ଶେଷ ଥର ପାଇଁ ଆକାଶର ଛାତି ଚିରିଲା ଭାରତୀୟ ବାୟୁସେନାର ‘ବାହାଦୁର’, ବିଦାୟ ନେଲା କାର୍ଗିଲ ଯୁଦ୍ଧର ଲଢ଼ୁଆ ହିରୋ ମିଗ୍‌-୨୭

ଯୋଧପୁର:  ଭାରତୀୟ ବାୟୁସେନାରୁ ଆଜି ବିଦାୟ ନେଇଛି ‘ବାହାଦୁର’ ! କାର୍ଗିଲ ଯୁଦ୍ଧ ସମୟରେ  ଭାରତୀୟ ବାୟୁସେନାର ହିରୋ ଥିଲା ବାହାଦୁର। ଟାଇଗର ହିଲ ଉପରେ ଆଡ୍ଡା ଜମାଇଥିଲା ପାକିସ୍ତାନୀ ସେନାର ଯବାନଙ୍କୁ ରାକେଟ ମାଡ କରି ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲା। ଏତେ ଉଚ୍ଚରେ ଥିଲେ ବି ଆକାଶରୁ ଯେ ସେମାନଙ୍କ ଉପରେ  ଗୁଳି ଓ ରକେଟ ମାଡ ହେବ ତାହା କଳ୍ପନାରେ ଆଣି ନଥିଲା ପାକ୍ ସେନା। ଏହା କରି ଦେଖାଇଥିଲା ବାୟୁସେନାର ‘ବାହାଦୁର’ – ମିଗ୍‌-୨୭ ବିମାନ।

ସଂକ୍ଷେପରେ ଲଢ଼ୁଆ ବିମାନ ମିଗ୍ ୨୭ 

– ତତ୍କାଳୀନ ସୋଭିଏତ୍ ରୁଷ ନିର୍ମିତ ଯୁଦ୍ଧ ବିମାନ ମାଇକୋୟାନ୍ ଆଇ ଗୁରେଭିଚ୍ ବା ଏମଆଇଜି ବା ମିଗ୍ – ୨୭।
– ୧୯୮୧ ମସିହାରେ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା।
– ଏକଦା ଭାରତୀୟ ବାୟୁସେନାର ଅଧା ଶକ୍ତି ଥିଲା ମିଗ୍-୨୭।
–  ପରବର୍ତ୍ତୀ ସମୟରେ ସୋଭିଏତ୍ ରୁଷ ଜ୍ଞାନ କୌଶଳରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ନିର୍ମାଣ କରିଥିଲା ମିଗ-୨୭ ବିମାନ।
– ୨୦୦୨ରେ ୮୬ଟି ବିମାନର ଆଧୁନିକୀକରଣ କରାଯାଇଥିଲା।
– ବାୟୁସେନାର ‘ବାହାଦୁର’ ଭାବେ ଖ୍ୟାତି ଅର୍ଜିଥିଲା ଏହି ଲଢ଼ୁଆ ବିମାନ।
– ଆକାଶରୁ ଭୂଷୃଷ୍ଠ ଉପରେ ଆକ୍ରମଣ ପାଇଁ ଏହା ଥିଲା ବାୟୁସେନାର ଅମୋଘ ଅସ୍ତ୍ର।
– ଘଣ୍ଟା ପ୍ରତି ସର୍ବାଧିକ ୧୮୮୫ କିଲୋମିଟର ବେଗରେ ଗତି କରିପାରେ।
– ୪,୦୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ଥିଲା।

ଗତ ୪ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିବା ଏହି ଲଢ଼ୁଆ ବିମାନକୁ ଆଜି ସମ୍ମାନର ସହ ସେବା ନିବୃତ୍ତ କରାଯାଇଛି । ଭାରତୀୟ ବାୟୁସେନା ନିଜ ବାହାଦୁର ଲଢୁଆ ବିମାନକୁ ଦେଇଛି ବିଦାୟ । ଯୋଧପୁରସ୍ଥିତ ଭାରତୀୟ ବାୟୁସେନା ଘାଟିରେ ଶେଷଥର ପାଇଁ ଆକାଶରେ ଉଡିଛି ‘ବାହାଦୁର’ । ଏହି ସ୍କ୍ୱାର୍ଡନରେ ଥିବା ୭ଟି ବିମାନ ଶେଷ ଥର ପାଇଁ ଉଡାଣ କରିଥିବା ବେଳେ ଏକ ଭବ୍ୟ ସମାରୋହରେ ‘ମିଗ୍-୨୭’ର ବୀରତ୍ୱକୁ ବଖାଣିଛନ୍ତି ବାୟୁସେନା ଅଧିକାରୀ । ବର୍ତ୍ତମାନ ମିଗ୍‌-୨୭ ପାଲଟି ଯାଇଛି ଇତିହାସ। କେବଳ ଭାରତରେ ନୁହେଁ, ବରଂ ସାରା ବିଶ୍ୱରେ ଏହା ଇତିହାସକୁ ଚାଲିଯିବ। କାରଣ ଏବେ ଅନ୍ୟ କୌଣସି ଦେଶ ମିଗ୍‌-୨୭ ବ୍ୟବହାର କରୁନାହାନ୍ତି।

୧୯୮୧ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ମିଗ-୨୭କୁ ଆଜି ଭାରତୀୟ ବାୟୁସେନା ଔପଚାରିକ ଭାବେ ବିଦାୟ ଦେଇଛି ।

ସମ୍ବନ୍ଧିତ ଖବର