ବିଶ୍ବ ବଜାରରେ ବଜ୍ରକାପ୍ତା

ବିଶ୍ବ ବଜାରରେ ପହଞ୍ଚିଥିଲା ଓଡ଼ିଶାର ବଜ୍ରକାପ୍ତା। ବନ୍ୟଜନ୍ତୁ ଶିକାରୀଙ୍କ ପଞ୍ଝା ଏତେ ବ୍ୟାପକ ଥିଲା ଯେ ଓଡ଼ିଶାରୁ ବିଦେଶକୁ ବଜ୍ରକାପ୍ତା ଚୋରା ଚାଲଣ ବେଳେ ଧରାଯାଇଥିଲା। ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, କୋରାପୁଟ ଆଦି ଜିଲ୍ଲାରୁ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ନବରଙ୍ଗପୁର ଡଙ୍ଗରିଗୁଡାରେ ବିକ୍ରି କରିବା ଲାଗି ମୂଲଚାଲ ଚାଲିଥିବା ବେଳେ ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ବନ ବିଭାଗ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ରାୟଗଡ଼ା ଜିଲ୍ଲା ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଦୁଇ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ବିଦେଶୀ ପକ୍ଷୀ, ମୟୂର, ଠେକୁଆ, ବାର୍‌ହା ପରି ବନ୍ୟଜନ୍ତୁଙ୍କ ଶିକାର ପୂର୍ବବର୍ଷ ତୁଳନାରେ ବହୁ ପରିମାଣରେ ବୃଦ୍ଧି ପାଇଛି।

ଚିଲିକାରେ ପକ୍ଷୀ ଉତ୍ସବ

ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ କୁହାଯାଉଥିବା ଚିଲିକାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଜାନୁୟାରୀରେ ପ୍ରଥମ ପକ୍ଷୀ ମହୋତ୍ସବ ଆୟୋଜିତ ହୋଇଥିଲା। ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ନଳବଣ, ମଙ୍ଗଳାଯୋଡିରେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦେଶୀ, ବିଦେଶୀ ପର୍ଯ୍ୟଟକ ଅଂଶଗ୍ରହଣ କରିଥିଲେ।

ବିପଦରେ କଇଁଛ

ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ସମୟରେ ସଂରକ୍ଷଣ ଓ ସୁରକ୍ଷା ଚିନ୍ତା ପ୍ରଶାସନକୁ ଚିନ୍ତାରେ ପକାଇଛି। ପୁରୀ, ଗଞ୍ଜାମ ଉପକୂଳରେ ହଜାର ହଜାର କଇଁଛଙ୍କ ମୃତ୍ୟୁ ହେଉଥିବାରୁ ଏକାଧିକ ପଦକ୍ଷେପ ନିଆଯାଇଛି। ନଭେମ୍ବର ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କି.ମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଂଚଳ ଏବଂ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ମାଛମରା ନିଷେଧ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗଞ୍ଜାମ ଜିଲ୍ଲାର ଖଲିକୋଟ ଫରେଷ୍ଟ ରେଞ୍ଜରେ ସାମୁଦ୍ରିକ କଇଁଛ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ଅଲିଭରିଡଲେ ଗବେଷଣା ଫେଲୋସିପ୍ ପାଇଁ ସ୍ଥିର ହୋଇଛି।

କେନ୍ଦ୍ରରୁ ଚାପ

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ଓଡ଼ିଶା ଉପ‌୍ରେ କେନ୍ଦ୍ର ସରକାର ଚାପ ପକାଇଥିଲେ। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଢ଼େଙ୍କାନାଳରେ ୭ଟି ହାତୀଙ୍କର ମୃତ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ। ସାତକୋଶିଆରେ ବାଘ ମୃତ୍ୟୁ ପରେ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ନ ହେବାରୁ ଏନ୍‌ଟିସିଏ ପକ୍ଷରୁ ବନ ବିଭାଗକୁ କଡ଼ା ଭାଷାରେ ଚିଠି ଲେଖାଯାଇଥିଲା। ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା।

ବଢ଼ିଲେ କୃଷ୍ଣସାର ମୃଗ

ଗଞ୍ଜାମ ଜିଲ୍ଲାର ଭେଟନଈ-ବାଲିପଦାର ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏବେ ୪,୦୪୪ଟି ବିରଳ କୃଷ୍ଣସାର ମୃଗ ଥିବା ବେଳେ ସେଥିମଧ୍ୟରୁ ୨,୦୮୬ ମାଈ, ୧,୧୬୬ ଜଣ ଅଣ୍ଡିରା ଓ ୫୫୪ଟି ଛୁଆ ରହିଛନ୍ତି। ସେମାନଙ୍କୁ ପୁରୀ-କୋଣାର୍କ ବାଲୁଖଣ୍ଡ ଅଞ୍ଚଳ ଓ ଚନ୍ଦକା ଜଙ୍ଗଲରେ ଛାଡ଼ିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର