ସାଂସ୍କୃତିକ ସମୃଦ୍ଧି ଓ ଜୈବ ବିବିଧତା ପାଇଁ ଖ୍ୟାତ ଭାରତରେ ଚିତାବାଘ ପରି ଏକ ବୃହତ୍ ବନ୍ୟ ସ୍ତନ୍ୟପାୟୀ ପ୍ରାଣୀର ଅନ୍ତର୍ଦ୍ଧାନ ଗଭୀର ଚିନ୍ତାର ବିଷୟ ହୋଇଛି। ଆମେ ପ୍ରାୟତଃ ସେଭଳି ପ୍ରାଣୀମାନଙ୍କୁ ଅଣଦେଖା କରି ଚାଲିଛନ୍ତି, ଯେଉଁମାନେ ମାନବ-ପ୍ରଧାନ ଭୂଭାଗରେ ନିରବରେ ବଞ୍ଚିବା ପାଇଁ ସଂଘର୍ଷ କରିଥା’ନ୍ତି। ସେମାନଙ୍କ ଭିତରେ ଭାରତୀୟ ଧୂସର ଗଧିଆ(କାନିସ ଲୁପୁସ ପାଲିପସ) ଅନ୍ୟତମ। ସମ୍ପ୍ରତି ଭାରତୀୟ ଜଙ୍ଗଲମାନଙ୍କରେ ମୋଟ୍ ୩,୦୦୦ରୁ କମ୍ ଗଧିଆ ରହିଥିବା ଆକଳନ କରାଯାଉଛି।
ଭାରତୀୟ ଜନମାନସରେ ଗଧିଆ ଏକ ବିରୋଧାଭାସୀ ସ୍ଥାନ ଅଧିକାର କରିଛି । ଶ୍ରେଷ୍ଠ ଶିକାରୀ ଭାବରେ ଏହା ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ତଥାପି ମାନବ ବସତି ସହ ଏହାର ନିକଟତରତା ଏବଂ ବେଳେ ବେଳେ ପଶୁ ଶିକାର ଯୋଗୁଁ ଏହାକୁ ପ୍ରାୟତଃ ନକାରାତ୍ମକ ଭାବେ ଗ୍ରହଣ କରାଯାଇଥାଏ। ଏହା କ୍ବଚିତ୍ ଜନସାଧାରଣଙ୍କର ସହାନୁଭୂତି ହାସଲ କରିଥାଏ। ଗଧିଆମାନଙ୍କୁ କେବଳ ବିପଦ ଭାବରେ ଚିତ୍ରଣ କରାଯାଇଥାଏ। ତେବେ ଏଭଳି ଭୟଙ୍କର ବାସ୍ତବତା ଭିତରେ ଝାଡ଼ଖଣ୍ଡର ଲାତେହାର ଜିଲ୍ଲା ଅଧୀନ ଆଦିବାସୀ ପ୍ରଧାନ ଅଞ୍ଚଳ ମହୁଆଦାନର୍ ଠାରେ ଗଧିଆମାନଙ୍କ ପାଇଁ ଏକ ଅଭୟାରଣ୍ୟ ସମର୍ପିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପାରମ୍ପରିକ ଆଦିବାସୀ ବିଶ୍ବାସ କିଭଳି ଏହି ପ୍ରଜାତି ପାଇଁ ଭାରତର ଏକମାତ୍ର ଉତ୍ସର୍ଗୀକୃତ ଅଭୟାରଣ୍ୟରେ ଗଧିଆମାନଙ୍କ ଚଳପ୍ରଚଳଗତ ଆଚରଣକୁ ପ୍ରଭାବିତ କରେ, ତାହା ହିଁ ଆଲୋଚ୍ୟ ବିଷୟ ପାଲଟିଛି।
ଏହି ଅଞ୍ଚଳର ଆଦିବାସୀମାନେ ମୁଖ୍ୟତଃ ‘ଶରଣ ଧର୍ମ’ ପରି ପ୍ରକୃତି ପୂଜା ଅନୁସରଣ କରୁଥିବା ବେଳେ ଶୀତଦିନେ ସେମାନେ ଶାଳ ଜଙ୍ଗଲକୁ ପରିହାର କରିଥା’ନ୍ତି। ସଂଯୋଗବଶତଃ ଏହି ସମୟ ହେଉଛି ଧୂସର ଗଧିଆମାନଙ୍କ ପ୍ରଜନନ ଋତୁ। ମହୁଆଦାନର୍ର ଏହି ଗଧିଆ ସଂରକ୍ଷଣ କାହାଣୀ ଏକ ବିରଳ ତଥା ଆଶାଜନକ ଉଦାହରଣ ପ୍ରଦାନ କରେ ଯେ ସାଂସ୍କୃତିକ ମୂଲ୍ୟବୋଧ କେତେ ଗଭୀର ଭାବରେ ଏକ ବିପଦଗ୍ରସ୍ତ ପ୍ରଜାତିର ପରିବେଶଗତ ଆବଶ୍ୟକତା ସହିତ ସମନ୍ବିତ ହୋଇପାରେ।