ଗଲ୍‌ଫ ଦେଶଗୁଡ଼ିକରେ ଭାରତୀୟ ଶ୍ରମିକଙ୍କ ଦୁଃଖ: କେବେ ଅତ୍ୟାଚାର ତ କେବେ ମୃତ୍ୟୁଯନ୍ତାର ଶିକାର!

ନୂଆଦିଲ୍ଲୀ: ପାଖାପାଖି ୬୦ ଲକ୍ଷ ଭାରତୀୟ  ବାହାରିନ୍‌, କୁଏଟ୍‌, ସାଉଦି ଆରବ, ୟୁଏଇ ଏବଂ ଓମାନ ଭଳି ବିଭିନ୍ନ ଗଲ୍‌ଫ ଦେଶରେ  କାମ କରି ଜୀବିକା ଅର୍ଜନ କରୁଛନ୍ତି। ତେବେ, ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୦୫ରୁ ନେଇ ୨୦୧୫ ମସିହା ମଧ୍ୟରେ ୩୦,୦୦୦ରୁ ଊର୍ଧ୍ୱ ଭାରତୀୟ ଗଲ୍‌ଫ ଦେଶରେ ପ୍ରାଣ ହରାଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ତେଲେଙ୍ଗାନାର ଲୋକେ ବୋଲି ଜାଣିବାକୁ ମିଳିଛି। ପ୍ରତିବର୍ଷ ତେଲେଙ୍ଗାନାରୁ ପ୍ରାୟ ୧୦,୦୦୦ ଲୋକ ଗଲ୍ଫ ଦେଶଗୁଡ଼ିକୁ ଯାଇଥାନ୍ତି। ସେଥିମଧ୍ୟରୁ ପାଖାପାଖି ୨୦୦ ଜଣ କେବଳ ଥାଆନ୍ତି କେଲେଡା ଗ୍ରାମରୁ।

କେଲୋଡ଼ା ଗ୍ରାମର ଚିତମ(୪୫) ଦୀର୍ଘ ୧୩ ହେବ ଦୁବାଇରେ କାର୍ଯ୍ୟ କରୁଥିଲେ। ନିକଟରେ ତାଙ୍କ ମୃତ୍ୟୁ ପୂରାପୂରି ଭାବେ ପତ୍ନୀ ଲକ୍ଷ୍ମୀ ମଳୟଙ୍କୁ  ବେସାହାରା କରି ଦେଇଛି। ଗାଁର ଗୁଖିଆଙ୍କ କହିବା ଅନୁଯାୟୀ, ମୃତ୍ୟୁର ୧ ମାସ ପୂର୍ବରୁ ଚିତମ ଘରକୁ ଆସିଥିଲେ। ସେତେବେଳେ ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ। ମାତ୍ର ହଠାତ ତାଙ୍କର ମୃତ୍ୟୁ ପରେ ସେ ଷ୍ଟ୍ରୋକ୍‌ ହେତୁ ପ୍ରାଣ ହରାଇଛନ୍ତି ବୋଲି ଦିଆଯାଇଥିବା ସଫେଇ ଭିତ୍ତିହୀନ ବୋଲି ଦାବି କରିଛନ୍ତି ପରିବାର ଲୋକେ। କେବଳ ଚିତମ ନୁହଁନ୍ତି, କେଲୋଡ଼ା ଗ୍ରାମରୁ ଆହୁରି ୩ ଜଣ ଦୁବାଇ ଯିବା ପରେ ପ୍ରାଣ ହରାଇଥିବା ରିପୋର୍ଟ ରହିଛି।

ଚିତମ ଭାରତୀୟ ମୁଦ୍ରା ହିସାବରେ ୧୨,୦୦୦ଟଙ୍କା ଦରମା ପାଉଥିଲେ। ସେ ସେଥିରୁ ୪ରୁ ୫ ହଜାର ଟଙ୍କା ପ୍ରତିମାସ ଘରକୁ ପଠାଉଥିଲେ। ସେ ଦୁବାଇ କାର୍ଯ୍ୟ କରୁଥିବା ୧୩ ବର୍ଷ ମଧ୍ୟରେ  ନିଜ ପତ୍ନୀ, ପିଲାଙ୍କ ନିକଟକୁ ମାତ୍ର ୫ ଥର ଆସିଥିଲେ। ଚିତମ ଆଗାମୀ ବର୍ଷ ପୁଣି ଘରକୁ ଫେରିବାର ଯୋଜନା କରି ଯାଇଥିଲେ। ମାତ୍ର ଦୁର୍ଭାଗ୍ୟକୁ ଘରକୁ ଫେରିଲା ତାଙ୍କ ମୃତଦେହ।

କେବଳ ଚିତମ ନୁହଁନ୍ତି ଗଲ୍‌ଫ ଦେଶଗୁଡ଼ିକୁ ଯାଉଥିବା ଏମିତି ଅନେକ ଭାରତୀୟଙ୍କ କଥା ସମାନ। ଦୀର୍ଘ ୧୬ ବର୍ଷ କାଳ ଦୁବାଇରେ କାମ କରି ଫେରିଥିବା ରାମନା ଚିତମ ନିଜ ଅଭିଜ୍ଞତାରୁ କହନ୍ତି, ‘ସେଠାରେ ଲୋକ ଖୁବ୍‌ ଖରାପ ପରିସ୍ଥିତିରେ କାମ କରିଥାନ୍ତି। ଏଜେଣ୍ଟ୍‌ମାନେ ଅଧିକାଂଶ ସମୟରେ ଧୋକା ଦେଇଥାନ୍ତି। ଅନେକ ମିଥ୍ୟ ପ୍ରତିଶୃତିରେ ଲୋକେ ବନ୍ଧା ପଡ଼ିଥାନ୍ତି। ଶ୍ରମିକଙ୍କ ମୁଣ୍ଡରେ ୫୦,୦୦୦ରୁ ୧ ଲକ୍ଷ ଟଙ୍କର ପର୍ଯ୍ୟନ୍ତ ଋଣ ଭାର ରହିଥାଏ, ଯାହା ଏଜେଣ୍ଟ୍‌ମାନେ ନେଇଥାନ୍ତି।’

ଏ ସଂପର୍କରେ ଅନେକ ଭାରତୀୟ ନିଜର ଦୁଃଖଦ ଅନୁଭୂତି ବଖାଣିଛନ୍ତି । କିପରି ଭାବେ ଋଣ ଭାର ନ ଶୁଝିଲା ପର୍ଯ୍ୟନ୍ତ ସେମାନଙ୍କୁ ଘରକୁ ଫେରିବାକୁ ଅନୁମତି ମିଳି ନ ଥାଏ ସେ ସଂପର୍କର ଦର୍ଶାଇଛନ୍ତି। ଏକ ପ୍ରକାର କହିବାକୁ ଗଲେ ଥରେ ଗଲ୍‌ଫ ଦେଶଗୁଡ଼ିକୁ ଚାଲିଗଲା ପରେ ବାନ୍ଧି ହୋଇପଡ଼ିନ୍ତି ନୀରିହ ଭାରତୀୟ।

ତେଲେଙ୍ଗାନା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଅସୁସ୍ଥ ପରିବେଶ ଓ ଉଚ୍ଚ ତାପମାତ୍ରାରେ କାମ କରୁଥିବାରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟୁଛି। ଅନ୍ୟପକ୍ଷରେ ଦେଶରେ ରହିଥିବା ଜଳ ସମସ୍ୟା ହେତୁ ଅନେକ ଭାରତୀୟ ଚାଷ କରିବାରୁ ବଞ୍ଚିତ ହୁଅନ୍ତି। ପ୍ରାୟ ୧୦ ବର୍ଷ ହେଲା ତେଲେଙ୍ଗାନା ଅଞ୍ଚଳରୁ ଅନେକ ଶ୍ରମିକ ଗଲ୍‌ଫ ଦେଶଗୁଡ଼ିକରେ ଯାଇ କାମ କରୁଥିବାର ଦେଖିବାକୁ ମିଳୁଛି। ଦେଶ ମଧ୍ୟରେ ନିଯୁକ୍ତି ସୁବିଧା ଓ ଚାଷ ଅନୁକୂଳ ପରିସ୍ଥିତି ନଥିବାରୁ ଗରିବ ଭାରତୀୟ ନିଜ ଜୀବନକୁ ବାଜି ଲଗେଇ ପର ଦେଶରେ ଜୀବିକା ଅର୍ଜନ କରୁଛନ୍ତି ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର