙ୍କ ବେଳର ଛାତ୍ର ରାଜନୀତି ଓ ଏବେକା ପରିସ୍ଥିତି ଭିତରେ ଫରକ କ’ଣ? ଉତ୍ତରଣ ନା ଅବକ୍ଷୟ?
ଏବେ ଉତ୍ତରଣ କି ଅବକ୍ଷୟ ହୋଇଛି, ତାହା କହିବା ଠିକ୍ ହେବନାହିଁ। କାରଣ ସେତେବେଳର ସାମାଜିକ ଅବସ୍ଥାକୁ ନେଇ ଛାତ୍ରମାନଙ୍କ ଦୃଷ୍ଟିଭଙ୍ଗୀ ଗଠିତ ହୋଇଥିଲା। ସମୟ ବଦଳୁଛି। ତେଣୁ ଏବେକା ଅବସ୍ଥାକୁ ନେଇ ରାଜନୀତି ଚାଲିଛି। ଧରନ୍ତୁ, ସେତେବେଳେ ପିଲାଏ ଲାଇବ୍ରେରିରେ ପଢୁଥିଲେ, ଏବେ ଘରେ ବସି ମୋବାଇଲ୍ରେ ପଢୁଛନ୍ତି। ଦୁଇଟାଯାକ ଠିକ୍। ତେଣୁ ସମୟ ସ୍ରୋତରେ ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀ ହିସାବରେ ଛାତ୍ର ରାଜନୀତିର ସ୍ବରୂପ ବଦଳୁଛି।
ଅତୀତରେ କ୍ୟାମ୍ପସ୍ରୁ ବହୁ ସଂଖ୍ୟାରେ ନେତା ତିଆରି ହେଉଥିଲେ। ସେ ଧାରା କ୍ରମଶଃ ସ୍ତିମିତ ହୋଇଯାଉଛି କି?
କେବଳ କ୍ୟାମ୍ପସ୍ରୁ ନେତା ତିଆରି ହେଉଥିଲେ ବୋଲି କହିବା ଭୁଲ୍ ହେବ। ନବୀନ ପଟ୍ଟନାୟକ କ’ଣ କ୍ୟାମ୍ପସ୍ରୁ ଆସିଥିଲେ? ସମାଜର ସବୁ ପରିସରରୁ ନେତା ତିଆରି ହେବା ଦରକାର। ଏଥିସହ କ୍ୟାମ୍ପସ୍ରୁ ବି ନେତା ଆସିବା ଆବଶ୍ୟକ।
ଶେଷରେ ଏକ ବ୍ୟକ୍ତିଗତ ପ୍ରଶ୍ନ। ଆପଣ ରାଜନୀତିରେ ଦ୍ବିତୀୟ ପିଢ଼ି। ଆପଣଙ୍କ ବାପା ଡା.ଦେବେନ୍ଦ୍ର ପ୍ରଧାନ ସକ୍ରିୟ ରାଜନୀତିରେ ଥିଲେ, କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଆପଣ ବି ଅଛନ୍ତି। ଆପଣଙ୍କ ପିଲାମାନେ ରାଜନୀତିକୁ ଓହ୍ଲାଇବେ କି?
ମୋ ବାପା ରାଜନୀତିରେ ଥିଲେ। କେବଳ ରାଜନୀତି ନୁହେଁ, ସାମାଜିକ କାର୍ଯ୍ୟ ମଧ୍ୟ କରୁଥିଲେ। ମୁଁ ତାଙ୍କୁ ଦେଖି, ତାଙ୍କ ଦ୍ବାରା ଅନୁପ୍ରେରିତ ହୋଇ ରାଜନୀତିକୁ ଆସିଥିଲି। ତେବେ ମୋ ପିଲାମାନେ ଏ ରାସ୍ତାକୁ ଆପଣେଇବେ କି ନାହିଁ, ସେ ନିଷ୍ପତ୍ତି ସେମାନେ ନେବେ। ସେମାନେ ସ୍ବାଧୀନ ଚିନ୍ତାଧାରାରେ ନିଜ ରାସ୍ତା ନିଜେ ବାଛିବେ।