ସାଧାରଣତଃ ଏହି ପକ୍ଷୀକୁ ‘ଭାରତୀୟ ସ୍ୱର୍ଗ ଫ୍ଲାଇକ୍ୟାଚର୍’ ବୋଲି କୁହାଯାଏ। ଏହି ପକ୍ଷୀଟି ମୁଖ୍ୟତଃ ଦୁଇ ପ୍ରକାରର। ଗୋଟିଏ ହେଉଛି ଧଳା ପ୍ଳମେଜ୍ ଓ ଅନ୍ୟଟି ରୁଫସ୍ ପ୍ଲମେଜ୍। ଏହି ପକ୍ଷୀର ବିଶେଷତ୍ବ ହେଉଛି, ଏହା ଉଡ଼ିବୁଲିଲା ବେଳେ ତରଙ୍ଗ ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଅନ୍ୟ ଋତୁ ତୁଳନାରେ ଗ୍ରୀଷ୍ମଋତୁରେ ଏହା ଅଧିକ ସକ୍ରିୟ ରହେ ଏହି ପକ୍ଷୀ।
ଗୋଟିଏ ପ୍ରାପ୍ତ ବୟସ ‘ଇଣ୍ଡିଆନ୍ ପାରାଡାଇଜ୍ ଫ୍ଲାଇକ୍ୟାଚର୍’ର ଲମ୍ବ ହେଉଛି ୧୯-୨୨ ସେଣ୍ଟିମିଟର (୭.୫-୮.୭ ଇଞ୍ଚ୍)। ସେମାନଙ୍କ ମୁଣ୍ଡ କଳାମୁଚୁମୁଚୁ ହୋଇଥିବା ବେଳେ ସେଥିରେ ଏକ କଳାମୁକୁଟ ଥାଏ।
ସେମାନଙ୍କ ଗୋଲାକାର ଆକୃତିର କଳା ଆଖି ସହିତ ମୁଣ୍ଡଠାରୁ ପୃଥକ୍ ରଙ୍ଗର ଦେହ। ସେମାନଙ୍କ ଡେଣା ହେଉଛି ୮୬ ମିମିରୁ ୯୨ମିମି ଲମ୍ବା। କମ୍ବୟସ୍କ ‘ଇଣ୍ଡିଆନ୍ ପାରାଡାଇଜ୍ ଫ୍ଲାଇକ୍ୟାଚର୍’ ପ୍ରାୟତଃ ମାଈ ଫ୍ଲାଇକ୍ୟାଚର୍ ଭଳି ଦେଖାଯାଆନ୍ତି, ମାତ୍ର ସେମାନଙ୍କର ଗଳା ହେଉଛି କଳା ଓ ଆଖି ବର୍ତ୍ତୃଳାକାୟ ସହିତ ନୀଳରଙ୍ଗର। କମ୍ ବୟସର ‘ଇଣ୍ଡିଆନ୍ ପାରାଡାଇଜ୍ ଫ୍ଲାଇକ୍ୟାଚର୍’ ଲୋହିତ ରଙ୍ଗର ଏବଂ ସେମାନଙ୍କ ଲାଞ୍ଜ ପ୍ରାୟତଃ ଛୋଟ। ଦୁଇବର୍ଷ କିମ୍ବା ତିନିବର୍ଷ ବୟସରେ ପହଞ୍ଚିଲେ ସେମାନଙ୍କ ଲାଞ୍ଚ ବୃଦ୍ଧି ପାଇଥାଏ। ବୟସ୍କ ‘ଇଣ୍ଡିଆନ୍ ପାରାଡାଇଜ୍ ଫ୍ଲାଇକ୍ୟାଚର୍’ର ରଙ୍ଗ ମୁଖ୍ୟତଃ ଉଜ୍ଜ୍ବଳ ଲାଲରଙ୍ଗର କିମ୍ବା ଧଳାରଙ୍ଗର ହୋଇଥାଏ। ସେମାନଙ୍କ ମଧ୍ୟରୁ ଆଉ କିଛି ପ୍ରଜାତୀୟ ପକ୍ଷୀଙ୍କ ରଙ୍ଗ ନାଲି ଓ ଧଳାରଙ୍ଗର ମିଶାମିଶି ହୋଇଥାଏ। ଲମ୍ବା ଲାଞ୍ଜ ବିଶିଷ୍ଟ ଲୋହିତ ରଙ୍ଗର ପକ୍ଷୀମାନଙ୍କର ଡେଣା ଓ ମୁକୁଟରେ ରେ ପ୍ରାୟତଃ ଖାଲଖାଲ ଧାର ରହିନଥାଏ, ମାତ୍ର ଧଳାରଙ୍ଗର ପକ୍ଷୀଙ୍କ କ୍ଷେତ୍ରରେ ଏହା ଦେଖିବାକୁ ନଥାଏ। ଷାଠିଏ ଦଶକ ପ୍ରାରମ୍ଭରେ, ୬୮୦ ଲମ୍ବା-ଲାଞ୍ଜ ବିଶିଷ୍ଟ ପୁରୁଷ ପକ୍ଷୀଙ୍କୁ ପରୀକ୍ଷା କରାଯାଇଥିଲା, ଯାହାକୁ କି ବ୍ରିଟିଶ ମ୍ୟୁଜିୟମ୍ ଅଫ୍ ନାଚ୍ୟୁରାଲ ହିଷ୍ଟ୍ରି, ଚିକାଗୋ ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ୍ ପ୍ରଭୃତିରେ ସଂରକ୍ଷିତ କରି ରଖାଯାଇଛି।
ଅବସ୍ଥାନ :‘ଇଣ୍ଡିଆନ୍ ପାରାଡାଇଜ୍ ଫ୍ଲାଇକ୍ୟାଚର୍’ ହେଉଛି ମୁଖ୍ୟତଃ ଏକ ପ୍ରବାସୀ ପକ୍ଷୀ। ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାର ମୁଖ୍ୟତଃ ଉଚ୍ଚଭୂମି ଓ ପଶ୍ଚିମାଞ୍ଚଳରେ ଉଭୟ ଦେଶୀ ଓ ବିଦେଶୀ ପ୍ରଜାତୀୟ ପକ୍ଷୀ ଦେଖିବାକୁ ମିଳିଥାଏ। କେନ୍ଦ୍ରୀୟ ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ଏହା ଦେଖିବାକୁ ମିଳିଥାଏ। ବିଶେଷକରି, ଜଙ୍ଗଲ ଓ ଗଛବୃଚ୍ଛ ଘେରା ଅଞ୍ଚଳରେ ସେମାନେ ରହିବା ପାଇଁ ଅଧିକ ପସନ୍ଦ କରିଥା’ନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ େହଉଛି, ମଧ୍ୟପ୍ରଦେଶ ସରକାର ଏହାକୁ ‘ରାଜ୍ୟପକ୍ଷୀ’ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ରାଜ୍ୟର ଲୋକମାନେ ସ୍ଥାନୀୟ ଭାଷାରେ ଏହାକୁ ‘ଦୁଧ୍ରାଜ’ ବୋଲି କହିଥା’ନ୍ତି। ସତ୍ୟଜିତ ରାୟଙ୍କ ଡିଟେକ୍ଟିଭ୍ କାହାଣୀ ‘ଚିନାମାଷ୍ଟର ଅଭିଶାପ’ ଓ ‘ଜାହାଙ୍ଗୀରର ସ୍ବର୍ଣ୍ଣମୁଦ୍ରା’ରେ ଏହି ପକ୍ଷୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ଆଚରଣ:‘ଇଣ୍ଡିଆନ୍ ପାରାଡାଇଜ୍ ଫ୍ଲାଇକ୍ୟାଚର୍’ର ପ୍ରଜନନ ଋତୁ ଜୁଲାଇରୁ ଆରମ୍ଭ ହୋଇ ପରବର୍ଷ ମେ ମାସର ଶେଷହୋଇଥାଏ। ଏଥିପାଇଁ ଉଭୟ ପୁରୁଷ ଓ ମାଈ ପକ୍ଷୀ ମିଳିମିଶି ବସା ବାନ୍ଧିଥା’ନ୍ତି। ଅଣ୍ଡାକୁ ଉଷୁମେଇବାଠାରୁ ଆରମ୍ଭକରି ଶାବକ ଜନ୍ମହେଲା ପରେ ତାହାକୁ ଖୁଆଇବା ପର୍ଯ୍ୟନ୍ତ କାର୍ଯ୍ୟ ଏକାଠି କରିଥା’ନ୍ତି। ଅଣ୍ଡା ଉଷୁମେଇବାର ସମୟ ହେଉଛି ୧୪ରୁ ୧୬ଦିନ ମଧ୍ୟରେ। ୯ରୁ ୧୨ଦିନ ପର୍ଯ୍ୟନ୍ତ ହେଉଛି ସେମାନଙ୍କର ‘ନେଷ୍ଟଲିଂ ପରିୟଡ଼୍’ ଅର୍ଥାତ୍ ଶାବକଙ୍କୁ ପାଖରେ ରଖିଥା’ନ୍ତି। ଶିକାରୀମାନଙ୍କଠାରୁ ଶାବକକୁ ଦୂରେଇ ରଖିବା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥା’ନ୍ତି।
- ରୁତିକା ନାଥ ([email protected]),
ପ୍ରାଣୀ ବିଜ୍ଞାନ, ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବର
- ଫଟୋ: ଡଃ ବିଶ୍ୱଜିତ ପଣ୍ଡା