ଭାରତର ଅନ୍ୟତମ ମହାନ୍ ଦୂରଦ୍ରଷ୍ଟା ଡକ୍ଟର ବି. ଆର. ଆମ୍ବେଦକରଙ୍କର ଆଜି ୧୩୫ତମ ଜନ୍ମ ଜୟନ୍ତୀ। ଡକ୍ଟର ଆମ୍ବେଦକରଙ୍କ ମହାନ୍ କର୍ମ ଓ ଚିନ୍ତନକୁ ଅଣଦେଖା କରିବା ସକାଶେ ଜାଣିଶୁଣି ଅନୁଚିତ ଭାବରେ ପ୍ରୟାସ କରାଯାଇ ଆସିଥିଲା। ପ୍ରାୟ ଏକ ଶତାବ୍ଦୀରୁ ଅଧିକ କାଳ ଧରି ତାଙ୍କୁ କେବଳ ଜଣେ ଦଳିତ ନେତା ଭାବରେ ଚିତ୍ରିତ କରି ରଖାଯାଇଥିଲା। ସେ କେବଳ ଦଳିତ ଓ ଅବହେଳିତ ବର୍ଗଙ୍କ ପ୍ରତିବାଦର ପ୍ରତୀକ ନଥିଲେ, ବରଂ ଆଧୁନିକ ଭାରତର ଜଣେ ସର୍ବଶ୍ରେଷ୍ଠ ଚିନ୍ତକ ଭାବରେ ମଧ୍ୟ ସ୍ୱୀକୃତି ପାଇଛନ୍ତି। ଯେତେବେଳେ ସେ ବିଦ୍ୟାଳୟରେ ପଢ଼ୁଥିଲେ, ତାଙ୍କୁ ସାଧାରଣ ପାଣିକଳରୁ ପାଣି ପିଇବାକୁ ଅନୁମତି ଦିଆଯାଉ ନଥିଲା। ଦିନେ, ଅସହ୍ୟ ଖରାରେ ଏକ ଜଳଉତ୍ସରୁ ସେ ପାଣି ପିଇବାକୁ ପ୍ରୟାସ କରିବାରୁ ସମାଜରେ ଥିବା ସଂକୀର୍ଣ୍ଣ ଚିନ୍ତାଧାରା ପାଇଁ ତାଙ୍କୁ ମାରଧର କରାଯାଇଥିଲା। ଏଭଳି ଘଟଣାରେ, ଅନ୍ୟ ବାଳକମାନେ ଏହାକୁ ନିଜର ଭାଗ୍ୟ ବୋଲି ନିରବରେ ସହ୍ୟ କରି ଯାଇଥାଆନ୍ତେ। ଆଉ କେହି ଅବା ଅନ୍ୟାୟ ବ୍ୟବସ୍ଥା ବିରୋଧରେ ଅତି ହିଂସ୍ର ଭାବରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥାଆନ୍ତେ। କିନ୍ତୁ ଆମ୍ବେଦକର ନିଜ ଅନ୍ତରର ପ୍ରତିକ୍ରିୟାକୁ ଏକ ନୂତନ ଶିକ୍ଷା ଭାବରେ ହିଁ ଗ୍ରହଣ କରିଥିଲେ। ଏହା ପରେ ଆମ୍ବେଦକର ଏମ୍ଏ, ଏମ୍ଏସ୍ସି, ପିଏଚ୍ଡି, ଡିଏସ୍ସି ଏବଂ ବାର ଆଟ୍ ଲ’ ଡିଗ୍ରି ହାସଲ କଲେ। ଏଥି ସହିତ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ମଧ୍ୟ ଗବେଷଣାତ୍ମକ ଡିଗ୍ରି ହାସଲ କରିଥିଲେ। ଭାଗ୍ୟ ଡକ୍ଟର ଆମ୍ବେଦକରଙ୍କୁ ଅସମ୍ଭବ ମାନସିକ ଦୃଢ଼ତା, ପ୍ରଜ୍ଞା ଓ ସାଧୁତା ପ୍ରଦାନ କରିଥିଲା ଯାହାକୁ ସେ ସମାଜ ସଂସ୍କାରକ, ଆଇନଜ୍ଞ, ଅର୍ଥନୀତିଜ୍ଞ,ଦାର୍ଶନିକ,ମାନବିକ ଅଧିକାର ପ୍ରବକ୍ତା ଏବଂ ରାଷ୍ଟ୍ର ନିର୍ମାତା ଭାବରେ ବିନିଯୋଗ କରିଥିଲେ। ଡକ୍ଟର ଆମ୍ବେଦକରଙ୍କ ପାଣ୍ଡିତ୍ୟର ଗଭୀରତା, ବ୍ୟାପ୍ତି ଓ ବିପୁଳତା ଅବିଶ୍ୱସନୀୟ। ରାଜନୀତି ଠାରୁ ଆରମ୍ଭ କରି ନୀତିଶାସ୍ତ୍ର, ସମାଜଶାସ୍ତ୍ର ଠାରୁ ନେଇ ନୃତତ୍ତ୍ୱ, ଅର୍ଥନୀତି ଠାରୁ ଆଇନ ଶାସ୍ତ୍ର ଏବଂ ରାଜନୈତିକ ଅର୍ଥନୀତି ଠାରୁ ଧର୍ମଶାସ୍ତ୍ର ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଓ ପ୍ରସଙ୍ଗ ଉପରେ ସେ ବ୍ୟାପକ ରଚନା କରିଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ରୀୟ ଜଳ ଆୟୋଗର ଉତ୍ପତ୍ତି ବାବା ସାହେବଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ପ୍ରସୂତ। ଅର୍ଥଶାସ୍ତ୍ର ଓ ଆର୍ଥିକ ଇତିହାସରେ ତାଙ୍କର ପାଣ୍ଡିତ୍ୟ ଯୋଗୁ ଭାରତର ମୌଦ୍ରିକ ସମସ୍ୟାର ବିଶ୍ଳେଷଣ କରିଥିଲେ ଯାହାକି ରୟାଲ କମିସନ ଅନ୍ ଇଣ୍ଡିଆନ୍ କରେନ୍ସି ଆଣ୍ଡ ଫାଇନାନ୍ସରେ ପ୍ରତିଫଳିତ ହୋଇଛି। ଏହି ସନ୍ଦର୍ଭରେ ସେ ସ୍ଥିର ବିନିମୟ ବ୍ୟବସ୍ଥା କିପରି ବ୍ରିଟିସ ସରକାର ଗ୍ରହଣ କରିଥିଲେ ଯାହାକି ଭାରତରେ କେବଳ ସେମାନଙ୍କର ସ୍ୱାର୍ଥ ରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା ଦର୍ଶାଇଛନ୍ତି। ଏହା ପରବର୍ତ୍ତୀ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୃଷ୍ଟିର ମୂଳ ଆଧାର ପାଲଟିଥିଲା। ଡକ୍ଟର ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ଏକ ଗାଣତନ୍ତ୍ରିକ ଧାରାରେ ପରିଚାଳିତ ସରକାର ହିଁ କେବଳମାଜରେ ଗାଣତନ୍ତ୍ରିକ ଚିନ୍ତାଧାରାକୁ ପ୍ରସାରିତ କରିପାରିବ। ତାଙ୍କର ଦୃଢ଼ ଧାରଣା ଥିଲା ଯେ ସମାଜରେ ଯେ ପର୍ଯ୍ୟନ୍ତ ଆଦର୍ଶର ଶୃଙ୍ଖଳା ପ୍ରସାରିତ ନହେବ, ସେତେବେଳ ପର୍ଯ୍ୟନ୍ତ ଗଣତନ୍ତ୍ର ଏବଂ ଆଇନର ବ୍ୟବସ୍ଥା କଦାପି ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ସେ ସଦାବେଳେ କହୁଥିଲେ, ‘ତୁମେ ରାଜନୀତି ଶିକ୍ଷା କରିପାର ଏବଂ ତୁମର ନୈତିକତା ଉପରେ ସାମାନ୍ୟତମ ଧାରଣା ନଥାଇପାରେ। ତୁମେ ଭାବୁଥାଇପାର ଯେ ନୈତିକତା ବିନା ରାଜନୀତିକୁ କାର୍ଯ୍ୟକାରୀ କରିହେବ। କିନ୍ତୁ ମୋର ଚିନ୍ତାଧାରାଟି ହେଲା, ଏହା ଏକ କଠିନ କାର୍ଯ୍ୟ’ ଏବଂ ‘ଯଦି ସମାଜରରେ ନୈତିକ ଶୃଙ୍ଖଳାବୋଧ ନାହିଁ, ତେବେ ସେଠାରେ ଗଣତନ୍ତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯିବ।'
ଭାରତର ଭବିଷ୍ୟତକୁ ନେଇ ସେ ଗଭୀର ଭାବରେ ଚିନ୍ତିତ ଥିଲେ। ଗଣତନ୍ତ୍ରକୁ ନେଇ ତାଙ୍କ ମନ ଉଦ୍ବେଳିତ ହେଉଥିଲା। ତାଙ୍କର ଏହି ମାନସିକ ଚିନ୍ତନ ସମ୍ବିଧାନ ପ୍ରଣୟନ ସଭାରେ ସେ ଦେଇଥିବା ଚୂଡ଼ାନ୍ତ ଅଭିଭାଷଣରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ। ବିପୁଳ କରତାଳି ଏବଂ ପ୍ରଶଂସା ମଧ୍ୟରେ ଡକ୍ଟର ଆମ୍ବେଦକର ମତ ପୋଷଣ କରିଥିଲେ ଯେ ଆମକୁ ଆମର ସ୍ୱାଧୀନତାର ସୁରକ୍ଷା ଲାଗି ସଦାବେଳେ ମାନସିକ ସ୍ତରରେ ଦୃଢ଼ତା ପ୍ରକଟ କରିବାକୁ ହେବ ଏବଂ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ତାହାକୁ ଆମେ ବଜାୟ ରଖିବା ଆବଶ୍ୟକ। ସେ ଚେତାଇ ଦେଇ କହିଥିଲେ ଯେ ଯଦି ଭାରତୀୟମାନେ ଏଭଳି ଭାବନା ପ୍ରତି ଉଦାସୀନ ହୋଇ ପଡ଼ନ୍ତି, ତେବେ ଆମକୁ ସଦ୍ୟ ଲବ୍ଧ ଗଣତନ୍ତ୍ର ଓ ସ୍ୱାଧୀନତାକୁ ଦ୍ୱିତୀୟ ଥର ପାଇଁ ହରାଇବାକୁ ପଡ଼ିପାରେ। ଆଜି ଆମେ ଲକ୍ଷ୍ୟ କରୁଛୁ ଯେ କିଛି ଲୋକ ଜାତି, ଧର୍ମ, ଗୋଷ୍ଠୀ, ଭାଷା ଆଦି ସାମାଜିକ ପ୍ରସଙ୍ଗକୁ ନେଇ ଭାରତୀୟଙ୍କ ମଧ୍ୟରେ ଥିବା ଭ୍ରାତୃତ୍ୱର ଭାବନାକୁ ନ୍ୟୂନ କରିବାକୁ ପ୍ରୟାସ କରୁଛନ୍ତି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ ଏବଂ ସୁନିଶ୍ଚିତ କରିବାକୁ ହେବ ଯେ ଏଭଳି ବିଭେଦ ସୃଷ୍ଟିକାରୀ ଭାବନା ଯେପରି ବିଫଳ ହେବ। ଡକ୍ଟର ଆମ୍ବେଦକରଙ୍କ ଚିନ୍ତାଧାରାର ପୁନଃ ପଠନ ଏବଂ ଏହି ଆଦର୍ଶରେ ନିଜକୁ ନିୟୋଜିତ ରଖିବା ହିଁ ଏହି ପ୍ରୟାସରେ ଆମ ନିମନ୍ତେ ଆଲୋକବର୍ତ୍ତିକା ହୋଇପାରିବ।
ଉଦାହରଣ ସ୍ୱରୂପ, ଆମ୍ବେଦକର ଆର୍ଯ୍ୟ ଆକ୍ରମଣ ତତ୍ତ୍ୱକୁ ଗ୍ରହଣ କରିନଥିଲେ। ‘ଗୋଟିଏ ଜାତି ଅବା ପରିବାର ଜାତିଗତ ଦୃଷ୍ଟିରୁ ଆର୍ଯ୍ୟ ଅବା ଦ୍ରାବିଡ଼ ତାହା ଭାରତର ଲୋକମାନଙ୍କୁ କଦାପି ମାନସିକ ସ୍ତରରେ ବ୍ୟସ୍ତ ବିବ୍ରତ କରିନଥିଲା ଯେତେବେଳ ପର୍ଯ୍ୟନ୍ତ ବିଦେଶୀ ପଣ୍ଡିତମାନେ ଏ ଦେଶକୁ ଆସି ଏହି ଭାବରେ ଏକ ବିଭାଜନର ରେଖା ଟାଣି ନଥିଲେ।’ ୧୯୧୮ ମସିହାରେ ଏକ ପ୍ରବନ୍ଧରେ ବାବା ସାହେବ ଏହି ଯୁକ୍ତି ଉଲ୍ଲେଖ କରିଥିଲେ। ଅନ୍ୟତ୍ର ସେ ଏହାର ଅନେକ ଉଦାହରଣ ଦେଇ କହିଛନ୍ତି ଯେ ଯଜୁର୍ବେଦ ଏବଂ ଅଥର୍ବବେଦର ଋଷିମାନେ ଯେତେବେଳେ ଶୂଦ୍ରମାନଙ୍କର ପ୍ରଶଂସା କରିଛନ୍ତି, ଗୁଣବର୍ଣ୍ଣନା କରିଛନ୍ତି ଏବଂ ଅନେକ କ୍ଷେତ୍ରରେ ଶୂଦ୍ରମାନେ ରାଜା ହୋଇଥିବାର ଦୃଷ୍ଟାନ୍ତମାନ ରହିଛି। ସେ ଏହି ତତ୍ତ୍ୱକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଥିଲେ ଯେ ଅସ୍ପୃଶ୍ୟମାନେ ଆର୍ଯ୍ୟ ଏବଂ ଦ୍ରାବିଡ଼ମାନଙ୍କ ଠାରୁ ଜାତିଗତ ଦୃଷ୍ଟିରୁ ଭିନ୍ନ।
ଯେଉଁମାନେ ସଂକୀର୍ଣ୍ଣ ଓ ଗୋଷ୍ଠୀଗତ ସ୍ୱାର୍ଥ ହାସଲ କରିବା ସକାଶେ ଭାଷା ପ୍ରସଙ୍ଗକୁ ନେଇ ଏଭଳି ପ୍ରୟାସ କରୁଛନ୍ତି ସେମାନେ ରାଷ୍ଟ୍ରର ଏକତା ଏବଂ ସୁରକ୍ଷା ଦିଗରେ ଭାଷାର ଭୂମିକା ସମ୍ପର୍କରେ ଡକ୍ଟର ଆମ୍ବେଦକର ଦେଇଥିବା ମନ୍ତବ୍ୟକୁ ପଢ଼ିଲେ ଢେର୍ ମାତ୍ରାରେ ଉପକୃତ ହୋଇପାରିବେ। ୧୯୪୯ ସେପ୍ଟେମ୍ବର ୧୦ରେ ସମ୍ବିଧାନ ପ୍ରଣୟନ ସଭାରେ ସଂସ୍କୃତକୁ ସମର୍ଥନ ଜଣାଇ ସେ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ। ସଂସ୍କୃତ ଥିଲା ଡକ୍ଟର ଆମ୍ବେଦକର ପାଣ୍ଡିତ୍ୟ ହାସଲ କରିଥିବା ନଅଗୋଟି ଭାଷା ମଧ୍ୟରୁ ଅନ୍ୟତମ ଏବଂ ସେଥିରେ ସେ ଏହାକୁ କେନ୍ଦ୍ର ସରକାରଙ୍କର ଅନ୍ୟତମ ସରକାରୀ ଭାଷା ଭାବରେ ଗ୍ରହଣ କରାଯିବାକୁ ପ୍ରସ୍ତାବ ରଖିଥିଲେ। ତାଙ୍କର ‘ଭାଷାଭିତ୍ତିକ ରାଜ୍ୟ ଗଠନର ଚିନ୍ତନ’ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି, ‘ସମସ୍ତ ଭାରତୀୟଙ୍କ ପାଇଁ ଏହା ଗ୍ରହଣୀୟ କର୍ତ୍ତବ୍ୟ ଯେ ହିନ୍ଦୀକୁ ସେମାନେ ନିଜର ଭାଷା ଭାବରେ ଗ୍ରହଣ କରିବା ଉଚିତ’।
ଉଲ୍ଲେଖଯୋଗ୍ୟ ଯେ ବାବା ସାହେବଙ୍କର ମାତୃଭାଷା ହିନ୍ଦୀ ନଥିଲା କିମ୍ବା ସେ ହିନ୍ଦୀ ଭାଷାଭାଷୀ କ୍ଷେତ୍ରରେ ଜନ୍ମଗ୍ରହଣ କରି ନଥିଲେ। ତଥାପି ସେ ଏହା କହିଥିଲେ। କାରଣ ତାଙ୍କ ପାଇଁ ରାଷ୍ଟ୍ର ସର୍ବୋପରି ଥିଲା। ୧୯୫୨ ମସିହା ଡିସେମ୍ବର ୨୨ରେ ‘ଗଣତନ୍ତ୍ରର ସଫଳ କାର୍ଯ୍ୟାନ୍ୱୟନ ପୂର୍ବବର୍ତ୍ତୀ ସ୍ଥିତି’ ଶୀର୍ଷକ ଏକ ଭାଷଣରେ ଡକ୍ଟର ଆମ୍ବେଦକର କହିଥିଲେ ଯେ ଆଧୁନିକ ଗାଣତନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ କଲ୍ୟାଣ ସାଧନ ନିମନ୍ତେ ଗଣତନ୍ତ୍ର ସ୍ୱରୂପରେ ପରିବର୍ତ୍ତନ ଘଟିଥାଏ। ଏହି ଆଦର୍ଶ ଓ ପରିକଳ୍ପନା ଦିଗରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି, ବିଗତ ୧୦ ବର୍ଷ ମଧ୍ୟରେ ଆମ ସରକାର ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠାଇବାକୁ ସକ୍ଷମ ହୋଇପାରିଛି। ଆମେ ଦେଶର ୧୬ କୋଟି ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛୁ। ୫ କୋଟି ଗରିବ ପରିବାରଙ୍କ ପାଇଁ ବାସଗୃହ ନିର୍ମାଣ କରିଛୁ। ୨୦୨୩ ମସିହାରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଜନ ମନ ଅଭିଯାନ ଆରମ୍ଭ କରାଯାଇଥିଲା। ଏହା ବିଶେଷ ଭାବରେ ସମାଜର ଦୁର୍ବଳ ଓ ଆପଦାଗ୍ରସ୍ତ ଜନଜାତି ଗୋଷ୍ଠୀ (ପିଭିଟିଜି)ର ଲୋକମାନଙ୍କ ସାମାଜିକ- ଆର୍ଥିକ ସ୍ଥିତିରେ ଉନ୍ନତି ଘଟାଇବା ନିମନ୍ତେ ଉଦ୍ଦିଷ୍ଟ। ଆମେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା (ୟୁ.ଏ୍ଚ.ସି.) ପରିକଳ୍ପନାର ଲକ୍ଷ୍ୟକୁ ହାସଲ କରିବା ସକାଶେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଆରମ୍ଭ କରିଛୁ।
ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ସାମାଜିକ ଓ ଆର୍ଥିକ ଗଣତନ୍ତ୍ର ରାଜନୈତିକ ଗଣତନ୍ତ୍ର ସହିତ ହାତ ଧରାଧରି ହୋଇ ଆଗକୁ ଅଗ୍ରସର ହୋଇଥାଆନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ ଗଠନ’ର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଲକ୍ଷ୍ୟ ବାବା ସାହେବଙ୍କ ପରିକଳ୍ପନାକୁ ହିଁ ପୁଷ୍ଟ କରୁଛି। ବାବା ସାହେବଙ୍କ ଜନ୍ମ ଜୟନ୍ତୀ ସମସ୍ତ ଭାରତୀୟଙ୍କୁ ତାଙ୍କ ଦ୍ୱାରା ପ୍ରଦତ୍ତ ମୂଲ୍ୟବୋଧ ଏବଂ ଆଦର୍ଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିବାର ସୁଯୋଗ। ଆସନ୍ତୁ, ଆମେ ଆମର ଜାତି, ଧର୍ମ, ସମ୍ପ୍ରଦାୟ ଓ ଗୋଷ୍ଠୀର ଭାବନାରୁ ଊର୍ଦ୍ଧ୍ବକୁ ଉଠି ନିଜକୁ ‘ଭାରତୀୟ’ ଭାବରେ ପରିଚିତ କରାଇବା।