ସମଗ୍ର ବିଶ୍ବରେ ୨୦୦୮ରୁ ୨୦୧୭ ମଧ୍ୟରେ ଜନ୍ମିତ ୧୫.୬ ନିୟୁତରୁ ଅଧିକ ଲୋକ ସେମାନଙ୍କ ଜୀବନକାଳ ମଧ୍ୟରେ ଉଦର କର୍କଟ ରୋଗରେ ପୀଡ଼ିତ ହୋଇପାରନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ଏସୀୟ ଏବଂ ଅନେକ ଭାରତୀୟ ବୋଲି ଚେତାବନୀ ଦିଆଯାଇଛି। 
ଗବେଷକଙ୍କ ଅନୁସାରେ, ଭବିଷ୍ୟତରେ ୭୬% ମାମଲା ହେଲିକୋବ୍ୟାକ୍ଟର ପାଇଲୋରି(ଏଚ୍. ପାଇଲୋରି) ନାମକ ଚିକିତ୍ସାଯୋଗ୍ୟ ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇପାରେ। କେବଳ ଚୀନ୍ ଓ ଭାରତରେ ୬.୫ ନିୟୁତ ଉଦର କର୍କଟ ମାମଲା ଦେଖା ଦେଇପାରେ। ଯଦି ବର୍ତ୍ତମାନର ପ୍ରତିରୋଧକ ଏବଂ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ନ ଆସେ ତେବେ କେବଳ ଭାରତରେ ୧,୬୫୭,୬୭୦ ମାମଲା ହୋଇପାରେ ବୋଲି ସତର୍କ କରାଇ ଦିଆଯାଇଛି। ଏହି ସ୍ୱାସ୍ଥ୍ୟ ସଙ୍କଟକୁ ଏଡ଼ାଇବା ପାଇଁ ଗବେଷକମାନେ ଜନସଂଖ୍ୟା-ବ୍ୟାପୀ ଏଚ୍. ପାଇଲୋରି ସ୍କ୍ରିନିଂ ଏବଂ ଚିକିତ୍ସା ଉପରେ ଗୁରୁତ୍ବାରୋପ କରିବାକୁ ଆହ୍ୱାନ କରିଛନ୍ତି।

Advertisment

ପିଲାଦିନେ ଏଚ୍‌. ପାଇଲୋରି ସଂକ୍ରମଣ ହେଲେ  ପ୍ରାୟ କୌଣସି ଲକ୍ଷଣ ଦିଶେ ନାହିଁ, କିନ୍ତୁ ଦୀର୍ଘକାଳୀନ ସଂକ୍ରମଣ ଅଲ୍‌ସର୍‌ ଓ ଶେଷରେ କର୍କଟ ରୋଗ ସୃଷ୍ଟି କରିପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଂଶବିଶେଷ ‘ଇଣ୍ଟରନ୍ୟାସନାଲ ଏଜେନ୍‌ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର୍‌’ର ବୈଜ୍ଞାନିକମାନେ କରିଥିବା ଏହି ଅଧ୍ୟୟନରେ ୧୮୫ଟି ଦେଶର ତଥ୍ୟକୁ ବିଶ୍ଳେଷଣ କରି ଏପରି ଫଳାଫଳ ମିଳିଛି। ସମ୍ପ୍ରତି ଉପ-ସାହାରା ଆଫ୍ରିକାରେ ଅପେକ୍ଷାକୃତ କମ୍ ଉଦର କର୍କଟ ମାମଲା ଦେଖାଯାଉଥିବାବେଳେ ଭବିଷ୍ୟତରେ ତାହା ୬ ଗୁଣ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ଯଦିଓ ସାଧାରଣତଃ ପିଲାଦିନେ ସଂକ୍ରମିତ ଏଚ୍‌. ପାଇଲୋରି ପ୍ରାୟତଃ କୌଣସି ଲକ୍ଷଣ ସୃଷ୍ଟି କରେ ନାହିଁ, ଦୀର୍ଘକାଳୀନ ସଂକ୍ରମଣ ଅଲ୍‌ସର୍‌ ଓ ଶେଷରେ କର୍କଟ ରୋଗ ସୃଷ୍ଟି କରିପାରେ। ଆଣ୍ଟିବାୟୋଟିକ୍ସ ଓ ଏସିଡ୍-ଦମନକାରୀ ଔଷଧର ଏକ ସରଳ କୋର୍ସ ସହିତ ଚିକିତ୍ସା ଦ୍ବାରା ଭବିଷ୍ୟତର ୭୫% ମାମଲାକୁ ରୋକାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ଏଥିପାଇଁ ସଂକ୍ରମଣ କର୍କଟ ରୋଗରେ ପରିଣତ ହେବା ପୂର୍ବରୁ ପ୍ରାରମ୍ଭିକ ଚିକିତ୍ସା ଏବଂ ବିଶେଷ କରି ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରେ ସଚେତନତା ବୃଦ୍ଧି ପାଇଁ ଜନସ୍ୱାସ୍ଥ୍ୟ ଅଭିଯାନ ଜରୁରି। 

ଏ ପରିପ୍ରେକ୍ଷୀରେ ଜାତୀୟ ନୀତି ନିର୍ଦ୍ଧାରଣ ଅତ୍ୟାବଶ୍ୟକ ହୋଇଥିବା ବେଳେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ପଦକ୍ଷେପ ନେଇହେବ। ଯଦି କାହାର ଦୀର୍ଘକାଳୀନ ପାଚନ ସମସ୍ୟା ଅଛି, ତେବେ ଏଚ୍‌. ପାଇଲୋରି ପରୀକ୍ଷା କରାଇବା ଦରକାର। ଦୂଷିତ ଖାଦ୍ୟ, ପାଣି କିମ୍ବା ଲାଳ ମାଧ୍ୟମରେ ସଂକ୍ରମଣ ବ୍ୟାପୁଥିବାରୁ ପରିଚ୍ଛନ୍ନତା ବଜାୟ ରଖିବା ଉଚିତ। ଉଦର କର୍କଟ ବିପଦକୁ କମ୍‌ କରୁଥିବା ଫଳ, ପନିପରିବା ଓ ତନ୍ତୁରେ ଭରପୂର ଖାଦ୍ୟ ଖାଇବା ମଧ୍ୟ ଅନ୍ୟତମ ପଦକ୍ଷେପ। ସେହିପରି ଲୁଣିଆ ଏବଂ ଧୂମପ୍ରାପ୍ତ ଖାଦ୍ୟକୁ ସୀମିତ କରିବା ମଧ୍ୟ ଜରୁରି।