ଦେଶର ବିଭିନ୍ନ ଅଞ୍ଚଳରେ ବସନ୍ତ ଋତୁ ଅନୁଭୂତ ହେଉନାହିଁ। ଫେବ୍ରୁଆରି ମାସରୁ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇ ଏପ୍ରିଲ ବେଳକୁ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ତେଣୁ ଭାରତର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତ ସତର୍କ ସୂଚନା ଜାରି ହୋଇସାରିଲାଣି। ଏହି ଅଞ୍ଚଳଗୁଡ଼ିକରେ ହଠାତ୍ ଉତ୍ତାପ ବୃଦ୍ଧି ପାଇ ବସନ୍ତର ନାତିଶୀତୋଷ୍ଣ ପାଗ ପରିବର୍ତ୍ତେ ଗ୍ରୀଷ୍ମକଷ୍ଟ ଅନୁଭୂତ ହେଉଛି। ବସନ୍ତରେ ଏଭଳି ଉତ୍ତାପ ବୃଦ୍ଧି ଓ ଗ୍ରୀଷ୍ମପ୍ରବାହ ହେତୁ ବନାଗ୍ନି ଆହୁରି ବ୍ୟାପକ ଏବଂ ତୀବ୍ର ହେଉଛି। ଏହାଛଡ଼ା, ହିମବାହ ସବୁ ଶୀଘ୍ର ତରଳି ଯାଉଥିବାରୁ ଜଳାଧାରଗୁଡ଼ିକ ଶୁଖିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗ୍ରୀଷ୍ମର ଶୀଘ୍ର ଆଗମନ ଘଟିବା ଫଳରେ ବିଦ୍ୟୁତ୍ ଉତ୍ପାଦନ ଏବଂ ବ୍ୟବହାର ମଧ୍ୟ ପ୍ରଭାବିତ ହେଉଛି। ଅସହ୍ୟ ଉତ୍ତାପ ଯୋଗୁଁ ଅନେକ ପ୍ରକାରର ବିଳମ୍ବିତ ଶୀତକାଳୀନ ଫସଲ ନଷ୍ଟ ହୋଇଯାଉଥିବାରୁ ନିଅଣ୍ଟିଆ ଉତ୍ପାଦନ ପରିଲକ୍ଷିତ ହେଉଛି। ଗହମ ଉତ୍ପାଦନ ପରିମାଣ ତ ନିଶ୍ଚୟ ହ୍ରାସ ପାଇଛି ଓ ତା’ର ମଧ୍ୟ ପ୍ରଭାବ ସ୍ପଷ୍ଟ ବାରି ହୋଇପଡୁଛି।

Advertisment

ଫେବ୍ରୁଆରି ପ୍ରଥମ ସପ୍ତାହରେ ଉପକୂଳ ଓଡ଼ିଶା, ଗୁଜରାଟ, ଗୋଆ ଏବଂ କର୍ଣ୍ଣାଟକରେ ଅଧିକ ଉତ୍ତାପ ଅନୁଭୂତ ହୋଇଛି। ଏହି ଉତ୍ତାପ ସ୍ୱାଭାବିକ ତାପମାତ୍ରା ଠାରୁ ୫ରୁ ୧୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଅଧିକ ଥିଲା ଏବଂ କ୍ରମଶଃ ବୃଦ୍ଧି ପାଉଥିଲା। ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ, ପଞ୍ଜାବ ଓ ହରିୟାଣାର ଗହମଚାଷ ହେଉଥିବା ଅଞ୍ଚଳର ଉତ୍ତାପ ୨୮ରୁ ୩୩ ଡିଗ୍ରି ସେଣ୍ଟିଗ୍ରେଡ୍‌ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ସ୍ୱାଭାବିକ ତାପମାତ୍ରା ଠାରୁ ଏହା ଯଥେଷ୍ଟ ଉଚ୍ଚରେ। ସମତଳ ଅଞ୍ଚଳରେ ନାମକୁମାତ୍ର ବୃଷ୍ଟିପାତ ହୋଇଛି। ପାର୍ବତ୍ୟ ଅଞ୍ଚଳରେ ତୁଷାରପାତ ମଧ୍ୟ କମ୍ ହୋଇଛି। ଏସବୁ କଥାରୁ ଜଣାପଡୁଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଉଛି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧିଜନିତ ବିପଦ ଆଉ ଆଶ୍ଚର୍ଯ୍ୟଜନକ ଘଟଣା ହୋଇ ରହିନାହିଁ। କଦବା କେମିତି ନ ଘଟି ଏହା ନିୟମିତ ଘଟୁଛି। ତେଣୁ ଏହାର ସମାଧାନ ପାଇଁ ଉଭୟ ସ୍ୱଳ୍ପକାଳୀନ ନୀତି ଏବଂ ଦୀର୍ଘକାଳୀନ ରଣକୌଶଳ ଆପଣାଇବା ଦରକାର।