ଗଲା ବର୍ଷ ଆଜି ତାରିଖରେ ‘ସମ୍ବାଦ’ର ପ୍ରଥମ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା। ପ୍ରଥମ ଶ୍ରାଦ୍ଧ ତିଥିରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ଏହି ସ୍ବତନ୍ତ୍ର ଉପସ୍ଥାପନା।
ସକାରାତ୍ମକ ମଣିଷ
ଦୈନିକ ଖବରକାଗଜ ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ତଥା ସକାରାତ୍ମକ ସାମାଜିକ ଦୃଷ୍ଟିଭଙ୍ଗୀ ରଖୁଥିବା ବିଜୟ କୁମାର ପଟ୍ଟନାୟକଙ୍କର ଦେହାବସାନର ଇତିମଧ୍ୟରେ ଗୋଟିଏ ବର୍ଷ ଅତିକ୍ରାନ୍ତ ହେଲାଣି। ବିଜୟ ବାବୁଙ୍କର ସାମାଜିକ ସମ୍ବେଦନଶୀଳତା ଓ ସବୁ ବର୍ଗର ଲୋକମାନଙ୍କ ସହ ମେଳାପି ଏବଂ ମିଷ୍ଟଭାଷୀ ବ୍ୟବହାର ପାଇଁ ସେ ଦୀର୍ଘ ଦିନ ଯାଏଁ ମନେ ରହିବେ।
ଧର୍ମେନ୍ଦ୍ର ପ୍ରଧାନ
ମନ୍ତ୍ରୀ, ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ, ଭାରତ ସରକାର
/sambad/media/post_attachments/wp-content/uploads/2019/09/Niranjan-Patnaik-india-com.jpg)
ସ୍ମରଣରେ ବିଜୟ
ଜୀବନର ଚଲାପଥରେ ଅନେକ ଲୋକ ମୋ ସଂସ୍ପର୍ଶରେ ଆସିଛନ୍ତି। ସମସ୍ତଙ୍କୁ ହୃଦୟରେ ସ୍ଥାନଦେଇ ହୁଏ ନାହିଁ। କିନ୍ତୁ ଏମିତି କେତେଜଣ ମୋ ସଂସ୍ପର୍ଶରେ ଆସିଛନ୍ତି ଯାହାଙ୍କୁ କେବେ ବି ଭୁଲି ହୁଏ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ସମ୍ବାଦ’ ଖବର କାଗଜର ପ୍ରକାଶକ ସ୍ବର୍ଗତ ବିଜୟ ପଟ୍ଟନାୟକ। ତାଙ୍କ ଭଳି ବନ୍ଧୁଙ୍କୁ ହରେଇ ମୁଁ ଅତ୍ୟନ୍ତ ମର୍ମାହତ। ‘ସମ୍ବାଦ’ ପ୍ରତିଷ୍ଠା ହେବା ଦିନରୁ ସେ ଜଡ଼ିତ ରହି ପ୍ରକାଶକ ଦାୟିତ୍ବ ନିଭାଇ ଆସୁଥିଲେ। ‘ସମ୍ବାଦ’କୁ ଓଡ଼ିଶାର ଏକ ନମ୍ବର ଖବରକାଗଜରେ ପରିଣତ କରିବାକୁ ଯେଉଁ ବନ୍ଧୁମାନେ ସୌମ୍ୟବାବୁଙ୍କୁ ସହେଯାଗ କରିଥିଲେ, ତା’ ଭିତରେ ବିଜୟବାବୁ ଅନ୍ୟତମ ବ୍ୟକ୍ତି। ‘ସମ୍ବାଦ’ର ଉଚ୍ଚ ପଦବିରେ ଥାଇ ସୁଦ୍ଧା ସରଳ ଜୀବନଯାପନ କରୁଥିବା ସ୍ବର୍ଗତ ବିଜୟବାବୁ ଜଣେ ପରୋପକାରୀ, ଦୟାଶୀଳ, କର୍ମଚାରୀ ବତ୍ସଳ, ଈଶ୍ୱରବିଶ୍ବାସୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବେଶ ଲୋକପ୍ରିୟ ହୋଇପାରିଥିଲେ। ‘ସମ୍ବାଦ’ ପରିସର ଭିତରେ ଯେଉଁ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଛି, ତାହା ବିଜୟବାବୁଙ୍କ ଅନ୍ୟତମ ଉଦ୍ୟମ। ତାଙ୍କ ସହ ମୋର ଦୀର୍ଘ ଚାଳିଶ ବର୍ଷର ପାରିବାରିକ ସମ୍ପର୍କ। ସେ ଜଣେ କର୍ମଠ ଓ ଦାୟିତ୍ବବାନ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସମ୍ବାଦ ପରିବାରକୁ ଏକ ଅପୂରଣୀୟ କ୍ଷତି ସହିବାକୁ ପଡ଼ିଛି। ବିଜୟବାବୁ ଏକ ସଫଳ ବ୍ୟକ୍ତିତ୍ବ। ତାଙ୍କ ପରିବାରର ଶୁଭକାମନା କରି ବିଜୟବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ନିରଞ୍ଜନ ପଟ୍ଟନାୟକ, ସଭାପତି, ଓଡିଶା ପ୍ରଦେଶ କଂଗ୍ରେସ କମିଟି
ପ୍ରକୃତ ବନ୍ଧୁ
ବିଜୟ ବାବୁ ଜଣେ ସଫଳ ବ୍ୟକ୍ତିତ୍ବ ଓ ଆଦର୍ଶ ମାର୍ଗଦର୍ଶକ ଥିଲେ। ତାଙ୍କୁ ହରାଇବାର ବର୍ଷଟିଏ ହୋଇଗଲା। ତାଙ୍କର କର୍ତ୍ତବ୍ୟପରାୟଣତା ନିସ୍ୱାର୍ଥପରତା ଓ ସରଳତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ। ତାଙ୍କ ପରିଶ୍ରମ ନିଷ୍ଠା ଓ ତ୍ୟାଗ ଯୋଗୁଁ ‘ସମ୍ବାଦ’ ସାମ୍ବାଦିକତା କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି। ସେ ଦରିଦ୍ର ଜନତାଙ୍କ ପ୍ରକୃତ ବନ୍ଧୁ ପାଲଟି ଥିଲେ। ମୋର ସ୍ୱାମୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଓ ଜ୍ବାଇଁ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କର ସେ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସଂକୀର୍ଣ୍ଣତା ତାଙ୍କୁ ଛୁଇଁ ପାରି ନ ଥିଲା। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।
ଜୟନ୍ତୀ ପଟ୍ଟନାୟକ, ପୂର୍ବତନ ସାଂସଦ
‘ସମ୍ବାଦ’ ପରିବାରର ପ୍ରଥମ ସହଯୋଗୀ ସଦସ୍ୟ
ବିଜୟ ବାବୁଙ୍କର ପୁଣ୍ୟତିଥିରେ ଯେଉଁ କଥାଟି ମନକୁ ଆସୁଛି ତାହା ହେଲା ମଣିଷର ଭାଗ୍ୟର କଥା। ମୁଁ ଭାଗ୍ୟରେ ବିଶ୍ବାସ କରେ। କିନ୍ତୁ ଭାଗ୍ୟ କହିଲେ ମୁଁ ଯାହା ବୁଝେ ତାହା ଅନ୍ୟମାନଙ୍କଠାରୁ ଟିକିଏ ଭିନ୍ନ। ମୋ ବିଚାରରେ ଜଣେ ସଫଳ ମଣିଷର ଭାଗ୍ୟ ହେଲା ତାହାର ସହଯୋଗୀମାନେ। ଭାଗ୍ୟରେ ଥିଲେ ଉତ୍ତମ ସହଯୋଗୀ ମିଳନ୍ତି। ବିଜୟ ବାବୁ ଆମ ‘ସମ୍ବାଦ’ ପରିବାରର ପ୍ରଥମ ସହଯୋଗୀ ସଦସ୍ୟ ଥିଲେ ଏବଂ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ‘ସମ୍ବାଦ’ର ସେବାରେ ନିଜକୁ ସମର୍ପିତ କରିଥିଲେ। ‘ସମ୍ବାଦ’ର ସଫଳତା ପଛରେ ଥିବା ତାଙ୍କର ଅବଦାନକୁ ଆଜି ମୁଁ ସ୍ମରଣ କରୁଛି। ଦୀର୍ଘଦିନର ସଂପର୍କରେ ସେ ମୋର ପରିବାରର ଅଭିନ୍ନ ଅଂଶ ହୋଇ ଯାଇଥିଲେ। ତାଙ୍କର ଅବର୍ତ୍ତମାନ ଓ ଅନୁପସ୍ଥିତିକୁ ଆମେ କେହି ସହଜରେ ଗ୍ରହଣ କରିପାରୁନାହୁଁ। ସେ ହନୁମାନଙ୍କର ଜଣେ ଅନନ୍ୟ ଭକ୍ତ ଥିଲେ। ‘ସମ୍ବାଦ’ ପରିସରରେ ହନୁମାନ ମନ୍ଦିର ନିର୍ମାଣ ଓ ପରିଚାଳନାରେ ତାଙ୍କର ଭୂମିକା ଏହାର ଜ୍ୱଳନ୍ତ ପ୍ରମାଣ। ତାଙ୍କ ପରି ଜଣେ ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସିବା ତଥା ସହଯୋଗୀଭାବେ ପାଇବାର ସୁଯୋଗ ଦେଇଥିବାରୁ ମୁଁ ଆଜି ଈଶ୍ବରଙ୍କ ନିକଟରେ କୃତଜ୍ଞତା ଜଣାଉଛି।
ସୌମ୍ୟରଂଜନ ପଟ୍ଟନାୟକ, ସମ୍ପାଦକ, ସମ୍ବାଦ