ଭବିଷ୍ୟତ କଥା ଜାଣିବାକୁ କିଏ ବା ନଚାହେ? ଘଟଣାବହୁଳ ୨୦୨୪ ଶେଷ ହେଉଛି ଏବଂ ଆରମ୍ଭ ହେଉଛି ନୂଆବର୍ଷ ୨୦୨୫। ଆସନ୍ତା ବର୍ଷଟି କଟିବ କେମିତି? ଦେଶ ଦୁନିଆରେ କ’ଣ ଘଟିବ? କିଛି ବଡ଼ ଅଘଟଣ/ ପ୍ରାକୃତିକ ବିପର୍ଯ୍ୟୟ ହେବନି ତ? ରାଜନୀତି ପଶାପାଲିରେ କିଛି ଓଲଟପାଲଟ ହେବ କି? ଏସବୁ ଜାଣିବା ଲାଗି ଅଧିକାଂଶ ଉତ୍ସୁକ। ହାତପାହାନ୍ତାରେ ଥିବା ତଥ୍ୟ ଉତ୍ସ ସାଉଁଟିବାରେ ବି ଅନେକ ବ୍ୟସ୍ତ। କିଏ ଗୁଗଲ୍‌ ସର୍ଚ୍ଚରେ ବିଶ୍ବପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟାଙ୍କ ଆକଳନ ଖୋଜିବାରେ ବ୍ୟସ୍ତ ତ କିଏ ନୂଆ ପାଞ୍ଜିର ପୃଷ୍ଠା ଲେଉଟାଇବାରେ ବ୍ୟାପୃତ। ପୁଣି କିଏ ଭିନ୍ନ ଭିନ୍ନ ଜ୍ୟୋତିଷି ଓ ଗଣନାକାରଙ୍କ ଗଣନା ପଢ଼ିବାରେ ମସ୍‌ଗୁଲ୍‌। ଆସନ୍ତୁ ଜାଣିବା ୨୦୨୫ ସଂପର୍କରେ ବିଶ୍ବର ଦୁଇ ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭାଙ୍ଗା ଓ  ନଷ୍ଟ୍ରାଡାମସ୍‌ କ’ଣ ଆକଳନ କରିଛନ୍ତି।

Advertisment

ମହିଳାଙ୍କ ପାଇଁ ଉତ୍‌ଥାନର ବର୍ଷ

ରାଜନୀତି ହେଉ ବା ବିଜ୍ଞାନ; ମହାକାଶ ହେଉ ବା ହାଣ୍ଡିଶାଳ! ସବୁଠି ଚାଲେ ସଂଖ୍ୟା ଖେଳ। ସଂଖ୍ୟା ବିନା କ’ଣ ଏ ସଂସାର ଚାଲିବା ସମ୍ଭବ? ଛୁଆ ଜନ୍ମ ହୁଏ ଗଣି ଗଣି ୯ ମାସ ୧୦ ଦିନରେ। ଦିନ, ସପ୍ତାହ, ମାସ ହେଉ ବା ବର୍ଷ; ସବୁଠି ରହିଛି ସଂଖ୍ୟାର ଅସ୍ତିତ୍ବ। ତେବେ ମଣିଷ ଜୀବନ ଉପରେ ଏହାର ପ୍ରଭାବ ରହିବ ନାହିଁ ବା କେମିତି? ଏକ ନୂଆ ସଂଖ୍ୟା ସହ ଆମେ ନୂଆବର୍ଷ ୨୦୨୫କୁ ପାଛୋଟିବାକୁ ଯାଉଥିବା ବେଳେ ଆସନ୍ତୁ ପରଖିବା ସଂଖ୍ୟା ଦୃଷ୍ଟିରୁ କ’ଣ ରହିଛି ‘ବର୍ଷଫଳ’।

ଅଙ୍କଶାସ୍ତ୍ର ଓ ସଂଖ୍ୟାତତ୍ତ୍ବ ଅନୁସାରେ ୨୦୨୫ ଓଡ଼ିଶା ପାଇଁ ଶୁଭଫଳ ଆଣିବ। ୨୦୨୫ ସଂଖ୍ୟାକୁ ବିଚାରକୁ ନେଲେ ଜଣାପଡୁଛି, ଚଳିତ ବର୍ଷ ବୃହସ୍ପତି ଓ ଚନ୍ଦ୍ରଙ୍କର ଯୋଗ ରହୁଛି। ୨୫ ସଂଖ୍ୟାକୁ ଯୋଗ କଲେ ଯୋଗଫଳ ୭ ହେଉଛି। ଅର୍ଥାତ ବୃହସ୍ପତି, ଶନି ଓ ଚନ୍ଦ୍ର ଏହି ବର୍ଷର ଅଧିପତି ହେବେ। ଏଣୁ ରାଜ୍ୟ ୨୦୨୫ ମସିହାରେ ଭୂମିରୁ ବହୁ ଲାଭବାନ ହେବ। ନୂଆନୂଆ କଳକାରଖାନା ଗଢ଼ାହେବାର ସୁଯୋଗ ସୃଷ୍ଟି ହେବ।୨୦୨୫ ସଂଖ୍ୟାକୁ ମିଶାଇଲେ (୨+୦+୨+୫) ୯ ହେଉଛି। ଏଣୁ ୯, ୭, ୫ ଓ ୨ ହେଉଛନ୍ତି ଏହି ବର୍ଷର ବର୍ଷଫଳ, ଭାଗ୍ୟଫଳ ଓ ସମସ୍ତ କ୍ଷେତ୍ରରେ ଉତ୍ସୁକତାର ଉନ୍ନତୀକାରକ ବୋଲି କହିଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ୍‌ ମନୋଜ ଲେଙ୍କା। 

ଅନ୍ୟପଟେ ୨୦୨୫ ମସିହାରେ ଶନିଙ୍କର ପ୍ରଭାବ ଅଧିକ ରହୁଥିବାରୁ ବା ତାଙ୍କ ପଲା ଭାରୀ ରହୁଥିବାରୁ ଅନୈତିକ କାର୍ଯ୍ୟକଳାପ ବା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀମାନଙ୍କର ଚଳିତବର୍ଷ ଦଶା ଖରାପ ରହିବ। ସେମାନେ ଧରାପଡ଼ି ଶାସ୍ତି ପାଇପାରନ୍ତି। ଅସାଧୁ ରାଜନେତା ବି ଏ ବର୍ଷ ବର୍ତ୍ତିବେ ନାହିଁ। ଅନ୍ୟପ‌ଟେ ଶନିଙ୍କ ଯୋଗୁଁ ଆଗରୁ ମିଛ ମାମଲାରେ ଛନ୍ଦି ହୋଇ ବଦନାମ ମୁଣ୍ଡାଇଥିବା ‌ଅଧିକାରୀମାନଙ୍କୁ ୨୦୨୫ ସମ୍ମାନ ଆଣିଦେଇପା‌େର।

୨୦୨୫ରେ ୭ ସଂଖ୍ୟା ରହୁଥିବାରୁ ନୂଆବର୍ଷରେ ଓଡ଼ିଶାର ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଦୃଢ଼ତା ଓ ସ୍ଥିରତା ଆସିବ। ୫ ହେଉଛି ବୃହସ୍ପତିଙ୍କ ସଂଖ୍ୟା। ଏଣୁ ୨୦୨୫ ମସିହା ପରିବର୍ତ୍ତନର ସ୍ରୋତ ଆଣିବ। ଜୀବିକା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶାବାସୀ ନିଜ ରାଜ୍ୟରେ ଜୀବିକା ପାଇବେ। ସେହିପରି ୨ ହେଉଛି ଚନ୍ଦ୍ରଙ୍କ ସଂଖ୍ୟା। ଚନ୍ଦ୍ର ହେଉଛନ୍ତି ମା’ଙ୍କ ପ୍ରତୀକ। ଏଣୁ ୨୦୨୫ ମସିହା‌େର ଓଡ଼ିଶାର ନାରୀମାନଙ୍କର ଯଥେଷ୍ଟ ଉତ୍‌ଥାନ ହେବ। ରାଜନୀତି, ବ୍ୟବସାୟ ଓ କର୍ମକ୍ଷେତ୍ରରେ ନାରୀମାନଙ୍କ ସମ୍ମାନ, ସ୍ଥାନ ଓ ଉଚ୍ଚତା ବଢ଼ିବ। ୨୦୨୫ ସଂଖ୍ୟାକୁ ଯୋଡ଼ିଲେ ପୂର୍ଣ୍ଣ ସଂଖ୍ୟା ୯ ହେଉଥିବାରୁ ଓଡ଼ିଶା ସରକାରରେ କୌଣସି ଅଚଳାବସ୍ଥା ଦେଖାଯିବ ନାହିଁ। ସରକାର ସୁରୁଖୁରୁରେ ଚାଲିବା ସହ ବିରୋଧୀ ପ୍ରଭାବଶୂନ୍ୟ ରହିବେ।

ଏକ ଯାଦୁକରୀ ବର୍ଷ
ସଂଖ୍ୟାଶାସ୍ତ୍ର ଅନୁସାରେ ୧୧ ହେଉଛି ୨୦୨୫ର ‘ଛାୟା ସାର୍ବଜନୀନ ସଂଖ୍ୟା’। ପୁଣି ନୂଆବର୍ଷର ପ୍ରଥମ ଦିନର (୧+୧+୨+୦+୨+୫=୧୧) ସଂଖ୍ୟାକୁ ଏକତ୍ର କଲେ ୧୧ ହୁଏ। ଏହାକୁ ମାଷ୍ଟର୍‌ ନମ୍ବର ମଧ୍ୟ କୁହାଯାଏ। ୨୦୨୫ ମସିହା ପାଇଁ ୧୧ ଏକ ଆଞ୍ଜେଲିକ୍‌ ନମ୍ବର। ‌୨୦୨୫ର ପ୍ରମୁଖ ଆଞ୍ଜେଲ୍‌ ନମ୍ବରଗୁଡ଼ିକ ହେଉଛି- ୨୦, ୦୨ ଓ ୨୫। ଏହି ନମ୍ବରଗୁଡ଼ିକର ମୁଖ୍ୟ ସଂଖ୍ୟାଗୁଡ଼ିକୁ ମିଶାଇଲେ (୨ (୨୦ରୁ)+ ୨(୦୨ରୁ)+ ୭ (୨୫ରୁ)=୧୧) ୧୧ ହେଉଛି। ୧୧ ସଂଖ୍ୟାର ବୈଶିଷ୍ଟ୍ୟ କହେ, ନୂଆବର୍ଷ ବୈଶ୍ବିକ ସ୍ତରରେ ଶୁଭକାରୀ ରହିବ। ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବା ଦିଗରେ ସାହାଯ୍ୟ କରିବ। ଏହା ବିକାଶର ବର୍ଷ ହେବ। ବିଭିନ୍ନ ସମ୍ପ୍ରଦାୟ ଏକତ୍ର ହୋଇ ପୁରୁଣା ବ୍ୟବସ୍ଥା ଉପରେ ଏହା ପ୍ରଶ୍ନ ଉଠାଇବେ।ଏକ ସୁଖଦ ଭବିଷ୍ୟତ ପାଇଁ ମିଳିମିଶି କାମ କରିବା ଦିଗରେ ପ୍ରୋତ୍ସାହିତ କରିବ ୨୦୨୫।
‘ସୃଜନଶୀଳତା ୧୧ର ଅନ୍ୟ ଏକ ବୈଶିଷ୍ଟ୍ୟ। ଏଣୁ ବୈଶ୍ବିକ ସ୍ତରରେ ନୂଆ ନୂଆ ଉଦ୍ଭାବନ ହେବ। ବୈଷୟିକ ଜ୍ଞାନକୌଶଳ, କଳା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବା ସହ ନୂଆ ନୂଆ ବିଚାରଧାରା ଆସିବ। ଚଳିତବର୍ଷ କୂଟନୈତିକ ଗୁରୁତ୍ବକୁ ସମସ୍ତେ ହୃଦୟଙ୍ଗମ କରିବେ। କୂଟନୀତି ଯୋଗୁଁ  ବିଭିନ୍ନ ସମୁଦାୟ ମଧ୍ୟରେ ଥିବା ବିବାଦ, ଦେଶ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବୁଝାମଣା ଆସିବ। ୨୦୨୫ ମସିହା ଏକ ସନ୍ତୁଳନର ବର୍ଷ ହେବ। ଲୋକମାନଙ୍କ ମହତ୍ତ୍ବ‌ାକାଂକ୍ଷା ଓ ଆତ୍ମଦର୍ଶନ ମଧ୍ୟରେ ସନ୍ତୁଳନ  ରହିପାରିବ। ଏହି ବର୍ଷଟି କେବଳ ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରି ସମାପ୍ତ ହେବାର ବର୍ଷ ନୁହେଁ, ଏହି ବର୍ଷ ବଡ଼ ସ୍ବପ୍ନ ଦେଖିବାର ବର୍ଷ। ଅଙ୍କ ଶାସ୍ତ୍ର କହୁଛି, ୨୦୨୫ ମସିହା ଏକ ଯାଦୁକରୀ ବର୍ଷ।

ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ
୧୯୧୧ରେ ଜନ୍ମିତା ବୁଲ୍‌ଗେରିଆର ଅଣାକାରବାଦିନୀ ତଥା ଆରୋଗ୍ୟକାରିଣୀ ଭାଞ୍ଜେଲିଆ ପ୍ୟାନ୍ଦେଭା ଦିମିତ୍ରୋଭା ‘ବାବା ଭାଙ୍ଗା’ ନାମରେ ସର୍ବଜନ ବିଦିତ। ଦୃଷ୍ଟିବାଧିତ ହେଲେ ହେଁ ତାଙ୍କର ଭବିଷ୍ୟତ ଦେଖିବା ସମାର୍ଥ୍ୟ ଥିଲା ବୋଲି ବିଶ୍ବାସ କରାଯାଏ। ଭବିଷ୍ୟତର ପ୍ରଯୁକ୍ତିଗତ ଅଗ୍ରଗତି ସମେତ ବିଶ୍ବରେ ଅନେକ ଘଟଣା ସଂକ୍ରାନ୍ତରେ ସେ ବହୁବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଯାଇଛନ୍ତି। ତାଙ୍କର କେତେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଥିବା ବେଳେ ଆଉ କେତେକ ରହସ୍ୟମୟ ହୋଇଥିବାରୁ ବ୍ୟାଖ୍ୟାନ ଆବଶ୍ୟକ କରେ। ୧୯୯୬ରେ ତାଙ୍କର ମୃତ୍ୟୁ ପରେ ମଧ୍ୟ ସେ କହିଯାଇଥିବା ତଥ୍ୟାବଳି ବିଶ୍ଳେଷଣ କରି ବିଶେଷଜ୍ଞମାନେ ଭବିଷ୍ୟତର ସ୍ବରୂପ ଅନ୍ବେଷଣ କରୁଛନ୍ତି। ବାବା ଭାଙ୍ଗା ୨୦୨୫ ବର୍ଷ ପାଇଁ ଚମକପ୍ରଦ ଭବିଷ୍ୟବାଣୀ କରିଛନ୍ତି। ଏଥିରେ ବିରଳ ଔଷଧୀୟ ଆବିଷ୍କାରଠାରୁ ଅନ୍ୟ ଗ୍ରହର ଜୀବଙ୍କ ସହିତ ଭେଟ ହେବା ପର୍ଯ୍ୟନ୍ତ ଘଟଣା ସବୁ ରହିଛି।

ଔଷଧୀୟ ଅଗ୍ରଗତି: ୨୦୨୫ରେ ପରୀକ୍ଷାଗାରରେ ମାନବ ଅଙ୍ଗ ସୃଷ୍ଟି ପ୍ରକ୍ରିୟା ଉନ୍ନତ ଓ ନିଖୁଣ ହେବ। ପ୍ରତିରୋପଣ ନିମନ୍ତେ ଅନାୟାସରେ ଅଙ୍ଗପ୍ରତ୍ୟଙ୍ଗ ଉପଲବ୍ଧ ହେଲେ ବହୁ ଜୀବନ ରକ୍ଷା କରାଯାଇ ପାରିବ। କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହେବ, ସମ୍ଭବତଃ ଆସନ୍ତା ବର୍ଷ କର୍କଟ ରୋଗାକ୍ରାନ୍ତଙ୍କୁ ଆରୋଗ୍ୟ କରାଯାଇ ପାରିବ ବୋଲି ସେ କହିଛନ୍ତି।
ଏଲିଏନ୍‌ଙ୍କ ସହ ସାକ୍ଷାତ: ଏବର୍ଷ ପାଇଁ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ମଧ୍ୟରେ ସବୁଠୁ କୌତୂହଳପ୍ରଦ ହେଉଛି ଏଲିଏନ୍‌ମାନେ ପୃଥିବୀ ସହିତ ଯୋଗାଯୋଗ କରିପାରନ୍ତି। କିନ୍ତୁ, ସେମାନଙ୍କ ସାକ୍ଷାତର ଉଦ୍ଦେଶ୍ୟ ଅଜ୍ଞାତ।

ୟୁରୋପୀୟ ଯୁଦ୍ଧ: ୟୁରୋପ୍‌ରେ ପ୍ରଳୟଙ୍କରୀ ଯୁଦ୍ଧ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ୟୁରୋପ୍‌ ମହାଦେଶ ଓ ତା’ର ଜନତା ଉପରେ ଏହି ଯୁଦ୍ଧର ଭୀଷଣ କୁପ୍ରଭାବ ପଡ଼ିବ।
ମାନବ ଟେଲିପାଥି: ମାନବ ଟେଲିପାଥି ଆବିଷ୍କାର ହେଉଛି ତାଙ୍କର ଆଉ ଏକ ଚମକପ୍ରଦ ଭବିଷ୍ୟବାଣୀ। ବୈଜ୍ଞାନିକମାନେ ମାନବ ମସ୍ତିଷ୍କର ଏଭଳି ରହସ୍ୟ ଆବିଷ୍କାର କରିବେ ଯଦ୍ଦ୍ବାରା ସିଧାସଳଖ ମସ୍ତି‌ଷ୍କ ତରଙ୍ଗ ଯୋଗେ ସମସ୍ତଙ୍କ ସହିତ ଯୋଗାଯୋଗ କରାଯାଇପାରିବ।

ନବଶକ୍ତି ଉତ୍ସ: ଶକ୍ତି ଉତ୍ପାଦନ ନିମନ୍ତେ ଅସୀମ ଶକ୍ତିଉତ୍ସ ଆବିଷ୍କୃତ ହେବ ବୋଲି ବାବା ‌ଭାଙ୍ଗା ଭବିଷ୍ୟତବାଣୀ କରିଛନ୍ତି।

ତୃତୀୟ ବିଶ୍ବଯୁଦ୍ଧ: ବାବା ଭାଙ୍ଗା ଆହୁରି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ, ପ୍ରମୁଖ ଦେଶଗୁଡ଼ିକୁ ସମ୍ପୃକ୍ତ କରି ବ୍ୟାପକ ଧ୍ବଂସଲୀଳା ସୃଷ୍ଟିକାରୀ ତୃତୀୟ ବିଶ୍ବଯୁଦ୍ଧ ୨୦୨୫ରେ ଆରମ୍ଭ ହୋଇପାରେ।
ପ୍ରାକୃତିକ ଦୁର୍ବିପାକ ଓ ଭୂମିକମ୍ପ: ୨୦୨୫ରେ ବିଶ୍ବର ବିଭିନ୍ନ ପ୍ରାନ୍ତରେ କେତେଗୁଡ଼ିଏ ଶକ୍ତିଶାଳୀ ଭୂମିକମ୍ପ ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ସଂଘଠିତ ହେବ। ପରିଣାମ ସ୍ବରୂପ ବ୍ୟାପକ ଧ୍ବଂସସାଧନ ହେବାସହିତ ମୃତ୍ୟୁ ଓ ଜନସ୍ଥାନାନ୍ତରଣ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଚଣ୍ଡ ଭୂମିକମ୍ପ ପ୍ରଳୟ କରିବ ବୋଲି ସେ ଆକଳନ କରିଛନ୍ତି।

ନଷ୍ଟ୍ରାଡାମସ୍‌ଙ୍କ ଭବିଷ୍ୟବାଣୀ
ନଷ୍ଟ୍ରାଡାମସ୍‌ ୧୫୦୦ ଶତାବ୍ଦୀର ଜଣେ ଫରାସୀ ଜ୍ୟୋତିଷି ଓ ଚିକିତ୍ସକ। ତାଙ୍କ ପ୍ରକୃତ ନାମ ମାଇକେଲ୍‌ ଡି ନଷ୍ଟ୍ରେଡେମ୍‌। ‘ଲେସ୍‌ ପ୍ରୋଫେଟିସ୍‌’ ପୁସ୍ତକ ପାଇଁ ସେ ବେଶ୍‌ ପ୍ରସିଦ୍ଧ। ୧୫୫୫ରେ ପ୍ରକାଶିତ ଏହି ପୁସ୍ତକରେ ୯୪୨ଟି ଚଉପଦୀ ରହିଛି। ଏହାକୁ ବିଶ୍ଳେଷଣ କରି ଗବେଷକମାନେ ୨୦୨୫ ନିମନ୍ତେ କିଛି ଭବିଷ୍ୟ ସୂଚନା ପାଇଛନ୍ତି। ସେ ମଧ୍ୟରେ ରହିଛି ଗ୍ରହାଣୁ ଧକ୍କା ଠାରୁ ଆରମ୍ଭ କରି ଇଂଲଣ୍ଡ୍‌ରେ ଆଉ ଏକ ମହାମାରୀ ବ୍ୟାପିବା ଭଳି ଘଟଣା।

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ଅବସାନ: ୨୦୨୪ରେ ନଷ୍ଟ୍ରାଡାମସ୍‌ ମହାଦେଶବ୍ୟାପୀ ଯୁଦ୍ଧ ସମ୍ବନ୍ଧୀୟ ଭବିଷ୍ୟବାଣୀ କରିଥିଲେ, କିନ୍ତୁ ତାଙ୍କ ରହସ୍ୟମୟ ଲେଖା ଅନୁସାରେ ସେ ଯୁଦ୍ଧ ୨୦୨୫ରେ ଶେଷ ହୋଇପାରେ। ସମ୍ଭବତଃ ସେ ୨୦୨୨ରେ ଆରମ୍ଭ ହୋଇଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ଅବତାରଣା କରିଛନ୍ତି। ଯୁଦ୍ଧଜନିତ କ୍ଳାନ୍ତି ଯୋଗୁଁ ଉଭୟ ପକ୍ଷ ଯୁଦ୍ଧ ପ୍ରତ୍ୟାହାର କରିବେ ବୋଲି ସେ ସୂଚାଇଛନ୍ତି।
ମହାମାରୀ ଓ ଯୁଦ୍ଧ: ନବବର୍ଷ ଇଂଲଣ୍ଡ୍‌ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ। ପ୍ରଥମେ ଇଂଲଣ୍ଡ୍‌ରେ ଭୟଙ୍କର ଯୁଦ୍ଧ ଆରମ୍ଭ ହେବ ଏବଂ ପରେ ଗୋଟାଏ ଆଦିମ ମହାମାରୀ ବ୍ୟାପିବ ଯାହା ଭୟାବହ ହେବ।
ପୃଥିବୀ ସହ ଗ୍ରହାଣୁପୁଞ୍ଜ ଧକ୍କା: ୨୦୨୫ରେ ଗୋଟାଏ ପ୍ରକାଣ୍ଡ ଗ୍ରହାଣୁପୁଞ୍ଜ ପୃଥିବୀ ସହ ଧକ୍କା ଖାଇପାରେ ବା ଅତି ନିକଟକୁ ଚାଲି ଆସିପାରେ। ଏହାଦ୍ବାରା ବିଶ୍ବରୁ ଜୀବସତ୍ତା ବିଲୁପ୍ତ ହୋଇପାରେ ବୋଲି ତାଙ୍କ ଭବିଷ୍ୟବାଣୀ କହୁଛି। କିନ୍ତୁ, ଗ୍ରହାଣୁପୁଞ୍ଜ ପୃଥିବୀର ନିକଟତର ହେବା କିଛି ନୂଆ କଥା ନୁହେଁ। ପ୍ରତିବର୍ଷ ଅନେକ ଗ୍ରହାଣୁପୁଞ୍ଜ ପୃଥିବୀ ନିକଟ ଦେଇ ନିରାପଦ ଦୂରତ୍ବରେ କ୍ଷିପ୍ର ବେଗରେ ଅତିକ୍ରମ କରିଯାଉଛନ୍ତି।