ଆଜି ସମଗ୍ର ଭାରତବର୍ଷ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛି। ୧୯୪୭ ଅଗଷ୍ଟ ୧୫ ଭାରତ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ରୂପେ ଚିରସ୍ମରଣୀୟ। ବାଳ ଗଙ୍ଗାଧର ତିଳକ, ଲାଲା ଲଜପତ ରାୟ, ବିପିନ୍‌ ବିହାରୀ ପାଲ୍‌, ଭଗତ ସିଂହ, ମହାତ୍ମା ଗାନ୍ଧୀ ଓ ସୁଭାଷଚନ୍ଦ୍ର ବୋଷଙ୍କ ପରି ଅଗଣିତ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ନିଷ୍ଠା ଯୋଗୁଁ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ୨୦୦ ବର୍ଷର ବ୍ରିଟିସ ଉପନିବେଶ ଶାସନରୁ ମୁକ୍ତ ହୋଇଥିଲା ଏବଂ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଦେଶବାସୀଙ୍କୁ ଗର୍ବ ଓ ଦେଶପ୍ରେମର ଭାବନରେ ଭରି ଦେଇଥିଲା।

Advertisment

ଏହା ଭାରତୀୟଙ୍କ ପାଇଁ କେବଳ ଏକ ଜାତୀୟ ଛୁଟିଦିନ ନୁହେଁ, ଏହା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର ଏକ ବିଶେଷ ଦିବସ। ଏହା ଭାରତୀୟ ଏକତାକୁ ନେଇ ଉତ୍ସବ ପାଳନର ଦିନ ମଧ୍ୟ। ପ୍ରତିକୂଳ ପରିସ୍ଥିତିରେ ଭାରତର ସ୍ଥିରତା, ଏକତା ଓ ସାଂସ୍କୃତିକ ବିବିଧତାକୁ ଏହା ମନେ ପକାଇଦେଉଛି। ସ୍ବାଧୀନତା ପରଠାରୁ ହାସଲ କରିଥିବା ଅଗ୍ରଗତି ଓ ଆହ୍ବାନଗୁଡ଼ିକ ପ୍ରତି ସଚେତନ ହେବାର ଏହା ଏକ ଉତ୍କୃଷ୍ଟ ଅବସର। ଚଳିତବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଦେଶ ପ୍ରଥମ, ସର୍ବଦା ପ୍ରଥମ’। ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ବକୁ ବଜାୟ ରଖିବା ଲାଗି ପ୍ରତ୍ୟେକ ଦେଶବାସୀ ଜାତୀୟ ପତାକା ତିୁରଙ୍ଗା ତଳେ ସଂକଳ୍ପ ନେବା ପାଇଁ ଏହି ଦିବସ ଆହ୍ବାନ କରିଥାଏ। ନିଜ ଜୀବନକୁ ବାଜି ଲଗାଇ ଦେଶବାସୀଙ୍କୁ ସ୍ବାଧୀନତାର ସ୍ବାଦ ଚଖେଇଥିବା ସହିଦ ଓ ମନୀଷୀମାନଙ୍କ ପ୍ରତି ତାହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।