ନୂଆଦିଲ୍ଲୀ: ଗୁଜୁରାଟର ଅହମଦାବାଦର ନେରେନ୍ଦ୍ର ମୋଦୀ ଷ୍ଟ‌ାଡିୟମ୍‌ରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପ୍‌-୨୦୨୩ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାଜୟ ହୋଇଯାଇଛି। କ୍ରମାଗତ ଭାବେ ୧୦ଟି ମ୍ୟାଚ ଜିତିବା ପରେ ଭାରତୀୟ ଦଳ ଫାଇନାଲରେ ନିଜର ଜାଦୁ ଦେଖାଇ ପାରି ନଥିଲେ।

Advertisment

୨୦୦୩ ଭଳି ଚଳିତ ଥର ବି ଅଷ୍ଟ୍ରେଲିଆ ଠାରୁ ଭାରତର ହାରିଯାଇଛି। ଭାରତର ଏଭଳି ପରାସ୍ତ ଦେଖି ପିଲା ଠାରୁ ବୃଦ୍ଧ କ୍ରିକେଟପ୍ରେମୀ ସମସ୍ତେ ନିରାଶ ହୋଇଯାଇଛନ୍ତି। ଭାରତ ପରାଜୟ ହେବା ପରେ କ୍ରିକେଟର ଓ ଖେଳପ୍ରେମୀଙ୍କୁ ନେଇ ବିଭିନ୍ନ ପ୍ରକାର ଭାବବିହ୍ବଳ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓଗୁଡ଼ିକ ମଧ୍ୟରୁ ଏକ ଭିଡିଓରେ ଜଣେ ଶିଶୁ କାନ୍ଦୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଶିଶୁର ମା’ ତାକୁ ଚୁପ କରି ବୁଝାଉଥିବା ଦେଖିବାକୁ ମିଳୁଛି।

ନିରୀହ ଶିଶୁଟି ଭାରତ ଓ ଅଷ୍ଟ୍ରେଲିଆ ଖେଳକୁ ଖୁବ ଉତ୍ସାହ ସହ ଦେଖୁଥିଲା। ଏଥିପାଇଁ ସେ ଭାରତୀୟ ଦଳଙ୍କ ଭଳି ଜର୍ସି ବି ପିନ୍ଧିଥିଲା। କିନ୍ତୁ ଯେତେବେଳେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଗଲା ସେ ଧୈର୍ଯ୍ୟ ଧରି ପାରି ନଥିଲା। ପାଖରେ ବସିଥିବା ମା’କୁ ଧରି ଭୋଭୋ ହୋଇ କାନ୍ଦି ପକାଇଥିଲା।

ଅନ୍ୟପଟେ ଭାରତ ମ୍ୟାଚ ହାରିବା ପରେ ବିରାଟ ବି ଭାଙ୍ଗି ପଡ଼ିଥିଲେ। ଏହି ସମୟରେ ଅନୁଷ୍କା କ୍ରିକେଟର ତଥା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ଏଭଳି ଅବସ୍ଥାରେ ଦେଖି ନପାରି ଆଶ୍ବସନା ଦେଇ ଆଲିଙ୍ଗନ କରି ପକାଇଥିଲେ। ଏହାର ଏକ ଫଟୋ ବି ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଛି।