ପ୍ରଜନନକ୍ଷମ ବୟସର ମହିଳାମାନଙ୍କ ମଧ୍ୟରେ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ (ପିସିଓଏସ୍‌) ଏକ ସାଧାରଣ ହର୍‌ମୋନ୍‌ଜନିତ ବ୍ୟାଧି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଅନିୟମିତ ଋତୁଚକ୍ର, ଅଧିକ ଆଣ୍ଡ୍ରୋଜେନ୍ ହରମୋନ୍‌ ସ୍ତର ଏବଂ ଡିମ୍ବାଶୟରେ ଏକାଧିକ ସିଷ୍ଟ ହେଉଛି ପିସିଓଏସ୍‌ର ଅନେକ ଲକ୍ଷଣ ମଧ୍ୟରୁ କେତେଟି। ଏହା ମଧୁମେହ, ହୃଦ୍‌ରୋଗ ଓ ଏଣ୍ଡୋମେଟ୍ରିଆଲ୍ କର୍କଟ ଭଳି ଦୀର୍ଘକାଳୀନ ବ୍ୟାଧି ସହିତ ମଧ୍ୟ ଜଡ଼ିତ। ପୂର୍ବରୁ ଏହା ବୟସ୍କ ମହିଳାମାନଙ୍କଠାରେ ଦେଖାଯାଉଥିଲା। ଏବେ ୧୦ ବର୍ଷ ବୟସର ଝିଅମାନେ ବି ପିସିଓଏସ୍‌ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଆଧୁନିକ ଜୀବନଶୈଳୀ ହିଁ ଦାୟୀ। 

Advertisment

 ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଅତ୍ୟଧିକ ଚାପ ଓ ଉତ୍ତେଜନା ଆଣିଥାଏ, ଏହା ରକ୍ତ ଶର୍କରା ନିୟନ୍ତ୍ରକ କର୍ଟିସୋଲ୍ ସ୍ତର ବୃଦ୍ଧି ସହ ହରମୋନ୍ ଅସନ୍ତୁଳନ ସୃଷ୍ଟି କରି ପିସିଓଏସ୍‌ ଆଶଙ୍କା ବଢ଼ାଏ।

ଆଜିର ଡିଜିଟାଲ୍ ଯୁଗରେ ଅତିରିକ୍ତ ମାନସିକ ଚାପ, ବିଶୃଙ୍ଖଳିତ ନିଦ୍ରାଚକ୍ର ଓ ବର୍ଦ୍ଧିତ ଶାରୀରିକ ନିଷ୍କ୍ରିୟତା ହର୍‌ମୋନ୍ ଅସନ୍ତୁଳନର ପ୍ରମୁଖ କାରଣ ପାଲଟିଛି। ସାମାଜିକ ଗଣମାଧ୍ୟମ ଓ ପ୍ରଯୁକ୍ତିବିଦ୍ୟାଜନିତ ଜୀବନଶୈଳୀ ପରିବର୍ତ୍ତନଗୁଡ଼ିକ ଏଭଳି ସ୍ୱାସ୍ଥ୍ୟ ସଂକଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। କିଶୋରକିଶୋରୀମାନେ ସାମାଜିକ ଗଣମାଧ୍ୟମରେ ରହିବା ଲାଗି ଘଣ୍ଟା ଘଣ୍ଟା ଧରି ମୋବାଇଲ୍‌ ସ୍କ୍ରିନ୍‌ରେ ମନୋନିବେଶ କରୁଛନ୍ତି। ସ୍କ୍ରିନ୍‌ ଟାଇମ୍‌ ବୃଦ୍ଧି ସୂକ୍ଷ୍ମଚାପ ଚକ୍ର ଓ ଅତ୍ୟଧିକ ଉତ୍ତେଜନା ଆଣିଥାଏ, ଯାହା ରକ୍ତଶର୍କରା ନିୟନ୍ତ୍ରଣ କରୁଥିବା କର୍ଟିସୋଲ୍ ସ୍ତର ବୃଦ୍ଧି ସହ ହର୍‌ମୋନ୍ ଅସନ୍ତୁଳନ ଘଟାଇ ପିସିଓଏସ୍‌ ଆଶଙ୍କା ବଢ଼ାଏ। ଘଣ୍ଟା ଘଣ୍ଟା ଧରି ସ୍କ୍ରୋଲିଂ କରିବା ମଧ୍ୟ ଶାରୀରିକ ନିଷ୍କ୍ରିୟତାକୁ ପ୍ରୋତ୍ସାହିତ କରେ, ଯାହା ପିସିଓଏସ୍‌ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାରଣ। ଶାରୀରିକ କାର୍ଯ୍ୟକଳାପ ଅଭାବ ଓଜନ ବୃଦ୍ଧି ଓ ଇନ୍‌ସୁଲିନ୍ ପ୍ରତିରୋଧର କାରଣ ହେବା ସହ ପିସିଓଏସ୍‌ ଭଳି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। 

ବିଳମ୍ବିତ ରାତିରେ ସୋସିଆଲ୍‌ ମିଡିଆ ବ୍ୟବହାର ମେଲାଟୋନିନ୍ ହରମୋନ୍‌ କ୍ଷରଣକୁ ପ୍ରଭାବିତ କରେ। ନିଦ୍ରାଚକ୍ରରେ ବ୍ୟାଘାତ  ହର୍‌ମୋନ୍‌କୁ ଅସନ୍ତୁଳନ କରେ। ଏହାର ନିରାକରଣ ଲାଗି  ଦୈନିକ ସାତରୁ ଆଠ ଘଣ୍ଟା ନିଦ୍ରା ଆବଶ୍ୟକ, କିନ୍ତୁ ସୋସିଆଲ୍‌ ମିଡିଆ ଏହି ଗୁରୁତ୍ୱପୂର୍ଣ୍ଣ ବିଶ୍ରାମ ସମୟକୁ ବାଧା ଦିଏ। ବିଭିନ୍ନ ଅନ୍‌ଲାଇନ୍ ଇନ୍‌ଫ୍ଲୁଏନ୍‌ସର୍‌ ଶୀଘ୍ର ଓଜନହ୍ରାସର ପ୍ରତିଶ୍ରୁତି ଦେଇ ବିପଜ୍ଜନକ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିଥାନ୍ତି, ଯାହା ପୁଷ୍ଟିକର ଖାଦ୍ୟର ଅଭାବ ଆଣି ହରମୋନ୍‌ ଅସନ୍ତୁଳନକୁ ଆହୁରି ବଢ଼ାଏ।