ଭି. ଅନନ୍ତ ନାଗେଶ୍ୱରନ୍
ସତତ ବିକାଶ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅପରିହାର୍ଯ୍ୟ। ଏହି କାରଣରୁ, ୨୦୩୦ ସୁଦ୍ଧା ପୂରଣ କରାଯିବାକୁ ଥିବା ମିଳିତ ଜାତିସଂଘର ସତତ ବିକାଶ ଲକ୍ଷ୍ୟ ମଧ୍ୟରୁ ସାତଟିରେ ଏହାକୁ ବିଶ୍ୱସ୍ତରୀୟ ସମାବେଶୀ ଅଭିବୃଦ୍ଧିର ମୁଖ୍ୟ କାରକ ଭାବେ ଚିହ୍ନଟ କରାଯାଇଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଥମ ଏବଂ ମୂଳ ପଦକ୍ଷେପ ହେଉଛି ବ୍ୟାଙ୍କ ଖାତା ନଥିବା ଲୋକମାନଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହ ଯୋଡ଼ିବା, କାରଣ ବ୍ୟାଙ୍କ ଖାତା ସମସ୍ତ ଆର୍ଥିକ ସେବାକୁ ପ୍ରବେଶ କରିବାର ପ୍ରଥମ ଦ୍ୱାର ଅଟେ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହାସଲ ପାଇଁ, ଐତିହାସିକ ଭାବରେ ବଞ୍ଚିତ ଲୋକଙ୍କ ନିକଟକୁ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବା ନିମନ୍ତେ ସୁଚିନ୍ତିତ ଏବଂ ସଂରଚିତ ନୀତିଗତ-ହସ୍ତକ୍ଷେପ ଆବଶ୍ୟକ। ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଅଭିଭାଷଣ ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ରେ ଘୋଷିତ ହୋଇଥିଲା। ଘୋଷଣାର ମାତ୍ର କିଛିଦିନ ମଧ୍ୟରେ ୨୮ ଅଗଷ୍ଟ ୨୦୧୪ରେ ‘ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ମିସନ’ ଅଧୀନରେ ଏହି ଯୋଜନାକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟାନ୍ୱୟନ କରାଯାଇଥିଲା। ମିସନର ଦୃଷ୍ଟିକୋଣକୁ ଏହାର ସ୍ଲୋଗାନରେ ହିଁ ସାମିଲ କରାଯାଇଥିଲା। ଏହା ହେଉଛି “ମେରା ଖାତା, ଭାଗ୍ୟ ବିଧାତା” ଅର୍ଥାତ୍‍ ମୋ ଖାତା ହେଉଛି, ଭାଗ୍ୟ ନିର୍ମାତା। ଏହା ଗରିବ ଏବଂ ଐତିହାସିକ ଭାବରେ ପଛୁଆ ଲୋକଙ୍କୁ ଅର୍ଥନୈତିକ ମୁଖ୍ୟଧାରାକୁ ଆଣିବାକୁ ଚେଷ୍ଟା କରିଛି, ଆନୁଷ୍ଠାନିକ ଭାବେ ସେମାନଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ପ୍ରବେଶ ପାଇଁ ସକ୍ଷମ କରିଛି। ଏହାଦ୍ୱାରା ସେମାନେ ଯେ, ଭାରତର ଅଭିବୃଦ୍ଧି କାହାଣୀର ଅଂଶୀଦାର ଏବଂ ଲାଭାର୍ଥୀ ତାହା ନିଶ୍ଚିତ ହୋଇଛି। 

Advertisment

କୌଣସି ବ୍ୟାଙ୍କରେ ଜନଧନ ଖାତା ଖୋଲିବା ପାଇଁ ହିତାଧିକାରୀମାନଙ୍କୁ ସର୍ବନିମ୍ନ ଦସ୍ତା‌ବେଜ ଦେବାକୁ ପଡ଼େ ଏବଂ ପ୍ରାରମ୍ଭିକ ଜମାରାଶିର କୌଣସି ଆବଶ୍ୟକତା ନଥାଏ। ଏହା ଶୂନ୍ୟ-ବାଲାନ୍ସ ଏବଂ ଶୂନ୍ୟ-ଚାର୍ଜ ବିଶିଷ୍ଟ ଖାତା ଅଟେ। ଖାତା ଖୋଲିବା ପ୍ରକ୍ରିୟା ପାଇଁ କେଵାଇସି/ଇ-କେଵାଇସିକୁ ଅତ୍ୟନ୍ତ ସରଳୀକୃତ କରାଯାଇଛି। ଏହି ଖାତାଧାରୀମାନେ ଖାତା ଖୋଲିବା ମାତ୍ରକେ ମାଗଣାରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସହିତ ‘ରୁପେ ଡେବିଟ୍’ କାର୍ଡ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ‘ଓଭରଡ୍ରାଫ୍‌ଟ’ର ସୁବିଧା ଭଳି ଅତିରିକ୍ତ ସୁବିଧା ପାଇପାରୁଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଶୁଭାରମ୍ଭ ହେବା ପରଠାରୁ ଅଭୂତପୂର୍ବ ସଫଳତା ହାସଲ କରିଛି। ୨୦୨୪ ‘ଇକୋନୋମିକ୍ ଆଣ୍ଡ୍‌ ପଲିଟିକାଲ୍ ୱିକ୍‌ଲି’ ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ “ଭାରତର ବ୍ୟାଙ୍କ୍ ଖାତାଧାରୀଙ୍କ ସଂଖ୍ୟାରେ ୨୦୧୪ରୁ ୨୦୧୭ ମଧ୍ୟରେ ୨୬ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏଥିପାଇଁ ବିଶ୍ୱର ସର୍ବବୃହତ୍‌ ଆର୍ଥିକ ଅନ୍ତର୍ଭୁକ୍ତୀ ଅଭିଯାନ- ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଶ୍ରେୟ ଦିଆଯାଇପାରେ। ଏହା ବିଶ୍ୱର ହାରାହାରି ବ୍ୟାଙ୍କ ଆକାଉଣ୍ଟ ଅଭିବୃଦ୍ଧି (୬.୫୭) ତୁଳନାରେ ପ୍ରାୟ ଚାରି ଗୁଣ ଅଧିକ ଏବଂ ସେହି ସମୟ ମଧ୍ୟରେ ବିକାଶଶୀଳ ଦେଶଗୁଡ଼ିକରେ ଖୋଲାଯାଇଥିବା ବ୍ୟାଙ୍କ ଖାତା (୭.୨୭) ତୁଳନାରେ ତିନି ଗୁଣ ଅଧିକ।” ୮ ଅଗଷ୍ଟ ୨୦୨୫ ସୁଦ୍ଧା, ୫୬ କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଖୋଲାଯାଇଛି, ଯାହା ମଧ୍ୟରୁ ପ୍ରାୟ ୬୭% ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ଅବସ୍ଥିତ ବ୍ୟାଙ୍କ ଶାଖାଗୁଡ଼ିକରେ ରହିଛି। ଏହି ଯୋଜନା ଲିଙ୍ଗଗତ ବୈଷମ୍ୟକୁ ମଧ୍ୟ ସ୍ପଷ୍ଟ ଭାବରେ ଦୂର କରିଛି, ୫୫%ରୁ ଅଧିକ ଜନଧନ ଖାତା - ୩୧ କୋଟିରୁ ଅଧିକ - ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହା ବ୍ୟତୀତ, ଜନଧନ ଆକାଉଣ୍ଟ ସାମାଜିକ ସୁରକ୍ଷା ପଞ୍ଜୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବାହକ ପାଲଟିଛି। ନିକଟରେ ସଂସଦରେ ଉପସ୍ଥାପିତ ତଥ୍ୟ ଦର୍ଶାଉଛି ଯେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଥିବା ସମସ୍ତ ପଞ୍ଜୀକରଣର ପ୍ରାୟ ଏକ-ତୃତୀୟାଂଶ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସହିତ ସମ୍ପୃକ୍ତ। 

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଭାରତର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ଆଧାର ସ୍ତମ୍ଭ ଭାବେ ସ୍ଥାପିତ ହୋଇଛି। ପେମେଣ୍ଟ ସେବାର ପ୍ରବେଶକୁ ଲୋକତନ୍ତ୍ରୀକୃତ କରି, ଏହା ଲକ୍ଷ ଲକ୍ଷ ନାଗରିକଙ୍କୁ ଡିଜିଟାଲ ଅର୍ଥନୀତିରେ ସହଭାଗୀ ହେବାକୁ ସକ୍ଷମ କରିଛି। ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି)ର ସଫଳତାକୁ ଦେଖିଲେ, ଏହି ଯୋଜନା ସ୍ୱଚ୍ଛତା ବୃଦ୍ଧି କରିଛି, କଲ୍ୟାଣ ପ୍ରଦାନ କ୍ଷେତ୍ରରେ ବାଟମାରଣା ହ୍ରାସ କରିଛି ଏବଂ ସରକାରୀ ଯୋଜନାଗୁଡ଼ିକରେ ବିଶ୍ୱାସକୁ ସୁଦୃଢ଼ କରିଛି। ଆଧାର ଏବଂ ମୋବାଇଲ୍ ସଂଯୋଗ ସହିତ, ଜନଧନ-ଆଧାର-ମୋବାଇଲ୍ (ଜେଏଏମ୍‍) ଟ୍ରିନିଟି ସମଗ୍ର ଭାରତରେ ଡିଜିଟାଲ କାରବାରକୁ ବ୍ୟାପକ କରିବାରେ ସହାୟକ ହୋଇଛି। ଜନଧନ ଆକାଉଣ୍ଟ ଏବଂ ୟୁନିଫାଏଡ୍ ପେମେଣ୍ଟ୍‌ସ ଇଣ୍ଟରଫେସ୍ (ୟୁପିଆଇ) ମଧ୍ୟରେ ସମନ୍ୱୟ ଅନୌପଚାରିକ କ୍ଷେତ୍ର ମଧ୍ୟରେ କ୍ଷୁଦ୍ର ଏବଂ ନାମମାତ୍ର ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ପରିଚାଳନା ପାଇଁ ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାରେ ପ୍ରବେଶ ଦେଇ ସଶକ୍ତ କରିଛି। ସଦ୍ୟତମ ଏନ୍‍ପିସିଆଇ ତଥ୍ୟ ଦର୍ଶାଉଛି ଯେ, ପରିମାଣ ଅନୁସାରେ ସମସ୍ତ ୟୁପିଆଇ କାରବାରର ପ୍ରାୟ ଅଧା ଖାଦ୍ୟ ଏବଂ ତେଜରାତି ସାମଗ୍ରୀ ବର୍ଗରେ ହୋଇଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ୍ ପେମେଣ୍ଟକୁ ଏକାଠି କରି ମୁଖ୍ୟତଃ କ୍ଷୁଦ୍ର-ଉଦ୍ୟୋଗୀମାନଙ୍କ ଦ୍ୱାରା ପରିପୁଷ୍ଟ ଏହି କ୍ଷେତ୍ର ତୃଣମୂଳ ସ୍ତରରେ ଦୈନନ୍ଦିନ କାରବାର ଢାଞ୍ଚାକୁ ପରିବର୍ତ୍ତନ କରିଛି।

ଏହାର ପ୍ରଭାବ କେବଳ ଲୋକଙ୍କ ପାଖରେ ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ପହଞ୍ଚକୁ ଉନ୍ମୁକ୍ତ କରିଛି ତାହା ନୁହେଁ, ଏହାର ଊର୍ଦ୍ଧ୍ୱକୁ ଯାଇ ଏ ବ୍ୟବସ୍ଥା ଅନେକ ସକାରାତ୍ମକ ଦିଗ ସୃଷ୍ଟି କରିଛି। ୨୦୨୨ର ଏକ ଅଧ୍ୟୟନ, ‘ଗ୍ରାମୀଣ ଭାରତରେ ବ୍ୟାଙ୍କିଙ୍ଗ୍‌, ସଞ୍ଚୟ ଏବଂ ଖର୍ଚ୍ଚ ସୁଗମତା’ ଅନୁସାରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ପହଞ୍ଚ ଦ୍ୱାରା ସଞ୍ଚୟ ପ୍ରତିବନ୍ଧକ ଦୂର ହୋଇ ବ୍ୟବହାର ସୁଗମତାରେ ଉନ୍ନତି ଆସିଛି। ଗରିବଙ୍କ ପାଇଁ ଋଣ ପ୍ରତିବନ୍ଧକ ପରି ସଞ୍ଚୟ ପ୍ରତିବନ୍ଧକ ଏକ ଉଲ୍ଲେଖନୀୟ ସମସ୍ୟା ବୋଲି ଏଥିରେ କୁହାଯାଇଛି। ସେହିପରି, ୨୦୨୧ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗବେଷଣା ରିପୋର୍ଟରେ ପର୍ଯ୍ୟବେକ୍ଷଣ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ଖାତାରେ ଥିବା ସଞ୍ଚିତ ରାଶିରେ ବୃଦ୍ଧି ସମାଜରେ ଅପରାଧ ହାର ହ୍ରାସ ସହିତ ଜଡ଼ିତ ଥିଲା, ଏବଂ ଅଧିକ ଆକାଉଣ୍ଟ ପହଞ୍ଚ ଥିବା ରାଜ୍ୟଗୁଡ଼ିକରେ ମଦ୍ୟପାନ ଏବଂ ତମାଖୁ ଭଳି ନିଶାଦ୍ରବ୍ୟର ବ୍ୟବହାରରେ ପରିସଂଖ୍ୟାନଗତ ଭାବରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହୋଇଥିଲା। 

ବ୍ୟାଙ୍କିଙ୍ଗ୍‌ ସେବାଗୁଡ଼ିକ ବର୍ତ୍ତମାନ ପ୍ରାୟ ସମସ୍ତଙ୍କ ପାଖରେ ପହଞ୍ଚିଛି। ଏବେ ଆହ୍ୱାନ ହେଉଛି ଏହି ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆହୁରି ସୁଦୃଢ଼ କରିବା। ଉତ୍ସାହଜନକ ଭାବରେ, ରିଜର୍ଭ ବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତୀ ସୂଚକାଙ୍କ ଏହି ଦିଗରେ ସ୍ଥିର ପ୍ରଗତିକୁ ପ୍ରତିଫଳିତ କରେ। ଏହି ଯୋଜନା ରୂପାୟନ ହେବା ଦିନଠାରୁ ଆର୍ଥିକ ଅନ୍ତର୍ଭୁକ୍ତୀର ତିନିଟି ଦିଗ ଯେମିତି ପହଞ୍ଚ (୩୫%), ବ୍ୟବହାର (୪୫%) ଏବଂ ଗୁଣବତ୍ତା (୨୦%) ନିରନ୍ତର ଭାବେ ଉନ୍ନତି କରି ଚାଲିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି ସୂଚକାଙ୍କ ୬୭.୦ରେ ପହଞ୍ଚିଛି। ଏହି ସ୍କେଲ୍‌ରେ ଶୂନ(୦) ସମ୍ପୂର୍ଣ୍ଣ ବହିର୍ଭୁକ୍ତୀ ଏବଂ ୧୦୦ ଶତ ପ୍ରତିଶତ ଅନ୍ତର୍ଭୁକ୍ତୀକୁ ପ୍ରତିନିଧିତ୍ୱ କରେ। ଏଥିରେ ଭାରତର ସ୍ଥିର ଊର୍ଦ୍ଧ୍ୱଗାମୀ ଗତିପଥ ଦେଶବ୍ୟାପୀ ଆର୍ଥିକ ଅନ୍ତର୍ଭୁକ୍ତୀର ଦୃଢ଼ତା ଓ ପ୍ରସାରଣକୁ ସୂଚାଉଛି। ବ୍ୟାଙ୍କିଙ୍ଗ୍‌ ସୁବିଧାରୁ ବଞ୍ଚିତ ଲୋକଙ୍କୁ ଅର୍ଥନୈତିକ ମୁଖ୍ୟଧାରାରେ ପରିଚିତ କରାଇବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତା ଏକକାଳିକ ସଫଳତା ନୁହେଁ, ବରଂ ଗଭୀର ଆର୍ଥିକ ଅନ୍ତର୍ଭୁକ୍ତୀ ଏବଂ ଜୀବନ, ଜୀବିକା ଏବଂ ସହଭାଗୀ ସମୃଦ୍ଧିର ପଥକୁ ପ୍ରକୃତରେ ପରିବର୍ତ୍ତନ କରିପାରୁଥିବା ଦୀର୍ଘ ଯାତ୍ରାର ଏକ ପାହାଚକୁ ଉନ୍ମୁକ୍ତ କରିଥାଏ।
(ଲେଖକ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା)