ଗ୍ରାମବାସୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପରିଚାଳିତ ରାଜସ୍ଥାନର ରଶିଦପୁରା ରେଳଷ୍ଟେସନ୍
ରଶିଦପୁରା ଖୋରି (ସିକର): ଦୁଇ ବର୍ଷର ବିରତି ପରେ ପୁଣି ଥରେ ଭାରତର ଅନ୍ୟତମ ଅଭିନବ ରେଳଷ୍ଟେସନ ରାଜସ୍ଥାନର ରଶିଦପୁରା ଖୋରିକୁ ପୁଣି ରେଳ ଚଳାଚଳ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମଗ୍ର ଦେଶରେ ପଡ଼ିଥିବା ପ୍ରାୟ ୧୨୦, ୦୦୦ କିଲୋମିଟର୍ ରେଳପଥରେ ସିକର ଜିଲ୍ଲାସ୍ଥିତ ଏହି ଷ୍ଟେସନ୍ଟି ଶହ ଶହ ଅନ୍ୟ ଷ୍ଟେସନ ପରି ଗୁରୁତ୍ୱହୀନ। କିନ୍ତୁ, ଏହାକୁ ରେଳବାଇ କର୍ମଚାରୀଙ୍କ ପରିବର୍ତ୍ତେ ପରିଚାଳନା କରନ୍ତି ଗ୍ରାମବାସୀ।
ଭାରତରେ କମ୍ ସଂଖ୍ୟକ ରେଳ ଚଳାଚଳ କରୁଥିବା ଏମିତ ଅନେକ ଷ୍ଟେସନ ଅଛି। ସେ ସବୁରେ ରେଳବାଇ କୌଣସି କର୍ମଚାରୀ ନିଯୁକ୍ତ ନ କରି ଟିକିଟ୍ ବିକ୍ରୟ କରିବା ଦାୟିତ୍ୱ ବ୍ୟକ୍ତିବିଶେଷଙ୍କୁ ଦେଇଥାଏ। କିନ୍ତୁ, ଉତ୍ତର ପଶ୍ଚିମ ରେଳବାଇ ଜୋନ୍ର ରଶିଦପୁରା ଖୋରି ସବୁଠୁ ଭିନ୍ନ। କାରଣ ଏହା ଲୋକମାନଙ୍କର ଏବଂ ଲୋକମାନଙ୍କ ନିମେନ୍ତ ନୀତିରେ ବିଶ୍ୱାସ ରଖେ।
ଉତ୍ତର ପଶ୍ଚିମ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ତରୁଣ ଜୈନ କହନ୍ତି: ଲୋକେ ଚଳାଉଥିବା ଷ୍ଟେସନ ଅନ୍ୟତ୍ର କେଉଁଠି ଥିବା ମୁଁ ଜାଣି ନାହିଁ।
ଏହାର ସ୍ୱତନ୍ତ୍ରତା ବିଷୟରେ ଦିଲ୍ଲୀର ଶୀର୍ଷସ୍ତରୀୟ ଅଧିକାରୀମାନେ କୌଣସି ରେକର୍ଡ ରଖି ନ ଥିଲେ ବି କହନ୍ତି, ରଶିଦପୁରା ଖୋରି ପରି ଅନ୍ୟ କୌଣସି ଷ୍ଟେସନ ନାହିଁ।
ଡିସେମ୍ବର ୯ ତାରିଖରେ ଜୟପୁରର ଉତ୍ତର ଦିଗରୁ ୧୨୫ କିଲୋମିଟର ଦୂର ରଶିଦପୁରା ଖୋରିକୁ ଗୋଟିଏ ପାସେଞ୍ଜର ଟ୍ରେନ୍ ଚାଲିଲା। ବ୍ରୋଡ୍ଗେଜ୍ ଟ୍ରାକ୍ କାମ ହେବା ପାଇଁ ନଭେମ୍ବର ୨୦୧୫ରେ ସେଠାକୁ ରେଳ ଚଳାଚଳ ବନ୍ଦ କରାଯାଇଥିଲା।
ପ୍ରାୟ ୯୦ ବର୍ଷ ପୁରୁଣା ଏହି ଷ୍ଟେସନର ଇତିହାସ ବଡ଼ ଉତ୍ଥାନ ପତନ ଦେଇ ଗତି କରିଛି। ୧୯୨୯ ମସିହାର ଏହି ବ୍ରିଟିସ୍ ଅମଳ ଷ୍ଟେସନକୁ ମେ ୨୦୦୫ରେ ରେଳ ଚଳାଚଳ ବନ୍ଦ କରି ଦେଇଥିଲା ରେଳବାଇ। ବ୍ରିଟିସ୍ ଅମଳରେ ଏହା ଥିବା ଜୟପୁର ରାଜ୍ୟର ଅଂଶବିଶେଷ।
ବ୍ୟାବସାୟିକ ସଫଳତା ମିଳୁ ନ ଥିବାରୁ ରେଳବାଇ ସେଠାକୁ ଗାଡ଼ି ଚଳାଚଳ ବନ୍ଦ କରିଥିବା କଥା ଦର୍ଶାଇ ଥିଲା।
ଏହାର କାରଣ ଥିଲା ଖୁବ୍ କମ୍ ସଂଖ୍ୟକ ଯାତ୍ରୀଙ୍କ ଯାତାୟାତ। ଏ କଥା କହନ୍ତି ଶିକର ରେଳ ସଲାହକାର ସମିତିର ସଦସ୍ୟ ଜଗଦୀଶ ବୁରଦାକ୍।
ରେଳ ଚଳାଚଳ ବନ୍ଦ ହେବା ପୂର୍ବରୁ ଜୟପୁର- ଚୁରୁ ଓ ସିକର-ଚୁରୁ ଦେଇ ଯାତାୟାତ କରୁଥିବା ୫ଟି ରେଳଗାଡ଼ି ଏହି ଷ୍ଟେସନ୍ରେ ଅଟକୁ ଥିଲା।
ଏହି ଷ୍ଟେସନ୍ ଉପରେ ନିର୍ଭର କରୁଥିବା ପାଲଥାନା, ରଶିଦପୁରା ଏବଂ ଖୋରି ଆଦି ତିନୋଟି ଗ୍ରାମର ପ୍ରାୟ ୨୫ ଜହାର ବାସିନ୍ଦା ନିରାଶ ହୋଇ ଯାଇଥିଲେ ସୁଦ୍ଧା କୌଣସି ଉପାୟରେ ରେଳ ଚଳାଚଳ କରାଇବାକୁ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରି ଆସୁଥିଲେ।
ଶେଷରେ ସର୍ତ୍ତ ରଖି ରେଳବାଇ ରାଜି ହୋଇଥିଲା। ଯଦି ଗ୍ରାମବାସୀମାନେ ଯଥେଷ୍ଟ ଆୟ ଦେଇ ପାରିବେ ତେବେ ଯାଇ ରଶିଦପୁରା ଖୋରି ଷ୍ଟେସନ କାର୍ଯ୍ୟକାରୀ ହେବ।
ଏକ ସରକାରୀ ସ୍କୁଲର ପ୍ରିନ୍ସିପାଲ୍ ତଥା ପାଲଥାନା ଗ୍ରାମବାସୀ ପ୍ରତାପ ସିଂହ ବୁର୍ଦାକ୍ କହନ୍ତି: ଏଇ ଯଥେଷ୍ଟ ଆୟ ହେଲା ମାସିକ ୪୦ ହଜାର ଟଙ୍କା।
ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୨୫୦୦୦ ଗ୍ରାମବାସୀ ଷ୍ଟେସନ ଚଳାଇବେ ବୋଲି ଆମେ ରେଳବାଇକୁ ମେମୋରାଣ୍ଡମ୍ ଦେଇଥିଲୁ। ଜାନୁଆରି ୨୦୦୯ରୁ ଗୋଟିଏ ଟ୍ରେନ୍ ସେଠାରେ ତିନି ମାସ ପାଇଁ ଅସ୍ଥାୟୀ ଭାବେ ଅଟକିବ ବୋଲି ଅଧିକାରୀମାନେ ରାଜି ହୋଇଥିଲେ।
ଗ୍ରାମବାସୀମାନେ ଏଥିରେ ରାଜି ହୋଇଥିଲେ। ତା’ପରେ ସେମାନେ ଏକ କମିଟି କରି ଲୋକଙ୍କୁ ଟ୍ରେନ୍ ବ୍ୟବହାର କରିବାକୁ ପ୍ରବର୍ତ୍ତାଇ ଥିଲେ।
ଆମେ ଗ୍ରାମବାସୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଆଦାୟ କରି ଟ୍ରେନ୍ର ସମୟ ନିର୍ଘଣ୍ଟ ପ୍ରଚାର କରାଇଥିଲୁ। ଦୁଆର ଦୁଆର ବୁଲି ପ୍ରଚାର କରିବା ଲାଗି ଗୋଟିଏ ଗାଡ଼ି ଲଗା ଯାଇ ମାସିକ ଲକ୍ଷ୍ୟ ହାସଲ କରିବା ପାଇଁ ଲୋକଙ୍କ ସହଯୋଗ ମଗାଯାଇ ଥିଲା। ଲୋକେ ବଡ଼ ଉତ୍ସାହର ସହ ସହଯୋଗ କରିଥିଲେ ବୋଲି ସିଂହ କହନ୍ତି। ଲୋକେ ଏଡ଼େ ଉତ୍ସାହିତ ହୋଇ ପଡ଼ିଲେ ଯେ ଲକ୍ଷ୍ୟ ପୂରଣ ପାଇଁ ଜଣକା ଏକାଧିକ ଟିକିଟ ଖରିଦ କଲେ। ବିନା ଟିକିଟ୍ରେ ଯେମିତି କେହି ଯାତ୍ରା ନ କରନ୍ତି ସେଥି ପ୍ରତି ଦୃଷ୍ଟି ଦେଲେ।
ଗ୍ରାମବାସୀମାନେ ଦାୟିତ୍ୱ ଗ୍ରହଣ କରିବାରୁ ଏହି ଅସ୍ଥାୟୀ ବ୍ୟବସ୍ଥା ଲକ୍ଷ୍ୟ ହାସଲ ଠୁ ବଳି ପଡ଼ିଥିଲାରୁ ଷ୍ଟେସନ୍ ପରିଚାଳନା ଦାୟିତ୍ୱ ଗ୍ରହଣ କଲେ ଗ୍ରାମବାସୀ।
ଜଣେ ଗ୍ରାମବାସୀଙ୍କୁ ଟିକିଟ୍ ବିକ୍ରୟ ଦାୟିତ୍ୱ ଦିଆଯାଇଥାଏ। ବାକି ଗ୍ରାମବାସୀ ଷ୍ଟେସନ୍ ପରିଚାଳନା ପାଇଁ ଅଣ୍ଟା ଭିଡ଼ି ଥାଆନ୍ତି। ସମୟ କ୍ରମେ ରଶିଦପୁରା ଖୋରି ଷ୍ଟେସନ୍ରେ ଆଉ ୪ଟି ଟ୍ରେନ୍ ଅଟକିଲେ।
ବ୍ରୋଡ୍ ଗେଜ୍ କାମ ଆରମ୍ଭ ହେବାରୁ ପୁଣି ସେଠାକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇ ଯାଇଥିଲା। ସେତେବେଳକୁ ଗ୍ରାମବାସୀମାନେ ସାତ ବର୍ଷରୁ ଅଧିକ କାଳ ଷ୍ଟେସନ୍ଟିକୁ ଚଳାଇ ରଖିଥିଲେ।
ଏ ମାସର ପ୍ରାରମ୍ଭରେ ପୁନଃ ରେଳ ଚଳାଚଳ ଆରମ୍ଭ ହେବା ପରେ ପାଳଥାନା ଗାଁ’ର ମହେନ୍ଦ୍ର କୁମାରଙ୍କୁ ଟିକିଟ୍ ବିକ୍ରୟ ଦିଆ ଯାଇଛି। ଟିକିଟ୍ ବିକ୍ରୟ କରୁଥିବା କୁମାର ଏକ ସ୍ଥାନୀୟ ଘରୋଇ ସ୍କୁଲ୍ର ଶିକ୍ଷକତା କରନ୍ତି। ସେ ଗୋଟିଏ ଗଛମୂଳେ ବସି ଛୋଟ କାଠ ବାକ୍ସରେ ଟିକିଟି ରଖି ବିକ୍ରୟ କରନ୍ତି।
ସେ ସିକର ଷ୍ଟେସନ୍ରୁ ଟିକିଟ୍ ଖରିଦ କରନ୍ତି ଏବଂ ବିକ୍ରି ଉପରେ ୧୫% କମିସନ୍ ପାଆନ୍ତି।
ରଶିଦପୁରା ଖୋରି କିଂବା ସିକର ଠାରୁ ନିକଟବର୍ତ୍ତୀ ଷ୍ଟେସନ୍ ଲକ୍ଷ୍ମଣଗଡ଼କୁ ଟିକିଟ୍ର ମୂଲ୍ୟ ୧୦ ଟଙ୍କା ଏବଂ ଚୁରୁକୁ ଟିକିଟ୍ର ମୂଲ୍ୟ ୨୦ ଟଙ୍କା। ସେହି ସବୁ ସ୍ଥାନକୁ ବସ୍ରେ ଗଲେ ତିନିଗୁଣା ଭଡ଼ା ପଡ଼ନ୍ତା।
ଟ୍ରେନ୍ ନ ଥିବା ଯୋଗୁଁ ସରକାରୀ କର୍ମଚାରୀ, ସେନା କର୍ମଚାରୀ, ଛାତ୍ରଛାତ୍ରୀ, କୃଷକ, ଦୁଗ୍ଧବିକ୍ରେତା ଏବଂ ଅନ୍ୟାନ୍ୟ ଅନେକ ଲୋକ ବହୁ ସମସ୍ୟାରେ ସମ୍ମୁଖୀନ ହୋଇ ବସ୍ ଉପରେ ନିର୍ଭର କରନ୍ତି ବୋଲି କହନ୍ତି ପ୍ରିନ୍ସିପାଲ୍ ସିଂହ।
ସିକର ଠାରେ ଏକ ପିଆଜ ବଜାର ବସାଇବା ପାଇଁ ପ୍ରସ୍ତାବ ଦିଆ ଯାଇଛି। ଯଦି ସେଠାରେ ଯାତ୍ରୀ ଏବଂ ବ୍ୟାବସାୟିକ କାର୍ଯ୍ୟକଳାପ ବଢ଼େ ଅଧିକ ସଂଖ୍ୟକ ଟ୍ରେନ୍ ସେଠାରେ ଅଟକିବ।