ଆଜିର ସାମାଜିକ ଗଣମାଧ୍ୟମ ଓ ସ୍ମାର୍ଟଫୋନ୍ ଯୁଗରେ ସେଲ୍ଫି ଉଠାଇବା ଏକ ମାମୁଲି କଥା ପାଲଟିଛି। ତେବେ ଆଜକୁ ୧୪୨ ବର୍ଷ ତଳେ ଆମ ଦେଶରେ ପ୍ରଥମ ସେଲ୍ଫି ଉଠାଯାଇଥିଲା। ତ୍ରିପୁରାର ତତ୍କାଳୀନ ରାଜା ଓ ରାଣୀ ଏହି ସେଲ୍ଫି ଉଠାଇଥିଲେ। ସେତେବେଳେ ବ୍ରିଟିସ ଶାସନାଧୀନ ଭାରତ ଅନ୍ତର୍ଗତ ତ୍ରିପୁରାକୁ ଶାସନ କରୁଥିଲେ ମହାରାଜା ବୀର ଚନ୍ଦ୍ର ମାଣିକ୍ୟ। ତାଙ୍କୁ ଆଧୁନିକ ତ୍ରିପୁରାର ସ୍ଥପତି ବୋଲି କୁହାଯାଏ। ତାଙ୍କ ଶାସନ ସମୟରେ ବିଶେଷ କରି ୟୁରୋପୀୟମାନେ କ୍ୟାମେରା ବ୍ୟବହାର କରୁଥିଲେ। କିନ୍ତୁ ଚନ୍ଦ୍ର ମାଣିକ୍ୟଙ୍କ ଫଟୋ ଉଠାଇବାର ବିଶେଷ ସଉକ ଥିଲା ଏବଂ ସେ ତାଙ୍କ ରାଜବାଟୀରେ ବାର୍ଷିକ ଫଟୋ ପ୍ରଦର୍ଶନୀ ଆରମ୍ଭ କରିଥିଲେ।
ତାଙ୍କର ତୃତୀୟ ପତ୍ନୀ ମହାରାଣୀ ଖୁମାଁ ଚାନୁ ମନମୋହିନୀ ଦେବୀଙ୍କର ମଧ୍ୟ ଚିତ୍ର ଉତ୍ତୋଳନ ପ୍ରତି ଅହେତୁକ ଆକର୍ଷଣ ରହିଥିଲା। ସେ ଭାରତର ପ୍ରଥମ ମହିଳା ଫଟୋଗ୍ରାଫର ରୂପେ ପରିଗଣିତ। ସେମାନେ ରାଜଭବନରେ ଏକତ୍ର ନିୟମିତ ଫଟୋ ପ୍ରଦର୍ଶନୀମାନ ଆୟୋଜିତ କରୁଥିଲେ। ସେଥିରେ ମହାରାଜା ଓ ରାଣୀଙ୍କର ଏକ ଯୁଗଳବନ୍ଦୀ ଫଟୋ ବି ପ୍ରଦର୍ଶିତ ହେଉଥିଲା। ତାହାକୁ ଭାରତର ପ୍ରଥମ ସେଲ୍ଫି ବୋଲି କୁହାଯାଉଛି। ଏମିତି ଦେଖିଲେ ତାହା ସେଲ୍ଫି ବୋଲି କେହି ବିଶ୍ବାସ କରିବେନି, ମାତ୍ର ନିରିଖେଇ ଦେଖିଲେ ମହାରାଜାଙ୍କ ବାମ ହାତରେ ତାର ସହିତ ଲାଗିଥିବା ଏକ ସୁଇଚ୍ ଦେଖାଯାଏ। ସେହି ସୁଇଚ୍ ଚିପି ସେ ଉକ୍ତ ସେଲ୍ଫି ଉଠାଇଥିଲେ।