ନୂଆଦିଲ୍ଲୀ: ଅଳିଆ ଗଦାରେ ପଡ଼ିଥିବା ଏକ ଶିଶୁକନ୍ୟାକୁ ନୂଆ ଜୀବନ ଦେଇଛନ୍ତି ଏକ ଭାରତୀୟ ସାମ୍ବାଦିକ ଦମ୍ପତ୍ତି । ସାକ୍ଷୀ ଯୋଶୀ ଏବଂ ବିନୋଦ କାପ୍ରୀ ନାମକ ଦମ୍ପତ୍ତି ରାଜସ୍ଥାନର ରାସ୍ତା କଡ଼ରେ ପଡ଼ିଥିବା ଶିଶୁକୁ ନିଜ ନାଁ ଦେଇଛନ୍ତି । ଏ ପୂରା କାହାଣୀ ଏକ ଭାଇରାଲ ଭିଡିଓରୁ ଆରମ୍ଭ ହୋଇଥିଲା । ବିନୋଦ ଏକ ଭାଇରାଲ ଭିଡିଓ ଦେଖିବାକୁ ପାଇଥିଲେ, ଯେଉଁଥିରେ ଏକ ନବଜାତ ଅଳିଆ ଗଦାରେ ପଡ଼ି କାନ୍ଦୁଥିବା ନଜର ଆସିଥିଲା । ଏହା ପରେ ସେ ଭିଡିଓକୁ ନେଇ ସାକ୍ଷୀଙ୍କୁ ଦେଖାଇଥିଲେ ।

Advertisment

ଭିଡିଓ ଦେଖି ସାକ୍ଷୀ ତୁରନ୍ତ ଶିଶୁର ସନ୍ଧାନରେ ଲାଗି ପଡ଼ିଥିଲେ । ଟୁଇଟରରେ ଭିଡିଓ ସେୟାର କରି ଶିଶୁ ବିଷୟରେ ଯଦି କେହି ଅଧିକ ସୂଚନା ପାଏ, ତେବେ ଜଣାଇବ ବୋଲି ଲେଖିଥିଲେ । ସେୟାର କରିବାର କିଛି ସମୟ ପରେ ଶିଶୁଟି ନାଗପୁରର ଜେଏଲଏନ୍‌ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିଲା । ସୂଚନା ପାଇ ବିନୋଦ ଏବଂ ସାକ୍ଷୀ ୫୦୦କିଲୋମିଟର ଯାତ୍ରା କରି ନୋଏଡାରୁ ନାଗପୁରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଶିଶୁ ହାତରେ ଅଜଣା ଟ୍ୟାଗ୍‌ ଲଗାଥିବା ଦେଖି ସାକ୍ଷୀ ଯୋଶୀ ଏବଂ ବିନୋଦ କାପ୍ରୀ ଶିଶୁକୁ ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହ ସଙ୍ଗେ ସଙ୍ଗେ ଶିଶୁଟିର ନାଁ ପିହୁ ବୋଲି ଦେଇଥିଲେ । ପରେ ନାଗପୁରର ଜିଲ୍ଲାପାଳଙ୍କୁ ଭେଟି ଦୁହେଁ ଶିଶୁକୁ ଆପଣାଇବା ପାଇଁ କାଗଜପତ୍ର କାମ ଆରମ୍ଭ କରିଥିଲେ । ଏହା ପରେ ଦୁହିଁଙ୍କୁ ଶିଶୁକୁ ଆପଣାଇବା ପାଇଁ ଅନୁମତି ମିଳିଥିଲା ।