ବିଦେଶ ଫେରନ୍ତା ଆଇଟି ଇଞ୍ଜିନିୟରଙ୍କୁ ଅଫିସ ମନା

ଅନ୍‌ଲାଇନରେ ରେଜିଷ୍ଟ୍ରେସନ କରିବାକୁ ପୁଲିସର ନିର୍ଦ୍ଦେଶ
ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ଥିଲେ ପ୍ରବେଶ ନିଷେଧ
ଖିଲାପ କଲେ କମ୍ପାନି ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟରେ କରୋନା ପଜିଟିଭ୍ ବାହାରିବା ପରେ କମିସନରେଟ୍ ପୁଲିସ ପକ୍ଷରୁ ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସପିଂ ମଲ୍, ଫିଲ୍ମ ହଲ୍ ବନ୍ଦ ପରେ ଏବେ ଆଇଟି କମ୍ପାନି ଓ ଇଞ୍ଜିନିୟରଙ୍କ ଉପରେ କଟକଣା ଜାରି କରିଛି କମିସନରେଟ ପୁଲିସ। ବିଦେଶରୁ ଫେରିଥିବା ଆଇଟି ଇଞ୍ଜିନିୟରଙ୍କୁ ଅଫିସ ନ ଆସିବାକୁ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୪ ଦିନ ଭିତରେ ଯେଉଁମାନେ ବିଦେଶ ଗସ୍ତ ସାରି ଫେରିଛନ୍ତି ସେମାନଙ୍କୁ ଅଫିସର ନ ପୂରାଇ ଘରେ ରହି କାମ କରିବାକୁ କୁହାଯାଇଛି। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଧାରା-୩୫ ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଯଦି କୌଣସି ଆଇଟି ଇଞ୍ଜିନିୟର ବିଦେଶ ଗସ୍ତରୁ ଫେରି ପରିବାର ଲୋକଙ୍କ ସହ ଦେଖାସାକ୍ଷାତ କରିଥିବେ ତାହାଲେ ନିଜ ତରଫରୁ ଘୋଷଣା କରିବାକୁ କୁହାଯାଇଛି। ଯେଉଁ ଆଇଟି ଇଞ୍ଜିନିୟର ବିଦେଶ ଗସ୍ତ ସାରି ଫେରିଥିବେ ସେମାନେ ରାଜ୍ୟ ସରକାରଙ୍କ ପୋର୍ଟାଲ https://covid19.odisha.gov.in ରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପଞ୍ଜୀକରଣ କଲା ପରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଯେଉଁ ପରାମର୍ଶ ଦେବେ ସେହି ଅନୁଯାୟୀ ରହିବା ପାଇଁ କୁହାଯାଇଛି। ବିଦେଶ ଗସ୍ତ ତଥ୍ୟ ଲୁଚାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପୁଲିସ ସ୍ପଷ୍ଟ କରିଛି।

ସେହିପରି ଯେଉଁ ଆଇଟି କର୍ମଚାରୀ ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ଥିବେ ସେମାନଙ୍କୁ ଅଫିସ ଭିତରକୁ ପ୍ରବେଶ ନ କରିବା ପାଇଁ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସମ୍ଭବ ତାହେଲେ ଅଫିସ ଫାଟକ ନିକଟରେ ସମ୍ପୃକ୍ତ କର୍ମଚାରୀଙ୍କର ଇନଫ୍ରାରେଡ୍ ଥର୍ମୋମିଟର ଜରିଆରେ ଶରୀରର ଉତ୍ତାପ ମାପିପାରିବେ। ସନ୍ଦେହ ହେଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଟୋଲ୍ ଫ୍ରି ନମ୍ବର(୧୦୪)ରେ କମ୍ପାନି କର୍ତ୍ତୃପକ୍ଷ ସୂଚନା ଦେଇପାରିବେ। ଅତି ଜରୁରୀ ନ ଥିଲେ ଆଇଟି ଇଞ୍ଜିନିୟରଙ୍କୁ ବିଦେଶ ନ ପଠାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପୁଲିସ କମିସନର। ଯଦି ସେହି କାମଗୁଡ଼ିକ ଭିଡିଓ କନଫରେନ୍ସି କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ହୋଇପାରିବ ତାହାଲେ ସେଭଳି ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହି ସବୁ ନିର୍ଦ୍ଦେଶକୁ ଆଇଟି କମ୍ପାନି ପାଳନ କରୁଛନ୍ତି କି ନାହିଁ ସମ୍ପୃକ୍ତ ଅଞ୍ଚଳର ଥାନା ପୁଲିସ ଯେ କୌଣସି ମୁହୂର୍ତ୍ତରେ ଯାଞ୍ଚ କରିପାରିବେ। ଯାଞ୍ଚ ବେଳେ ଯଦି ନିର୍ଦ୍ଦେଶାବଳୀର ଖିଲାପ ହୋଇଥାଏ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଖିଲାପ କଲେ ସମ୍ପୃକ୍ତ ଆଇଟି କମ୍ପାନି ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଧାରା-୧୦୦ ଏବଂ ଆଇପିସି ଧାରା-୨୬୯, ୨୭୦, ୩୦୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ସମ୍ବନ୍ଧିତ ଖବର