ଏହି କାମ କରି ମାତ୍ର ୧୪ମାସରେ ବିଶ୍ବ ରେକର୍ଡ କଲେ ଯଶସ୍ବୀ, ବନିଲେ ଦେଶର ପ୍ରଥମ ଗୁଗଲ ବଏ

ଲକ୍ଷ୍ନୌ: ୧୪ମାସରେ ବିଶ୍ବ ରେକର୍ଡ କଲେ ଯଶସ୍ବୀ। ଜନ୍ମର ୨ବର୍ଷ ପର୍ଯ୍ୟନ୍ତ କିଛି ଶିଶୁ ଠିକ ଭାବରେ ଚାଲି ଶିଖିନଥିବା ସହ କଥା କହିପାରୁନଥିବା ବେଳେ ଉତ୍ତରପ୍ରଦେଶର ଯଶସ୍ବୀ ବିଶ୍ବ‌ ରେକର୍ଡ କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ୧୪ମାସରେ ସେ ଦେଶର ପ୍ରଥମ ଓ ବିଶ୍ବର ଦ୍ବିତୀୟ ସର୍ବକନିଷ୍ଠ ଗୁଗଲ ବଏ ବନି ପାରିଛନ୍ତି। ଯଶସ୍ବୀ ମାତ୍ର ତିନି ମିନିଟରେ ୨୬ଟି ଦେଶର ଜାତୀୟ ପତାକାକୁ ଚିହ୍ନି ଏହି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ୧୪ମାସ ବୟସରେ ଯଶସ୍ବୀ ଏହି କୀର୍ତ୍ତିମାନ କରି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାଁ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ଯଶସ୍ବୀ ୧୯୪ଟି ଦେଶର ଜାତୀୟ ପତାକାକୁ ଚିହ୍ନି ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ତାଙ୍କ ମାତାପିତା।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯଶସ୍ବୀ ଏପର୍ଯ୍ୟନ୍ତ କଥା କହିବା ମଧ୍ୟ ଶିଖି ନାହାଁନ୍ତି। କିନ୍ତୁ ଏତେ କମ ବୟସରେ ବିଶ୍ୱ ରେକର୍ଡ ସୃଷ୍ଟି କରି ଏବେ ଚର୍ଚ୍ଚା‌କୁ ଆସିପାରିଛନ୍ତି । ଯଶସ୍ବୀଙ୍କ ଜେଜେବାପା ଜଣେ ଶିକ୍ଷକ ଥିବାବେଳେ ପିତା ସଞ୍ଜୟ ମିଶ୍ରା ଜଣେ ଜନସମ୍ପର୍କ ଅଧିକାରୀ ଏବଂ ମାତା ଶିବାନୀ ମିଶ୍ରା ଜଣେ ଆଇନଜୀବୀ। ସଞ୍ଜୟ ଏବଂ ଶିବାନୀ ମିଶ୍ରାଙ୍କ ପୁଅ ମାତ୍ର ୧୪ମାସରେ ଅସମ୍ଭକୁ ସମ୍ଭବ କରି ଦେଖାଇଥିବାରୁ ଦୁହେଁ ଖୁସିଥିବା କହିଛନ୍ତି।

ଯଶସ୍ବୀଙ୍କ ପୂର୍ବରୁ ଗୁଗଲ୍ ବଏ ଭାବରେ ଜଣାଶୁଣା କୌଟିଲ୍ୟ ୪ ବର୍ଷ ବୟସରେ ବିଶ୍ୱ ରେକର୍ଡର ହାସଲ କରିଥିଲେ। କିନ୍ତୁ ଯଶସ୍ବୀ ମାତ୍ର ୧୪ମାସ ବୟସରେ ଏହି ସଫଳତା ହାସଲ କରିଛନ୍ତି। ଯଶସ୍ବୀଙ୍କ ବାପା ସଞ୍ଜୟ କହିଛନ୍ତି ଯେ, ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଟିମ୍ ଯଶସ୍ବୀଙ୍କୁ ୨୬ ଟି ଦେଶର ଜାତୀୟ ପତାକା ଚିହ୍ନିବାକୁ କହିଥିଲେ। ମାତ୍ର ୩ମିନିଟରେ ଯଶସ୍ବୀ ୨୬ଟି ଦେଶର ଜାତୀୟ ପତାକାକୁ ଚିହ୍ନିପାରିଥିଲେ।

ସମ୍ବନ୍ଧିତ ଖବର