ମୁମ୍ବାଇ: ମହାରାଷ୍ଟ୍ରର ଜାଲ୍‌ନା ଜିଳ୍ଳାରେ ଆୟକର ବିଭାଗ ଚଢ଼ାଉ କରି ଯେଉଁ ଭଳି ଭାବେ  ୩୯୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି ତାହା କୌଣସି ସିନେମା କାହାଣୀଠାରୁ କମ୍‌ ନୁହେଁ। ଏହି ଚଢ଼ାଉ ପାଇଁ ସମସ୍ତ ଅଧିକାରୀ ବରଯାତ୍ରୀ ବେଶରେ ଆସିବା ଘଟଣା ଏବେ ପୂରା ଦେଶରେ ଚର୍ଚ୍ଚା ପାଲଟିଛି। ଏହି ଚଢ଼ାଉ ପାଇଁ ପୂର୍ବରୁ ବିଧିବଦ୍ଧ ଭାବେ ଯୋଜନା କରାଯାଇଥିଲା।

Advertisment

ଆୟକର କର୍ମଚାରୀମାନେ ନିଜକୁ ବରଯାତ୍ରୀର ପରିଚୟ ଦେଇ ୧୨୦ଟି କାର୍‌ରେ ଆସି ଚଢ଼ାଉ କରିଥିଲେ। ସେମାନେ ଆସିଥିବା କାର୍‌ରେ ‘ଦୁଲ୍‌ହନ ହମ୍‌ ଲେ ଯାଏଗେଁ’ ଷ୍ଟିକର୍‌ ଲାଗିଥିଲା। କେବଳ ଏତିକି ନୁହେଁ, ଅନ୍ୟ ଏକ ପୋଷ୍ଟ୍‌ରରେ ‘ରାହୁଲ ୱେଡ୍‌ସ ଅଞ୍ଜଳୀ’ ବି ଲେଖାଥିବା ଦେଖିବାକୁ ମିଳିଥିଲା।

କଳାଧନ ଉପରେ ଆୟକର ବିଭାଗ ଅଗଷ୍ଟ ପ୍ରଥମ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରି ଦେଇଥିବା ବେଳେ ଆୟକର ବିଭାଗର ନାସିକ ଶାଖା ପକ୍ଷରୁ ଜାଲ୍‌ନା ଓ ଔରଙ୍ଗାବାଦ ସହରରେ କପଡ଼ା ବ୍ୟବସାୟୀ, ରିଅଲ ଇଷ୍ଟେଟ ମାଲିକ ଏବଂ ଇସ୍ପାତ କମ୍ପାନି ଉପରେ ବଡ଼ ଧରଣର ଚଢ଼ଉ କରିଛି।

ଚଳିତମାସ ୧ ତାରିଖରୁ ୮ ତାରିଖ ମଧ୍ୟରେ ହୋଇଥିବା ଏହି ଚଢ଼ଉରେ ମୋଟ ୩୯୦ କୋଟି ଟଙ୍କାର ସଂପତ୍ତି ଜବତ ହୋଇଛି। ଏଥିରେ ନଗଦ ୫୮ କୋଟି ଟଙ୍କା ସହିତ ୩୨ କେଜି ସୁନା ଜବତ ହୋଇଛି। ଜବତ ଟଙ୍କାକୁ ଆୟକର ବିଭାଗର ଅଧିକାରୀମାନେ ନିକଟସ୍ଥ ବ୍ୟାଙ୍କକୁ ନେଇ ଗଣିଥିଲେ। ଏହି ଟଙ୍କା ସକାଳ ୧୧ଟାରୁ ଗଣା ଆରମ୍ଭ ହୋଇ ରାତି ୧ଟାରେ ସରିଥିଲା। ଟଙ୍କା ଗଣିବା ପାଇଁ ପ୍ରାୟ ୧୩ ଘଣ୍ଟା ସମୟ ଲାଗିଥିଲା। ଆୟକର ବିଭାଗର ୨୬୦ ଜଣ ଅଧିକାରୀ ଓ କର୍ମଚାରୀ ୫ଟି ଟିମ୍‌ରେ ବିଭକ୍ତ ହୋଇ ଉକ୍ତ ଚଢ଼ଉ କରିଥିଲେ।