ପ୍ରତିଟି ଅର୍ଡର ସହିତ ଦୁଇଟି ଫେସ ମାସ୍କ ମାଗଣାରେ ଦେଉଛି ଏହି ଇ-କମର୍ସ କମ୍ପାନି, ଆମାଜନ, ଫ୍ଲିପକାର୍ଟ ଓ ମିନ୍ତ୍ରାକୁ ଏଭଳି ପଦକ୍ଷେପ ନେବାକୁ କହିଲେ ବିଜେପି ମୁଖପାତ୍ର

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାଭାଇରସକୁ ନେଇ ଲୋକମାନଙ୍କୁ ସରକାର ସତର୍କ କରାଉଥିବା ବେଳେ ଫେସ୍ ମାସ୍କ ଓ ସାନିଟାଇଜର ଭଳି ଅତ୍ୟାବଶ୍ୟକ ଜିନିଷକୁ ବ୍ୟବହାର କରିବା ପାଇଁ କହୁଛନ୍ତି। ଭାଇରସ ଦ୍ବାରା ସଂକ୍ରମଣ ନହେବା ପାଇଁ ଲୋକେ ମାସ୍କ ବ୍ୟବହାର କରୁଥିବା ବେଳେ ବଜାରରେ ଏହାର ଅଭାବ ଦେଖିବାକୁ ମିଳୁଛି। ତେବେ ଏହି ଅଭାବକୁ ଦୂର କରିବା ପାଇଁ ପୂର୍ବରୁ ତିରୁବନନ୍ତପୁରମ୍ ଜେଲରେ ଥିବା କଏଦୀମାନେ ମାସ୍କ ତିଆରି କରି ସରକାରଙ୍କୁ ଦେଇଥିବା ବେଳେ ଏବେ ଏକ ଇ-କମର୍ସ କମ୍ପାନି ନିଜର ପ୍ରତିଟି ଅର୍ଡର ସହ ଦୁଇଟି ଫେସ ମାସ୍କ ମାଗଣାରେ ଦେଉଥିବା ଜଣାପଡ଼ିଛି।

ଟିସାର୍ଟଭଇୟା ଡଟ୍ କମ୍ କମ୍ପାନିର ମାଲିକ ତଥା ବିଜେପିର ମୁଖପାତ୍ର ତଜିନ୍ଦର ପାଲ ସିଂ ଏଭଳି ପଦକ୍ଷେପ ନେଇଥିବା ବେଳେ ଅନ୍ୟ ଇ-କମର୍ସ କମ୍ପାନିମାନଙ୍କୁ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ଟୁଇଟ୍ କରି କହିଛନ୍ତି ତଜିନ୍ଦର ପାଲ। ଆମେ କରୋନାଭାଇରସର ମୁକାବିଲା ପାଇଁ ଏହି ପଦକ୍ଷେପ ଆରମ୍ଭ କରିଛୁ। ମୁଁ ଆମାଜନ, ଫ୍ଲିପକାର୍ଟ, ମିନ୍ତ୍ରା ଏବଂ ଅନ୍ୟାନ୍ୟ ଇ-କମର୍ସ ୱେବସାଇଟକୁ ଅନୁରୋଧ କରୁଛି ଯେ ଏହି ପଦକ୍ଷେପରେ ଯୋଗ ଦିଅନ୍ତୁ। ସମସ୍ତ ଅର୍ଡର ସହିତ ମାଗଣା ମାସ୍କ ପଠାଇ କରୋନା ଭାଇରସ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତକୁ ସାହାଯ୍ୟ କରନ୍ତୁ ବୋଲି ଟୁଇଟ୍ କରି ଜଣାଇଛନ୍ତି ତଜିନ୍ଦର।

ତଜିନ୍ଦରଙ୍କ କମ୍ପାନି ଲୋକମାନଙ୍କୁ ସେମାନେ ଅର୍ଡର କରୁଥିବା ଜିନିଷ ସହ ଦୁଇଟି ମାସ୍କ ଡେଲିଭର କରୁଛି। ଯାହାଦ୍ବାରା ଲୋକେ ଘରେ ବସି ମାସ୍କ ପାଇ ପାରୁଛନ୍ତି।

ସମ୍ବନ୍ଧିତ ଖବର