ନଭେମ୍ବର ୧୦ ତାରିଖ ଦିନ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଘଟିଥିବା କାର୍‌ ବିସ୍ଫୋରଣ ଘଟଣାରେ ଡାକ୍ତରମାନଙ୍କ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଛି। ଏହି ଡାକ୍ତରମାନେ ‘ଜୈସ୍‌-ଏ-ମହମ୍ମଦ୍‌’ ଓ ‘ଅନ୍‌ସାର୍‌ ଗଜୱତ୍‌-ଉଲ୍‌-ହିନ୍ଦ୍‌’ ଆତଙ୍କବାଦୀ ସଙ୍ଗଠନ ସହିତ ସଂପୃକ୍ତ ଥିବା ଜଣାଯାଇଛି। କେବଳ ଏତିକି ନୁହେଁ, ପୂର୍ବରୁ ଅନେକ ଡାକ୍ତର ଆତଙ୍କବାଦୀ ସଂଗଠନର ନେତୃତ୍ବ ନେଇଛନ୍ତି। ଯେମିତିକି ଓସାମା ବିନ୍‌ ଲାଡେନ୍‌ଙ୍କ ଉପମୁଖ୍ୟ ଅୟମାନ୍‌ ଅଲ୍‌-ଜବାହିରୀ, ‘ପପୁଲାର୍‌ ଫ୍ରଣ୍ଟ୍‌ ଫର୍‌ ଦି ଲିବରେସନ୍‌ ଫର୍‌ ପାଲେଷ୍ଟାଇନ୍‌’ର ସଂସ୍ଥାପକ ଜର୍ଜ ହବାସ୍‌ ଓ ‘ପାଲେଷ୍ଟିନିୟାନ୍‌ ଇସ୍‌ଲାମିକ୍‌ ଜିହାଦ୍‌’ର ସଂସ୍ଥାପକ ଫତି ଶିକାକି- ଏମାନେ ସମସ୍ତେ ବୃତ୍ତିରେ ଡାକ୍ତର। ମଣିଷକୁ ଜୀବନଦାନ କରୁଥିବା ଡାକ୍ତର, ଯାହାଙ୍କୁ ଆମେ ଦ୍ବିତୀୟ ଈଶ୍ବର କହୁ ସେମାନେ ପୁଣି ମୃତ୍ୟୁଦୂତ ସାଜନ୍ତି କାହିଁକି? ଏଥର ପ୍ରଚ୍ଛଦ ପ୍ରସଙ୍ଗରେ ଏମିତି କିଛି ସୈତାନ ଡାକ୍ତରଙ୍କ କାହାଣୀ...  

Advertisment

ଜୀବନ ମରଣ ସନ୍ଧିକ୍ଷଣରେ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଡାକ୍ତରୀ ଭଳି ମହତ୍‌ ବୃତ୍ତିଧାରୀଙ୍କୁ ସମଗ୍ର ବିଶ୍ବରେ ଦ୍ବିତୀୟ ଈଶ୍ବର ରୂପେ ବିବେଚନା କରାଯାଏ। ଡାକ୍ତରଙ୍କ ଚିକିତ୍ସା କାରଣରୁ ଅଧିକାଂଶ ରୋଗୀ ମୃତ୍ୟୁମୁଖରୁ ବାହୁଡ଼ି ଆସନ୍ତି। ପ୍ରକାରାନ୍ତରେ ବା ସ୍ଥୂଳଦୃଷ୍ଟିରେ ଦେଖିଲେ ଜୀବନ ଦେବା ଓ ନେବା କ୍ଷମତା ଡାକ୍ତରଙ୍କ ହାତରେ ଥାଏ। କିନ୍ତୁ, କୌଣସି ଡାକ୍ତର କେବେ କାହା ଜୀବନ ନେବାକୁ ଚାହାନ୍ତିନାହିଁ, ବରଂ ପାରୁପର୍ଯ୍ୟନ୍ତ ଉଦ୍ୟମ କରି ଜୀବନ ବଞ୍ଚାଇଥାଆନ୍ତି। ମାତ୍ର ବେଳେବେଳେ କେତେକ ଏଭଳି ଅକଳ୍ପନୀୟ କାଣ୍ଡ ଭିଆଇଥାଆନ୍ତି ଯେ ସେମାନଙ୍କୁ ମୃତ୍ୟୁଦେବତା ଭାବେ ଅଭିହିତ କରିବାକୁ ସମାଜ ପଛାଏ ନାହିଁ। 

ଲଣ୍ଡନ୍‌ ଓ ଗ୍ଲାସ୍‌ଗୋ ବିସ୍ଫୋରଣ ପଛରେ ଡାକ୍ତର
ଦ୍ବିତୀୟ ଈଶ୍ବର ବୋଲାଉଥିବା ଡାକ୍ତରମାନଙ୍କ ମନରେ ଦ୍ୱେଷ ଓ ଆଧ୍ୟାତ୍ମିକ ଅହଙ୍କାର ସମ୍ମିଳିତ ହେଲେ ସେମାନେ ବି ଅପକର୍ମ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଡାକ୍ତରମାନେ ବି ପାଲଟି ଯାଇପାରନ୍ତି ମୃତ୍ୟୁର ସୌଦାଗର। ଉଦାହରଣସ୍ବରୂପ ୨୦୦୭ ଜୁନ୍ ୨୯‌େର ଲଣ୍ଡନ୍‌ରେ ଏବଂ ଜୁନ୍‌ ୩୦ ତାରିଖରେ ଗ୍ଲାସ୍‌ଗୋ ବିମାନ ବନ୍ଦରରେ ହୋଇଥିବା କାର୍‌-ବୋମା ବିସ୍ଫୋରଣକୁ ନିଆଯାଇପାରେ। ଏହି ଘଟଣାରେ ସଂଶ୍ଳିଷ୍ଟ ୮ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୭ଜଣ ଥିଲେ ଡାକ୍ତର। ଆତଙ୍କବାଦୀ କାର୍ଯ୍ୟକଳାପରେ ଡାକ୍ତରମାନେ ସଂଶ୍ଳିଷ୍ଟ ହେବା ଘଟଣା ସମଗ୍ର ବିଶ୍ବକୁ ଆଚମ୍ବିତ କରିଦେଇଥିଲା। ଗ୍ଲାସ୍‌ଗୋ ନିକଟସ୍ଥ ରୟାଲ୍‌ ଆଲେକ୍‌ଜେଣ୍ଡ୍ରା ହସ୍ପିଟାଲ୍‌ରେ କାର୍ଯ୍ୟରତ ଇରାନୀୟ ନାଗରିକ ବିଲାଲ୍‌ ଅବଦ୍ଦୁଲା ଗିରଫ ହୋଇଥିଲେ। ଗ୍ଲାସ୍‌ଗୋ ଏୟାର୍‌ପୋର୍ଟରେ ଗ୍ୟାସ୍‌ ସିଲିଣ୍ଡର ଭର୍ତ୍ତି ଏକ ଜିପ୍‌କୁ ଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ବ୍ରିଟିସ୍‌ ପୁଲିସ୍‌ ତାଙ୍କୁ ଧରିଥିଲା। ଏହି ମାମଲାରେ ରୟାଲ୍‌ ସ୍ରିଉସ୍‌ବରି ହସ୍ପିଟାଲ୍‌ରେ କାର୍ଯ୍ୟରତ ଜୋର୍ଡାନ୍ ଜନ୍ମିତ ୨୬ ବର୍ଷୀୟ ଡାକ୍ତର ମହମ୍ମଦ ଅଶା ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତି ସନ୍ଦେହରେ ଅଷ୍ଟ୍ରେଲିଆ ପୁଲିସ୍‌ ବ୍ରିସ୍‌ବେନ୍‌ ଏୟାର୍‌ପୋର୍ଟରେ ୨୭ ବର୍ଷୀୟ ଡାକ୍ତର ମହମ୍ମଦ ହନୀଫ୍‌ଙ୍କୁ ଅଟକ ରଖିଥିଲା। ସେ ଭାରତ ଆସିବା ଲାଗି ବିମାନକୁ ଅପେକ୍ଷା କରିଥିବାବେଳେ ତାଙ୍କୁ ଧରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୦୬ରୁ ଅଷ୍ଟ୍ରେଲିଆର ପୂର୍ବ କୁଇନ୍‌ସ୍‌ଲାଣ୍ଡ୍‌ର ଗୋଲ୍ଡକୋଷ୍ଟ ହସ୍ପିଟାଲ୍‌ରେ କାର୍ଯ୍ୟ କରିବା ପୂର୍ବରୁ ସେ ଇଂଲଣ୍ଡର ଲିଭରପୁଲ୍‌ରେ ଥିଲେ। ଯଦିଓ ପରବର୍ତ୍ତୀ ସମୟରେ ପ୍ରମାଣ ଅଭାବ ହେତୁ ଡାକ୍ତରଙ୍କ ଭିତରୁ ଅନେକ ଦଣ୍ଡିତ ହୋଇ ନଥିଲେ, କିନ୍ତୁ ଇସ୍‌ଲାମୀୟ ଆତଙ୍କବାଦ ସହ ସେମାନେ ଜଡ଼ିତ ବୋଲି ସ୍ପଷ୍ଟ ହୋଇଥିଲା। ଧର୍ମର ଦ୍ବାହି ଦେଇ ଆତଙ୍କବାଦୀମାନେ ନରସଂହାର କରୁଥିବା କଥା ସର୍ବଜନବିଦିତ, କିନ୍ତୁ ଡାକ୍ତରମାନେ ଯେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପରେ ସାମିଲ୍‌ ହୋଇଯିବେ ଏ କଥା ସହଜେ ବିଶ୍ବାସ କରିହୁଏ ନାହିଁ। ସୁତରାଂ ଧର୍ମାନ୍ଧତା ସେମାନଙ୍କୁ ଦୁ‌ଷ୍ଟମତି କରାଇ ଆରୋଗ୍ୟକାରୀରୁ ହତ୍ୟାକାରୀ ହେବାକୁ ପ୍ରେରିତ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଟୋକିଓ ମେଟ୍ରୋ ଗ୍ୟାସ୍‌କାଣ୍ଡର ମୁଖ୍ୟ ଖଳନାୟକ ଡାକ୍ତର 
ଧର୍ମ ଆଧାରିତ ଆତଙ୍କବାଦରେ ଡାକ୍ତରମାନେ ଆତତାୟୀ ହେବା ନୂଆ କଥା ନୁହେଁ। ନାଜୀମାନେ ନରସଂହାର ଷଡ୍‌ଯନ୍ତ୍ରରେ ଡାକ୍ତରମାନଙ୍କୁ ନିୟୋଜିତ କରିବା ଉଦାହରଣ ମଧ୍ୟ ରହିଛି। ଧର୍ମବିଶ୍ବାସ ଅଥବା ଆଚରଣଗତ ପରିବର୍ତ୍ତନ ତାଲିମ କେନ୍ଦ୍ରରେ ସୋଭିଏତ୍‌ ସଂଘର ଡାକ୍ତରମାନେ ଏ ବାବଦରେ ଅବଗତ ଥିଲେ। ୧୯୯୫ ମସିହା ମାର୍ଚ୍ଚ ୨୦ ତାରିଖରେ ଜାପାନ୍‌ର ଟୋକିଓ ସବ୍‌ୱେରେ ମେଟ୍ରୋ ଟ୍ରେନ୍‌ରେ ବିଷାକ୍ତ ସାରିନ୍‌ ଗ୍ୟାସ୍‌ ଛାଡ଼ିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଜଣେ ବରିଷ୍ଠ ଡାକ୍ତର ଇକୋଓ ହାୟାସୀ। ଏହି ଘଟଣାରେ ୨୩୧ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି କାଣ୍ଡ ଭିଆଇବା ପରେ ପୁଲିସ୍‌ ନିକଟରେ ହୃଦ୍‌ରୋଗ ବିଶେଷଜ୍ଞ ହାୟାସୀ ଆତ୍ମସମର୍ପଣ କରିଥିଲେ ଏବଂ ଧାର୍ମିକ ଗୋଷ୍ଠୀ ଅମ୍‌ ଶିନ୍‌ରିକ୍ୟୋ ଦ୍ବାରା ଅନୁପ୍ରାଣିତ ହୋଇ ଏପରି କାର୍ଯ୍ୟ କରିଥିବା ସ୍ବୀକାର କରିଥିଲେ। ୧୯୯୮ରେ ଡା. ହାୟାସୀଙ୍କୁ ଆଜୀବନ କାରାଦଣ୍ଡ‌େର ଦଣ୍ଡିତ କରାଯାଇଥିଲା। ‘କାନାଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ଜର୍ଣ୍ଣାଲ୍‌’ରେ ଡ.ରବର୍ଟ ସିବ୍‌ଲିଙ୍କ ଲିଖିତ ପ୍ରବନ୍ଧ ଏ ସଂପର୍କରେ ଅନେକ ତଥ୍ୟ ଉପସ୍ଥାପନ କରେ। 

ଅନେକେ ମନେକରନ୍ତି ଆତଙ୍କବାଦର ଅସଲ କାରଣ ଦାରିଦ୍ର୍ୟ ଓ ଦୌରାତ୍ମ୍ୟ। କିନ୍ତୁ, ଏହା ଏକ ଭ୍ରାନ୍ତଧାରଣା। ଅନେକ ଶୀର୍ଷ ଆତଙ୍କବାଦୀ ସୁଶିକ୍ଷିତ ତଥା ସ୍ବଚ୍ଛଳ ପରିବାରର ଦାୟଦ। ଅଲ୍‌-କାଏଦା ନେତା ଓସାମା ବିନ୍‌ ଲାଡେନ୍‌ ଜଣେ ସାଉଦୀ କୋଟିପତିଙ୍କ ପୁତ୍ର ଏବଂ ସେ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ଅଧ୍ୟୟନ କରିଥିଲେ। ଏହି ମର୍ମରେ ଗବେଷକ ୱାଲ୍‌ଟର୍‌ ଲାକର୍‌ ତାଙ୍କର ‘ନୋ ଏଣ୍ଡ୍‌ ଟୁ ୱାର୍‌’ ବା ‘ଅସରନ୍ତି ସମର’ ପୁସ୍ତକରେ ଲେଖିଛନ୍ତି ଯେ ଅନେକ ଡାକ୍ତର ଆତଙ୍କବାଦୀ ସଂଗଠନର ନେତୃତ୍ବ ନେଉଛନ୍ତି। ଓସାମା ବିନ୍‌ ଲାଡେନ୍‌ଙ୍କ ଉପମୁଖ୍ୟ ଅୟମାନ୍‌ ଅଲ୍‌-ଜବାହିରୀ, ‘ପପୁଲାର୍‌ ଫ୍ରଣ୍ଟ୍‌ ଫର୍‌ ଦି ଲିବରେସନ୍‌ ଫର୍‌ ପାଲେଷ୍ଟାଇନ୍‌’ର ସଂସ୍ଥାପକ ଜର୍ଜ ହବାସ୍‌ ଓ ‘ପାଲେଷ୍ଟିନିୟାନ୍‌ ଇସ୍‌ଲାମିକ୍‌ ଜିହାଦ୍‌’ର ସଂସ୍ଥାପକ ଫତି ଶିକାକି- ଏମାନେ ସମସ୍ତେ ବୃତ୍ତିରେ ଡାକ୍ତର।

ଦିଲ୍ଲୀ‌ ବିସ୍ଫୋରଣ ଷଡ୍‌ଯନ୍ତ୍ରରେ ଡାକ୍ତର 
ନଭେମ୍ବର ୧୦ ତାରିଖ ଦିନ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଘଟିଥିବା କାର୍‌ ବିସ୍ଫୋରଣ ଘଟଣାରେ ମଧ୍ୟ ‘ଜୈସ୍‌-ଏ-ମହମ୍ମଦ୍‌’ ଓ ‘ଅନ୍‌ସାର୍‌ ଗଜୱତ୍‌-ଉଲ୍‌-ହିନ୍ଦ୍‌’ ଆତଙ୍କବାଦୀ ସଙ୍ଗଠନ ସହିତ ଡାକ୍ତରମାନଙ୍କ ସଂପୃକ୍ତି ଫଳରେ ଏହି ବିଷୟ ପୁଣି ଚର୍ଚ୍ଚାକୁ ଫେରିଛି। ଅନ୍ୟୂନ ୧୨ଜଣ ନିହତ ଏବଂ ବହୁ ଆହତ ହୋଇଥିବା ଏ ବିସ୍ଫୋରଣ ଘଟଣାରେ ମିଳିତ ତଦନ୍ତ କରୁଥିବା ଜମ୍ମୁକାଶ୍ମୀର, ହରିୟାଣା, ଉତ୍ତରପ୍ରଦେଶ ପୁଲିସ ଓ କେନ୍ଦ୍ରୀୟ ଏଜେନ୍‌ସିମାନେ ୭ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଫରିଦାବାଦ୍‌ସ୍ଥିତ ଅଲ୍‌ ଫଲାହ୍‌ ବିଶ୍ବବିଦ୍ୟାଳୟ ଓ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଥିବା ଡାକ୍ତର। ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣ ଘଟଣାରେ ୬ଜଣ ଡାକ୍ତର ସଂପୃକ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ମୁଜାମ୍ମିଲ୍‌ ଗନି, ଡାକ୍ତର ଆଦିଲ୍‌ ଅହମଦ୍‌ ରାଥର୍‌, ଡାକ୍ତର ଉମର୍‌ ଉନ୍‌ ନବୀ, ଡାକ୍ତରାଣୀ ଶାହୀନ୍‌ ସଇଦ୍‌ ଓ ଡାକ୍ତର ଅହମଦ୍‌ ମୋହିଉଦ୍ଦୀନ୍‌।

ପୁଲ୍‌ୱାମା ବାସିନ୍ଦା ଡାକ୍ତର ମୁଜାମ୍ମିଲ୍‌ 
୩୫ ବର୍ଷୀୟ ଡାକ୍ତର ମୁଜାମ୍ମିଲ୍‌ ଗନି ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ ପୁଲ୍‌ୱାମା ଅଞ୍ଚଳର କୋଇଲ୍‌ର ବାସିନ୍ଦା। ଫରିଦାବାଦ୍‌ସ୍ଥିତ ଅଲ୍‌-ଫଲାହ୍‌ ବିଶ୍ବବିଦ୍ୟାଳୟରେ ସେ ଏମ୍‌ବିବିଏସ୍‌ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରନ୍ତି। ଏହି ବିସ୍ଫୋରଣ ପଛରେ ଥିବା ଆତଙ୍କବାଦ ସଙ୍ଗଠନ ମଡ୍ୟୁଲ୍‌ର ସେ ଅନ୍ୟତମ ପ୍ରମୁଖ ବ୍ୟକ୍ତି ବୋଲି ପୁଲିସ ଚିହ୍ନଟ କରିଛି। ତାଙ୍କୁ ଗିରଫ କରାଯିବା ପରେ ତଦନ୍ତକାରୀ ଅଧିକାରୀମାନେ ଫରିଦାବାଦର ଧୌଜ୍‌ସ୍ଥିତ ତାଙ୍କ ଭଡ଼ାଘରୁ ଆମୋନିୟମ୍‌ ନାଇଟ୍ରେଟ୍‌ ବୋଲି ‌ସନ୍ଦେହ କରାଯାଉଥିବା ୩୫୮ କିଲୋ ସାମଗ୍ରୀ, ଗୋଟାଏ ଆସଲ୍‌ଟ୍‌ ରାଇଫଲ୍‌, ୯୧ଟି ଅଫୁଟା ଗୁଳି, କ୍ୟାଟ୍ରିଜ୍‌ଭରା ପିସ୍ତଲ୍‌, ଟାଇମର୍‌, ବ୍ୟାଟେରି, ‌ରିମୋଟ୍‌ କଣ୍ଟ୍ରୋଲ୍‌ ଓ ବୋମା ନିର୍ମାଣ ନିମନ୍ତେ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ବିସ୍ଫୋରଣ ପୂର୍ବରୁ ଜନତାଙ୍କ ଆତଯାତ ଓ ନିରାପତ୍ତା ଅବସ୍ଥା ପରଖିବା ଲାଗି ମୁଜାମ୍ମିଲ୍‌ ଗତ ଜାନୁଆରି ମାସରେ କ୍ରମାଗତ ଭାବେ ଲାଲ୍‌କିଲ୍ଲା ଅଞ୍ଚଳ ଗସ୍ତ କରିଥିଲେ। ସୂଚନା ଅନୁସାରେ କିଛି ବର୍ଷ ତଳେ ଡାକ୍ତର ଗନି ଓ ତାଙ୍କ ଭାଇ ତୁର୍କୀ ଯାଇଥିଲେ। ସେଠାରେ ଡାକ୍ତର ଗନି ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ଜଣେ ସଞ୍ଚାଳକଙ୍କୁ ଭେଟିଥିଲେ ବୋଲି ସନ୍ଦେହ କରାଯାଉଛି। 

କୁଲ୍‌ଗାମ୍‌ନିବାସୀ ଡାକ୍ତର ଆଦିଲ୍‌
ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ସନ୍ଦିଗ୍ଧ ହେଉଛନ୍ତି ଉତ୍ତର ପ୍ରଦେଶର ସହରଣପୁରରୁ ଗିରଫ ହୋଇଥିବା ଡାକ୍ତର ଆଦିଲ୍‌ ଅହମଦ୍‌ ରାଥର୍‌। କାଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ନିବାସୀ ଡାକ୍ତର ଆଦିଲ୍‌ ମଧ୍ୟ ଅଲ୍‌-ଫଲାହ୍‌ ବିଶ୍ବବିଦ୍ୟାଳୟରେ ଚାକରି କରୁଥିଲେ। ଡାକ୍ତର ମୁଜାମ୍ମିଲ୍‌ ଓ ଡାକ୍ତର ଉମର୍‌ ଉନ୍‌ ନବିଙ୍କ ସହିତ ସେ ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲେ। ଆଗରୁ ସେ ସିନିୟର୍‌ ରେସିଡେଣ୍ଟ୍‌ ଭାବେ ଶ୍ରୀନଗରସ୍ଥିତ ସରକାରୀ ଡାକ୍ତରଖାନାରେ କାମ କରୁଥିଲେ। ସେଠାରେ ତାଙ୍କ ଲକର୍‌ରୁ ପୁଲିସ ଗୋଟାଏ ଏକେ-୪୭ ରାଇଫଲ୍‌ ଉଦ୍ଧାର କରିଛି। ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖୁଥିବା ଫରିଦାବାଦ୍‌ ଆତଙ୍କବାଦୀ ମଡ୍ୟୁଲ୍‌ ସହ ସେ ଜଡ଼ିତ ଥିଲେ ବୋଲି ସୂଚନା ମିଳିଛି। ଡାକ୍ତର ମୁଜାମ୍ମିଲ୍‌ଙ୍କୁ ଜେରା କରାଯିବା ପରେ ଡାକ୍ତର ଆଦିଲ୍‌ଙ୍କୁ ଗିରଫ କରାଯାଇଛି। ସେମାନେ ସ୍ବୀକାର କରିଛନ୍ତି ଯେ ମିଳିତଭାବେ ଏକାଧିକ ସ୍ଥାନକୁ ବିସ୍ଫୋରକ ସାମଗ୍ରୀ ପରିବହନ ଓ ଗଚ୍ଛିତ ରଖିବାରେ ସେମାନେ ସମ୍ପୃକ୍ତ ଅଛନ୍ତି।

ଆତ୍ମଘାତୀ ହତ୍ୟାକାରୀ ଡାକ୍ତର ଉମର୍‌ 
ପୁଲ୍‌ୱାମାନିବାସୀ ଡାକ୍ତର ଉମର୍‌ ଉନ୍‌ ନବୀ ମଧ୍ୟ ଅଲ୍-ଫଲାହ୍‌ ବିଶ୍ବବିଦ୍ୟାଳୟ ସହିତ ସମ୍ପୃକ୍ତ। ଲାଲ୍‌କିଲ୍ଲା ନିକଟରେ ବିସ୍ଫାରିତ ଆଇଟ୍ବେଣ୍ଟି କାର୍‌ଟି ସେ ଚଳାଉଥିଲେ ବୋଲି ଜଣାପଡ଼ିଛି। ବିସ୍ଫୋରଣ ପୂର୍ବରୁ ଉକ୍ତ କାର୍‌ଟିକୁ ଡାକ୍ତର ଉମର୍‌ ଲାଲ୍‌ କିଲ୍ଲା ପାର୍କିଙ୍ଗ୍‌ ସ୍ଥଳରେ ପ୍ରାୟ ତିନିଘଣ୍ଟା ଧରି ରଖିଥିଲେ। ମନେହୁଏ ସେତେବେଳେ ତାଙ୍କ ପାଖରେ ମୋବାଇଲ୍‌ ଫୋନ୍‌ ନ ଥିଲା। ତେଣୁ, ତାଙ୍କ ସଞ୍ଚାଳକମାନଙ୍କ ସହିତ ଯୋଗାଯୋଗ କରିବା ଲାଗି ସେ ହୁଏତ ଟେଲି-ସିଲେକ୍ଟର୍‌ ବ୍ୟବହାର କରିଥାଇ ପାରନ୍ତି। ଅନେକ ଆଗରୁ ଡାକ୍ତର ଉମର୍‌ଙ୍କ ଉପରେ ନଜର ରଖାଯାଇଥିଲେ ମଧ୍ୟ ସେ ନିରନ୍ତର ସ୍ଥାନ ପରିବର୍ତ୍ତନ କରୁଥିଲେ। ଡାକ୍ତର ମୁଜାମ୍ମିଲ୍‌ ଓ ଡାକ୍ତର ଆଦିଲ୍‌ଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ବେଶ୍‌ ନିବିଡ଼। ବିସ୍ଫୋରକ ସାମଗ୍ରୀ ପରିବହନ ଓ ଗଚ୍ଛିତ କରି ରଖିବାରେ ସେ ଦୁହିଁଙ୍କ ସହିତ ସମନ୍ବୟ ରକ୍ଷା କରୁଥିଲେ। ବିସ୍ଫୋରଣ ସମୟରେ ସେ ଗାଡ଼ିରେ ଥିଲେ ବୋଲି ତଦନ୍ତକାରୀ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି। ସେ ଏ ଆକ୍ରମଣରେ ଆତ୍ମଘାତୀ ହତ୍ୟାକାରୀର ଭୂମିକା ସମ୍ପନ୍ନ କରିଛନ୍ତି। ଏହା ବ୍ୟତିରେକେ, ପୁଲିସ ଡିଏଲ୍‌ ୧୦ ସିକେ ୦୪୫୮ ରେଜିଷ୍ଟ୍ରେସନ୍‌ ନମ୍ବରବିଶିଷ୍ଟ ଗୋଟାଏ ଇକୋସ୍ପୋର୍ଟ କାର୍‌ର ସନ୍ଧାନ ପାଇଛି। ଖଣ୍ଡାୱାଲି ଗ୍ରାମର ଗୋଟାଏ ଘର ନିକଟରେ ତାହା ଥୁଆ ହୋଇଥିବା ପୁଲିସ ଜାଣିପାରିଛି। ତାହାକୁ ଡାକ୍ତର ନବୀ ଖରିଦ କରିଥିଲେ। 

ଜମାତ୍‌-ଉଲ୍‌-ମୋମିନ୍ନାତ୍‌ରେ ଡାକ୍ତରାଣୀ ଶାହୀନ୍‌ 
ଲକ୍ଷ୍ନୌବାସିନୀ ଡାକ୍ତରାଣୀ ଶାହୀନ୍‌ ସଇଦ୍‌ ଡାକ୍ତର ମୁଜାମ୍ମିଲ୍‌ଙ୍କର ସକ୍ରିୟ ସହଯୋଗୀ ଓ ପ୍ରିୟ ସହଚରୀ ବୋଲି କୁହାଯାଉଛି। ଫରିଦାବାଦ୍‌ରେ ତାଙ୍କ କାର୍‌ରୁ ଗୋଟାଏ ଆସଲ୍‌ଟ୍‌ ରାଇଫଲ୍‌ ଉଦ୍ଧାର କରାଯିବାରୁ ଜେରା ନିମନ୍ତେ ତାଙ୍କୁ ଶ୍ରୀନଗର ଅଣାଯାଇଥିଲା। ମୁଜାମ୍ମିଲ୍‌ ଗିରଫ ହେବା ଶୁଣି ସେ ଛାନିଆରେ ରାଇଫଲ୍‌ଟିକୁ ଡ‌ଷ୍ଟ୍‌ବିନ୍‌ରେ ଫିଙ୍ଗି ଦେବାକୁ ଯାଉଥିଲେ। ଫରିଦାବାଦ୍‌ରେ ଥିବା ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କ ମଧ୍ୟରେ ଯୋଗାଯୋଗ ରଖିବା ସହିତ କାଶ୍ମୀରରେ ସକ୍ରିୟ ଥିବା ମଡ୍ୟୁଲ୍‌ର ସଦସ୍ୟଙ୍କ ସହିତ ମଧ୍ୟ‌ ସେ ଯୋଗସୂତ୍ର ସ୍ଥାପନ କରୁଥିଲେ। ସଂଗଠନର ବିଭିନ୍ନ ଅଭିଯାନ ନିମନ୍ତେ ପରିବହନ ସମ୍ବନ୍ଧୀୟ ସମନ୍ବୟ ରକ୍ଷା କରିବା ସହିତ ସେ ରାସାୟନିକ ସାମଗ୍ରୀ ଯୋଗାଡ଼ କରିବାରେ ସହାୟକ ହେଉଥିଲେ। ମହାରାଷ୍ଟ୍ରର ଜଫର୍‌ ହୟାତ୍‌ ନାମରେ ଜଣେ ବ୍ୟକ୍ତିଙ୍କୁ ଶାହୀନ୍‌ ବିବାହ କରିଥିଲେ। କିନ୍ତୁ, ୨୦୧୫ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ଏହାପରେ ସେ ଏକାକିନୀ ରହି ଅଲ୍‌ ଫଲାହ୍‌ ବିଶ୍ବବିଦ୍ୟାଳୟରେ ଚାକିରି କରୁଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସେ ଗତମାସରେ ନି‌ଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ ଦ୍ବାରା ସୃଷ୍ଟ ନବଗଠିତ ଜମାତ୍‌-ଉଲ୍‌-ମୋମିନ୍ନାତ୍‌ରେ ଯୋଗ ଦେଇଥିଲେ।

ଚାଇନା ଏମ୍‌ବିବିଏସ୍‌ ଡାକ୍ତର ସୈୟଦ୍‌
ଚୀନ୍‌ରୁ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଥିବା ଡାକ୍ତର ଅହମଦ୍‌ ମୋହିଉଦ୍ଦୀନ୍‌ ସୈୟଦ୍‌ ହାଇଦ୍ରାବାଦରେ ଡାକ୍ତରୀ କରନ୍ତି। ନଭେମ୍ବର ୮ ତାରିଖ ଦିନ ଗୁଜରାଟ ‘ଏଟିଏସ୍‌’ ତାଙ୍କୁ ଗିରଫ କରିଥିଲା। ରାଜେନ୍ଦ୍ରନଗରରେ ସେ ଶୱର୍ମା ବ୍ୟବସାୟ କରୁଥିଲେ। ସେଠାରେ ଥାଇ ସେ ‘ଟେଲିଗ୍ରାମ୍‌’ ଓ ‘ସାମାଜିକ ଗଣମାଧ୍ୟମ’ ଜରିଆରେ ଉଗ୍ରବାଦୀଙ୍କ ନିମନ୍ତେ ବାର୍ତ୍ତା ପ୍ରେରଣ କରୁଥିଲେ ବୋଲି କୁହାଯାଏ। ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରାସନ୍‌ ପ୍ରଦେଶରେ ଥିବା ଅବୁ ଖଦୀଜା ନାମରେ ଜଣେ ସଞ୍ଚାଳକଙ୍କ ସହିତ ତାଙ୍କର ଯୋଗାଯୋଗ ଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ ଜାଣିପାରିଛନ୍ତି। ତାଙ୍କ ପାଖରୁ ପୁଲିସ ଦୁଇଟି ଗ୍ଲକ୍‌ ପିସ୍ତଲ୍‌, ଗୋଟାଏ ବିରେଟା ପିସ୍ତଲ୍‌, ଅବ୍ୟବହୃତ ଆଗ୍ନେୟାସ୍ତ୍ର ଓ ରାଇସିନ୍‌ ବିଷ କାଢ଼ିବା ପାଇଁ ବ୍ୟବହୃତ ୪ କିଲୋ ପେଷାଯାଇଥିବା ଜଡ଼ାମଞ୍ଜି ଉଦ୍ଧାର କରିଥିଲା। ସମ୍ଭବତଃ ଡ୍ରୋନ୍‌ ଜରିଆରେ ପାକିସ୍ତାନରୁ ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ଧରି ସେ ଦିଲ୍ଲୀ, ଲକ୍ଷ୍ନୌ ଓ ଅହମଦାବାଦ୍‌ରେ ଥିବା ସ୍ପର୍ଶକାତର ନିରାପତ୍ତାସ୍ଥଳୀଗୁଡ଼ିକ ପର୍ଯ୍ୟବେକ୍ଷଣ କରିଥିଲେ। ୨୦ ବର୍ଷୀୟ ଆଜାଦ୍‌ ସୁଲେମାନ୍‌ ଶେଖ୍‌ ଓ ୨୩ ବର୍ଷୀୟ ମହମ୍ମଦ୍‌ ସୁହୈଲ୍‌ ଖାଁ ନାମରେ ତାଙ୍କର ଦୁଇଜଣ ସହଯୋଗୀ ବି ଗିରଫ ହୋଇଛନ୍ତି।

ଡାକ୍ତର ସଜାଦ୍‌ ମଲିକ୍‌
ଦିଲ୍ଲୀ ବିସ୍ଫୋରଣ ଘଟଣା ସମ୍ବନ୍ଧରେ ଜେରା କରିବା ଲାଗି ପୁଲିସ ଡାକ୍ତର ସଜାଦ୍‌ ମଲିକ୍‌ ନାମରେ ପୁଲ୍‌ୱାମାର ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ହାଜତକୁ ଆଣିଛି। ତାଙ୍କ ବନ୍ଧୁ ଉମର୍‌ ଉନ୍‌ ନବୀଙ୍କ ସଂକ୍ରାନ୍ତରେ ଅଧିକ ସୂଚନା ଆଦାୟ କରିବା ଅଥବା ସୀମାପାର ଆତଙ୍କବାଦ ଷଡ୍‌ଯନ୍ତ୍ରରେ ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ଅଟକ ରଖାଯାଇଛି। ଅଲ୍‌-ଫଲାହ୍‌ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଶିକ୍ଷାର୍ଥୀଙ୍କ ସମେତ ଫରିଦାବାଦ୍‌ରେ ୫୨ଜଣଙ୍କୁ ଜେରା କରାଯିବା ପରେ ଜଣାପଡ଼ିଛି କି ଡାକ୍ତର ମୁଜାମ୍ମିଲ୍‌ ଓ ଡାକ୍ତର ଉମର୍‌ ଉନ୍‌ ନବୀ ଗତ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଆକ୍ରମଣ ଲାଗି ଯୋଜନା କରିଥିଲେ, କିନ୍ତୁ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଥିବାରୁ ତାହା କରିପାର‌ିଲେ ନାହିଁ।