ବିଗତ ୩୦ ବର୍ଷ ମଧ୍ୟରେ ଭାରତ ଚରମ ପାଣିପାଗ ଘଟଣାବଳି ଦ୍ବାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛି ବୋଲି କ୍ଳାଇମେଟ୍ ରିସ୍କ ଇଣ୍ଡେକ୍ସ (ସିଆର୍ଆଇ)ର ସଦ୍ୟ ରିପୋର୍ଟରୁ ଜଣାଯାଇଛି। ୧୯୯୩ରୁ ୨୦୨୨ ଭିତରେ ଭାରତକୁ ବନ୍ୟା, ଗ୍ରୀଷ୍ମପ୍ରବାହ ଓ ବାତ୍ୟା ପରି ୪୦୦ରୁ ଅଧିକ ଚରମ ଘଟଣାବଳିର ସାମ୍ନା କରିବାକୁ ପଡ଼ିଛି। ଏଥିଯୋଗୁଁ ୮୦,୦୦୦ ଲୋକଙ୍କର ଜୀବନହାନି ଘଟିବା ସହ ଦେଶର ୧୮,୦୦୦ କୋଟି ଡଲାରର ଆର୍ଥିକ କ୍ଷତି ଘଟିଛି ବୋଲି ଜଣାଯାଇଛି।
ଗତ ବୁଧବାର ପ୍ରକାଶିତ ସିଆର୍ଆଇର ରିପୋର୍ଟରେ ଜଳବାୟୁ ସହ ଜଡ଼ିତ ଦୁର୍ବିପାକର ମାନବିକ ଓ ଆର୍ଥିକ ପରିଣାମଗୁଡ଼ିକୁ ବିଚାର କରି ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେଥିରେ ମୃତକଙ୍କ ସଂଖ୍ୟା, କ୍ଷୟକ୍ଷତି ଓ ପ୍ରଭାବିତ ଲୋକଙ୍କ ସଂଖ୍ୟା ଭିତ୍ତିରେ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରମାନଙ୍କର ଏକ ତାଲିକା ପ୍ରକାଶିତ ହୋଇଛି। ଏହି ତାଲିକା ଶୀର୍ଷରେ ଡୋମିନିକା ରହିଥିବାବେଳେ ତା’ ପଛକୁ ଯଥାକ୍ରମେ ଚୀନ୍, ହଣ୍ଡୁରାସ, ମିଆଁମାର, ଇଟାଲି, ଭାରତ, ଗ୍ରୀସ୍, ସ୍ପେନ୍, ଭାନୁଆଟୁ ଓ ଫିଲିଫାଇନ୍ସ୍ ଆଦି ଦେଶ ରହିଛନ୍ତି।
୧୯୯୩ରୁ ୨୦୨୨ ଭିତରେ ଭାରତକୁ ବନ୍ୟା, ଗ୍ରୀଷ୍ମପ୍ରବାହ ଓ ବାତ୍ୟା ପରି ୪୦୦ରୁ ଅଧିକ ଚରମ ଘଟଣାବଳିର ସାମ୍ନା କରିବାକୁ ପଡ଼ିଛି। ଏଥିଯୋଗୁଁ ୮୦,୦୦୦ ଲୋକଙ୍କର ଜୀବନହାନି ଘଟିବା ସହ ଦେଶର ୧୮,୦୦୦ କୋଟି ଡଲାରର ଆର୍ଥିକ କ୍ଷତି ଘଟିଛି
୧୯୯୩ରୁ ୨୦୨୨ ମଧ୍ୟରେ ଭାରତ ଭୋଗିଥିବା ପାଣିପାଗ ପରିବର୍ତ୍ତନ ଜନିତ ଘଟଣା ମଧ୍ୟରେ ରହିଛି ୧୯୯୩, ୧୯୯୮ ଓ ୨୦୧୩ ମସିହାର ଧ୍ବଂସକାରୀ ବନ୍ୟା; ୨୦୦୨, ୨୦୦୩ ଓ ୨୦୧୫ର ଗ୍ରୀଷ୍ମ ଲହରୀ। ଉପରୋକ୍ତ ଦୁର୍ବିପାକଗୁଡ଼ିକ ବ୍ୟାପକ କ୍ଷୟକ୍ଷତି କରିବା ସହ ସାମୂହିକ ବିସ୍ଥାପନ ଓ ଜୀବନହାନିର କାରଣ ସାଜିଥିଲା। ପୁନଃପୌନିକ ଗ୍ରୀଷ୍ମପ୍ରବାହ ଭାରତର କୃଷିକ୍ଷେତ୍ର ଉପରେ ଭୀଷଣ ଚାପ ପକାଇଥିଲା, ଯାହା ଲୋକଙ୍କ ଜୀବିକା ଓ ଖାଦ୍ୟ ସୁରକ୍ଷାକୁ ଛାରଖାର କରିଦେଇଥିଲା।
ତେବେ ଏଭଳି ଧ୍ବଂସକାରୀ ଘଟଣାକୁ କେବଳ ଭାରତ କାହିଁକି, ପୃଥିବୀର ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସାମ୍ନା କରିଛନ୍ତି। ଏଥିଯୋଗୁଁ ବିଶ୍ବରେ ସାମଗ୍ର ଭାବେ ୭,୬୫,୦୦୦ ଲୋକଙ୍କର ପ୍ରାଣ ଯିବା ସହ ପ୍ରାୟ ୪,୨୦,୦୦୦ କୋଟି ଡଲାରର ଆର୍ଥିକ କ୍ଷତି ଘଟିଛି। ଏଭଳି ଚରମ ଘଟଣା ବାରମ୍ବାର ଘଟୁଥିବା ବେଳେ ଏହାର ତୀବ୍ରତା ବଢ଼ିଚାଲିଥିବା ହେତୁ ବିଶ୍ବ ଉତ୍ତପ୍ତୀକରଣର ପ୍ରଭାବରୁ ମୁକୁଳିବା ପାଇଁ ରାଷ୍ଟ୍ର ସମୂହ ସ୍ଥାୟୀ ଜଳବାୟୁ ପଦକ୍ଷେପ ଆପଣେଇବା ଉପରେ ସିଆର୍ଆଇ ଗୁରୁତ୍ବାରୋପ କରିଛି।