ଜି-୨୦ ସମ୍ମିଳନୀ ଅବସରରେ ଭାରତର ରାଷ୍ଟ୍ରପତି ପଠାଇଥିବା ନୈଶଭୋଜି ନିମନ୍ତ୍ରଣ ପତ୍ରରେ ‘ଦ ପ୍ରେସିଡେଣ୍ଟ ଅଫ୍‌ ଭାରତ’ କଥାକୁ ନେଇ ଏବେ ଆରମ୍ଭ ହୋଇଛି ଏକ ବିତର୍କ। ଭାରତର ସମ୍ବିଧାନରେ ‘ଇଣ୍ଡିଆ’ ଓ ‘ଭାରତ’ ଦୁଇଟି ଶବ୍ଦ ଥିବାବେଳେ ଏହି ବିତର୍କ କେଉଁ ପର୍ଯ୍ୟାୟରେ ପହଞ୍ଚିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏ ସମ୍ପର୍କରେ ‘ରବିବାର ଫିଚର୍ସ’ର ସ୍ବତନ୍ତ୍ର ପ୍ରତିବେଦନ।

Advertisment

‌େସଦିନ ଥିଲା ସେପ୍ଟେମ୍ବର ୫ ତାରିଖ। ଦେଶବାସୀଙ୍କ ନଜର ଜି-୨୦ ସମ୍ମିଳନୀ ପ୍ରସ୍ତୁତି ଉପ‌େର ନିବଦ୍ଧ ଥିବାବେଳେ ହଠାତ୍‌ ସାମାଜିକ ଗଣମାଧ୍ୟମରେ ଦୃଷ୍ଟିକୁ ଆସିଲା ରାଷ୍ଟ୍ରପତିଙ୍କ ଏକ ନିମନ୍ତ୍ରଣ ପତ୍ର, ଯାହାକୁ ବିଶିଷ୍ଟ ବ୍ୟକ୍ତି ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନୈଶଭୋଜି ଉଦ୍ଦେଶ୍ୟରେ ପଠାଯାଇଥିଲା। ଏହି ପତ୍ରରେ ଉଲ୍ଲେଖ ରହିଥିବା ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’କୁ ନେଇ ତତ୍‌କ୍ଷଣାତ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ନେତାମାନେ ନିଜନିଜର ପ୍ରତିକ୍ରିୟା ଦେଇଥିଲେ। ଅଭିଯୋଗ କରିଥିଲେ ଯେ, ଦେଶର ସମ୍ବିଧାନରୁ ‘ଇଣ୍ଡିଆ’ ଶବ୍ଦ ଉଠାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଦେଇଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ବିଶେଷକରି, ବିରୋଧୀ ଦଳ ଗଠନ କରିଥିବା ମେଣ୍ଟର ନାମ ‘ଇଣ୍ଡିଆ’ ରଖିବା ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ସରକାର ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କିମ୍ବା ଶାସକ ଦଳ କୌଣସି ଏକ ଆଶଙ୍କା‌େର ରହିଛି। ଯେଉଁଥିପାଇଁ ଏହିଭଳି ଏକ ପଦକ୍ଷେପ ଗ୍ରହଣ କରିଛି। ଅପରପ‌େକ୍ଷ, ଶାସକ ଦଳ ବି କଡ଼ା ଜବାବ ଦେବାକୁ ପଛାଇ ନ ଥିଲା। ଦେଶର ଅସ୍ମିତା ଓ ଉପନିବେଶବାଦ ମାନସିକତା କଥା ଉଠାଇଥିଲା। ଏହାକୁ ଭିତ୍ତିକରି ଏହି ପ୍ରସଙ୍ଗ ଏବେ ବିତର୍କର ବଳୟକୁ ଚାଲି ଆସିଛି। କେବଳ ରାଜନୈତିକ ସ୍ତରରେ ନୁହେଁ, ନିର୍ଦ୍ଦିଷ୍ଟ ମତବାଦରେ ବିଶ୍ବାସ ରଖୁଥିବା ବ୍ୟକ୍ତିବିଶେଷ ବି ଏହାକୁ ନେଇ ଉଭୟ ସପକ୍ଷ ଓ ବିପକ୍ଷ ମତ ପ୍ରଦାନ କରିଥିଲେ। ଯାହାକୁ ନେଇ ଏକ ବିତର୍କର ବାତାବରଣ ସୃଷ୍ଟି ହୋଇଛି ଏବଂ ଏବେ ମଧ୍ୟ ତାହା ବଳବତ୍ତର ରହିଛି।

publive-image

ଏବେ ପ୍ରଶ୍ନଉଠୁଛି , ଜି-୨୦ ନିମନ୍ତ୍ରଣରେ ହଠାତ୍‌ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଗଲା କାହିଁକି? ଏ ସମ୍ପର୍କରେ କିଛି କିଛି ମତ ଏବେ ଗଣମାଧ୍ୟମକୁ ଆସିଛି। ସେମାନଙ୍କ କହିବା କଥା, ଅନେକ ସମୟରେ କେନ୍ଦ୍ର ସରକାର ଏମିତି କିିଛି ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହାକୁ ନେଇ ବିତର୍କ ସୃଷ୍ଟି ହେଉଛି। ବିମୁଦ୍ରାକରଣ ହେଉ କି ଜାମ୍ମୁ-କାଶ୍ମୀର ପାଇଁ ଉଦ୍ଦିଷ୍ଟ ୩୭୦ ଧାରା ଉ‌େଚ୍ଛଦ ହେଉ; ସବୁବେଳେ ହଟଚମଟ ସୃଷ୍ଟିକଲା ଭଳି କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି। ଯେଉଁଥିରୁ ଜନ୍ମ ନେଉଛି ଏହିଭଳି ବିତର୍କ। କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ସୁଦୃଢ଼ ରୁହନ୍ତୁ କି ନରୁହନ୍ତୁ, ବିରୋଧୀ ଦଳ ସମେତ ବିଭିନ୍ନ ସ୍ତରରୁ ବିରୋଧାଭାସ ପ୍ରକଟିତ ହେଉଛି। ଏବେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରକୁ ନେଇ ‘ଭାରତ’ ବନାମ ‘ଇଣ୍ଡିଆ’ ରୂପରେ ସେମିତି ଏକ ବିତର୍କର ବାତାବରଣ ସୃଷ୍ଟି ହୋଇଛି। ଏହି ବତର୍କକୁ ଆହୁରି ବଳ ଦେଇଛି ‘ପ୍ରାଇମ ମିନିଷ୍ଟର ଅଫ୍‌ ଭାରତ’। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରର ଠିକ୍‌ ଗୋଟିଏଦିନ ପରେ ଅର୍ଥାତ୍‌ ୬ ତାରିଖରେ ଏହିଭଳି ଲେଖାଯାଇଥିବା ଏକ ଦସ୍ତାବିଜ୍‌ ସାମ୍‌ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତ ପରିପ୍ରେକ୍ଷୀରେ ଏହି ଦସ୍ତାବିଜ ପ୍ରସ୍ତୁତ କରଯାଇଛି। ଫଳରେ, ଜନସାଧାରଣ ଓ ରାଜନୈତିକ ଦଳ ମଧ୍ୟରେ ଆଶଙ୍କା ବଢ଼ିଯାଇଛି ଯେ ସତକୁ ସତ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରି ‘ଇଣ୍ଡିଆ’ ନାମ ଉଚ୍ଛେଦ କରିବାକୁ ଯାଉଛନ୍ତି। ଦେଶକୁ କେବଳ ‘ଭାରତ’ ନାମରେ ଅଭିହିତ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। କେହିକେହି ବି କହିବାକୁ ପଛାଉ ନାହାନ୍ତି ଯେ ହୁଏତ ଏହି ଉଦ୍ଦେଶ୍ୟ ରଖି ହିଁ କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି।

ସମ‌େସ୍ତ ଜାଣନ୍ତି, ଅାମ ସମ୍ବିଧାନର ୧ ଧାରାରେ ରହିଛି, ‘ଇଣ୍ଡିଆ ଅର୍ଥାତ୍‌ ଭାରତ ରାଜ୍ୟ ଗୁଡ଼ିକର ସଂଘ ହେବ।’ ଅର୍ଥାତ୍‌ ଆମ ସମ୍ବିଧାନ ଉଭୟ ‘ଭାରତ’ ଓ ‘ଇଣ୍ଡିଆ’କୁ ସ୍ବୀକୃତି ପ୍ରଦାନ କରିଛି। ଉଭୟ ‘ଇଣ୍ଡିଆ’ ଓ ‘ଭାରତ’ ହେଉଛି ଦେଶର ମୂଳନାମ। ସେଇଥିପାଇଁ ଆମ ଦେଶ ନିକଟରେ ଉଭୟ ନାମର ବ୍ୟବହାର କରଯାଉଛି। ବିଶେଷକରି, ‘ଇଂରାଜୀ’ ଭାଷାରେ ‘ଇଣ୍ଡିଆ’ ଶବ୍ଦ ବ୍ୟବହୃତ ହେଉଥିବା ବେଳେ ହିନ୍ଦୀ କିମ୍ବା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ‘ଭାରତ’‌ ବୋଲି ବ୍ୟବହାର କରାଯାଉଛି। ଯେ କେହି ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବାରେ କିମ୍ବା ‘ଭାରତ’ ବଦଳରେ ‘ଇଣ୍ଡିଆ’ ଲେଖିବାରେ କୌଣସି ଅଯୌକ୍ତିକତା ନାହିଁ। ଏହାସ‌େତ୍ତ୍ବ ବି ଏହି ଦୁଇଟି ନାମକୁ ନେଇ ଦୁଇ ପ୍ରକାରର ମତ ସାମ୍‌ନାକୁ ଆସୁଛି, ବିଶେଷକରି ରାଜନୈତିକ କ୍ଷେତ୍ରରେ। ‌ଏହାପୂର୍ବରୁ ବି ରାଜନୈତିକ କ୍ଷେତ୍ରରେ ‘ଇଣ୍ଡିଆ’ ବନାମ ‘ଭାରତ’କୁ ନେଇ ବିତର୍କ ସୃଷ୍ଟି ହେବାର ନଜିର୍‌ ରହିଛି। ଏପରିକି, ଏହି ପ୍ରସଙ୍ଗ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବି ଯାଇଛି। ୨୦୧୬ ମସିହାରେ ‘ଇଣ୍ଡିଆ’ ନାମ ବଦଳାଇ ‘ଭାରତ’ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର୍‌ କରାଯାଇଥିଲା। ମାତ୍ର, ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ ଆବେଦନକାରୀଙ୍କୁ କହିଥିଲେ, ‘ତମେ ଭାରତ ବୋଲି କହିବାକୁ ଚାହୁଁଛ ତ କୁହ। କିଛି ବି ଅସୁବିଧା ନାହିଁ। ଯଦି କେହି ଇଣ୍ଡିଆ ବୋଲି କହୁଛନ୍ତି, ତାଙ୍କୁ ମଧ୍ୟ କହିବାକୁ ଦିଅ।’ ଏହାର ୪ବର୍ଷ ପରେ ସୁପ୍ରିମକୋର୍ଟ ମଧ୍ୟ ସମାନ ପ୍ରକାରର ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ, ନିଜ ମତ‌ରେ କିଛିଟା ପରିବର୍ତ୍ତନ ଆଣି କହିଥିଲେ, ‘ଏହି ଆବେଦନକୁ ରି‌େପ୍ରଜେଣ୍ଟେସନ୍‌ ଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇପାରେ।’

publive-image

ରାଜନୈତିକ ସ୍ତରରେ ମଧ୍ୟ ଅନେକ ସମୟରେ ଏହି ପ୍ରସଙ୍ଗ ଉଠିଛି। ଏହା ପଛରେ ମୂଳ କାରଣ ହେଉଛି ରାଷ୍ଟ୍ରୀୟ ସ୍ବୟଂ ସେବକ (ଆର୍‌ଏସ୍‌ଏସ୍‌)ର ଆଭିମୁଖ୍ୟ। ଦେଶର ନାମ କେବଳ ‘ଭାରତ’ ରଖିବା ପାଇଁ ଆର୍‌ଏସ୍‌ଏସ୍‌ ଦୀର୍ଘବର୍ଷ ଧରି ଦାବି କରିଆସୁଛି। ୨୦୨୨ ମସିହାରେ ଗୁଜୁରାଟ ସାଂସଦ ମିତେଶ ପଟେଲ ବି ଦେଶର ନାମ ‘ଭାରତବର୍ଷ’ କିମ୍ବା ’ଭାରତ’ ରଖିବା ପାଇଁ ଦାବି କରିଥିଲେ। ଏହାପୂର୍ବରୁ, ୨୦୧୪ ମସିହାରେ ତତ୍‌କାଳୀନ ବିଜେପି ସାଂସଦ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକସଭାରେ ନାମ ପରିବର୍ତ୍ତନ ପାଇଁ ଏକ ବିଧେୟକ ଆଣିବାକୁ ଦାବି କରିଥିଲେ। ତେବେ, ସେ ଦାବି କରିଥିଲେ ଯେ ଦେଶର ନାମ ‘ହିନ୍ଦୁସ୍ଥାନ’ ରଖାଯାଉ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ସରକାରର ପ୍ରାରମ୍ଭ କାଳରେ ଏହିଭଳି ବିବାଦକୁ ନେଇ ଏକ ସ୍ପଷ୍ଟ ମତ ରଖିଥିଲେ। ଏ ସମ୍ପର୍କିତ ଦାବିକୁ ବ‌ିରୋଧ କରିବା ସହିତ କହିଥିଲେ, ସମ୍ବିଧାନର ଚିଠା ପ୍ରସ୍ତୁତି ସମୟରେ ଏ ସମ୍ପର୍କରେ ବହୁବାର ଆଲୋଚନା ହୋଇଥିଲା। ଏହାସ‌େତ୍ତ୍ବ ବି ଏହାର ଠିକ୍‌ ପରେ ପରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ୍‌ ଗସ୍ତ ସମୟରେ ପ୍ରସ୍ତୁତ ସରକାରୀ କାଗଜପତ୍ରରେ ବି ‘ପ୍ରାଇମ ମିନିଷ୍ଟର୍‌ ଅଫ୍‌ ଭାରତ’ ଉଲ୍ଲେଖ କରାଯାଇଥିଲା। ଯଦିଓ, ସେଥିପ୍ରତି କାହାର ନଜର ନଥିଲା। କିମ୍ବା ବର୍ତ୍ତମାନ ଭଳି ଆଦୌ ଚର୍ଚ୍ଚା ପରିସରକୁ ଆସି ନ ଥିଲା।

ପ୍ରଶ୍ନଉଠେ, ଏବେ ଏହି ପ୍ରସଙ୍ଗ ଏତେ ଜୋର୍‌ ଧରିଛି କାହିଁକି? କେନ୍ଦ୍ର ସରକାର କ’ଣ ସତରେ ଦେଶ ସହିତ ସଂଲଗ୍ନ ହୋଇରହିଥିବା ‘ଇଣ୍ଡିଆ’ ଶବ୍ଦ ହଟାଇଦେବା ପାଇଁ ବିଧିବଦ୍ଧ ଉଦ୍ୟମ ଆରମ୍ଭ କରିଛନ୍ତି? ରାଜନୈତିକ ସମୀକ୍ଷକଙ୍କ ମତରେ, ଗତ ଜୁଲାଇ ୧୭ ତାରିଖରେ ବେଙ୍ଗାଲୁରୁଠାରେ ୨୬ଟି ରାଜନୈତିକ ଦଳକୁ ନେଇ ଗଠିତ ମଞ୍ଚର ନାମକରଣ ‘ଇଣ୍ଡିଆ’ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ’ ହେବାପରେ ଏହା ହେଉଛି ବିଜେପିର ନୂଆ ଗୋଟିଚାଳନା। ଆଉ କିଛିମାସ ପରେ ଦେ‌ଶରେ ସାଧାରଣ ନିର୍ବାଚନକୁ ଦୃଷ୍ଟି‌େର ରଖି ଦଳ ଏହିଭଳି ଏକ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି। ବିରୋଧୀ ଦଳଗୁଡ଼ିକର ସମ୍ଭାବ୍ୟ ଫାଇଦା ହାସଲକୁ ଯେନତେନ ପ୍ରକାରେଣ ଅବଦମିତ କରିବା ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହା ହେଉଛି ତାହାର ଆଉ ଏକ ଅଂଶବିଶେଷ। ତେବେ, ଏହି ପ୍ରସଙ୍ଗରେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ସମସ୍ତ ବିରୋଧୀ ଦଳ ଏବଂ ପ୍ରତିକ୍ରିୟା ବ୍ୟକ୍ତକରି ସରକାରଙ୍କୁ ଘେରିଛନ୍ତି। ଭାରତକୁ ବିଭାଜନ କରିବା ଏବଂ ଏହାର ଇତିହାସକୁ ବିକୃତ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରକୁ ପ୍ରଥମେ ସାମାଜିକ ଗଣମାଧ୍ୟମରେ ପୋଷ୍ଟକରି ଏହିଭଳି ପ୍ରତିକ୍ରିୟା ରଖିଥିଲେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟରାମ ରମେଶ। ଯାହାର ପାଲଟା ଜବାବ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡ‌ା। ସେ କହିଥିଲେ, ‘ଦେଶର ଗୌରବ ଓ ସମ୍ମାନ ସମ୍ପର୍କିତ ପ୍ରତ୍ୟେକ ପ୍ରସଙ୍ଗରେ କଂଗ୍ରେସ ଏତେ ପ୍ରତିକ୍ରିୟାଶୀଳ କାହିଁକି?’ ତେବେ, ଶ୍ରୀ ନଡ୍ଡା ସିଧାସଳଖ ‘ଇଣ୍ଡିଆ’ର ଉଚ୍ଛେଦ ସମ୍ଭାବନାକୁ ଖଣ୍ଡନ କରି ନ ଥିବାରୁ ଏହା ବିତର୍କକୁ ଏକ ନୂଆ ବଳ ଦେଇଛି।

ଏହି ବିତର୍କ ସହିତ ଆହୁରି ବି କିଛି ମତବାଦ ସାମ୍‌ନାକୁ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ ‘ଇଣ୍ଡିଆ’ ଓ ‘ଭାରତ’ ସହିତ ଯୋଡ଼ି ହୋଇଯାଇଛି ଧନୀ ଓ ଗରିବ ପ୍ରସଙ୍ଗ। କୁହାଯାଉଛି, ‘ଇଣ୍ଡିଆ’ ହେଉଛି ସହରୀ, ଧନୀ ଓ ସ୍ବଚ୍ଛଳବର୍ଗର ପ୍ରତୀକ। ଅନ୍ୟପକ୍ଷରେ, ‘ଭାରତ’ ଗ୍ରାମୀଣ, ପଛୁଆବର୍ଗ ଓ ଆର୍ଥିକ ଅନଗ୍ରସରତା ପାଇଁ ଉଦ୍ଦିଷ୍ଟ। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗରେ ଆମ ଦେଶର ଭୌଗୋଳିକ ଅବସ୍ଥାନ ବି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଯେମିତିକି, ଉତ୍ତର ଭାରତ ‘ଭାରତ’ ସପକ୍ଷରେ ରହିଥିବା ବେଳେ ଦକ୍ଷିଣ ଭାରତ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ମାନସିକତାରେ ‘ଇଣ୍ଡିଆ’ ରହିଛି। ଏହିଭଳି ତାରତମ୍ୟ ଭିତରେ ଆଉ ଯେଉଁ ପ୍ରସଙ୍ଗ ସାମ୍‌ନାକୁ ଆସିଛି, ତାହା ହେଉଛି ଉପନିବେଶବାଦ। ‘ଇଣ୍ଡିଆ’ ନାମ ସହିତ ଉପନିବେଶବାଦର ସମ୍ପର୍କ ରହିଛି। ଏହି ନାମ ହଟାଇବା ସପକ୍ଷରେ ରହିଥିବା ଦଳ ଓ ବ୍ୟକ୍ତିବିଶେଷଙ୍କ ଯୁକ୍ତି ହେଉଛି, ‘ଇଣ୍ଡିଆ ନାମ ହେଉଛି ବ୍ରିଟିଶ ଉପନିବେଶବାଦର ପ୍ରତୀକ। ଯେପର୍ଯ୍ୟନ୍ତ ଆମ ସହିତ ଇଣ୍ଡିଆ ନାମ ଯୋଡ଼ିହୋଇ ରହିଥିବ ଆମକୁ ମନେପକାଇ ଦେଉଥିବ ‌ଯେ ଆମେ ଦିନେ ବ୍ରିଟିଶଙ୍କ ହାତରେ ଶାସିତ ହୋଇଥିଲୁ।’ ଅପରପେକ୍ଷ, ‘ଭାରତ’ ହେଉଛି ଅାମ ‘ଅସ୍ମିତା’ର ପ୍ରତୀକ। ଏହା ସତ ଯେ, ‘ଇଣ୍ଡିଆ’ ଏବଂ ‘ଭାରତ’କୁ ନେଇ ବିତର୍କ ନୂଆ ନୁହେଁ। ୧୯୪୭ ମସିହା ଡିସେମ୍ବର ୯ ତାରିଖରୁ ‘ସମ୍ବିଧାନ ସଭା’ର ବୈଠକ ଆରମ୍ଭ ହୋଇ ୧୯୪୮ ମସିହା ସେପ୍ଟେମ୍ବର ୧୮ରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୨ବର୍ଷ ୧୧ ମାସ ମଧ୍ୟରେ ଅନୁଷ୍ଠିତ ୧୧ଟି ଅଧିବେଶନ କାଳରେ ଭାରତ ନାମକରଣକୁ ନେଇ ବିତର୍କ ବା ମତଭେଦ ହୋଇଥିବା ଆମ ଇତିହାସ ପୃଷ୍ଠାରେ ଲିପିବଦ୍ଧ ରହିଛି। ସମ୍ବିଧାନର ସଭାର ସଦସ୍ୟ ସେଠ୍‌ ଗୋବିନ୍ଦ ଦାସ, ହରି ବିଷ୍ଣୁ କାମାଥ ଓ ହରଗୋବିନ୍ଦ ପନ୍ତ ପ୍ରମୁଖ ଦେଶର ନାମ ‘ଭାରତ’ ରଖାଯାଉ ବୋଲି ଦାବି କରିଥିଲେ। କୁହାଯାଏ, ୧୯୪୯ ମସିହା ସେପ୍ଟେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ସମୟରେ ବୈଠକ ବସିଥିଲା। ପ୍ରଥମେ ମତ ରଖିଲେ ଏଚ୍‌.ଭି. କାମାଥ। କାମାଥ ଦେଶର ନାମ ‘ଭାରତ’ ରହିବା ସପକ୍ଷରେ ଯୁକ୍ତି ବାଢ଼ିବା ସହିତ କହିବାକୁ ଆରମ୍ଭ କରିଥିଲେ ଯେ, ‘ବୈଦିକ ଯୁଗରେ ଦୁଷ୍ୟନ୍ତ ଓ ଶକୁନ୍ତଳାଙ୍କ ପୁଅ ହେଉଛନ୍ତି ଭରତ...।’ ଏଥିରେ ହସ୍ତକ୍ଷେପ କରି ଡ. ବି ଆର୍‌ ଆମ୍ବେଦକର କହିଥିଲେ, ‘ଏବେ ଏସବୁକୁ ଖୋଜି ବାହାର କରିବାର କ’ଣ ଆବଶ୍ୟକତା ରହିଛି।’ ବ୍ରଜେଶ୍ବର ପ୍ରସାଦ, ମୌଲାନା ହର୍ଷଦ ମୋହାନିଙ୍କ ସହିତ ସେଠ୍‌ ଗୋବିନ୍ଦ ଦାସ ଓ ହରଗୋବିନ୍ଦ ପନ୍ତ ପ୍ରମୁଖ ନିଜ ନିଜର ମତ ରଖିଲେ। ଶେଷରେ ସମ୍ବିଧାନରେ ଉଲ୍ଲେଖ କରାଯାଇଥିଲା, ‘ଇଣ୍ଡିଅ‌ା ଅର୍ଥାତ୍‌ ଭାରତ ରାଜ୍ୟଗୁଡ଼ିକର ସଂଘ ହେବ।’

publive-image

ସେହିସମୟରେ ‘ଇଣ୍ଡିଆ’ର ନାମକରଣକୁ ନେଇ ମୁସ୍‌ଲିମ୍‌ ଲିଗ୍‌ ପକ୍ଷରୁ ଆଉ ଏକ ବିବଦମାନ ପରିସ୍ଥିତି ବି ସୃଷ୍ଟି ହୋଇଥିଲା। ଆମ ଦେଶର ନାମ ‘ଇଣ୍ଡିଆ’ ହେଉ ବୋଲି ମୁସ୍‌ଲିମ୍‌ ଲିଗ୍‌ ଆ‌େଦୗ ଚାହୁଁ ନ ଥିଲା। ସେତେବେଳେ ପାକିସ୍ତାନ ଜନ୍ମଲାଭ କରିସାରିଥିଲା ଏବଂ ଏହା ଯୁକ୍ତି ଦର୍ଶାଇଥିଲେ ଯେ, ଦୁଇଟି ରାଷ୍ଟ୍ର ଜନ୍ମଲାଭ ହେବାପରେ କେହି ଜଣେ ହେଲେ ବି ପୂର୍ବନାମ ଇଣ୍ଡିଅାକୁ କେହି ରଖିବା ଉଚିତ ନୁହେଁ। ବରଂ, ଆମ ଦେଶର ନାମ ହିନ୍ଦୁସ୍ଥାନ କିମ୍ବା ଭାରତ ହେଉ ବୋଲି ପାକିସ୍ତାନ ଚାହିଁଥିଲା। ଅପରପକ୍ଷେ, ଭାରତର ଯୁକ୍ତି ଥିଲା ଯେ ବ୍ରିଟିଶ ଶାସନ ହଟିଯିବା ପରେ ବି ଇଣ୍ଡିଆର ପୂର୍ବର ଜାତିସଂଘ ସଦସ୍ୟତା ବଳବତ୍ତର ରହିଛି। ଏବଂ ପାକିସ୍ତାନ ନୂୂଆ ରାଷ୍ଟ୍ର ଭାବେ ଯୋଗ ଦେଇଛି। ତେଣୁ ଇଣ୍ଡିଅା ନାମକରଣକୁ ନେଇ ପାକିସ୍ତାନ ଆପତ୍ତି ଉଠାଇବା ଉଚିତ ନୁହେଁ।’
ଏହିସବୁଥିରୁ ସ୍ପଷ୍ଟ ଯେ ‘ଇଣ୍ଡିଆ’-‘ଭାରତ’କୁ ନେଇ ସେତେବେଳେ ମଧ୍ୟ ବିବାଦ ରହିଥିଲା। ତେବେ, ଆମ ଦେଶର ନାମ କାହିଁକି ଉଭୟ ‘ଇଣ୍ଡିଆ’ ଓ ‘ଭାରତ’ ରହିଛି- ଏଥିସହିତ କିଛି ଐତିହାସିକ କଥାବସ୍ତୁ ଯୋଡ଼ି ହୋଇ ରହିଛି। ଏହିଭଳି ଏକ ସଦ୍ୟ ବିତର୍କିତ ପ୍ରସଙ୍ଗରେ କେତେକ ମନ ମଧ୍ୟରେ ଆହୁରି ବି କେତେକ ପ୍ରଶ୍ନ ଉଙ୍କି ମାରୁଛି। ଯଦି ବି ଦେଶର ନାମ କେବଳ ‘ଭାରତ’ ରଖାଯିବ ଏବଂ ‘ଇଣ୍ଡିଆ’କୁ ନିଶ୍ଚିହ୍ନ କରାଯିବ ତାହା ଆମ ଐତିହାସିକ ଦିଗକୁ କିଭଳି ପ୍ରଭାବିତ କରିବ? ବିଶେଷକରି, ବିଭିନ୍ନ ସରକାରୀ ଯୋଜନାରେ ‌େଯଉଁ ‘ଇଣ୍ଡିଆ’ ଶବ୍ଦ ରହିଛି ତାହାକୁ କ’ଣ ହଟେଇ ଦିଆଯିବ? ଆମ ଦେଶର ରାଜନୈତିକ ସ୍ଥିତାବସ୍ଥାକୁ ଏହା କିଭଳି ମୋଡ଼ ଦେବ? କେଉଁଟି ଅଧିକ ମାତ୍ରାରେ ପ୍ରକଟିତ ହେବ- ଜାତୀୟ ସ୍ବାର୍ଥ ନା ରାଜନୈତିକ ସ୍ବାର୍ଥ?

ଏବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ସବିଶେଷ ନିଷ୍ପତ୍ତି ଗ୍ରହଣ କରି ନ ଥିବାରୁ ଏହିସବୁ ପ୍ରଶ୍ନାବଳୀର ଏବେ ହୁଏତ କୌଣସି ପ୍ରାସଙ୍ଗିକତା ନ ଥାଇପାରେ। ହେ‌େଲ, କେନ୍ଦ୍ର ସରକାର ଏ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ପ୍ରତିପୋଷଣ ନ କରିବା ଯାଏ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଓ ବିତର୍କିତ ବାତାବରଣ ହୁଏତ ଜାରି ରହିପାରେ। ‌ଏହି ପ୍ରସଙ୍ଗରେ ମିଳିତ ଜାତିସଂଘ ଏକ ଗୁରୁତ୍ବପୂର୍ଣ୍ଣ ମତ ରଖିଛନ୍ତି। କହିଛନ୍ତି ଯେ, ଭାରତ ଏ ସମ୍ପର୍କିତ ପ୍ରକ୍ରିୟା ସମାପନ କଲେ ନୂଆ ନାମକରଣକୁ ସ୍ଥାନିତ କରାଯିବ। ଏବେ ଦେଖିବାକୁ ବାକି ରହିଲା, ଏ‌ହି ପ୍ରସଙ୍ଗ ଆଗକୁ କେଉଁ ମୋଡ଼କୁ ନେଉଛି।