ଭାରତରେ ହୋଟେଲ୍ର ଇତିବୃତ୍ତ ଏତେ ସମୃଦ୍ଧ ଓ ବିବିଧତାରେ ଭରା ଯେ, ଏହା ଦେଶର ସାଂସ୍କୃତିକ ଓ ଅର୍ଥନୈତିକ ବିବର୍ତ୍ତନ ମଧ୍ୟ ପ୍ରତିଫଳନ କରେ। ବିଦେଶୀ ବଣିକ ଓ ଉପନିବେଶୀୟମାନେ ଆସିବା ପରେ ଭାରତରେ ଆଧୁନିକ ହୋଟେଲ୍ ଖୋଲିଲା। ମୁସଲ୍ମାନ ସମ୍ପ୍ରଦାୟ ବଣିକମାନଙ୍କ ପାଇଁ ଖୋଲାଗଲା ସରାଇ ଏବଂ ତା’ପରେ ଗୋରା ସାହେବମାନେ ପ୍ରବର୍ତ୍ତନ କଲେ ୟୁରୋପୀୟ ଶୈଳୀର ବାସ୍ତବ ଆଧୁନିକ ହୋଟେଲ୍। ବିଶେଷକରି, ବ୍ରିଟିସ୍ ସେନା ନିବାସ ବା କ୍ୟାଣ୍ଟନ୍ମେଣ୍ଟ୍ ଥିବା ଅଞ୍ଚଳରେ ଖୋଲୁଥିବା ହୋଟେଲ୍ରେ ପ୍ରଥମକରି ଆମିଷ ବ୍ୟଞ୍ଜନ ଓ ମଦ ବିକ୍ରୟ ହେଲା। ତାଙ୍କ ଦେଖାଦେଖି ହିନ୍ଦୁ ଓ ମୁସଲ୍ମାନ ସମ୍ପ୍ରଦାୟ ମଧ୍ୟ ସ୍ଥାନକାଳପାତ୍ର ଅନୁଯାୟୀ ଆଧୁନିକ ହୋଟେଲ୍ ଖୋଲି ନିରାମିଷ ଓ ଆମିଷ ବ୍ୟଞ୍ଜନ ବ୍ୟବସାୟ ଚଳାଇଲେ। ସେହି ସମୟରେ କେତେକ ହୋଟେଲ୍ ସାଇନ୍ବୋର୍ଡରେ ଲେଖାଗଲା ‘ଅମୁକ’ ହିନ୍ଦୁ ହୋଟେଲ୍ ‘ସମୁକ’ ହିନ୍ଦୁ ହୋଟେଲ୍। ‘ହିନ୍ଦୁ’ ଉଲ୍ଲେଖ କରାଯିବାର ବିଶେଷ କାରଣ ମଧ୍ୟ ଥିଲା। ପ୍ରଥମତଃ, ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ ହେଉଥିଲେ ବି ‘ହିନ୍ଦୁ’ ହୋଟେଲ୍ରେ କେବଳ କୁକୁଡ଼ା ଓ ଖାସି ମାଂସ ପରିବେଷଣ କରାଯାଉଥିଲା। ସେଠାରେ କଦାପି ଘୁଷୁରି ବା ଗୋରୁମାଂସ ରନ୍ଧାଯାଉ ନ ଥିଲା। ଦ୍ବିତୀୟତଃ, ମୁସଲ୍ମାନ ଅଧ୍ୟୁଷିତ ଅଞ୍ଚଳରେ କୌଣସି ହିନ୍ଦୁ ବ୍ୟକ୍ତି ହୋଟେଲ୍ ଖୋଲିଥିଲେ ଗ୍ରାହକଙ୍କ ମନରୁ ସଂଶୟ ଦୂର ପାଇଁ ବୋର୍ଡରେ ‘ହିନ୍ଦୁ’ ହୋଟେଲ୍ ବୋଲି ଉଲ୍ଲେଖ କରୁଥିଲେ। ଭାରତର ଅନେକ ପ୍ରାନ୍ତରେ ଏଭଳି କେତେଗୁଡ଼ିଏ ‘ହିନ୍ଦୁ’ ହୋଟେଲ୍ ଖୋଲିଥିଲା। କାଳସ୍ରୋତରେ ଅନେକ ନିଶ୍ଚହ୍ନ ହୋଇଯାଇଥିଲେ ବି ଅଳ୍ପ କେତୋଟି ‘ହିନ୍ଦୁ’ ହୋଟେଲ୍ ଅଦ୍ୟାବଧି ତିଷ୍ଠିରହିଛି। ତେବେ ପୂର୍ବ ଭାରତର ଅନେକ ରାଜ୍ୟରେ ଏବେ ବି ହିନ୍ଦୁ ହୋଟେଲ୍ ଖୋଲୁଛି ଓ ଚାଲୁଛି।
ନେତାଜୀ ସୁଭାଷ ଓ ମାନଗୋବିନ୍ଦଙ୍କ ସ୍ବାଧୀନ ଭାରତ ହିନ୍ଦୁ ହୋଟେଲ୍
ଭାରତୀୟ ସ୍ବାଧୀନତା ସଂଗ୍ରାମ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ କଲିକତା (ଅଧୁନା କୋଲ୍କାତା) ଜଣେ ଓଡ଼ିଆ ହୋଟେଲ୍ ମାଲିକ ମାନଗୋବିନ୍ଦ ପଣ୍ଡାଙ୍କୁ ନେଇ ହିନ୍ଦୁ ହୋଟେଲ୍ ସଂପର୍କିତ ଏକ ନିଆରା କାହାଣୀ ରହିଛି। କୋଲ୍କାତାର କଲେଜ୍ ଷ୍ଟ୍ରିଟ୍ ନିକଟରେ ଶହେବର୍ଷରୁ ଅଧିକ ସମୟ ଧରି ଗ୍ରାହକଙ୍କୁ ଖାଦ୍ୟ ପରଷୁଥିବା ପୁରାତନ ଭୋଜନାଳୟ ‘ସ୍ବାଧୀନ ଭାରତ ହିନ୍ଦୁ ହୋଟେଲ୍’ ଏ କାହାଣୀର ମୂକସାକ୍ଷୀ। କର୍ମସଂସ୍ଥାନ ସନ୍ଧାନରେ କୋଲ୍କାତା ଯାଇଥିବା କଟକର ମାନଗୋବିନ୍ଦ ପଣ୍ଡା ହେଉଛନ୍ତି ଏ ହୋଟେଲ୍ର ସଂସ୍ଥାପକ। ରୋଷେଇବାସ ଜଣାଥିବାରୁ କୋଲ୍କାତାରେ ପହଞ୍ଚି ସେ ଏକ ଛୋଟ ହୋଟେଲ୍ ଖୋଲିଲେ। ତାହା ଭଲ ଚାଲିଲା, ତାଙ୍କ ହାତରନ୍ଧା ଖାଦ୍ୟକୁ ଲୋକେ ପସନ୍ଦ କଲେ। ଏହାପରେ ଭବାନୀ ଦତ୍ତ ଲେନ୍ରେ ଏକ ମୁସଲ୍ମାନ ପରିବାର ତାଙ୍କୁ ଘରଟିଏ ଯୋଗାଇ ଦେଲେ ଏବଂ ସେଠାରେ ମାନଗୋବିନ୍ଦ ‘ହିନ୍ଦୁ ହୋଟେଲ୍’ ନାମରେ ‘ପାଇସ୍ ହୋଟେଲ୍’ଟିଏ ଖୋଲିଲେ। ଆପଣଙ୍କ ମନକୁ ପ୍ରଶ୍ନ ଆସିପାରେ, ଏ ପାଇସ୍ ହୋଟେଲ୍ କ’ଣ? ୧୯୧୦ ମସିହା ବେଳେ କୋଲ୍କାତା ସହରରେ ପାଇସ୍ ହୋଟେଲ୍ର ଖୁବ୍ କାଟତି ଥିଲା। ଏହି କ୍ଷୁଦ୍ର ଭୋଜନାଳୟରେ ଗୋଟିଏ ‘ପାଇସ୍’ ଅର୍ଥାତ୍ ଏକ ଅଣାରେ (୬ ପଇସାରେ) ଭାତ ତରକାରି ପରିବେଷଣ କରାଯାଉଥିଲା। ସେତେବେଳେ ବଙ୍ଗରେ ସ୍ବାଧୀନତା ସଂଗ୍ରାମ ଜୋର୍ ଧରିଥାଏ। ଲାଭରେ ଆଗ୍ରହ ନ ରଖି ମାନଗୋବିନ୍ଦ ତାଙ୍କ ହୋଟେଲ୍କୁ ଆସୁଥିବା ଲୋକଙ୍କୁ ଖୁଆଇବାରେ ବେଶୀ ଆନନ୍ଦ ପାଉଥିଲେ। ମାତ୍ର ଅଣାକରେ ସେ ପେଟପୂରା ଭାତ ଓ ମାଛ ବାଢ଼ି ଦେଉଥିଲେ। କୌଣସି ଗ୍ରାହକ ସେତିକି ନ ଦେଇ ପାରିଲେ ମଧ୍ୟ ମାନଗୋବିନ୍ଦ ତାକୁ ପେଟପୂରା ଖୁଆଉଥିଲେ।
କଟକର ଜଗବନ୍ଧୁ ହିନ୍ଦୁ ହୋଟେଲ୍
କଟକ ବକ୍ସି ବଜାର ବଡ଼ ଡାକଘର ପାର୍ଶ୍ବ ଗଳିରେ ରହିଛି ୧୯୬୮ ମସିହାରେ ଚନ୍ଦ୍ରମଣି ମେକାପ ଖୋଲିଥିବା ‘ଜଗବନ୍ଧୁ ହିନ୍ଦୁ ହୋଟେଲ୍’। ତିନିପୁରୁଷର ଏହି ହୋଟେଲ୍ର ଇଟା କାନ୍ଥ ଉଠା ଘୋଡ଼ା ପାଚେରି ଚାଳଛପର ଘର ପୂର୍ବପରି ରହିଛି। ଗ୍ରାହକମାନେ ବସି ଖାଇବା ପାଇଁ ପଡ଼ିଛି କୁନ୍ଦକରା ପୁରୁଣା କାଳିଆ ଚେଆର ଟେବୁଲ୍। ହୋଟେଲ୍ରେ ପରିବେଷଣ କରାଯାଉଥିବା ସମସ୍ତ ବ୍ୟଞ୍ଜନ ପାରମ୍ପରିକ ପଦ୍ଧତିରେ ରନ୍ଧା ହୁଏ। ସବୁଥିରେ ଶିଳବଟା ମସଲା ପଡ଼େ। ଏଠାରେ ଆମିଷ ଓ ନିରାମିଷ ବ୍ୟଞ୍ଜନ ରନ୍ଧା ହେଉଥିଲେ ବି କୁକୁଡ଼ା ମାଂସ ଓ କୁକୁଡ଼ା ଅଣ୍ଡା ରନ୍ଧନ ବାରଣ କରାଯାଇଛି। ତା’ ପରିବର୍ତ୍ତେ ଛେଳି ମାଂସରେ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ।
୧୯୧୨-୧୩ ମସିହା ଆଡ଼କୁ ମାନଗୋବିନ୍ଦଙ୍କ ହିନ୍ଦୁ ହୋଟେଲ୍ ପାଲଟିଗଲା ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ଆଡ୍ଡା। ସେମାନେ କେବଳ ଖାଇବାକୁ ନୁହେଁ, ଖାଇସାରି ସେଠାରେ ବସି ସ୍ବାଧୀନତା ସଂଗ୍ରାମର ପରବର୍ତ୍ତୀ ରଣନୀତି ବିଷୟରେ ବିଚାରବିମର୍ଶ ମଧ୍ୟ କରୁଥିଲେ। ଏମିତି ମାନଗୋବିନ୍ଦଙ୍କ ହୋଟେଲ୍ କ୍ରମେ ଲୋକପ୍ରିୟ ହେଲା। ସ୍ଥାନୀୟ ବାସିନ୍ଦା ଶ୍ରଦ୍ଧାରେ ମାନଗୋବିନ୍ଦଙ୍କୁ ଠାକୁରମୁଶାଇ ବୋଲି ଡାକିଲେ।
ସେତେବେଳେ ପ୍ରେସିଡେନ୍ସି କଲେଜରେ ପଢ଼ିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରୁ କୋଲ୍କାତା ଆସିଲେ। ପ୍ରଥମତଃ ମାନଗୋବିନ୍ଦ ଥିଲେ ଓଡ଼ିଶାର ଅଧିବାସୀ ଏବଂ ଦ୍ବିତୀୟରେ ତାଙ୍କ ହିନ୍ଦୁ ହୋଟେଲ୍ ସ୍ବାଧୀନତା ସଂଗ୍ରାମୀ ଯୁବପିଢ଼ିର ବସାଉଠାସ୍ଥଳ ହୋଇଥିଲା, ଏହି ସଂଯୋଗରେ ସୁଭାଷ ଚନ୍ଦ୍ର ସେଠାକୁ ଖାଇବାକୁ ଯାଉଥିଲେ। ଏହାଥିଲା ୧୯୧୬ ମସିହାର କଥା। ବର୍ତ୍ତମାନ ଏହି ହୋଟେଲ୍ ଚଳାଉଥିବା ମାନଗୋବିନ୍ଦଙ୍କ ନାତି ଅରୁଣାଂଶୁ ପଣ୍ଡା ନେତାଜୀଙ୍କ ସ୍ମୃତିଚାରଣ କରି କହନ୍ତି, ‘‘ମୁଁ ଜେଜେଙ୍କଠାରୁ ଶୁଣିଛି, ସୁଭାଷ ବୋଷ ଛାତ୍ରାବସ୍ଥାରୁ ନିୟମିତ ହୋଟେଲ୍କୁ ଅାସୁଥିଲେ। ସେ କଲିକତା ମୁନିସ୍ପାଲ୍ କର୍ପୋରେସନ୍ର ମେୟର ଥିବାବେଳେ ବି ଯିବାଆସିବା ଜାରି ରଖିଥିଲେ। ଆମ ହୋଟେଲ୍ର ପୋଇ ଚଡ଼ଚଡ଼ି ଓ ମୁଢ଼ିଘାଣ୍ଟ ତାଙ୍କର ଖୁବ୍ ପ୍ରିୟ ଥିଲା। ଯେହେତୁ ସେ ଥିଲେ କଟକର ଲୋକ, ସେ ଆସିଲେ ପ୍ରତିଥର ଜଜେ ନିଜେ ତାଙ୍କୁ ଖାଦ୍ୟ ପରଷୁଥିଲେ।’’ ସେତିକିରେ କଥା ସରି ନ ଥିଲା। ଜାତୀୟସ୍ତରରେ ପ୍ରସିଦ୍ଧ ହେବାପରେ ମଧ୍ୟ ନେତାଜୀ ଥରେ ଦେଶବନ୍ଧୁ ଚିତ୍ତରଞ୍ଜନଙ୍କୁ ସାଥିରେ ଧରି ସେଠାକୁ ଖାଇବାକୁ ଆସିଥିଲେ।’’
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉଦ୍ଦେଶ୍ୟରେ ପାଳନ ହୋଇଥିବା ଆଜାଦୀକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ୱେବ୍ସାଇଟ୍ରେ ଏହି ହୋଟେଲ୍ ସଂପର୍କରେ ଉଲ୍ଲେଖ କରାଯାଇଛି। ପ୍ରଦତ୍ତ ସୂଚନା ଅନୁସାରେ, ୧୯୩୦ ମସିହାରେ ନେତାଜୀ ତାଙ୍କ ଅନୁଗାମୀ ସ୍ବାଧୀନତା ସଂଗ୍ରାମୀଙ୍କ ସହ ମାନଗୋବିନ୍ଦଙ୍କ ହୋଟେଲ୍କୁ ଯିବା ସମୟରେ ‘ଜୟହିନ୍ଦ୍’ ଓ ‘ବନ୍ଦେ ମାତରଂ’ ନାରା ଦେଉଥିଲେ। ଆଉ ମାନଗୋବିନ୍ଦ ବି ଏହି ନାରାବାଜିରେ ସାମିଲ୍ ହେଉଥିଲେ। ୧୯୪୩ରେ ବଙ୍ଗରେ ଦେଖାଦେଇଥିବା ଦୁର୍ଭିକ୍ଷ ସମୟରେ ମାନଗୋବିନ୍ଦ ବେଶ୍ କିଛି ଦିନ ଧରି ମାଗଣାରେ ଶହ ଶହ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲେ।
ସ୍ବାଧୀନତା ସଂଗ୍ରାମ ସହ ହୋଟେଲ୍ର ସଂପର୍କ ବଖାଣି ଅରୁଣାଂଶୁ କହନ୍ତି, ‘‘ମୋ ଜେଜେ ସବୁବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ସାହାଯ୍ୟ କରୁଥିଲେ। ସ୍ବାଧୀନତା ସଂଗ୍ରାମୀ ଥିବା ଜାଣି ଦିନେ ପୁଲିସ ହୋଟେଲ୍ରେ ଚଢ଼ଉ କଲା। ମାନଗୋବିନ୍ଦ ଦୁଆରମୁହଁରେ ଠିଆ ହୋଇ ପୁଲିସକୁ ଅଟକାଇ ମାଡ଼ ଖାଇଲେ। କିନ୍ତୁ, ହୋଟେଲ୍ ପଛ ବାଟେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଖସି ପଳାଇବା ପାଇଁ ଅବସର ଦେଲେ। ଥରେ କି, ଦୁଇଥର ନୁହେଁ, ମାନଗୋବିନ୍ଦଙ୍କ ହୋଟେଲ୍ରେ ଏମିତି ଘଟଣା ବହୁଥର ଘଟିଥିଲା।’’ ଶେଷରେ ଭାରତ ସ୍ବାଧୀନ ହେବା ଘୋଷଣା ପରେ ୧୯୪୭ ମସିହା ଅଗଷ୍ଟ ୧୪ ରାତିରେ କଲେଜ୍ ଷ୍ଟ୍ରିଟ୍ ଆଲୋକରେ ଉଦ୍ଭାସିତ ହେଲା। ଚାରିଆଡ଼ ଉତ୍ସବମୁଖର। ହୋଟେଲ୍ର ନିୟମିତ ଗରାଖ ଥିବା ସ୍ବାଧୀନତା ସଂଗ୍ରାମୀମାନେ ହୋଟେଲ୍କୁ ଖାଇବାକୁ ଆସି ମାନଗୋବିନ୍ଦ ପଣ୍ଡାଙ୍କୁ କହିଲେ୍, ଆଜିଠୁ ତୁମ ହୋଟେଲ୍ ଆଉ ‘ହିନ୍ଦୁ ହୋଟେଲ୍’ ହୋଇ ରହିବ ନାହିଁ। ତା’ ନାଁ ହେବ ‘ସ୍ବାଧୀନ ଭାରତ ହିନ୍ଦୁ ହୋଟେଲ୍’। ସେବେଠାରୁ ଏଇ ନାଁ’ରେ ହୋଟେଲ୍ ଚାଲିଛି। ସମୟକୁ ଚାହିଁ ମେନ୍ୟୁ ବଦଳୁଛି ସତ କିନ୍ତୁ, ସ୍ବାଦ ଓ ଗୁଣମାନ ଅପରିବର୍ତ୍ତିତ ରହିଛି।