ଟ୍ରେନରେ ଯାତ୍ରୀଙ୍କୁ ମନପସନ୍ଦର ଖାଦ୍ୟ ମିଳିବା ସହିତ ମଧୁମେହ ରୋଗୀ ଓ ଶିଶୁଙ୍କ ପାଇଁ କରାଯାଉଛି ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଏମିତି ଏକ ସମୟ ଥିଲା ରେଳବାଇକୁ ଗରିବଙ୍କ ଯାତ୍ରାର ସାଧନ ବୋଲି କୁହାଯାଉଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ଧନୀରୁ ଗରିବ ସମସ୍ତେ ରେଳରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ଏଥିସହିତ ରେଳବାଇ ସାଧାରଣ ଲୋକଙ୍କ ସୁବିଧା ପାଇଁ କାମ ବି କରୁଛି। ଭାରତୀୟ ରେଳକୁ ଦେଶର ଲାଇଫ ଲାଇନ ବୋଲି କୁହାଯାଉଛି। କାରଣ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରି ଥାଆନ୍ତି। ତେବେ ଏହି ରେଳଯାତ୍ରା ସମୟରେ ଲୋକଙ୍କୁ ଭଲ ଖାଦ୍ୟ ଓ ପାନୀୟ ନମିଳିବାରୁ  ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ତେବେ ଆଇଆରସିଟିସି ଦ୍ବାରା ଟ୍ରେନରେ ଖାଦ୍ୟ ଓ ପାନୀୟ ସୁବିଧା ପୂର୍ବରୁ ଉପଲବ୍ଧ ରହିଛି, କିନ୍ତୁ ଭାରତୀୟ ରେଳବାଇ ଏବେ ଟ୍ରେନରେ ଖାଦ୍ୟ ଓ ପାନୀୟ ସୁବିଧାକୁ ଆହୁରି ଭଲ କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ରେଳବାଇ ନିଷ୍ପତ୍ତି ନେଇଛି କି ଆଇଆରସିଟିସି ଦ୍ବାରା ଖାଦ୍ୟ ଓ ପାନୀୟ ତାଲିକାକୁ ଯାତ୍ରୀଙ୍କ ଦାବି ଅନୁଯାୟୀ ପୁରଣ କରାଯିବ।

ଯାତ୍ରୀଙ୍କ ପସନ୍ଦ ମୁତାବକ ସ୍ଥାନୀୟ ବ୍ୟଞ୍ଜନ, ମୌସମୀ ବ୍ୟଞ୍ଜନ ଓ ପାର୍ବାଣ ସମୟରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥକୁ ସାମିଲ କରାଯିବ। ବିଶେଷ କଥାଟି ହେଉଛି କି ଆଇଆରସିଟିସି ଦ୍ବାରା ଯାତ୍ରୀଙ୍କ ଦାବି ଅନୁଯାୟୀ ମଧୁମେହ ଭୋଜନ ଓ ଶିଶୁଙ୍କ ଆହାର ସମେତ ସ୍ବାସ୍ଥ୍ୟକର ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଉଛି।

ତାଲିକାସ୍ଥିର କରିବା ସମୟରେ ଆଇଆରସିଟିସି ଭୋଜନ ଓ ସେବାର ଗୁଣବତ୍ତା ତଥା ମାନକ ବଜାୟ ରଖିବ। ଯେମିତି ଯାତ୍ରୀଙ୍କୁ କୌଣସି ପ୍ରକାର ଅସୁବିଧା ନହେବ। ଖାଦ୍ୟ ତାଲିକା ଦର ଅନୁରୂପ ରଖାଯିବ। ଖାଦ୍ୟ ତାଲିକା ଲାଗୁ କରିବା ପୂର୍ବରୁ ଯାତ୍ରୀଙ୍କୁ ଏହା ସୂଚିତ କରାଯିବ।

ସମ୍ବନ୍ଧିତ ଖବର