ବାୟୁ ପ୍ରଦୂଷଣରୁ ବଞ୍ଚାଇବ ଏହି ଶକ୍ତିଶାଳୀ ବ୍ୟାଟେରି, ଭାରତୀୟ ଗବେଷକଙ୍କ ଅନନ୍ୟ ସଫଳତା

ନୂଆଦିଲ୍ଲୀ: ଆଗକୁ ଆସୁଛି ନୂତନ ଇନ୍ଧନର ଯୁଗ। କାରଣ ବର୍ତ୍ତମାନ ବହୁଳ ଭାବେ ପ୍ରଚଳିତ ପେଟ୍ରୋଲ ଓ ଡିଜେଲ୍ ଦ୍ବାରା ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି। ଯାହାଫଳରେ ପ୍ରତିବର୍ଷ ବିଶ୍ବରେ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ତେଣୁ ଅଧିକାଂଶ ଆଧୁନିକ ରାଷ୍ଟ୍ରରେ ବ୍ୟାଟେରିଚାଳିତ ଗାଡ଼ିକୁ ପ୍ରୋତ୍ସାହିତ ଦିଆଯାଉଛି। ଏହା ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ପ୍ରଯୁକ୍ତି। ତେବେ ଗାଡ଼ିର ଦକ୍ଷତା ଓ ଶକ୍ତି ବ୍ୟାଟେରିର ଶକ୍ତି ଉପରେ ନିର୍ଭର କରୁଛି। ଶକ୍ତିଶାଳୀ ଓ ସୁରକ୍ଷିତ ବ୍ୟାଟେରି ପ୍ରସ୍ତୁତି ପାଇଁ ବ୍ୟାପକ ଗବେଷଣା ଚାଲିଛି।

ବର୍ତ୍ତମାନ ପରିସ୍ଥିତିରେ ଉଚ୍ଚ ଶକ୍ତି ସଂରକ୍ଷଣ କରୁଥିବା ଲିଥିୟମ୍-ଆୟନ ବ୍ୟାଟେରିର ଚାହିଦା ଅଧିକ ରହିଛି। ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଇଲେକ୍ଟ୍ରିକ୍ ଯାନ ପରି ବିଭିନ୍ନ ଉପକରଣରେ ଏହାର ବହୁଳ ଭାବରେ ବ୍ୟବହାର ହୋଇଥ‌ାଏ। ଏହି ରିଚାର୍ଜବଲ ବ୍ୟାଟେରିରେ ତରଳ କିମ୍ବା ଜେଲ୍ ଇଲେକ୍ଟ୍ରୋଲାଇଟ ରହିଥ‌ାଏ,  ଯେଉଁଥିରେ କି ନିଆଁ ଲାଗିବାର ଭୟ ରହିଥାଏ। ଏଥିସହିତ ବିଷାକ୍ତ ଓ ସୀମିତ ତାପମାତ୍ରା ପରିସର ଭଳି ସମସ୍ୟା ବି ଥାଏ|

ଏହି ସମସ୍ୟାର ସମାଧାନ ପାଇବା ପାଇଁ ଗତ କିଛି ଦଶନ୍ଧି ଧରି ଆୟନ୍ ପରିଚାଳିତ କଠିନ ଇଲେକ୍ଟ୍ରୋଲାଇଟର ଅନୁସନ୍ଧାନ କରାଯାଉଛି। ଏହି କଠିନ ଇଲେକ୍ଟ୍ରୋଲାଇଟ୍  ସୁରକ୍ଷା, ପ୍ୟାକେଜିଂ, ତାପମାତ୍ରାର ସ୍ଥିରତା ଏବଂ ଶକ୍ତିର ଘନତ୍ବ ବୃଦ୍ଧି ଦୃଷ୍ଟିରୁ ଭଲ।  ବର୍ତ୍ତମାନ ଭାରତୀୟ ଗବେଷକମାନେ ଲିଥିୟମ୍-ଆୟନ ବ୍ୟାଟେରିରେ ବ୍ୟବହାର ପାଇଁ ଏକ ଉଚ୍ଚ ତାପମାତ୍ରା ସହନକରୁଥିବା କଠିନ ଇଲେକ୍ଟ୍ରୋଲାଇଟ୍ ବିକଶିତ କରିଛନ୍ତି । ଏହା ୩୦ରୁ ୫୦୦ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରାରେ ବ୍ୟବହାର କରାଯାଇପାରିବ।

Photo Courtesy: Down to Earth

ବର୍ତ୍ତମାନ ବୃଦ୍ଧି ପାଉଥିବା ଶକ୍ତିର ଚାହିଦାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱରେ ସ୍ୱଳ୍ପ ମୂଲ୍ୟରେ, ଦକ୍ଷ ବିକଳ୍ପର ବିକାଶ ପାଇଁ ନିରନ୍ତର ପ୍ରୟାସ ଚାଲିଛି । ଏବେ ସବୁଠାରୁ ଉନ୍ନତ ଓ ପାରମ୍ପରିକ ଭାବରେ ବ୍ୟବହୃତ ହେଉଥିବା ବ୍ୟାଟେରି ଲିଥିୟମ୍-ଆୟନ ଏବଂ ସୋଡିୟମ୍-ଆୟନ । ଏହାର ବ୍ୟବହାର୍ଯ୍ୟ ସମୟ ସୀମା ସ୍ବଳ୍ପ। ବର୍ତ୍ତମାନ ଏହି ବ୍ୟାଟେରିଗୁଡ଼ିକୁ ପରିବର୍ତ୍ତନ କରିବାର ସମୟ ଆସିଯାଇଛି।

ଉଦାହରଣ ସ୍ୱରୂପ, ତରଳ ଇଲେକ୍ଟ୍ରୋଲାଇଟର ନିର୍ଭରଶୀଳତା ଏବଂ ତାହାର ଉପଯୋଗରେ ବୃଦ୍ଧି ପାଉଥିବା ତାପମାତ୍ରା ହେତୁ ଏହାର ବ୍ୟବହାର ଅବଧି ସୀମିତ । ତେଣୁ କଠିନ ଇଲେକ୍ଟ୍ରୋଲାଇଟର ଆବଶ୍ୟକତା ଦେଖାଦେଇଛି ଓ ଏଥିପାଇଁ ଉପକରଣ ବିକାଶିତ କରିବା ସମୟ ଆସିଛି।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଟସ୍ ପିଲାନିର ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ଅଂଶୁମାନ ଦଲଭିଙ୍କ ନେତୃତ୍ବରେ ଏକ ଗବେଷକ ଦଳ ଏକ ନୂତନ ପଦାର୍ଥ ବିକଶିତ କରିଛନ୍ତି। ଏହି ପଦାର୍ଥ ଲିଥିୟମ୍ ପ୍ଲସ୍ ଆୟନ ବ୍ୟାଟେରି ଏବଂ ସୁପରକାପାସିଟର୍ ପାଇଁ ତାପମାତ୍ରାକୁ ସ୍ଥିର ରଖୁଥିବା କଠିନ ଇଲେକ୍ଟ୍ରୋଲାଇଟ୍ ଭାବେ କାର୍ଯ୍ୟକରିବ।

ଏହାକୁ ବ୍ୟବହାର କରି ପ୍ରସ୍ତୁତ ବ୍ୟାଟେରି ଦ୍ବାରା ବିଭିନ୍ନ ଉପକରଣର କାର୍ଯ୍ୟଦକ୍ଷତା ପରୀକ୍ଷଣ କରାଯାଇଛି । ଏହି ଅନୁସନ୍ଧାନକୁ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସଟି) ଦ୍ୱାରା ସ୍ଥାପିତ ଏଫଆଇଏସଟି କାର୍ଯ୍ୟକ୍ରମ ଦ୍ୱାରା ସହାୟତା କରାଯାଇଥିଲା। ଏହି ଗବେଷଣାଲବ୍ଧ ତଥ୍ୟ ‘ମ୍ୟାଟେରିୟଲ୍ସ ରିସର୍ଚ୍ଚ ବୁଲେଟିନ୍ ଇନ ୨୦୨୧’  ଜର୍ଣ୍ଣାଲ‌ରେ ପ୍ରକାଶ ପାଇଛି।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର