ଆଗାମୀ ପାଞ୍ଚ ବର୍ଷରେ ସମଗ୍ର ପୃଥିବୀରେ କୃତ୍ରିମ ବୁଦ୍ଧିମତ୍ତା ବା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ଏଆଇ) ଦ୍ବାରା ଲୋକଙ୍କ ଦୈନନ୍ଦିନ ଜୀବନ ବିଶେଷ ଭାବରେ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି। ତେବେ ଏ ଦିଗରେ ଭାରତୀୟମାନଙ୍କ ଭରସା ସର୍ବାଧିକ ବୋଲି ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଅଠର ବର୍ଷରୁ ଅଧିକ ବୟସ୍କ ଏକ ହଜାର ଭାରତୀୟଙ୍କ ଭିତରୁ ୮୨ ପ୍ରତିଶତ ଆଶା ରଖିଛନ୍ତି ଯେ ‘ଏଆଇ’ ସେମାନଙ୍କ ସ୍ବାସ୍ଥ୍ୟ, ଚାକିରି ସମେତ ଜଟିଳ ସମସ୍ୟା ସମାଧାନ ଦିଗରେ ବିଶେଷ ସହାୟକ ହେବ। ଇପସସ୍ ସର୍ଭେ ଦ୍ବାରା ସଂଗଠିତ ‘ଏଆଇ ସହ ଆମ ଜୀବନ: ଆଜିର ବାସ୍ତବତା ଓ ଆସନ୍ତାକାଲିର ଆହ୍ବାନ’ ଶୀର୍ଷକ ଏହି ସର୍ବେକ୍ଷଣରେ ବିଶ୍ବସ୍ତରୀୟ ହାର ୫୪ ପ୍ରତିଶତ ରହିଛି। ସର୍ବେକ୍ଷଣ କରାଯାଇଥିବା ଭାରତୀୟଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକଙ୍କର ବିଶ୍ବାସ ରହିଛି କି ଏଆଇର ସକାରାତ୍ମକ ପ୍ରଭାବ ସେମାନଙ୍କ ଉପରେ ପଡ଼ିବ। ସେହିପରି ଆଗାମୀ ୨୫ ବର୍ଷର ବିକାଶ ପ୍ରସଙ୍ଗରେ ବିଶେଷ କରି ବୈଷୟିକ ଜ୍ଞାନକୌଶଳରେ ଏଆଇର ଦୀର୍ଘକାଳୀନ ପ୍ରଭାବ ରହିଛି ବୋଲି ସର୍ବାଧିକ ଭାରତୀୟ ବିଚାର କରୁଛନ୍ତି।
ସ୍ବାସ୍ଥ୍ୟସେବା, ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ବ୍ୟକ୍ତିଗତ ଶିକ୍ଷା, ଉନ୍ନତ ଉପଲବ୍ଧତା ଓ ମହାକାଶ ଅଭିଯାନରେ ଏଆଇର ପ୍ରୟୋଗ ଆଶାତୀତ ସଫଳତା ଆଣିଦେବ ବୋଲି ଭାରତୀୟମାନଙ୍କର ଭରସା ରହିଛି। ଏପରିକି ଚାକିରି କ୍ଷେତ୍ରରେ ଏଆଇର ପ୍ରୟୋଗ ସକାରାତ୍ମକ ପ୍ରଭାବ ପକାଇବ ବୋଲି ୮୦ ପ୍ରତିଶତ ଭାରତୀୟ ମନେ କରୁଛନ୍ତି ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ, ନିଜ କାର୍ଯ୍ୟକ୍ଷେତ୍ରରେ ୯୫ ପ୍ରତିଶତ ଭାରତୀୟ ଏଆଇ ବିଷୟରେ କଥା ହେଉଥିବା ବେଳେ ବିଶ୍ବସ୍ତରରେ ଏହି ହାର ୬୫ ପ୍ରତିଶତ ରହିଛି। ସେହିପରି ଆଗାମୀ ପାଞ୍ଚ ବର୍ଷ ଭିତରେ ନିଯୁକ୍ତି ଓ କଳକାରଖାନା ସୃଷ୍ଟି ଦିଗରେ ଏଆଇର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ୭୫ ପ୍ରତିଶତ ଭାରତୀୟ ଅନୁଭବ କରୁଥିବା ବେଳେ ବିଶ୍ବସ୍ତରରେ ଏହି ପରିମାଣ ୫୨ ପ୍ରତିଶତ ଓ ଆମେରିକୀୟମାନଙ୍କ ପାଇଁ ୨୯ ପ୍ରତିଶତ ରହିଛି।