କୁମାର ଗନ୍ଧର୍ବଙ୍କ ଗାଳି ସଂଗୀତଜ୍ଞ କରିଦେଲା : ପଣ୍ଡିତ ଯଶରାଜ

ପଣ୍ଡିତ ଯଶରାଜ ଏକ ସାକ୍ଷାତକାରରେ ଥରେ କହିଥିଲେ, ସେ ତାଙ୍କ ସଂଗୀତ ଶିକ୍ଷା ତବଲାରୁ ଆରମ୍ଭ କରିଥିଲେ। ୧୪ ବର୍ଷ ବୟସରେ ଏକ ଘଟଣାକ୍ରମରେ ତାଙ୍କ ସଂଗୀତ ଜୀବନର ମୋଡ଼ ବଦଳିଯାଇଥିଲା। ୧୯୪୫ ମସିହାରେ ‌ଲାହୋରରେ କୁମାର ଗନ୍ଧର୍ବଙ୍କ ସହିତ ସେ ତବଲା ସଂଗୀତ ବାଦନ କରୁଥିଲେ। କାର୍ଯ୍ୟକ୍ରମ ‌ପରଦିନ କୁମାର ଗନ୍ଧର୍ବ ମୋତେ ଗାଳି ଦେଇଥିଲେ। ସେ କହିଥିଲେ, ଯଶରାଜ ତୁମେ ଚମଡ଼ା ପିଟିଲ କିନ୍ତୁ ରାଗ ବିଷୟରେ କିଛି ଶିଖିଲ ନାହିଁ। ସେହିଦିନ ପରଠାରୁ ମୁଁ ଆଉ କେବେ ତବଲାରେ ହାତ ଦେଇନାହିଁ। ତବଲା ବଜାଇବା ବଦଳରେ ଗୀତ ଗାଇବା ଆରମ୍ଭ କଲି। ତାଙ୍କୁ ଇନ୍ଦୋର ଖୁବ୍ ଭଲ ଲାଗୁଥିଲା। ଉସ୍ତାଦ ଅମିର ଖାଁ, ପଣ୍ଡିତ କୁମାର ଗନ୍ଧର୍ବ, ଲତା ମଙ୍ଗେସକର, କିଶୋର କୁମାରଙ୍କ ସହିତ ଅନେକ ଖ୍ୟାତିସମ୍ପନ୍ନ ସଂଗୀତଜ୍ଞ ଏଠାରୁ ସୃଷ୍ଟି ହୋଇଛନ୍ତି। ଭଗବାନ ତାଙ୍କୁ କାହିଁକି ହରିୟାଣାରେ ଜନ୍ମଦେଲେ ତାହା ସେ ଅନେକଥର ଚିନ୍ତା କରିଛନ୍ତି। ଈଶ୍ବର ତାଙ୍କୁ ଇନ୍ଦୋରରେ ଜନ୍ମ ଦେଇଥିଲେ ସେ ଏସବୁ ବ୍ୟକ୍ତିଙ୍କ ସହିତ ମିଶିବାର ସୌଭାଗ୍ୟ ପାଇଥାନ୍ତେ ବୋଲି ଯଶରାଜ ସେହି ସାକ୍ଷାତକାରରେ କହିଥିଲେ।

ଯଶରଙ୍ଗୀ ଯୁଗଳବନ୍ଦୀର ରଚନା
ପଣ୍ଡିତ ଯଶରାଜ ଏକ ଅନନ୍ୟ ଯୁଗଳବନ୍ଦୀର ରଚନା କରିଥିଲେ। ଏଥିରେ ମହିଳା ଏବଂ ପୁରୁଷ ଗାୟକ ଭିନ୍ନ ଭିନ୍ନ ରାଗରେ ଏକାସଙ୍ଗେ ଗାଇଥାନ୍ତି। ଏହି ଯୁଗଳବନ୍ଦୀକୁ ଯଶରଙ୍ଗୀ ନାମକରଣ କରାଯାଇଛି।

ମଧୁରାଷ୍ଟକମ୍ ତାଙ୍କର ସବୁଠୁ ପ୍ରିୟ
ଶ୍ରୀ ବଲ୍ଲଭାଚାର୍ଯ୍ୟଙ୍କ ଦ୍ବାରା ଭଗବାନ କୃଷ୍ଣଙ୍କ ଉପରେ ରଚିତ ମଧୁରାଷ୍ଟକମ୍ ଏକ ମଧୁର ସ୍ତୁତି। ପଣ୍ଡିତ ଯଶରାଜ ଏହି ସ୍ତୁତିକୁ ନିଜ ସ୍ବରରେ ଘରେ ଘରେ ପହଞ୍ଚାଇ ପାରିଛନ୍ତି। ପଣ୍ଡିତ ଯଶରାଜ ତାଙ୍କ ସବୁ କାର୍ଯ୍ୟକ୍ରମରେ ମଧୁରାଷ୍ଟକମ୍ ଗାଇଥାନ୍ତି। ଏହି ସ୍ତୁତିରେ ରହିଛି-ଅଧରଂ ମଧୁରଂ ବଦନଂ ମଧୁରଂ, ନୟନଂ ମଧୁରଂ ହସିତଂ ମଧୁରଂ। ହୃଦୟଂ ମଧୁରଂ ଗମନଂ ମଧୁରଂ, ମଧୁରାଧିପତେରଖିଳଂ ମଧୁରଂ।

୭ଟି ମହାଦେଶରେ ଗାଇଥିବା ପ୍ରଥମ ଭାରତୀୟ
ପଣ୍ଡିତ ଯଶରାଜ ବିଶ୍ବର ୭ଟି ଯାକ ମହାଦେଶରେ ଗାଇଥିବା ପ୍ରଥମ ଭାରତୀୟ ସଂଗୀତଜ୍ଞ। ୨୦୧୨ ମସିହାରେ ସେ ଆଣ୍ଟାର୍କଟିକା ମହାଦେଶରେ ଗାଇବାର ସ୍ବତନ୍ତ୍ର ଅନୁଭୂତି ସାଉଁଟିଥିଲେ। ସେହିବର୍ଷ ଜାନୁଆରି ୮ ତାରିଖରେ ଆଣ୍ଟାର୍କଟିକା ତଟରେ ‘ସି ସ୍ପିରିଟ’ ନାମକ ଏକ କ୍ରୁଜରେ ସଂଗୀତ ପରିବେଷଣ କରିଥିଲେ। ୮୨ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଥିଲେ। ଏହା ପୂର୍ବରୁ ୨୦୧୦ ମସିହାରେ ପଣ୍ଡିତ ଯଶରାଜ ପତ୍ନୀ ମଧୁରାଙ୍କ ସହିତ ଉତ୍ତର ମେରୁ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର