ବିଜୟ ବାବୁଙ୍କ ଅବର୍ତ୍ତମାନରେ

ଗୁରୁକଲ୍ୟାଣ ମହାପାତ୍ର

ସମଗ୍ର ବିଶ୍ବରେ କରୋନା ମହାମାରୀର କରାଳ ଛାୟା। ଆମେ ସବୁ ବିବ୍ରତ, ଭୟଭୀତ। ଆମ ମଧ୍ୟରୁ କେତେକ ପୀଡ଼ିତ ହୋଇ କୌଣସି ମତେ ବଞ୍ଚିଗଲେ। ଆଉ କେତେକ ଆମକୁ ଛାଡ଼ି ଆଖି ବୁଜିଦେଲେ। ଆମେ ତ ସହି ପାରିଲୁନି। ପରିବାର ଲୋକେ, ସମ୍ପର୍କୀୟମାନେ କେମିତି ଧୈର୍ଯ୍ୟ ଧରିଥିବେ ତାହା ବର୍ଣ୍ଣନାତୀତ। ସେହି ସମୟରେ ବିଜୟ ବାବୁ ଆମମାନଙ୍କୁ ପଛରେ ପକାଇ ଚାଲିଗଲେ। କେବଳ ‘ସମ୍ବାଦ’ ପ୍ରକାଶନ କ୍ଷେତ୍ରରେ ନୁହେଁ, ଓଡ଼ିଆ ସମ୍ବାଦପତ୍ର ଜଗତରେ ଗୋଟାଏ ବଡ଼ ଅଭାବ ସୃଷ୍ଟି ହୋଇଥିଲା। ସଦା ହସ ହସ ମୁହଁ ଓ ସଦା କର୍ମଚଞ୍ଚଳ ଶରୀରଟିର ଅନୁପସ୍ଥିତି ଆମକୁ ଦୁଃଖିତ କରିଥିଲା ସେଦିନ। ଏ ଜୀବନ ଥିବା ଯାଏଁ ତାଙ୍କର ସ୍ମୃତି ଉଙ୍କି ମାରୁଥିବ, ମନେ ପଡ଼ିଗଲେ।

୧୯୮୪ ମସିହାରେ ନୂଆ ଢଙ୍ଗରେ ଆରମ୍ଭ ହେଲା ‘ସମ୍ବାଦ’- ଏକ ଓଡ଼ିଆ ଦୈନିକ ଖବର କାଗଜ ଭାବରେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଥିବା ସୌମ୍ୟରଂଜନ ବାବୁ ଚାକିରିର ମୋହ ତ୍ୟାଗ କରି ଓଡ଼ିଶାରେ ସମ୍ବାଦପତ୍ରକୁ ଏକ ଶିଳ୍ପ ଭାବରେ ଗ୍ରହଣ କରିବା ସହିତ ଲୋକଙ୍କର ସେବା କରିବାକୁ ଓଡ଼ିଶା ଆସିଲେ। ବୟସରେ ଆମେମାନେ ତାଙ୍କଠାରୁ ସାନ ହେଲେ ବି ସାମ୍ବାଦିକତା ଓ ସାହିତ୍ୟ ସର୍ଜନା କ୍ଷେତ୍ରରେ ଆମର ଅଭିଜ୍ଞତା ଥିବାରୁ ସେ ଆମମାନଙ୍କୁ ପରାମର୍ଶ ମଧ୍ୟ କରୁଥିଲେ। ଫଳରେ ସେ ବାଛି ବାଛି ଶିକ୍ଷିତ ଓ ଆଗ୍ରହୀ ଯୁବକ ଓ ଯୁବତୀମାନଙ୍କୁ ସମ୍ବାଦ ପାଇଁ ବାଛିଲେ।

‘ସମାଜ’ର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପଟ୍ଟନାୟକ, ହିନ୍ଦୁସ୍ଥାନ ସମାଚାରରୁ ଦିଲୀପ ରାଜ ବେହେରା ପ୍ରଭୃତି ‘ସମ୍ବାଦ’ରେ ଯୋଗ ଦେବା କଥା ମନେ ପଡ଼ୁଛି। ବିଜୟ ବାବୁଙ୍କ ପରି ଜଣେ ଶିକ୍ଷିତ ଓ ଉଚ୍ଚମାନର ଯୁବକଙ୍କୁ ସେ ଆରମ୍ଭରୁ ‘ସମ୍ବାଦ’ର ପ୍ରକାଶକ ଓ ମୁଦ୍ରାକର ଭାବେ ବାଛି ନିଯୁକ୍ତି ଦେଲେ। ଇଷ୍ଟର୍ଣ୍ଣ ମିଡିଆ ଜରିଆରେ ସେ ନିଜେ ପରିଚାଳନା ନିର୍ଦ୍ଦେଶକ ରହି ତା’ ତରଫରୁ ‘ସମ୍ବାଦ’ ପ୍ରକାଶ କଲେ। ବିଶିଷ୍ଟ ସାହିତ୍ୟିକ ଓ ପୂର୍ବତନ ସାଂସଦ ସୁରେନ୍ଦ୍ର ମହାନ୍ତିଙ୍କୁ ଏହାର ପ୍ରଥମ ସଂପାଦକ ଭାବେ ଅବସ୍ଥାପିତ କରି ସେ ମଧ୍ୟ ସମ୍ବାଦର ମର୍ଯ୍ୟାଦା ବଢ଼ାଇଥିଲେ। ସମ୍ବାଦପତ୍ରମାନଙ୍କରେ ପ୍ରଭାତୀ ସଂସ୍କରଣ (Morning Edition) ପ୍ରକୃତରେ ଗୁରୁତ୍ବପୂର୍ଣ୍ଣ। କପି କ୍ଲୋଜ ହେବା ପରେ ସଂପାଦକୀୟ ବିଭାଗର ପ୍ରାୟ ସମସ୍ତେ ଚାଲିଗଲେ ବି ମୁଦ୍ରାକର ଓ ପ୍ରକାଶକ ବିଜୟ ବାବୁ ସମ୍ବାଦର ପରିବହନ ଓ ବିତରଣ ପ୍ରଭୃତି ବିଭିନ୍ନ କଥା ବୁଝି ବିଳମ୍ବିତ ରାତ୍ରିରେ ଘରକୁ ଫେରି ଆସୁଥିଲେ।

ଦୈନିକ ସମ୍ବାଦପତ୍ର ମାନଙ୍କରୁ ଅବ୍ୟାହତି ନେଇ ମୁଁ ଯଦି କୌଣସି କାମରେ ‘ସମ୍ବାଦ’ ଅଫିସକୁ ଯାଇଥାଏ ଏବଂ ସୌମ୍ୟବାବୁ ନ ଥାନ୍ତି, ତେବେ ବିଜୟ ବାବୁଙ୍କୁ ଭେଟି ଚାଲି ଆସେ। ସେ ଚା’ ନପିଆଇ ଛାଡ଼ନ୍ତି ନାହିଁ।

ଦିନକର ଘଟଣା, ମୋର ଜଣେ ସମ୍ପର୍କୀୟ ଭାଇ ଯିଏ ମଧ୍ୟ ସୌମ୍ୟ ବାବୁଙ୍କର ସଂପର୍କୀୟ ମୋତେ ଥରେ ସାଙ୍ଗରେ ଡାକିଲେ ସୌମ୍ୟବାବୁଙ୍କୁ ଏକ ବିଶେଷ କାମରେ ଭେଟିବାକୁ। ସୌମ୍ୟବାବୁ ନ ଥାନ୍ତି। ତେଣୁ ଦୁହେଁ ଗଲୁ ନିରଞ୍ଜନ ବାବୁଙ୍କ ନିକଟକୁ। ତାଙ୍କର ଜଣେ ସଂପର୍କୀୟଙ୍କ ସଂପର୍କରେ ଭୁଲ ଖବରଟିଏ ବାହାରିଥିଲା। ନିରଞ୍ଜନ ବାବୁ ଏହା ଶୁଣିବା ପରେ ତତ୍‌କ୍ଷଣାତ ବିଜୟ ବାବୁଙ୍କୁ ଫୋନ୍ କରି ଏପରି ଖବର ଯେପରି ଭବିଷ୍ୟତରେ ପ୍ରକାଶ ନ ପାଏ ବୋଲି ତାଗିଦ୍ କରିଦେଇ ସେ ସମ୍ବାଦ ପ୍ରତିନିଧିଙ୍କୁ କାରଣ ଦର୍ଶାଇବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଲେ ବିଜୟ ବାବୁଙ୍କୁ।

ଆଉ ଗୋଟିଏ ଘଟଣା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ରାଜ୍ୟସ୍ତରୀୟ ଅଧିସ୍ବୀକୃତି (ମୁକ୍ତବୃତ୍ତ) ପାଇଁ ଆବେଦନ କରିଥିଲି। ମାତ୍ର କେତେକ ଶତ୍ରୁ ତାହା କରାଇ ନ ଦେବାକୁ ଚକ୍ରାନ୍ତ କରିବା ହେତୁ ସାମ୍ବାଦିକତା କ୍ଷେତ୍ରରେ ଦୈନିକ ‘ପ୍ରଜାତନ୍ତ୍ର’ରେ ମୋର ଚାକିରି ଓ ଅଭିଜ୍ଞତା ଉପରେ ମୁଁ ଦେଇଥିବା ପ୍ରମାଣପତ୍ରକୁ ଗ୍ରହଣ କରା ନଯାଇ ତାହା ଯାଞ୍ଚ କରିବାକୁ ରାଜ୍ୟ ଶ୍ରମ ବିଭାଗକୁ ପଠାଇ ଦିଆଗଲା। ଶ୍ରମ ବିଭାଗରେ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ବରେ ଥିବା ବିଜୟ ବାବୁଙ୍କ ସାନଭାଇ ଅଜୟ ବାବୁଙ୍କୁ ଏ ବିଷୟରେ ଯାଞ୍ଚ କରିବାକୁ ଦାୟିତ୍ବ ଦିଆଯାଇଥିଲା।

ମୁଁ ବିଜୟ ବାବୁଙ୍କୁ କହିବାରୁ ସେ ଅଜୟ ବାବୁଙ୍କୁ ଫୋନ୍ କରିଦେଲେ। ଅବଶ୍ୟ ମୁଁ ଯାଇ ଦେଖାକଲି। ମୁଁ ତାଙ୍କୁ ଚିହ୍ନି ନ ଥିଲି। ସେ ମୋତେ ଜାଣିଛନ୍ତି ବୋଲି କହିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏପରି ଯାଞ୍ଚ ଆଦେଶ ଦେଇଥିବାରୁ ଯଥା ଶୀଘ୍ର ସେ ଯାଞ୍ଚ କରି ରିପୋର୍ଟ ପଠାଇଲେ। ଶତ୍ରୁମାନଙ୍କ ଉଦ୍ୟମ ପଣ୍ଡ ହେଲା ଓ ୧୯୯୮ରେ ମୋତେ ଅଧିସ୍ବୀକୃତି (Accreditation) ମିଳିଗଲା। ଏହାର ଦୁଇ ତିନି ବର୍ଷ ପରେ ସେହି ବିଭାଗରେ ‘ଉତ୍କଳ ପ୍ରସଙ୍ଗ’ର ମୁଖ୍ୟ ସମ୍ପାଦକ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋତେ ନିଯୁକ୍ତି ଦେଲେ। ଉଭୟ ବିଜୟ ବାବୁ ଓ ଅଜୟ ବାବୁଙ୍କ ସାହାଯ୍ୟ ମୁଁ ଭୁଲି ପାରିବି ନାହିଁ।

୧୯୫୮ ନଭେମ୍ବର ୧୯ ତାରିଖରେ ଜଗତସିଂହପୁର ଜିଲ୍ଲାର ଏକ ମଫସଲ ଅଞ୍ଚଳ ଟିଟିଙ୍ଗାରେ ଜନ୍ମ ହୋଇ ବିଜୟ ବାବୁ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଓଡ଼ିଶାର ଏକ ପ୍ରମୁଖ ସମ୍ବାଦପତ୍ରର ପ୍ରକାଶକ ଭାବେ ସୁନାମ ଅର୍ଜନ କରିଥିଲେ। ପିତା ଧ୍ରୁବଚରଣ ଓ ମାତା ପ୍ରତିଭାଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଥିଲା। ତାଙ୍କର ସହଧର୍ମିଣୀ ସରୋଜିନୀ ମଧ୍ୟ ତାଙ୍କ ଜୀବନକୁ ସାର୍ଥକ କରିଥିଲେ। ପିତାଙ୍କ ନୀତି ଓ ଆଦର୍ଶକୁ ମାନି ତାଙ୍କର ସୁପୁତ୍ର ଡାକ୍ତର ସ୍ବରୂପ ଏବେ ସମ ହସ୍ପିଟାଲ, ଭୁବନେଶ୍ବରରେ ଗାଷ୍ଟ୍ରୋଏଣ୍ଟୋରୋଲଜି ବିଭାଗରେ ଅବସ୍ଥାପିତ। ପୁତ୍ରବଧୂ ଡାକ୍ତର ସମ୍ବେଦନା ମହାନ୍ତି ମଧ୍ୟ ସମ୍ ହସ୍‌ପିଟାଲରେ କମ୍ୟୁନିଟି ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର। ପୁତୁରା ଓ ପୁତୁରାବଧୂ ମଧ୍ୟ ଉପଯୁକ୍ତ ଭାବେ ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ। ପ୍ରକୃତରେ ବିଜୟ ବାବୁଙ୍କ ପରିବାର ଏକ ସୁଖୀ ପରିବାର। ତାଙ୍କର ନୀତି ଓ ଆଦର୍ଶ ଆମ ସମସ୍ତଙ୍କୁ ପ୍ରେରଣା ଦେଉ। ଏତିକି କାମନା।

ପୂର୍ବତନ ମୁଖ୍ୟ ସମ୍ପାଦକ, ଉତ୍କଳ ପ୍ରସଙ୍ଗ
ଭୁବନେଶ୍ବର

ସମ୍ବନ୍ଧିତ ଖବର