ବ୍ୟସ୍ତବହୁଳ ଜୀବନର ପଞ୍ଝାରୁ ମୁକୁଳି ପ୍ରକୃତି କୋଳରେ କିଛି ସମୟ ଅତିବାହିତ କରି ମାନସିକ ଶାନ୍ତି ଓ ଆନନ୍ଦ ସାଉଁଟିବାକୁ କାହାର ବା ଆଗ୍ରହ ନଥାଏ? ସୁବିଧା ମିଳିଲେ ଆମେ ଏହି ସୁଯୋଗକୁ ହାତଛଡ଼ା କରି ନଥାଉ। ଆଉ ନିଜର ଆର୍ଥିକ ସାମର୍ଥ୍ୟ ଅନୁସାରେ ଆମେ ପ୍ରାକୃତିକ ସ୍ଥଳୀ ଚୟନକରି ଯାଇଥାଉ। କିଏ ନିଜ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀକୁ ବାଛିଥାଏ ତ ଆଉ କିଏ ନିଜ ରାଜ୍ୟର ସର୍ବୋତ୍କୃଷ୍ଟ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ସ୍ଥାନକୁ ଭ୍ରମଣରେ ଯିବାଲାଗି ଯୋଜନା କରେ। ପୁଣି କେହି କେହି ଦେଶ ଓ ବିଦେଶର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ବୁଲିଯିବାକୁ ଚାହିଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ଭରପୂର ଆନନ୍ଦ ଯୋଗାଇବା ଲାଗି ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ କେନ୍ଦ୍ର ପରିଚାଳକମାନେ ଭ୍ରମଣ, ରହଣି, ବିଶ୍ରାମ ଓ ଭୋଜନ ଆଦି ମୌଳିକ ଦିଗ ଉପରେ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳୀରେ ନେଚର୍ କ୍ୟାମ୍ପ୍ ସ୍ଥାପନ କରାଯାଇଛି। ଜଙ୍ଗଲ ଭିତରେ ବାଉଁଶ ତିଆରି କଟେଜ୍, ପାରମ୍ପରିକ ମାଟିଘର ଓ ସୁବ୍ୟବସ୍ଥିତ ତମ୍ବୁ ଆଦିର ବ୍ୟବସ୍ଥା କରାଯାଇ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦିଆଯାଉଛି।
ଏହି କ୍ରମରେ ବର୍ତ୍ତମାନ ଦେଶର କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଟ୍ରି ହାଉସ୍ ବା ତରୁନିବାସ ନିର୍ମାଣ କରାଯାଇଛି। ଜଙ୍ଗଲ ଭିତରେ ଗଛଶାଖାରେ କାଠବାଉଁଶରେ ନିର୍ମିତ ଟ୍ରି ହାଉସ୍ ବର୍ତ୍ତମାନ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ନୂଆ ଆକର୍ଷଣ ପାଲଟିଛି। ଯଦିଓ ପର୍ଯ୍ୟଟନସ୍ଥଳୀରେ ଟ୍ରି ହାଉସ୍ ନିର୍ମାଣ ଧାରା ସଂପ୍ରତି ବିଦେଶରୁ ଆସିଛି, ତାହା ଏବେ ଆମ ଦେଶରେ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ‘ଇକୋ ଟୁରିଜିମ୍’ ପ୍ରକଳ୍ପ ଅଧୀନରେ ୨/୩ଟି ସ୍ଥାନରେ ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ଯଦିଓ ପ୍ରଚାରପ୍ରସାର ଅଭାବରୁ ଏହା ବିଶେଷ ବିଜ୍ଞାପିତ ହୋଇନାହିଁ, କିନ୍ତୁ ଏଥିରେ ରହିବା ଲାଗି ଦେଶବିଦେଶର ପର୍ଯ୍ୟଟକ ଆଗ୍ରହ ପ୍ରକାଶ କରୁଛନ୍ତି।
ଶିମିଳିପାଳରେ ଟ୍ରି ହାଉସ୍
ଅନନ୍ୟ ପ୍ରକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ କରୋନା ମହାମାରୀ ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ଆରାମଦାୟକ ରହଣି ଲାଗି ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ସୁବିଧା ଥିବା ଏହି ଟ୍ରି ହାଉସ୍ରେ ରହି ପର୍ଯ୍ୟଟକ ବୃକ୍ଷଲତା ପରିବେଷ୍ଟିତ ଶାନ୍ତ ପରିବେଶର ଆନନ୍ଦ ଉଠାଇ ପାରିବେ। କୁଳୁକୁଳ ନାଦରେ ବହୁଥିବା ଝରଣା, ସୁଉଚ୍ଚ ଜଳପ୍ରପାତ, ପ୍ରାକୃତିକ ହ୍ରଦ ଓ ପ୍ରକୃତିର ମନଲୋଭା ଦୃଶ୍ୟ ସଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପ୍ରକୃତିପ୍ରେମୀଙ୍କୁ ଉଲ୍ଲସିତ କରିଥାଏ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟସ୍ଥ ଜାମୁଆଣିରେ ବନ ବିଭାଗ ପକ୍ଷରୁ ଦୁଇଟି ସୁଦୃଶ୍ୟ ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ଯଶୀପୁରଠାରୁ ପ୍ରାୟ ୨୨ କି.ମି. ଦୂରରେ ଅବସ୍ଥିତ ଏହି ଟ୍ରି ହାଉସ୍ରେ ରହଣି ଲାଗି ପୂର୍ବରୁ ଅନ୍ଲାଇନ୍ ବୁକିଂ କରିବାକୁ ପଡ଼ିଥାଏ। ଇକୋଟୁର୍ ଓଡ଼ିଶାର ୱେବ୍ସାଇଟ୍ ଜରିଆରେ କିମ୍ବା ଶିମିଳିପାଳ ଡଟ୍ ଓଆର୍ଜି ୱେବ୍ସାଇଟ୍ ମାଧ୍ୟମରେ ଏହି ଅଗ୍ରିମ ବୁକିଂ ସୁବିଧା ଉପଲବ୍ଧ।
ଶିମିଳିପାଳ ଟ୍ରି ହାଉସ୍ରେ ପର୍ଯ୍ୟଟକଙ୍କ ସୁରକ୍ଷିତ ରାତ୍ରିଯାପନ ନିମନ୍ତେ ସ୍ବତନ୍ତ୍ର ସୁରକ୍ଷା ସ୍କ୍ବାର୍ଡ ଗଠନ କରାଯାଇଛି। ଏଥିସହ ବନ ସୁରକ୍ଷା ସମିତି ମାଧ୍ୟମରେ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା ବି ରହିଛି। ଅଭୟାରଣ୍ୟ ଭିତରେ ପଲିଥିନ୍, ପ୍ଲାଷ୍ଟିକ୍ ଓ ସୋଲ ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଥିବାରୁ ପର୍ଯ୍ୟଟକମାନେ ମାଟିପାତ୍ରରେ ଚା’ ସହ କଞ୍ଚା ଶାଳପତ୍ର ପ୍ଲେଟ୍ ଓ ଦନାରେ ପରଷା ଖାଦ୍ୟର ଆନନ୍ଦ ନେଇଥାଆନ୍ତି। ସତର୍କତା ପଦକ୍ଷେପ ସ୍ବରୂପ ଅଗ୍ନି ସଂଯୋଗକାରୀ ସାମଗ୍ରୀ, ଆମିଷ ଓ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଶିମିଳିପାଳକୁ ବାରିପଦା ପିଠାବଟା ଏବଂ ଯଶୀପୁର କାଳିଆମୀ ଦେଇ ପ୍ରବେଶ କରାଯାଇଥାଏ।
ପ୍ରକୃତି କୋଳରେ ତରୁନିବାସ
ଜାମୁଆଣି ଟ୍ରି ହାଉସ୍ ବ୍ୟତୀତ ଜେନାବିଲ, କୁମାରୀ, ଗୁଡୁଗୁଡ଼ିଆ, ମୁକ୍ତାପୁର, ବରେହିପାଣି ଓ ରାମତୀର୍ଥଠାରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ୫ଟି ପ୍ରକୃତି ଶିବିର ରହିଛି। ଏଠାରେ ସାନ୍ତାଳୀ କୁଟୀର, ଆଦିବାସୀ କୁଟୀର ଓ ବାଉଁଶ କୁଟୀର ଭଳି ଭିନ୍ନ ଭିନ୍ନ ଶୈଳୀର ୫୯ଟି କଟେଜ୍ ରହିଛି। କୌଣସି କାରଣବଶତଃ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସ୍ଷ୍ଟାଣ୍ଡ୍କୁ ସ୍ଥାନାନ୍ତର କରିବା ପାଇଁ ଅଗ୍ରିମ ଟଙ୍କା ଜମା କରିବାର ନିୟମ ରହିଛି। ଶିମିଳିପାଳ ମଧ୍ୟକୁ ପ୍ରବେଶ ନିମନ୍ତେ ଅନ୍ଲାଇନ୍ ଯୋଗେ ଯାନବାହନ ପର୍ମିଟ୍ ବ୍ୟବସ୍ଥା କରାଯାଇଛି। ଏଥିସହ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ସାଥିରେ ବିଭାଗୀୟ ଗାଇଡ୍ ନେବା ବାଧ୍ୟତାମୂଳକ ହୋଇଛି। ଏ ନେଇ ଜିଲ୍ଲା ବନାଧିକାରୀ ଏ. ଉମା ମହେଶ କହନ୍ତି, ‘‘ପର୍ଯ୍ୟଟନଋତୁ ପୂର୍ବରୁ ଏବେ ଭିତ୍ତିଭୂମି ବିକଶିତ କରୁଛୁ। ଟ୍ରି ହାଉସ୍ ଓ କଟେଜ୍କୁ ଆହୁରି ସୁବ୍ୟବସ୍ଥିତ କରାଯାଉଛି। ଅଭୟାରଣ୍ୟ ନଭେମ୍ବର ମାସରେ ଖୋଲିବାକୁ ଥିବାବେଳେ ଆମେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସୁବନ୍ଦୋବସ୍ତ କରୁଛୁ।’’
କାଳିଆମ୍ବା ଟ୍ରି ହାଉସ୍
ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଥିବା କାଳିଆମ୍ବା ଏକ ପ୍ରକୃଷ୍ଟ ସ୍ଥାନ। ନିକଟସ୍ଥ ଜଙ୍ଗଲରେ ଥିବା ଜାଏଣ୍ଟ୍ ସ୍କ୍ବିରେଲ୍ (ଉଡ଼ନ୍ତା ନେପାଳୀମୂଷା) ପ୍ରକୃତି ଶିବିରକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି। ଏଠାରେ ପର୍ଯ୍ୟଟକଙ୍କ ରହଣି ଲାଗି ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ଏଥିସହ ନିକଟସ୍ଥ ଶାଳୁଆପଲ୍ଲୀରେ ଥିବା କୃଷ୍ଣସାର ମୃଗ ପ୍ରକୃତି ଶିବିରରେ ବି ପର୍ଯ୍ୟଟକଙ୍କ ଭିଡ଼ ଦେଖବାକୁ ମିଳେ। ଭଞ୍ଜନଗରଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତାର ୫ କି.ମି. ପରେ ପଡ଼େ ଶାଳୁଆପଲ୍ଲୀ। ସେଠାରୁ ଜଙ୍ଗଲ ଭିତର ରାସ୍ତା ଦେଇ ୮ କି.ମି. ଗଲେ ପଡ଼େ ଉପାନ୍ତ କାଳିଆମ୍ବା ଗ୍ରାମ। ଗାଁକୁ ଲାଗି ଘଞ୍ଚ ଜଙ୍ଗଲ ଓ ବିରଳ ପାଟ୍ଟମୂଷା ବା ଉଡ଼ନ୍ତା ନେପାଳୀମୂଷାଙ୍କ ବାସସ୍ଥଳୀ। ବ୍ରିଟିସ୍ ସରକାର ଅମଳରୁ ଏହି ସ୍ଥାନରେ ଏକ ଡାକବଙ୍ଗଳା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟଟକମାନଙ୍କୁ ଏଠାକୁ ଅାକୃଷ୍ଟ କରିବା ପାଇଁ କାଳିଆମ୍ବାରେ ବନ ବିଭାଗ ପକ୍ଷରୁ ୨ଟି ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ସ୍ଥାନୀୟ ରେଞ୍ଜର୍ ପୃଥ୍ବୀରାଜ ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ୨୦୧୫-୧୬ ମସିହାରେ ଏହି ଟ୍ରି ହାଉସ୍ ତିଆରି ହୋଇଛି। ଆଧୁନିକ ରହଣି ସୁବିଧା ଥିବା ଏହି ଟ୍ରି ହାଉସ୍ରେ ରହିବା ଲାଗି ଅନ୍ଲାଇନ୍ ମାଧ୍ୟମରେ ଅଗ୍ରିମ୍ ବୁକିଂ କରିବାକୁ ପଡ଼ିଥାଏ। ଟ୍ରି ହାଉସ୍ରେ ପର୍ଯ୍ୟଟକଙ୍କୁ ମଧ୍ୟାହ୍ନ ଭୋଜନ, ରାତ୍ରିଭୋଜନ ଓ ସକାଳ ଜଳଖିଆ ସେଠାରେ ଉପଲବ୍ଧ ଖାଦ୍ୟତାଲିକା ଅନୁସାରେ ପ୍ରଦାନ କରାଯାଇଥାଏ। ମଧ୍ୟାହ୍ନ ୧୨ଟାରୁ ତା’ପରଦିନ ୧୦ଟା ପର୍ଯ୍ୟନ୍ତ ଦୁଇଜଣଙ୍କ ରହଣି ଲାଗି ୩୦୦୦ ଟଙ୍କା ପଡ଼ିଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ସ୍ବତନ୍ତ୍ର ସ୍କ୍ବାର୍ଡ ରହିଛି ଓ ବିଭିନ୍ନ ସ୍ଥାନ ବୁଲାଇବାକୁ ଗାଇଡ୍ ରହିଛନ୍ତି। ଏହାବାଦ୍ ଶାଳୁଆପଲ୍ଲୀରେ ରହିଛି ବ୍ଳାକ୍ବକ୍ ଟିମ୍ବର ହାଉସ୍। ବନ ବିଭାଗର ଏହି ଅଭିନବ ପ୍ରୟାସ ପର୍ଯ୍ୟଟକସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୋଇପାରିଛି।
କାଳିଆମ୍ବା ପ୍ରକୃତି ଶିବିରସ୍ଥ ଟ୍ରି ହାଉସ୍ଠାରୁ ୧ କି.ମି. ଦୂରରେ ରହିଛି ଛୋଟିଆ ଜଳପ୍ରପାତଟିଏ। କିଛି ଦୂର ପାହାଡ଼ ଚଢ଼ିବା ପରେ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିହୁଏ। ପ୍ରକୃତି ଶିବିରଠାରୁ ଜଳପ୍ରପାତର ପାଦଦେଶ ପର୍ଯ୍ୟନ୍ତ ମାଟିରାସ୍ତା ଥିବାବେଳେ ଜଳପ୍ରପାତ ନିକଟକୁ ଯିବା ପାଇଁ ଆଦୌ ଭଲ ରାସ୍ତା ନାହିଁ। ପ୍ରକୃତିର ଏତେ ସବୁ ସମ୍ଭାର ଭରପୂର ହୋଇ ରହିଥିଲେ ମଧ୍ୟ ଏହି ସ୍ଥାନ ଦୃଷ୍ଟି ଆଢୁଆଳରେ ରହିଯାଇଛି। ପ୍ରଶାସନ ପକ୍ଷରୁ ଏହି ଜଳପ୍ରପାତର ବିକାଶ କରାଯାଇପାରିଲେ ଏହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ।
ଧନ୍ବନ୍ତରୀ ଉଦ୍ୟାନରେ ଟ୍ରି ହାଉସ୍
ରାଉରକେଲାଠାରୁ ପ୍ରାୟ ୩୫ କି.ମି. ଦୂରରେ ରହିଛି କୁମାରକେଲା ଗାଁ। ଏହି ଗାଁରେ ପ୍ରାୟ ୨୬ ଏକରରୁ ଊର୍ଦ୍ଧ୍ବ ଅଞ୍ଚଳରେ ଏକ ବୃହତ୍ ଔଷଧୀୟ ଉଦ୍ୟାନ ସୃଷ୍ଟି କରାଯାଇଛି। ଘରୋଇ ଉଦ୍ୟମରେ ପ୍ରତିଷ୍ଠିତ ଗଛଲତା ପରିପୂର୍ଣ୍ଣ ‘ଧନ୍ବନ୍ତରୀ ଉଦ୍ୟାନ’ କ୍ରମଶଃ ସ୍ଥାନୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ପ୍ରାକୃତିକ ପରିବେଶରେ ସମୟ ଅତିବାହିତ କରିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ଏଠାରେ କେତେକ କୁଟୀର (କଟେଜ୍) ସହିତ ଗୋଟିଏ ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଏହି ଉଦ୍ୟାନରେ ଗୋଟିଏ ପୁରାତନ ମହୁଲ ଗଛରେ ବାଉଁଶ ମଞ୍ଚା ସଦୃଶ ପାରମ୍ପରିକ ଶୈଳୀରେ ଟ୍ରି ହାଉସ୍ଟି ନିର୍ମାଣ ହୋଇଥିଲା। ଏହାର ପରିଚାଳକ ଚନ୍ଦନ ଦାସଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟକମାନଙ୍କ ମଧ୍ୟରେ ଟ୍ରି ହାଉସ୍ରେ ରହିବାର ଆଗ୍ରହ ବଢ଼ିବାରୁ ବର୍ତ୍ତମାନ ଏହାକୁ ଆଧୁନିକ ଶୈଳୀର ନିର୍ମାଣ କାରାଯାଉଛି। ଆସନ୍ତା ନଭେମ୍ବର ମାସରୁ ଏହି ଟ୍ରି ହାଉସ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ରାତ୍ରିଯାପନ ପାଇଁ ଉପଲବ୍ଧ ହେବ ଏବଂ ଏହା ସହିତ ଗୋଟିଏ ବିଶାଳ ଔଷଧୀୟ ଉଦ୍ୟାନ ମଧ୍ୟରେ ଥିବା କଟେଜ୍ରେ ପର୍ଯ୍ୟଟକମାନେ ରହିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/zIF4acsALM4v5YD9WvjM.jpg)