ଆମେ ତାତିରୁ ରକ୍ଷା ପାଇବା ଲାଗି ଏୟାର କଣ୍ଡିସନର ବ୍ୟବହାର କରୁଛୁ। କିନ୍ତୁ କିଛି ବର୍ଷ ଆଗରୁ ଏୟାର କଣ୍ଡିସନରର ବ୍ୟବହାର ସୀମିତ ଥିଲା। ଆମ ଦେଶରେ ବଡ଼ ବଡ଼ କାର୍ଯ୍ୟାଳୟ କିମ୍ବା ଧନୀକମାନଙ୍କ ଦ୍ବାରା ଏହା ବ୍ୟବହୃତ ହେଉଥିଲା। ମାତ୍ର ବିଶ୍ବତାପନ (ଗ୍ଲୋବାଲ୍ ୱାର୍ମିଂ) ପ୍ରକ୍ରିୟା  ଯୋଗୁ ତାପମାତ୍ରା ବଢ଼ିବା ଫଳରେ ଏୟାର କଣ୍ଡିସନରର ବ୍ୟବହାର ସବୁଠି ଦେଖିବାକୁ ମିଳୁଛି। ଛୋଟଛୋଟ ବାଣିଜ୍ୟିକ ଅନୁଷ୍ଠାନଠାରୁ ଆରମ୍ଭ କରି  ନିମ୍ନ-ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଏୟାର କଣ୍ଡିସନରର ବ୍ୟବହାର କରୁଛନ୍ତି। ଏହା ଏକଦା ‘ଷ୍ଟାଟସ୍ ସିମ୍ବଲ୍’ ଥିଲା, ବର୍ତ୍ତମାନ ଆବଶ୍ୟକତା ପାଲଟି ଗଲାଣି। ଯେହେତୁ ବର୍ଷାଋତୁରେ ବି ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି ଏବଂ ଖରାଦିନେ ୪୫ ଡିଗ୍ରି ଟପିଯାଉଛି ତେଣୁ ତାତିରୁ ତ୍ରାହି ପାଇବା ଲାଗି ଯେଉଁମାନଙ୍କର ସମ୍ବଳ ଅଛି ସେମାନେ ଏୟାର କଣ୍ଡିସନରଟିଏ ଘରେ ଲଗାଉଛନ୍ତି। ଆଉ ଏହାର ବହୁଳ ବ୍ୟବହାର ଆମକୁ ପାରିବେଶିକ ସଂକଟ ମଧ୍ୟକୁ ଠେଲି ଦେଉଛି। କାରଣ ଏୟାରକଣ୍ଡିସନର ଓ ଅନ୍ୟ ଶୀତଳୀକରଣ  ଉପକରଣରେ ବ୍ୟବହାର ହେଉଥିବା ହାଇଡ୍ରୋଫ୍ଲୋରୋକାର୍ବନ୍ ଗ୍ୟାସ୍ (ଏଚଏଫସି) ପରିବେଶ ଲାଗି ହାନିକାରକ। ଏହା ବିଶ୍ବତାପନର ଅନ୍ୟତମ ମୁଖ୍ୟକାରଣ। କେବଳ ଏୟାରକଣ୍ଡିସନର ନୁହେଁ ଘରେଘରେ ବ୍ୟବହୃତ ହେଉଥିବା ରେଫ୍ରିଜେରେଟର୍, ବ୍ୟାବସାୟିକ ସଂସ୍ଥାର ଡିପ୍ ଫ୍ରିଜର ଓ  ବଡ଼ବଡ଼ ଶୀତଳଭଣ୍ଡାର ମଧ୍ୟ ବହୁଳ ଭାବେ ଏହି ଗ୍ୟାସ୍ ଉପଯୋଗ କରୁଛନ୍ତି। ଏହାର ବ୍ୟବହାରକୁ ହ୍ରାସ କରିବା ଲାଗି ବିଶ୍ବବ୍ୟାପୀ ଉଦ୍ୟମ ଆରମ୍ଭ ହୋଇଛି ଏବଂ ଭାରତ ଏଥିରେ ସାମିଲ୍ ହୋଇଛି।

Advertisment

ହାଇଡ୍ରୋଫ୍ଲୋରୋକାର୍ବନ୍ (ଏଚଏଫସି) ଗ୍ୟାସର ବ୍ୟବହାରକୁ ବନ୍ଦ କରିବା ପାଇଁ ୧୯୮୭ ମସିହ‌ାରେ ପୃଥିବୀର ୧୯୬ଟି ଦେଶ ସ୍ବାକ୍ଷର କରିଥିବା  ‘‘ମଣ୍ଟ୍ରିଲ୍ ପ୍ରୋଟୋକଲ୍’’ରେ ହୋଇଥିବା କିଗାଲୀ ସଂଶୋଧନକୁ ଭାରତ ଅନୁମୋଦନ କରିଛି। ପରିବେଶ ସୁରକ୍ଷା ଲାଗି ଉଦ୍ଦିଷ୍ଟ ମଣ୍ଟ୍ରିଲ୍ ପ୍ରୋଟୋକଲ୍ ଏକ ଅନ୍ତର୍ଜାତୀୟ ଚୁକ୍ତି ଓ ଏହା ଓଜେନ୍ ସ୍ତରକୁ କ୍ଷତି ପହଞ୍ଚାଉଥିବା କ୍ଲୋରୋଫ୍ଲୋରୋ କାର୍ବନ୍ ଗ୍ୟାସର ବ୍ୟବହାର ହ୍ରାସ ନେଇ ରାଷ୍ଟ୍ରସମୂହ ମଧ୍ୟରେ ସହମତି ଆଣିଥିଲା। ଏହା ଅନେକାଂଶରେ ସଫଳ ହେବା ପରେ ଏଥିରେ ସଂଶୋଧନ ଅଣାଯାଇ ଏଚଏଫସି ବ୍ୟବହାର ହ୍ରାସ ନେଇ ଉଦ୍ୟମକୁ ଅନ୍ତର୍ଭୁକ୍ତ କରାଯାଇଛି।  ଜଳବାୟୁ ପରିବର୍ତ୍ତନ ଏବଂ  ବିଶ୍ବତାପନକୁ ରୋକିବା ପାଇଁ ଅକ୍ଟୋବର ୨୦୧୬ରେ ମଣ୍ଟ୍ରିଲ୍ ପ୍ରୋଟୋକଲରେ ହୋଇଥିବା କିଗାଲୀ ସଂଶୋଧନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏଥିରେ ପୃଥିବୀର ବୃହତ ରାଷ୍ଟ୍ରମାନେ ଏଚଏଫସିର ବ୍ୟବହାରରେ ବୃଦ୍ଧିକୁ ସ୍ୱୀକାର କରିବା ସହ  ୨୦୪୦ ମସିହା ଶେଷ ସୁଦ୍ଧା ଏହାର ବ୍ୟବହାରକୁ ୮୦ରୁ ୮୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Companies that produce HFC-23 in India must destroy this gas: Environment Ministry | India News,The Indian Express Image Courtesy of The Indian Express

ଏହି ନିଷ୍ପତ୍ତି ଅନୁଯାୟୀ, ୨୦୨୩ସୁଦ୍ଧା ପର୍ଯ୍ୟାୟକ୍ରମେ ଏଚଏଫସି ବ୍ୟବହାର ହ୍ରାସ କରିବାକୁ ଭାରତ ଜାତୀୟ ରଣନୀତି ପ୍ରସ୍ତୁତ କରିବ। ଏଥିପାଇଁ ହାଇଡ୍ରୋଫ୍ଲୋରୋକାର୍ବନ୍ ସହିତ ଜଡିତ ଶିଳ୍ପ ଏବଂ ହିତାଧିକାରୀଙ୍କ ସହ ପରାମର୍ଶ ପରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ | ଏହା ସହ କିଗାଲୀ ସଂଶୋଧନର ଅନୁପାଳନ ଏବଂ ହାଇଡ୍ରୋଫ୍ଲୋରୋକାର୍ବନ୍ ଉତ୍ପାଦନ ଏବଂ ବ୍ୟବହାର ଉପରେ ଉପଯୁକ୍ତ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ପାଇଁ  ଆଇନଗତ ଢ଼ାଞ୍ଚାର ମଧ୍ୟ ସଂଶୋଧନ କରାଯିବ| ଭାରତ ୨୦୩୨ରୁ ୪ଟି ପର୍ଯ୍ୟାୟରେ ଏଚଏଫସିକୁ ହ୍ରାସ କରିବ | ପ୍ରଥମ ପର୍ଯ୍ୟାୟରେ, ୨୦୩୨ରେ ୧୦ପ୍ରତିଶତ, ୨୦୩୭ରେ ୨୦ପ୍ରତିଶତ, ୨୦୪୨ରେ ୩୦ପ୍ରତିଶତ ଏବଂ ୨୦୪୭ସୁଦ୍ଧା ଏଚଏଫସି ବ୍ୟବହାର ୮୦ପ୍ରତିଶତ ହ୍ରାସ କରାଯିବ।

ଉଲ୍ଲେଖଯୋଗ୍ୟ, ହାଇଡ୍ରୋଫ୍ଲୋରୋକାର୍ବନ୍ (ଏଚଏଫସି) ଗ୍ୟାସ୍ ହେଉଛି ୧୯ଟି ଗ୍ୟାସର ଏକ ସମ୍ମିଶ୍ରଣ ଯାହାକି ବିଶେଷ ଭାବରେ ଏୟାର କଣ୍ଡିସନର ଏବଂ ରେଫ୍ରିଜରେସନ୍ ଶିଳ୍ପରେ ବ୍ୟବହୃତ ହୁଏ। ଏହା କାର୍ବନ ଡାଇଅକ୍ସାଇଡଠାରୁ ହଜାରେ ଗୁଣ ଅଧିକ ଶକ୍ତିଶାଳୀ | ଏଭଳି ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଏହି ଗ୍ରିନହାଉସ୍ ଗ୍ୟାସର ବ୍ୟବହାର ହ୍ରାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

How noble was the Nobel this time? – Radical Ecological Democracy Image Courtesy of Radical Ecological Democracy

ଜୁଲାଇ ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିଶ୍ବରେ ପ୍ରାୟ ୩୬୦ କୋଟି ଶୀତଳୀକରଣ ଉପକରଣ ବ୍ୟବହାର ହେଉଛି, ଯାହା ୨୦୫୦ ସୁଦ୍ଧା ୧,୪୦୦ କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏପରି ପରିସ୍ଥିତିରେ, ଯଦି ଏଚଏଫସି ଗ୍ୟାସର ବ୍ୟବହାର ବର୍ତ୍ତମାନ ହ୍ରାସ ନ କରାଯାଏ, ତେବେ ଭବିଷ୍ୟତରେ ଏହା ପରିବେଶ ଲାଗି ଅତ୍ୟନ୍ତ କ୍ଷତିକାରକ ହେବ।

 (ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ  ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)