ଦେଶରେ ଘଟିଥିବା ନାରକୀୟ ରାଜନୈତିକ ହିଂସା ମଧ୍ୟରୁ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅନ୍ତର୍ଗତ ସେନ୍‌ବାଡ଼ି ଗଣହତ୍ୟା ଅନ୍ୟତମ। ରାଜନୈତିକ ପ୍ରତିହିଂସା ଯେ ଏତେ ପାଶବିକ ଓ ବର୍ବର ହୋଇପାରେ, ତାହାର ଏକ ନଗ୍ନ ଉଦାହରଣ ଏହି ଗଣହତ୍ୟା। ୧୯୭୦ ମସିହାରେ ପଶ୍ଚିମବଙ୍ଗରେ କ୍ଷମତାସୀନ ସିପିଆଇ(ଏମ୍‌)ର କର୍ମୀମାନେ ଜନୈକ କଂଗ୍ରେସ ସପକ୍ଷବାଦୀଙ୍କ ଘର ଉପରେ ଆକ୍ରମଣ କରି ଯେଉଁ ହତ୍ୟାର ତାଣ୍ଡବ କରିଥିଲେ ତାହା ସେ ସମୟରେ ସମଗ୍ର ଦେଶକୁ ଥରାଇ ଦେଇଥିଲା।

Advertisment

ରାଜନୈତିକ ହିଂସାକାଣ୍ଡ ପାଇଁ କୁଖ୍ୟାତ ପଶ୍ଚିମବଙ୍ଗ ଅପରାଧ ଇତିହାସରେ ଏକ ଅଲିଭା କଳାଦାଗ ହେଉଛି ‘ସେନ୍‌ବାଡ଼ି ଗଣହତ୍ୟା’। ନକ୍ସଲ୍‌ ଆନ୍ଦୋଳନର ଅନ୍ତୁଡ଼ିଶାଳ ପଶ୍ଚିମବଙ୍ଗର ରାଜନୈତିକ ହିଂସାକାଣ୍ଡର ଇତିହାସ ମଧ୍ୟ ସୁଦୀର୍ଘ। ବର୍ଷ ପରେ ବର୍ଷ ସେ ରାଜ୍ୟରେ ଯେତେ ସବୁ ରାଜନୈତିକ ହତ୍ୟାକାଣ୍ଡ ଘଟିଛି ବୀଭତ୍ସତାରେ ସେ ମଧ୍ୟରୁ କୌଣସିଟି ହୁଏତ ସେନ୍‌ବାଡ଼ି ହତ୍ୟାକାଣ୍ଡକୁ ବଳିଯିବ ନାହିଁ...!

ପଶ୍ଚିମବଙ୍ଗର ରାଜଧାନୀ କୋଲ୍‌କାତାଠାରୁ ୧୦୧ କିଲୋମିଟର ଦୂରରେ ଅବସ୍ଥିତ ବର୍ଦ୍ଧମାନ ସହରର କେନ୍ଦ୍ରାଞ୍ଚଳରେ ବସବାସ କରୁଥିବା କୁଳୀନ ସେନ୍‌ ପରିବାର ଥିଲା କଂଗ୍ରେସ ପାର୍ଟିର ଦୃଢ଼ ସମର୍ଥକ। ବହୁ ଧମକାଣ ସତ୍ତ୍ବେ ସେନ୍‌ ପରିବାର ଲୋକେ ଶାସନରେ ଥିବା କମ୍ୟୁନିଷ୍ଟ୍‌ ପାର୍ଟିରେ ଯୋଗ ଦେବାକୁ ରାଜି ହେଉ ନ ଥିଲେ। ପରିଶେଷରେ କଂଗ୍ରେସ ପାର୍ଟି ପ୍ରତି ପ୍ରତିବଦ୍ଧତା ପାଇଁ ସେନ୍‌ ପରିବାର ଛାରଖାର ହୋଇଗଲା। ଏ ଘଟଣାକୁ ୫ ଦଶନ୍ଧିରୁ ଅଧିକ ବିତିଗଲାଣି। ଘଟଣାର ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ନିରୁପମ୍ ରାୟର ବି ମୃତ୍ୟୁ ହୋଇଗଲାଣି। ଆଉ କମ୍ୟୁନିଷ୍ଟ୍‌ ଶାସନ ବି ଅପସରିଗଲାଣି, କିନ୍ତୁ ସେନ୍‌ ପରିବାରର ସଦସ୍ୟ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି।

ଷଠିପୂଜାର ଆନନ୍ଦ ବେଳେ ଆତଙ୍କରାଜ
ସେଦିନ ଥିଲା ୧୯୭୦ ମସିହା ମାର୍ଚ ୧୭ ତାରିଖ। ସେନ୍‌ ପରିବାରର ଝିଅ ସ୍ବର୍ଣ୍ଣଲତା ଜୋଶ୍‌ଙ୍କ ପୁଅର ନାମକରଣ ଉତ୍ସବ ଆୟୋଜନ କରାଯାଇଥିବାରୁ ପରିବାର‌ ହୋଇଉଠିଥିଲା ଆନନ୍ଦମୁଖର। କିନ୍ତୁ, ବିଧିର ବିଧାନ ଥିଲା ବିପରୀତ। ଜଣେ ଦୁର୍ବୃତ୍ତର ନେତୃତ୍ବରେ ଦଳେ ଉତ୍ତ୍ୟକ୍ତ ସିପିଆଇ(ଏମ୍‌) କର୍ମୀ ମାରଣାସ୍ତ୍ରରେ ସଜ୍ଜିତ ହୋଇ ସେନ୍‌ ପରିବାର ରହୁଥିବା ଘରେ ଜବରଦସ୍ତି ପଶି ନିଆଁ ଲଗାଇଦେଲେ। ପରିବାରର ମହିଳାମାନଙ୍କୁ ଛାଡ଼ି ଯିଏ ହାବୁଡ଼ରେ ପଡ଼ିଲା ତାକୁ ମରଣାନ୍ତକ ଆକ୍ରମଣ କଲେ। ଏହି ଆକ୍ରମଣରେ ତିନି ଜଣ ଘଟଣାସ୍ଥଳରେ ଆଖି ବୁଜିଲେ। ବାସ୍ତବରେ ସେଦିନ ସେନ୍‌ବାଡ଼ିରେ ଯେଉଁ ଅମାନବୀୟ କାଣ୍ଡ ଘଟିଥିଲା ତାହା ବର୍ଣ୍ଣିବାକୁ କାହା ପାଖରେ ଭାଷା ନ ଥିଲା।

ସେନ୍‌ ପରିବାରର ଦୁଇଭାଇଙ୍କୁ ହତ୍ୟା
ଦୁର୍ବୃତ୍ତମାନେ ପରିବାରର ଦୁଇଭାଇ ପ୍ରଣବ କୁମାର ଓ ମଳୟ କୁମାର ସେନ୍‌ଙ୍କୁ ସର୍ବସମ୍ମୁଖରେ ହାଣି ପକାଇଲେ। ପରିବାରର ପିଲାମାନଙ୍କୁ ଟ୍ୟୁସନ୍‌ କରିବାକୁ ଆସିଥିବା ଘରୋଇ ଟ୍ୟୁସନ୍‌ ଶିକ୍ଷକ ଜିତେନ୍ଦ୍ରନାଥ ରାୟ ବି ରକ୍ତମୁଖା ଦଳୀୟ ଗୁଣ୍ଡାଙ୍କ ଆକ୍ରମଣରୁ ବର୍ତ୍ତି ପାରି ନ ଥିଲେ। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ସେନ୍‌ ପରିବାରର ଅନ୍ୟତମ ବୋହୂ ରେଖାରାଣୀ ଗଣମାଧ୍ୟମକୁ ସାକ୍ଷାତ୍‌କାରରେ କହି‌ଥିଲେ, ‘‘ସେଦିନ ସକାଳ ୭.୩୦ରେ ଏସବୁ ଘଟିଗଲା। ସେମାନେ ଆମ ଘରକୁ ପ୍ରଥମେ ଟେକାପଥର ଫି‌ଙ୍ଗିଲେ। ତା’ପରେ ନିଆଁହୁଳା ଲାଗିଥିବା ତୀର ମାରି ଘରେ ନିଆଁ ଲଗାଇ ଦେଲେ। ମୋ ଦିଅର ପ୍ରଣବ, ମଳୟ ଏବଂ ମୋ ଝିଅର ଟ୍ୟୁସନ୍‌ ଶିକ୍ଷକ ଜିତେନ୍‌ଙ୍କୁ ମୋ’ରି ସାମ୍ନାରେ ହାଣି ପକାଇଲେ।’’

ମାଆକୁ ଖୋଇଲେ ପୁଅଙ୍କ ରକ୍ତଗୋଳା ଭାତ
ଏତିକିରେ ଶେଷ ହୋଇ ନ ଥିଲା ହିଂସ୍ରକ ଦଳୀୟକର୍ମୀଙ୍କ ବର୍ବରତା। ରେଖାରାଣୀଙ୍କ ସ୍ବାମୀ ଓକିଲ ନବ କୁମାର ସେନ୍‌ଙ୍କ ଆଖି ତାଡ଼ି ପକାଇଲେ। ଖାଲି ସେତିକି ନୁହେଁ, ଆଖିରେ ଏସିଡ୍‌ ବି ଢାଳିଦେଲେ। ଏ ସବୁ ସହି ନ ପାରି ମାଆ ମୃଗନୟନା ଦେବୀ ଆକ୍ରମଣକାରୀଙ୍କୁ ବାଧା ଦେଲେ କିନ୍ତୁ, ସେମାନେ ତାଙ୍କ ମୁଣ୍ଡକୁ ଆଘାତ କରି ଚୁପ୍‌ କରାଇଦେଲେ। ଦୁଇଜଣ ଆକ୍ରମଣକାରୀ ଭାତରେ ପ୍ରଣବ ଓ ମଳୟଙ୍କ ରକ୍ତ ଗୋଳାଇ ଜବରଦସ୍ତି ତାଙ୍କୁ ଗିଳାଇ ଦେଲେ। ଉଭୟ ଶାରୀରିକ ଓ ମାନସିକ ଆଘାତଗ୍ରସ୍ତ ମୃଗନୟନାଙ୍କୁ ଡାକ୍ତରଖାନା ନିଆଗଲା। ସେ ବଞ୍ଚିଗଲେ, କିନ୍ତୁ ପାଗଳୀ ହୋଇଗଲେ। ୧୯୭୮ରେ ତାଙ୍କର ମୃତ୍ୟୁପର୍ଯ୍ୟନ୍ତ ସେ ସ୍ବାଭାବିକ ଅବସ୍ଥାକୁ ଫେରିପାରି ନ ଥିଲେ।

ମାସକର ପୁଅକୁ ନିଆଁରେ ଫିଙ୍ଗିଦେଲେ
ସେଦିନ ସ୍ବର୍ଣ୍ଣଲତାଙ୍କ ପୁଅର ନାମକରଣ ଉତ୍ସବ (ଷଷ୍ଠୀ) ଲାଗି ପରିବାରର ସଭିଏଁ ଏକତ୍ର ହୋଇଥିଲେ। ଉତ୍ତ୍ୟକ୍ତ ଦୁର୍ବୃତ୍ତ ସ୍ବର୍ଣ୍ଣଲତାଙ୍କ କୋଳରୁ ମାସକର ପୁଅଟିକୁ ଛଡ଼ାଇ ନେଇ ଜଳନ୍ତା ନିଆଁରେ ଫିଙ୍ଗିଦେଲେ। ଆତ୍ମୀୟମାନେ କୌଣସିମତେ ଛୁଆଟିକୁ ଉଦ୍ଧାର କଲେ ଓ ସୌଭାଗ୍ୟବଶତଃ ସେ ବଞ୍ଚିଗଲା। ସେଦିନରେ ସେ ଛୋଟପିଲା ଅମୃତ କୁମାର ଜୋଶ୍‌ କହନ୍ତି, ‘‘ମୁଁ ମରିଯାଇ ଥାଆନ୍ତି। ବଞ୍ଚିଗଲି, କିନ୍ତୁ ପରିବାରର ଅନ୍ୟମାନଙ୍କ ଭଳି ଏବେ ବି ମାନସିକ ଆଘାତ ଭିତରେ ଗତିକରିବାକୁ ପଡୁଛି।’’

ସେନ୍‌ବାଡ଼ିକୁ ଆସିଲେ ଇନ୍ଦିରା ଗାନ୍ଧୀ
ରାଜନୈତିକ ଆକ୍ରୋଶର ଶିକାର ପରିବାରର ସଦସ୍ୟମାନଙ୍କୁ ସମବେଦନା ଜଣାଇବାକୁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ବର୍ଦ୍ଧମାନ ଛୁଟି ଆସିଥିଲେ। ସେ ସେନ୍‌ବାଡ଼ି ଯାଇ ପରିବାରର ସଦସ୍ୟଙ୍କୁ ଭେଟିଥିଲେ। ଘଟଣା ସଂକ୍ରାନ୍ତରେ ଥାନାରେ ‘ଏଫ୍‌ଆଇଆର୍‌’ ଦେଇଥିବା ସେନ୍‌ ପରିବାରର ବଡ଼ପୁଅ ନବ କୁମାର ସେନ୍‌ଙ୍କ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ଗାନ୍ଧୀ ୨ଜଣ ଅଙ୍ଗରକ୍ଷୀ ବ୍ୟବସ୍ଥା କରିଥିଲେ।

ପୁନଶ୍ଚ ହତ୍ୟାକାଣ୍ଡ
ଏହି ଭୟାବହ ଘଟଣା ଆଉ କେତୋଟି ହତ୍ୟାକାଣ୍ଡର କାରଣ ବି ହେଲା। କମ୍ୟୁନିଷ୍ଟ୍‌ମାନଙ୍କର ବଦ୍ଧମୂଳ ଧାରଣା ହୋଇଥିଲା ଯେ, ଆଖି ତାଡ଼ି ଏସିଡ୍‌ ଢାଳିବା ଜଣେ ପୁଞ୍ଜିବାଦୀ ପାଇଁ ଉପଯୁକ୍ତ ଶାସ୍ତି ନୁହେଁ। ଘଟଣାର ବର୍ଷକ ପରେ ସେମାନେ ରେଖାରାଣୀଙ୍କ ସ୍ବାମୀ ଓକିଲ ନବକୁମାରଙ୍କୁ ହତ୍ୟା କ‌ଲେ। ଘଟଣାର ତଦନ୍ତ ଲାଗି ଗଠିତ ତାରାପଦ ରାୟ କମିସନ୍‌ ଆଗରେ ସାକ୍ଷୀ ଦେବାକୁ ଯାଇଥିବା ସେନ୍‌ବାଡ଼ି ଗଣହତ୍ୟାର ପ୍ରତ୍ୟକ୍ଷଦର୍ଶୀ ତଥା ଏନ୍‌ଏସ୍‌ୟୁଆଇ କର୍ମୀ ଗୁଣମଣି ରାୟଙ୍କୁ ବି ହତ୍ୟା କରା ଯାଇଥିଲା।

ହାଇକୋର୍ଟରୁ ରେକର୍ଡ ଗାଏବ କରି ଖସିଗଲେ ଦୋଷୀ
ସେନ୍‌ ଭ୍ରାତା ହତ୍ୟା ମାମଲାରେ ୧୭ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ୧୯୭୧ରେ ବର୍ଦ୍ଧମାନର ଜିଲ୍ଲା ଓ ସେସନସ୍‌ ଜଜ୍‌ ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ଦେଇଥିଲେ। ଦୋଷୀମାନେ ଦୁଇଥର କାଲ୍‌କାଟା ହାଇକୋର୍ଟରେ ନିମ୍ନ ଅଦାଲତ ରାୟକୁ ଚାଲେଞ୍ଜ୍‌ କରି ଅପିଲ୍‌ କଲେ କିନ୍ତୁ, ତାଙ୍କ ଆବେଦନ ଖାରଜ ହୋଇଥିଲା। ତା’ପରେ ସେମାନେ ସୁପ୍ରିମ୍‌ କୋର୍ଟରେ ଆବେଦନ ନ କରି ଅସତ୍‌ ଉପାୟରେ ଜେଲ୍‌ରୁ ମୁକୁଳିବା ସୁଯୋଗ ଅପେକ୍ଷାରେ ରହିଲେ। ସିପିଆଇ(ଏମ୍‌) ସରକାର କ୍ଷମତାକୁ ଆସିଲା ପରେ ସେନ୍‌ ହତ୍ୟା ମାମଲାର ସମସ୍ତ ଦୋଷୀଙ୍କୁ ନିଃସର୍ତ୍ତ ଓ ଅନିର୍ଦ୍ଦିଷ୍ଟ ସମୟସୀମା ପର୍ଯ୍ୟନ୍ତ ପାରୋଲ୍‌ରେ ମୁକ୍ତ କରାଗଲା। ଅଭିଯୋଗ ହୁଏ, ଶାସକ ସିପିଆଇ (ଏମ୍‌)ର କର୍ମୀମାନେ କର୍ମଚାରୀଙ୍କ ସହିତ ସଲାସୁତରା କରି କାଲ୍‌କାଟା ହାଇକୋର୍ଟର ଅଭିଲେଖାଗାରରୁ ଏହି ମାମଲାର ସମସ୍ତ ରେକର୍ଡ ଚୋରାଇ ନେଇ ନଷ୍ଟ କରି ଦେଲେ। ଶେଷରେ କାଲ୍‌କାଟା ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ୍‌ ସୁପ୍ରିମ୍‌ କୋର୍ଟଙ୍କୁ ରିପୋର୍ଟ ଦେଲେ କି, ଅଦାଲତରେ ସେନ୍‌ବାଡ଼ି ମାମଲାର କୌଣସି କାଗଜପତ୍ର ନାହିଁ।

ଦୁର୍ବୃତ୍ତ ହେଲେ ମନ୍ତ୍ରୀ, ସାଂସଦ:
ବହୁଚର୍ଚ୍ଚିତ ସେନ୍‌ବାଡ଼ି ହତ୍ୟାକାଣ୍ଡ ଘଟଣାରେ ସିପିଆଇ(ଏମ୍‌) ନେତା ବିନୟ କୋନାର୍, ଅନୀଲ ବସୁ, ନିରୁପମ ସେନ୍‌ ଏବଂ ଅମର ହାଲଦାର୍‌ ଆଦି ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ବୋଲି ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ ଦେଇଛନ୍ତି। କିନ୍ତୁ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା କମ୍ୟୁନିଷ୍ଟ୍‌ ନେତାଙ୍କୁ ପରବର୍ତ୍ତୀ ସମୟରେ ବାମପନ୍ଥୀ ସରକାରରେ ମନ୍ତ୍ରୀ ଓ ସାଂସଦ କରାଯାଇଥିଲା।