ବହ୍ନିକନ୍ୟା ପାର୍ବତୀ ଗିରି

୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା, ସମଲେଇପଦର ଗାଁର ୧୬ ବର୍ଷୀୟା ଝିଅ ବରଗଡ଼ ଏସ୍‌ଡିଓ ଅଫିସ୍‌କୁ କିଛି ସମୟ ପାଇଁ ଅକ୍ତିଆର କରି ନିଜର ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିଲେ। ଝିଅମାନେ ବାହାରକୁ ଗୋଡ଼ କାଢ଼ୁ ନଥିବା ସମୟ‌ରେ ତାଙ୍କର ଏଭଳି ଦେଶପ୍ରେମ ଏବଂ ସାହସ ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଥିପାଇଁ ତାଙ୍କୁ ୨ ବର୍ଷ ଜେଲ୍‌ ବି ଯିବାକୁ ପଡ଼ିଥିଲା। ସେଦିନର ସେ କିଶୋରୀଜଣଙ୍କ ଆଉ କେହି ନୁହଁନ୍ତି, ସେ ହେଲେ ଜନମାନସରେ ବହ୍ନିକନ୍ୟା ଭାବେ ପରିଚିତ ପାର୍ବତୀ ଗିରି।

ବାପା ଧନଞ୍ଜୟ ଏବଂ ମା’ ଶ୍ରୀମତୀ ଗିରିଙ୍କଠାରୁ ୧୯୨୬ ଜାନୁଆରି ୨୩‌‌‌ରେ ଜନ୍ମିତ ପାବର୍ତୀ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ତାଙ୍କ କାକା ରାମଚନ୍ଦ୍ର ଗିରି ସମଲେଇପଦରର ମୁଖ୍ୟ କଂଗ୍ରେସ ନେତା ଭାବେ କାର୍ଯ୍ୟ କରୁଥିଲେ। ତେଣୁ ମାତ୍ର ୧୨ବର୍ଷରୁ ସେ ସତ୍ୟାଗ୍ରହ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ୧୯୩୮ମସିହାରେ ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିଆରୀଙ୍କ ଭଳି ସଂଗ୍ରାମୀଙ୍କ ବକ୍ତବ୍ୟରେ ପ୍ରଭାବିତ ହୋଇ ତାଙ୍କ ସହିତ ଯାଜପୁରସ୍ଥିତ ବରି ଯିବା ପାଇଁ ଜିଦ୍‌ ଧରିଥିଲେ। ଆଶ୍ରମରେ ସୂତା କାଟିବା, ଖଦି ବୁଣିବା ସହ ସତ୍ୟ ଏବଂ ଅହିଂସାର ତାଲିମ୍‌ ନେଇଥିଲେ। ଏହି ସମୟରେ ପଶ୍ଚିମ ଓଡ଼ିଶାରେ ସ୍ବାଧୀନତା ପାଇଁ ଲ‌ଢ଼େଇ ଜୋରଦାର ଚାଲିଥାଏ। ପାର୍ବତୀ ସେମାନଙ୍କ ସହ ସାମିଲ ହୋଇଯାଇଥିଲେ। ପଦମପୁର, ବରଗଡ଼, ପାଣିମୋରା ଏବଂ ଘେଁସରେ କାର୍ଯ୍ୟ କରୁଥିଲେ। ବ୍ରିଟିସ୍‌ ସରକାରଙ୍କ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ଏକ ବର୍ଷ ଜେଲ ଯିବାକୁ ପଡ଼ିଥିଲା। ପରେ କଟକ ଜେଲକୁ ସ୍ଥାନାନ୍ତର ହୋଇଥିଲେ।

୧୯୫୫ ମସିହାରେ ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରରେ ପରିମଳ କାର୍ଯ୍ୟ ପାଇଁ ବରପାଲି ପାଇଖାନା ପ୍ରତି ଘରେ ନିର୍ମାଣ ପାଇଁ ଉତ୍ସାହିତ କରାଯାଉଥିଲା। ଏଥିରେ ପାର୍ବତୀଙ୍କ ସକ୍ରିୟ ଭୂମିକା ଥିଲା। ୧୯୭୩ ମସିହା ବେଳକୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପଦମପୁର ଏବଂ ନୂଆପଡ଼ାରେ ଶିଶୁମାନେ କୁ-ପୋଷଣ ଏବଂ ଅପପୁଷ୍ଟିର ଶିକାର ହେଉଥିଲେ। ଦାରିଦ୍ର୍ୟର ଅବସ୍ଥା ଏଭଳି ଥିଲା ଯେ ଅଧିକାଂଶ ଶିଶୁ ଜଣେ କିମ୍ବା ଉଭୟ ଅଭିଭାବକଙ୍କୁ ହରାଇଥିଲେ। ସେମାନଙ୍କୁ ଥଇଥାନ କରିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପାଇଁ ଏକ ଆହ୍ବାନ ହୋଇପଡ଼ିଥିଲା। ଏହି ପିଲାଙ୍କୁ ଚିହ୍ନଟ କରାଯାଇ କଟକସ୍ଥିତ ଆଶ୍ରମକୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହାକୁ ବଦଳାଯାଇ ପାଇକମାଳରେ ବାଳାଶ୍ରମ ନିର୍ମାଣ ପାଇଁ ନିଷ୍ପତ୍ତି ହେଲା। ଏଥିପାଇଁ ସରକାର ୧୨ଏକର ଜମି ଦେଇଥିଲେ। ଏହି ଆଶ୍ରମ ପରିଚାଳନା ପାଇଁ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିଙ୍କୁ ଖୋଜା ପଡ଼ିଥିଲା। ଏହି କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ ପାର୍ବତୀ।

ଏହି ଆଶ୍ରମ ସିନା ସରକାର ପ୍ରତିଷ୍ଠା କରିଥିଲେ, କିନ୍ତୁ ଏହାର ପରିଚାଳନା ଏବଂ ପିଲାଙ୍କ ସମସ୍ତ ଆବଶ୍ୟକତା ପୂରଣ ଦାୟିତ୍ବ ପାର୍ବତୀଙ୍କ ଉପରେ ଥିଲା। ଏଥିପାଇଁ ସେ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ। ତାଙ୍କ ପ୍ରତି ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ଏବଂ ବିଶ୍ବାସ ଏଭଳି ଥିଲା ଯେ ତାଙ୍କ ପ୍ରତ୍ୟେକ କାର୍ଯ୍ୟରେ ଅପାର ସହଯୋଗ ମିଳୁଥିଲା। ପିଲାଙ୍କ ବାତ୍ସଲ୍ୟ ଯୋଗୁଁ ସେ ବଡ଼ ମା ଭାବରେ ପରିଚିତ ହେଲେ। ପିଲାଙ୍କ ସେବାରେ ନିଜକୁ ଏଭଳି ହଜାଇ ଦେଇଥିଲେ ଯେ କୁହାଯାଏ ଯେ ୧୯୯୩ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ ପାଇଁ କହିଥିଲେ। ସେଥିଲେ ପ୍ରକୃତରେ ବହ୍ନିକନ୍ୟା, ବଡ଼଼ ମା। ତାଙ୍କ ସାହସ, ସେବା ଏବଂ ତ୍ୟାଗ ଆଜି ବି ଉଦାହରଣ ହୋଇ ରହିଛି।

ସମ୍ବନ୍ଧିତ ଖବର