ବିଶିଷ୍ଟ ରୁଷୀୟ ଲେଖକ ଫିୟୋଦୋର୍ ଦସ୍ତୋୟୋଭ୍ସ୍କି କହିଥିଲେ,‘‘ଯୁଦ୍ଧ ବେଳେ ବେଳେ ଲୋକମାନଙ୍କୁ ଯନ୍ତ୍ରଣା ଦେଉଥିବା ଏକ ଆବଶ୍ୟକ ପାପ ହୋଇପାରେ। କିନ୍ତୁ ଏହି ପାପ ଯେତେ ଆବଶ୍ୟକ ହେଉନା କାହିଁକି ଏହା ସର୍ବଦା ଏକ ଦୁଷ୍ଟ ସୈତାନର ମନ୍ଦ ବୁଦ୍ଧି। ଏହି ଭୟଙ୍କର ପାପରେ କେବଳ ନିରୀହ ନିଷ୍ପାପ ମଣିଷ ବଳି ପଡ଼ନ୍ତି।’’ ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ସେତେବେଳେ ଏହାର ପ୍ରତ୍ୟକ୍ଷ ପ୍ରଭାବ ବାଣିଜ୍ୟ ବ୍ୟବସାୟ ଉପରେ ପଡ଼ିଥାଏ। ଆମଦାନି ରପ୍ତାନି ଉପରେ କଟକଣା ଲାଗିଥାଏ। ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଯାଏ। ଗରିବମାନେ ଦରବୃଦ୍ଧିରେ ଛଟପଟ ହୁଅନ୍ତି। ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ପହଲଗାମ୍ ନରସଂହାର ଜବାବରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର। ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ବାଣିଜ୍ୟ ଯୁଦ୍ଧ। ଦୁଇ ଦେଶ ପରସ୍ପର ବିରୋଧରେ ବାଣିଜ୍ୟିକ କଟକଣା ଲଗାଇଛନ୍ତି। ଏହି ବାଣିଜ୍ୟ ଯୁଦ୍ଧ ଉଭୟ ଦେଶର ଅର୍ଥନୀତି ଉପରେ କିଭଳି ପ୍ରଭାବ ପକାଇବ ତାହାର ଆକଳନ କରିଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବାଣିଜ୍ୟ ବିଶାରଦ ଡକ୍ଟର ସାମ୍ସନ୍ ମହାରଣା। ଡକ୍ଟର ମହାରଣାଙ୍କ ସହିତ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି
ଅପରେସନ୍ ‘ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ‘ଟେରର୍ ଓ ଟ୍ରେଡ୍’ ଏକ ସଙ୍ଗେ ଚାଲିପାରିବ ନାହିଁ। ଏ ପରିସ୍ଥିତିରେ ଭାରତ-ପାକ୍ ବାଣିଜ୍ୟ କିଭଳି ପ୍ରଭାବିତ ହେବ?
ଉଭୟ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ବାଣିଜ୍ୟିକ କଟକଣା ଘୋଷଣା କରିସାରିଛନ୍ତି। ଏହାଦ୍ବାରା ପାକିସ୍ତାନ ଘୋର କ୍ଷତିଗ୍ରସ୍ତ ହେବ ଏବଂ ଭାରତ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନାହିଁ। ବର୍ତ୍ତମାନ ସ୍ଥିତିରେ ପାକିସ୍ତାନ ଏକ ଦେବାଳିଆ ଅର୍ଥନୀତି। ଆମେରିକା ସାହାଯ୍ୟରେ ସେ ଅନ୍ତର୍ରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ଋଣନେଇ ଚଳୁଛି। ପାକିସ୍ତାନ ୩୫୦ ବିଲିୟନ୍ ଡଲାର୍ ଅର୍ଥନୀତି ହୋଇଥିବା ବେଳେ ଭାରତର ଅର୍ଥନୀତି ବର୍ତ୍ତମାନ ୪ ଟ୍ରିଲିୟନ୍ ଡଲାରରୁ ଊର୍ଦ୍ଧ୍ବ ହେବାକୁ ବସିଲାଣି। ପାକିସ୍ତାନ ଅର୍ଥନୀତି ଭାରତୀୟ ବଜାର ଉପରେ ବହୁ ଭାବରେ ନିର୍ଭରଶୀଳ ଏବଂ ଭାରତରୁ ଆମଦାନିକୁ ନେଇ ପାକିସ୍ତାନ ବଞ୍ଚିଛି। ଅନ୍ୟପକ୍ଷରେ ଭାରତ କେବେ ବି ସେ ଦେଶର ବଜାର ଉପରେ ନିର୍ଭରଶୀଳ ନଥିଲା କିମ୍ବା ଆଜି ବି ନାହିଁ। ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ୨୦୨୪ ଏପ୍ରିଲ୍ରୁ ୨୦୨୫ ଜାନୁଆରି ମଧ୍ୟରେ ପାକିସ୍ତାନକୁ ଭାରତର ରପ୍ତାନି ପରିମାଣ ୪୪୭.୭ ମିଲିୟନ୍ ଡଲାର୍ ହୋଇଥିବା ବେଳେ ଭାରତକୁ ପାକିସ୍ତାନର ରପ୍ତାନି ପରିମାଣ ମାତ୍ର ୪୨୦,୦୦୦ ଡଲାର୍। ୨୦୧୯ ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକ୍ ବାଣିଜ୍ୟ ସର୍ବନିମ୍ନ ସ୍ତରକୁ ଆସିଛି। ଏବେ ବାଣିଜ୍ୟ କଟକଣା ହେତୁ ପାକିସ୍ତାନର ଔଷଧ ଶିଳ୍ପ ସବୁଠାରୁ ଅଧିକ ପ୍ରଭାବିତ ହେବ। କାରଣ ପାକିସ୍ତାନ ଅଧିକାଂଶ ଔଷଧ ପ୍ରସ୍ତୁତି ସାମଗ୍ରୀ ଭାରତରୁ ଆମଦାନି କରିଥାଏ। ବର୍ତ୍ତମାନ ପାକିସ୍ତାନରେ ମୁଦ୍ରାସ୍ଫୀତି ବଢୁଛି ଏବଂ ଏହାର ପ୍ରଭାବରେ ସେଠାରେ ଖାଦ୍ୟ, ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିଚାଲିଛି।
ପାକିସ୍ତାନରେ ଭାରତର ଆତଙ୍କବାଦ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ବିଶ୍ବ ବଜାରରେ ଭାରତୀୟ ଅସ୍ତ୍ରଶସ୍ତ୍ରର ଚାହିଦା ବଢ଼ିଛି ବୋଲି ଚର୍ଚ୍ଚା ହେଉଛି। ଏହା ଭାରତକୁ ପରୋକ୍ଷ ଫାଇଦା ଦେବ କି? ଏ ସଂପର୍କରେ ଆପଣ କ’ଣ ଆକଳନ କରୁଛନ୍ତି?
ଭାରତୀୟ ପ୍ରଯୁକ୍ତିରେ ନିର୍ମିତ ମିସାଇଲ୍ର ବ୍ୟବହାର ଓ ସଫଳତା ଦେଖି ନିଜସ୍ବ ଉତ୍ପାଦନ ନଥିବା ଦେଶମାନେ ଭାରତୀୟ ଅସ୍ତ୍ରଶସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିବା ସ୍ବାଭାବିକ। ଯଦି ଆମେ ବିଶ୍ବ ପ୍ରତିରକ୍ଷା ବଜାର ଅନୁଶୀଳନ କରିବା ତେବେ ଦେଖିବା ଭାରତ କେବଳ ଏସିଆ ମହାଦେଶରେ ନୁହେଁ, ବରଂ ବିଶ୍ବ ଅସ୍ତ୍ରଶସ୍ତ୍ର ବ୍ୟବସାୟରେ ଏକ ନୂଆ ଶକ୍ତି ଭାବେ ଉଭା ହେଉଛି। ମୁଁ କେବଳ ସାଧାରଣ ଆକଳନରେ କହିବି, ଅପରେସନ୍ ସିନ୍ଦୂର ପରେ ଚୀନ୍ ଓ ଆମେରିକାର ଅସ୍ତ୍ରଶସ୍ତ୍ର ବଜାରରେ ମାନ୍ଦା ଅବସ୍ଥା ସୃଷ୍ଟି ହେବ ଏବଂ ରୁଷ୍, ଫ୍ରାନ୍ସ୍, ଇସ୍ରାଏଲ୍ ଓ ଭାରତର ପ୍ରତିରକ୍ଷା ବ୍ୟବସାୟ ବହୁଗୁଣିତ ହେବ। କାରଣ ଆମେରିକା, ତୁର୍କୀ ଓ ଚୀନ୍ର ପ୍ରତିରକ୍ଷା ସାମଗ୍ରୀକୁ ପାକିସ୍ତାନର ଜଳ-ସ୍ଥଳ-ଆକାଶରେ ଭାରତ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ତେଣୁ ସେମାନଙ୍କର ପ୍ରତିରକ୍ଷା ସାମଗ୍ରୀର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। ଭାରତ ଓ ରୁଷ୍ ସହଭାଗୀତାରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ବଜାର ଚାହିଦା ହଠାତ୍ ବଢ଼ିବା ପରିଲକ୍ଷିତ ହୋଇଛି। ଭାରତୀୟ ଅସ୍ତ୍ରଶସ୍ତ୍ର ବିକ୍ରି ବଢ଼ିଲେ ଆମ ବୈଦେଶିକ ମୁଦ୍ରାପାଣ୍ଠି ଅଧିକ ଶକ୍ତିଶାଳୀ ହେବ।
ଭାରତ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ କରିବା ବେଳେ ପାକିସ୍ତାନକୁ ପ୍ରତ୍ୟକ୍ଷ ସମର୍ଥନ ଯୋଗାଇଥିଲା ତୁର୍କୀ। ଏବେ ଭାରତ ତୁର୍କୀ ଉପରେ ବାଣିଜ୍ୟିକ କଟକଣା ଲଗାଇବା ଆରମ୍ଭ କରିଛି। ଏହା ଦ୍ୱାରା ତୁର୍କୀ କିପରି ପ୍ରଭାବିତ ହେବ ବୋଲି ଭାବୁଛନ୍ତି?
ଭାରତର ପ୍ରତିବନ୍ଧକ ଯଦି ତୁର୍କୀ ଉପରେ ଦୀର୍ଘକାଳୀନ ଭିତ୍ତିରେ ବଳବତ୍ତର ରହିବ ତେବେ ସେମାନଙ୍କ ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହେବ। ସ୍ୱଳ୍ପକାଳୀନ ପ୍ରତିବନ୍ଧକ ଅସ୍ଥାୟୀ ବାଧା ସୃଷ୍ଟି କରିବ। ‘ଇଣ୍ଡିଆ ବ୍ରାଣ୍ଡ୍ ଇକ୍ୟୁଟି ଫାଉଣ୍ଡେସନ୍’ (ଆଇବିଇଏଫ୍)ର ତଥ୍ୟ ଅନୁଯାୟୀ, ୨୦୨୪ରେ ଭାରତରୁ ତୁର୍କୀର ବିଭିନ୍ନ ସାମଗ୍ରୀ ଆମଦାନି ପରିମାଣ ପ୍ରାୟ ୭ ବିଲିୟନ୍ ଡଲାର୍ ଥିଲା। ଏହି ଆମଦାନି ତୁର୍କୀର ଶିଳ୍ପ ଓ ଉପଭୋକ୍ତା ଚାହିଦାର ମେରିଖୁଣ୍ଟ। ୨୦୨୩-୨୪ ଆର୍ଥିକ ବର୍ଷରେ ଉଭୟ ଦେଶର ବ୍ୟାବସାୟିକ କାରବାର ୧୪.୪ ବିଲିୟନ୍ ଡଲାର୍ ଥିଲା। ଭାରତରୁ ଆମଦାନି କରୁଥିବା ପେଟ୍ରୋଲ୍ଜାତ ସାମଗ୍ରୀ ସମେତ ଔଷଧ ଓ ରସାୟନ ଶିଳ୍ପ ଆବଶ୍ୟକତା ପୂରଣ କରିବାକୁ ତୁର୍କୀ ବର୍ତ୍ତମାନ ଆଣ୍ଠେଇପଡ଼ିବ। ୨୦୨୨ରେ ତୁର୍କୀ ୨୬୨ ବିଲିୟନ୍ ଡଲାର୍ ସହିତ ମୋଟ୍ ରପ୍ତାନିରେ ୨୯ତମ ସ୍ଥାନରେ ରହିଥିବା ବେଳେ ଭାରତ ୪୬୮ ମିଲୟନ୍ ଡଲାର୍ ସହିତ ୧୫ଶ ସ୍ଥାନରେ ରହିଥିଲା। ତୁର୍କୀ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭାରତ ସହିତ ବାଣିଜ୍ୟ ଉପରେ ଅଧିକ ନିର୍ଭରଶୀଳ। ଅବଶ୍ୟ ଭାରତ ଓ ତୁର୍କୀ ମଧ୍ୟରେ ବାଣିଜ୍ୟ ଯଦିଓ ବୃହତ୍ ବ୍ୟାବସାୟିକ ସମ୍ପର୍କ ନୁହେଁ, କିନ୍ତୁ ତୁର୍କୀ ପାଇଁ ଏହାର ଯଥେଷ୍ଟ ଗୁରୁତ୍ବ ରହିଛି।
କୁହାଯାଉଛି, ଭାରତୀୟ କଟକଣା ହେତୁ ତୁର୍କୀର ପର୍ଯ୍ୟଟନ ଶିଳ୍ପ ବହୁତ ପ୍ରଭାବିତ ହେବ। ଏହାକୁ କିଭଳି ଆକଳନ କରୁଛନ୍ତି ଆପଣ?
ହଁ, ଭାରତ ସହଯୋଗରେ ତୁର୍କୀ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଗତ ଏକ ଦଶନ୍ଧିରେ (୨୦୧୪-୨୦୨୪) ୪.୭ ପ୍ରତିଶତରୁ ନେଇ ୨୦୧୯ରେ ୧୧.୨ ପ୍ରତିଶତ ଏବଂ ୨୦୨୩ରେ ୧୭.୪ ପ୍ରତିଶତରେ ପହଞ୍ଚି ଯାଇଥିଲା। ୨୦୨୪ରେ ପ୍ରାୟ ୨.୭୫ ଲକ୍ଷ ପର୍ଯ୍ୟଟକ ସେଠାକୁ ଯାଇଥିଲେ ଏବଂ ତୁର୍କୀ ପର୍ଯ୍ୟଟନ ବିଭାଗ ୨୦୨୫ରେ ସେଠାରେ ୩୦ ପ୍ରତିଶତ ପର୍ଯ୍ୟଟକ ବଢ଼ିବାର ଆଶାବ୍ୟକ୍ତ କରିଥିଲା। ୨୦୨୪ରେ ପର୍ଯ୍ୟଟନରୁ ତୁର୍କୀ ପ୍ରାୟ ୩୮୦ ନିୟୁତ ଡଲାର୍ରୁ ଅଧିକ ଅର୍ଥ ଆୟ କରିଥିଲା। ଭାରତୀୟ ଚଳଚ୍ଚିତ୍ର ଓ ଟିଭି ଧାରାବାହିକ ସୁଟିଙ୍ଗ୍ରୁ ତୁର୍କୀ ବାର୍ଷିକ ପ୍ରାୟ ୬.୩ ନିୟୁତ ଡଲାର୍ ଆୟ କରିଥାଏ। ବର୍ତ୍ତମାନ ଏସବୁ ଉପରେ ଭାରତ କଟକଣା ଲଗାଇବା ପରେ ତୁର୍କୀ ଅର୍ଥନୀତି ଉପରେ ଘୋର ପ୍ରତିକୂଳ ପ୍ରଭାବ ପଡ଼ିବ, ଏଥିରେ ସନ୍ଦେହ ନାହିଁ।
ସଂକ୍ଷେପରେ ସାମ୍ସନ୍
ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା ଓଡ଼ିଶା ସରକାରଙ୍କ ପଞ୍ଚମ ଅର୍ଥ କମିସନ୍ର ସଦସ୍ୟ ଥିବା ଅର୍ଥନୀତିଜ୍ଞ ଓ ବାଣିଜ୍ୟ ବିଶେଷଜ୍ଞ ଡକ୍ଟର ସାମ୍ସନ୍ ମହାରଣାଙ୍କ ଜନ୍ମ କଟକରେ। ରେଭେନ୍ସା କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ସେ ଏମ୍ଫିଲ୍ ଓ ପିଏଚ୍ଡି ମଧ୍ୟ କରିଛନ୍ତି। ପରେ ‘ବ୍ୟାଙ୍କ୍ ଅଫ୍ ଆମେରିକା’ ବୃତ୍ତି ପାଇ ସେ ଅହମଦାବାଦର ପ୍ରସିଦ୍ଧ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ରେ ଉଚ୍ଚତ୍ତର ଅଧ୍ୟୟନ ମଧ୍ୟ କରିଛନ୍ତି। ସେ ରାଜ୍ୟ ଅର୍ଥ ନିଗମ ସମେତ ବିଭିନ୍ନ ସରକାରୀ ନିଗମରେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଅଧୁନା ଡକ୍ଟର ମହାରଣା ଓଡ଼ିଶା ସେତୁ ନିର୍ମାଣ ନିଗମ ଓ ଯୋଗାଣ ନିଗମରେ ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଜୀବନର ଏକ ସ୍ମରଣୀୟ ଘଟଣା ବର୍ଣ୍ଣନା କରି ଡ. ମହାରଣା କହନ୍ତି,“ମୋ ବାପା ବ୍ରଜେନ୍ଦ୍ର ମହାରଣା ଓ ମା’ ସୁଖହାସିନୀଙ୍କର ମୋ ଉପରେ ଅଗାଧ ବିଶ୍ୱାସ ଥିଲା। ମୁଁ ଭଲ ପାଠ ପଢ଼ିବି ବୋଲି ସେମାନେ ବିଶ୍ବାସ କରୁଥିଲେ। ମୋର ଯେତେବେଳେ ମାଟ୍ରିକ୍ ପରୀକ୍ଷାରେ ଦ୍ୱିତୀୟ ଡିଭିଜନ୍ ହେଲା ମା’ବାପାଙ୍କ ମନ ଭାଙ୍ଗିଗଲା। କିନ୍ତୁ ମୋ ମା’ ମୋତେ ପ୍ରେରଣା ଦେଇ ପଛକଥା ନଭାବି ଆଗକୁ ବଢ଼ିବାକୁ ପରାମର୍ଶ ଦେଲେ। ମୁଁ ହିତାକାଂକ୍ଷୀ ବନ୍ଧୁବାନ୍ଧବଙ୍କ ସହିତ ଆଲୋଚନା କରି ବାଣିଜ୍ୟ ବିଭାଗରେ ନାଁ ଲେଖାଇଲି। ଏହାପରଠାରୁ ମୁଁ ଆଉ ପଛକୁ ଦେଖିନି। ସବୁବେଳେ ପ୍ରଥମ ଡିଭିଜନ୍ରେ ହିଁ ଉତ୍ତୀର୍ଣ୍ଣ ହୋଇଥିଲି।’’