ନୂଆଦିଲ୍ଲୀ: ନିଜ ବିବାହକୁ ସ୍ବତନ୍ତ୍ର ଓ ସ୍ମରଣୀୟ କରିବାକୁ ଆଜିକାଲି ଲୋକ ବିଭିନ୍ନ ପ୍ରକାରର ପଥ ଆପଣାଉଛନ୍ତି। ଇଣ୍ଟରନେଟରେ ଆମେ ଅନେକ ବର ଓ କନ୍ୟାଙ୍କ ଫଟୋ, ଭିଡିଓ ଦେଖିଛେ। ସେଥିମଧ୍ୟରୁ କେତେକ ଏତେ ମଜାଦାର୍ ହୋଇଥାଏ ଯେ ଆମେ ନିଜର ହସ ରୋକି ପାରନ୍ତି ନାହିଁ। ବିବାହ ଋତୁ ଆସିବା ମାତ୍ରକେ ସୋସିଆଲ୍ ମିଡିଆରେ ମଜା ମଜା ଭିଡିଓ ସବୁ ଭାଇରାଲ୍ ହେବାକୁ ଲାଗେ।
ନିକଟରେ ଜଣେ ଫଟୋଗ୍ରାଫର୍ଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଫଟୋଗ୍ରାଫର୍ ଜଣକ ନିଜ ବିବାହରେ ବି ତାଙ୍କ ପେସାକୁ କିପରି ବଜାୟ ରଖିଛନ୍ତି ତାହା ନିଶ୍ଚିତ ଭାବେ ପ୍ରେରଣାଦାୟକ। ଅବଶ୍ୟ ଭିଡିଓଟିକୁ ଦେଖିଲେ ଆପଣ ଚକିତ ହେବେ, ହେଲେ ନିଜ ବୃତ୍ତିକୁ ସମ୍ମାନ କରୁଥିବା ଜଣେ ଯୁବକଙ୍କ ସକାରାତ୍ମକ ପକ୍ଷକୁ ଦେଖିଲେ ଆପଣ ପ୍ରେରିତ ହେବେ ନିଶ୍ଚୟ।
ଭାଇରାଲ୍ ହୋଇଥିବା ଭିଡିଓଟି ‘ୱେଡିଂ ଫଟୋଗ୍ରାଫର୍ ସ୍କେଲିନ୍’ ନାମକ ଇନ୍ଷ୍ଟା ପେଜ୍ରେ ଅପ୍ଲୋଡ୍ ହୋଇଛି। ଏଥିରେ କନ୍ୟାଙ୍କ ଫଟୋ ବର ନିିଜେ ଉଠାଉଥିବାର ଦେଖିବାକୁ ମିଳିଛି। ବର ଜଣକ ନିଜେ ଫଟୋଗ୍ରାଫର ହୋଇଥିବାରୁ ନିଜ କନ୍ୟାଙ୍କ ଫଟୋକୁ ତାଙ୍କ କ୍ୟାମେରାରେ କଏଦ କରିବାର ସୁଯୋଗ ଆଦୌ ବି ହାତଛଡ଼ା କରିନାହାନ୍ତି।
ସେଥିପାଇଁ ଯେତେବେଳେ ଫଟୋଗ୍ରାଫର ଆୟାନ୍ ସେନ୍ ପ୍ରିୟାଙ୍କୁ ବିବାହ କରିଥିଲେ, ସେତେବେଳେ ସେ ନିଜ ବିବାହର ଫଟୋସୁଟ୍ ନିଜେ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ଭାଇରାଲ୍ ଭିଡିଓଟି ପ୍ରାୟ ସମସ୍ତଙ୍କୁ ଖୁସି କରିଛି।
ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୩୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ହଜାର ହଜାର ପ୍ରତିକ୍ରିୟା ବି ମିଳିଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ନବଦମ୍ପତିଙ୍କୁ ଅଭିନନ୍ଦନ ବାର୍ତ୍ତା ଦେବାରେ ଲାଗିଛନ୍ତି।